Unknown

 

 

 

 

 

 

 

 

 

 

 

କାହାଣୀ ତିନି ବନ୍ଧର

ବ୍ରଜମୋହନ ମହାନ୍ତି

 

ଯିଏ ଜୀବନରେ ଅସଂଖ୍ୟ ବନ୍ଧର

ପ୍ରତିଫଳନକୁ ତୁଚ୍ଛକରି

ଏକ ନୂତନ ଭଗ୍ନାଂଶକୁ ସ୍ଵାଗତ କରନ୍ତି–

ସେହି...

ବନ୍ଧୁ ଦୟାନିଧି ଶ୍ରୀଚନ୍ଦନଙ୍କୁ

ଆଉ ମାତ୍ର ତିନିଟି ବନ୍ଧର ଶେଷଧାଡ଼ି ପର୍ଯ୍ୟନ୍ତ

ପାଠ କରିବାକୁ ଅନୁରୋଧ

 

ଇତି

ସ୍ନେହାବଦ୍ଧ

ବ୍ରଜମୋହନ

󭨕󭨕𗰵

 

ଲେଖକଙ୍କର ଅନ୍ୟାନ୍ୟ ପୁସ୍ତକ

 

୧.

ବିନ୍ଦୁଏ ନିଆଁ

୨.

ଅଗଣିତ କ୍ଷୁଧା ସମ୍ପର୍କରେ

୩.

କାହାଣୀ ତିନି ବନ୍ଧର

୪.

ରକ୍ତଗଡ଼ର ସ୍ଵପ୍ନ

୫.

ସାଗର କୁମାର

୬.

ନିଶୀଥ ସୂର୍ଯ୍ୟ

୭.

ତୁମକୁ ମୋ ରାଣ

୮.

ତୃଣ ତିମିର

୯.

ଅମ୍ବାପଲ୍ଲୀ

୧୦.

ପ୍ରଗଳ୍‌ଭା ନଦୀର ଉପକଥା

୧୧.

ସୀତାନାଥଙ୍କ ସଂସାର

୧୨.

ଭାଇ ଭାଇ

୧୩.

ଓଡ଼ିଆ ସାହିତ୍ୟରେ ଆଧୁନିକତାର ଦର୍ଶନ

୧୪.

ଓଡ଼ିଥା ସାହିତ୍ୟରେ ଆଧୁନିକ ଯୁଗ ୧ମ

୧୫.

ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗ ୨ୟ

୧୬.

ଓଡ଼ିଆ ଭାଷା ବିଜ୍ଞାନ

୧୭.

ଜଗନ୍ନାଥ ପରକ୍ରମା

୧୮.

ଭକ୍ତକବି ମଧୁସୂଦନ

୧୯.

କୁଆଁ ତାରାର କାବ୍ୟ

୨୦.

ଛାୟାପଥ

୨୧.

ରକ୍ତ ପ୍ରଳାଶ

୨୨.

କ୍ଷୁଦ୍ରଗଳ୍ପର ସୃଷ୍ଟି ଓ ସମୀକ୍ଷା

୨୩.

ଆହତ ବିଶ୍ୱ

󭨕󭨕𗰵

 

Unknown

ମୁଖବନ୍ଧ

 

–ମନେହୁଏ ମୁଁ ଆପଣଙ୍କୁ କେଉଁଠି ଦେଖିଛି !

 

–ମୋତେ ?

 

–ହଁ...ଆପଣଙ୍କୁ । ଠିକ୍ ସେହି ମୁହଁ, ସେହି ଆଖି, ସେହି ନାକ । ମୋର ଚିହ୍ନିବାରେ ବୋଧେ କୌଣସି ଭୁଲ୍‌ ହେଉନାହିଁ ।

 

–କିନ୍ତୁ ମୋ ମତରେ....

 

–ନାଁ... ନାଁ...ଚିହ୍ନିବା ପାଇଁ ମଣିଷର ମତାମତ ଆବଶ୍ୟକ ହୁଏନାହିଁ ।

 

–ତା’ ଠିକ୍; କିନ୍ତୁ ମଣିଷ ଯେ ସବୁବେଳେ ଠିକ୍‌ଟା ଚିହ୍ନେ, ଏ ବିଶ୍ୱାସ ମୋର ନାହିଁ ।

 

–ତେବେ ସେ ଯାହାହେଉ...ମୁଁ କିନ୍ତୁ ଧରି ନେଇଛି...ଯେ ଆପଣ ମୋର ଚିହ୍ନା...

 

–ହେଲା...ଆପଣଙ୍କ ଯୁକ୍ତିକୁ ମୁଁ ମାନିନେଲି । ଯେହେତୁ ମୁଁ ଆପଣଙ୍କର ଚିହ୍ନା...ସେହେତୁ ଜଣେ ବନ୍ଧୁ ।

 

–ନାଁ...ନାଁ..., ଅନ୍ତତ୍ ଏତେବଡ଼ ସମାଧାନରେ ମୁଁ ପହଞ୍ଚି ପାରିନାହିଁ । ଯଦି ବାସ୍ତବିକ ଆପଣ ମୋର ଚିହ୍ନା ହୋଇଥାନ୍ତି...ତେବେ ଧରି ନେବାକୁ ହେବ...ଆପଣ...,

ଏଥିରେ ଲଜ୍ଜା ବା ସଂକୋଚରେ କାରଣ କ’ଣ ଅଛି ? ଆପଣ ମୋର ଶତ୍ରୁ ।

–ମାନେ ???

–ଆହା...ଆପଣ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ଜୀବନବଲ୍ଲଭଙ୍କ ମୃତ୍ୟୁ ପାଇଁ ଯେ ମୁଁ ଆପଣଙ୍କୁ ଦୋଷୀ ସାବ୍ୟସ୍ତ କରିବି...ତାହା ନୁହେଁ । ମୁଁ ମଧ୍ୟ ପୋଲିସ୍ ଅପିସର ନୁହେଁ । ଆପଣ ନିର୍ଭୟରେ ବସନ୍ତୁ ।

ତରୁଣକାନ୍ତ ଇତଃସ୍ତତ ହୋଇ ପଡ଼ିଲେ । ତାଙ୍କ କପାଳରେ ଦେଖାଦେଲା ବିନ୍ଦୁ ବିନ୍ଦୁ ଘର୍ମ । ଭୀଷଣ ବିରକ୍ତ ହୋଇ ସେ ହୋଟେଲର କାଠ ଟେବୁଲଟାକୁ ଆଘାତ କରି କହିଲେ...‘‘କି ଦୁଃସାହସ ଆପଣଙ୍କର ? ଆପଣ ଭାବୁଛନ୍ତି ମୁଁ ଜଣେ ଖୁନୀ...ମଡ଼ରର ?’’

ଅତିନ୍ଦ୍ର ସାମାନ୍ୟ ହସି ଉଠିଲେ । ସହଜ ଭାବରେ ପୁଣି କିଛି ମନ୍ତବ୍ୟ ଦେଲାବେଳକୁ, ତରୁଣକାନ୍ତ ତାଙ୍କ କଥାରେ ବାଧା ଦେଇ କହିଲେ–‘‘ମୁଁ ଭାବୁଛି ଆପଣ ଚୁପ୍ ରହିଲେ ଭଲ ହୁଅନ୍ତା-।’’

ଏଥର ଅତିନ୍ଦ୍ର ଆଉ ଟିକେ ହସର ଘନତ୍ଵ ବଢ଼ାଇ କହିଲେ–‘‘ଆପଣ ମୋତେ ବୃଥା ଭୟ କରୁଛନ୍ତି । ମୁଁ ଆପଣଙ୍କୁ ଜାଣେ । ଆପଣ ଯେ ଏପରି ଗୋଟାଏ ଜଘନ୍ୟ ପାପ କରି ନଥିବେ–ଏ ବିଶ୍ଵାସ ମୋର ରହିଛି । ଆପଣ ବସନ୍ତୁ ।’’

ରାଗରେ ଜର୍ଜରିତ ହୋଇଗଲେ ତରୁଣକାନ୍ତି । କେବଳ ମୂକ ପରି ଚେୟାରଟା ଉପରେ ବସିପଡ଼ି ବଡ଼ ବଡ଼ ଆଖିରେ ଚାହିଁ ରହିଲେ ଅତିନ୍ଦ୍ରକୁ ।

ସାମାନ୍ୟ ଥଟ୍ଟାଳିଆ ସ୍ଵରରେ ଅତିନ୍ଦ୍ର କହିଲେ–‘‘ଆପଣ କାଦମ୍ବରୀଙ୍କର ଗୁପ୍ତ ପ୍ରଣୟୀ, ଧନ ଦୌଲତ ନିକଟରେ ତାଙ୍କ ଦେହଟା ଆପଣଙ୍କ ପାଇଁ ବେଶୀ ମୂଲ୍ୟବାନ୍ । ତେଣୁ...’’

–‘‘ଆପଣ ଏ ସବୁ କ’ଣ କହୁଛନ୍ତି ?’’ ତରୁଣକାନ୍ତିଙ୍କର ଅଗ୍ନିମୟୀ ପ୍ରତିରୋଧ ।

–ନାଇଁ...ନାଇଁ...ସେହି ଜୀବନବଲ୍ଲଭଙ୍କ କନ୍ୟା କାଦମ୍ବରୀ କଥା ମୁଁ କହୁଛି ।’’

–‘‘ଆଃ କି ବିଚିତ୍ର ମଣିଷ ଆପଣ !! କୌଣସି ଜୀବନବଲ୍ଲଭ ବା କାଦମ୍ବରୀଙ୍କ ସହିତ ଯେ ମୋର ପରିଚୟ ନାହିଁ ।’’

ପୁଣିଥରେ ହସି ଉଠିଲେ ଅତିନ୍ଦ୍ର । କହିଲେ–‘‘ମୁଁ ସେ କଥା ମଧ୍ୟ ଜାଣେ । ଜୀବନବଲ୍ଲଭଙ୍କଠାରୁ ଆପଣ ଅଧିକ ଜାଣିଥିଲେ ତାଙ୍କ ଆଲସେସିଆନ୍ କୁକୁର ତପନ୍‍କୁ । ଆହା...ସେଥିରେ ଦୋଷ କ’ଣ ଅଛି ? ଅନେକ ସମୟରେ ଲୋକ କୁକୁର ଗୁଡ଼ାଙ୍କୁ ମଣିଷ ଅପେକ୍ଷା ଅଧିକ ଭଲ ପାଆନ୍ତି ।’’

ବିରକ୍ତ ହୋଇ ଉଠି ତରୁଣକାନ୍ତ କହିଲେ–‘‘ଅନେକ କଥା ଆପଣ କହିଲେଣି, ତେବେ ବାସ୍ତବିକ ନିର୍ଦ୍ଦିଷ୍ଟ ଅଭିଯୋଗ କ’ଣ ଶୁଣେ !!’’

–‘‘ନାଇଁ ଆଜ୍ଞା ! ମୋର ଅଭିଯୋଗ କରିବାର କିଛି ନାହିଁ । କେବଳ କାହାଣୀ ଶୁଣିବାର ମୋହ ଅଛି । ସେହି ଆଲ୍‌ସେସିଆନ୍‌ ତପନ୍‌ କଥା ମୁଁ କହୁଥିଲି । ସେଇଟା ସ୍ପେନିସ୍‌ କୁକୁର । ଜୀବନବଲ୍ଲଭଙ୍କୁ ଖୁବ୍‌ଭଲ ପାଉଥିଲେ ।’’

 

–‘‘ମୋର କିନ୍ତୁ କାହାଣୀ ଶୁଣିବାରେ ମୋର ଆଗ୍ରହ ନାହିଁ, ମୋତେ କାହିଁକି ଏ କାହାଣୀ ଶୁଣାଉଛନ୍ତି ?’’

 

–‘‘ତପନଟା ଜୀବନ ବଲ୍ଲଭଙ୍କ ଘରକୁ କଉଁଠୁ ଆସିଲା ଆପଣ ହୁଏତ ଜାଣି ନାହାନ୍ତି ।’’

 

–‘‘ମୋର ଜାଣିବାର ଆବଶ୍ୟକତା ନାହିଁ ।’’

 

–‘‘ନାଁ...ନାଁ...ଏକଥା କିନ୍ତୁ ମୁଁ ସ୍ୱୀକାର କରିବି ନାହିଁ । ସମଗ୍ର କଟକ ସହରରେ ଆଉ ସ୍ପେନିସ୍‌ ଆଲସେସିଆନ୍ କୁକୁର ନାହାନ୍ତି । କେବଳ ଗୋଟିଏ ମାଇ ସ୍ପେନିସ୍‌ କୁକୁର ଅଛି ମିଷ୍ଟର ଗୋକୁଳ ସାମନ୍ତରାଙ୍କର ଏବଂ ଆଉ ଗୋଟିଏ ଅଣ୍ଡିରା ସ୍ପେନିସ୍‌ ଆଲସେସିଆନ୍ ଅଛି ଆପଣଙ୍କର-।’’

 

ଚମକି ପଡ଼ିଲେ ତରୁଣକାନ୍ତି । କାତର ହେବାପରେ ଭୟଭୀତ ଆଖିରେ କହିଲେ–‘‘କିନ୍ତୁ ମୋ କୁକୁର ସହିତ ଜୀନନବଲ୍ଲଭଙ୍କର କି ସମ୍ପର୍କ ?’’

 

–ନାଁ...ନାଁ..ଆପଣ ଭୟ କରୁଛନ୍ତି କାହିଁକି ? ତେବେ ଆପଣ ନିଶ୍ଚୟ ଗୋକୁଳ ସାମନ୍ତରାଙ୍କ ଘରକୁ ଆପଣଙ୍କ ଅଣ୍ଡିରା କୁକୁରଟିକୁ ଛାଡ଼ିଥିବେ ଏବଂ ତା’ରି ଔରଷରୁ ଜାତ କୁକୁର ଏହି ତପନ ।’’

 

–‘‘ଓଃ ଏ ସବୁ କାହାଣୀ ଯେ ଆପଣ କାହିଁକି ଶୁଣାଉଛନ୍ତି ମୁଁ ଜାଣି ପାରୁନାହିଁ ।’’

 

–‘‘କାହାଣୀ ଶୁଣାଇବାର ଆବଶ୍ୟକତା ନିଶ୍ଚୟ ରହିଛି, କାରଣ...ଜୀବନବଲ୍ଲଭଙ୍କ ମୃତ୍ୟୁ ପରେ ଯେଉଁ ପୋଲିସ ଅନୁସନ୍ଧାନ ହେଲା...ସେଥିରୁ ଜଣାଗଲା ଯେ ଗୋଟିଏ ଆଲସେସିଆନ୍ କୁକୁର ସେ କୋଠରୀ ଭିତରକୁ ଆସିଥିଲା ।’’

 

–‘‘ତା’ ମାନେ, ଆପଣ କହୁଛନ୍ତି...ମୋ ସ୍ପେନିସ୍‌ ଆଲସେସିଆନ୍ କୁକୁର ଏଥିପାଇଁ ଦାୟୀ ?’’

 

‘‘ନାଁ...ନାଁ...କୁକୁରକୁ ଦାୟୀ କରିବାର କିଛି ନାହିଁ ।’’ ତା’ ଛଡ଼ା ଆପଣଙ୍କୁ ଯେ ଦୋଷୀ କରି ହେବନାହିଁ...ତା’ ନୁହେଁ... ?’’

 

ହଠାତ୍‌ ଚା’ କପ୍‌ଟି ଟେବୁଲ ଉପରେ କଚାଡ଼ି ଦେଇ ତରୁଣକାନ୍ତି ପାଟିକରି ଉଠିଲେ...‘‘ନନ୍‌ସେନ୍‌ସ୍‌’’ ।

 

ସେତେବେଳକୁ ହୋଟେଲର ପ୍ରତ୍ୟେକ ସିଟ୍‌ରୁ ଲୋକମାନେ ଚାହିଁ ରହିଥିଲେ ତରୁଣକାନ୍ତଙ୍କୁ । ତରୁଣକାନ୍ତ ମନେ କରୁଥିଲେ–ସତେ ଯେପରି ସେ ଜୀବନବଲ୍ଲଭଙ୍କ ମୃତ୍ୟୁ ପାଇଁ ଦାୟୀ । ହୋଟେଲର ପ୍ରତ୍ୟେକ ଆଖି ତାଙ୍କ ଉପରେ ନିବଦ୍ଧ ରହିଛି କେବଳ ତାଙ୍କୁ ଧରିବା ଲାଗି ।

 

ବେଳକୁ ବେଳ ସଂକୁଚିତ ହୋଇଗଲେ ସେ । ଏବେ ସେ ମନେ କଲେ...ଯେପରି ସମସ୍ତେ ଥଟ୍ଟା କରୁଛନ୍ତି ତାଙ୍କୁ । ଅସହ୍ୟ ବୋଧ କଲେ ତରୁଣକାନ୍ତ । ହୋଟେଲ ମାଲିକଙ୍କ ନିକଟରେ ଦୁଇଟି ଟଙ୍କା ଫିଙ୍ଗି ଦେଇ ବାହାରି ଆସିଲେ ପଦାକୁ ।

 

କାତର ହୋଇ ଅନ୍ୟମନସ୍କ ଭାବରେ ଆଗକୁ ଆଗେଇବାରେ ଲାଗିଛନ୍ତି ତରୁଣକାନ୍ତ । ସତେ ଯେମିତି ଦୋକାନ, ବଜାର, ରିକ୍‌ସା, ମୋଟର, ଲାଇଟ୍‌ପୋଷ୍ଟ ସମସ୍ତେ ପରିହାସ କରୁଛନ୍ତି ତାଙ୍କୁ । ତୁମେ ଖୁନୀ...ତୁମେ ମଡ଼ରର । ଆଉ ଧୈର୍ଯ୍ୟ ଧରି ପାରୁ ନାହାନ୍ତି ସେ ।

ତରୁଣକାନ୍ତଙ୍କ ଆଖି ଆଗରେ ନାଚି ଉଠୁଛି କାଳ୍ପନିକ ଜୀବନବଲ୍ଲଭଙ୍କ ସ୍ଵରୂପ । ଜୀବନବଲ୍ଲଭ ଧନୀ, କାଦମ୍ବରୀଙ୍କ ଜନକ, ନିଶ୍ଚୟ ଏକ ସୁନ୍ଦର ସ୍ଵାସ୍ଥ୍ୟବାନ୍‌ ମଣିଷ ହୋଇଥିବେ ସେ-। ଦେହର ମସ୍‌ଲ୍‌ସ୍‌ଗୁଡ଼ାକ ଆଉଟା ସୁନାପରି ଚିକ୍‌ ଚିକ୍‌ ମାରୁଥିବ, ତା’ପରେ... ।

ତରୁଣକାନ୍ତ ସାମନା ଉପଗଳିର ଉପାନ୍ତରେ ଦପ୍‌ ଦପ୍‌ କରି ଉଠୁଥିବା ଏକ ବାର୍‌ଲାଇଟ୍‌ଆଡ଼େ ଚାଲେ । ତାଙ୍କ ମୁହଁ ବିକୃତ ହୋଇ ଉଠିଲା । ଜୀବନବଲ୍ଲଭଙ୍କୁ ହତ୍ୟା କରାଯାଇଛି । ଇହ୍‌... । ଜୀବନବଲ୍ଲଭଙ୍କୁ ସ୍ଵର୍ଣ୍ଣାଭ ବକ୍ଷ ଦେଶରେ ନିଶ୍ଚୟ କେହି ଛୁରୀକା ଆଘାତ କରିଥିବ ।

ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ ତରୁଣକାନ୍ତି । ମୁଖ ବିକୃତ କରି ଅହେତୁକୀ ଆଶଙ୍କାରେ ସେ ଧାଇଁବାକୁ ଲାଗିଲେ ନିଜର ବସାଘର ଆଡ଼େ... ।

ଆଶ୍ଚର୍ଯ୍ୟ ହେଉଥିଲେ ରାସ୍ତାର ମଣିଷ... ।

ନିଜ କୋଠରୀ ଭିତରେ ପ୍ରବେଶ କରି ଆଶ୍ୱସ୍ତ ହେଲେ ତରୁଣକାନ୍ତ । କିଛି ସମୟ ନିର୍ବାକ୍‌ ନିଃସ୍ପନ୍ଦ ଭାବରେ ଠିଆ ହୋଇ ସେ ବସି ପଡ଼ିଲେ ନିଜ ଶୋଇବା ଖଟଟି ଉପରେ । ଆଖି କୋଣରୁ ଖସି ପଡ଼ିଥିଲା ଭୟ ଓ ଆଶଙ୍କାର...ଦାରୁଣ କାତରତା । ସେମିତି ନିର୍ବାକ୍‌ ରହି ଦେହରୁ ଗୋଟି ଗୋଟି କରି ସାର୍ଟ, ପ୍ୟାଣ୍ଟ, ଗେଞ୍ଜି ଖୋଲିବାରେ ଲାଗିଲେ ତରୁଣକାନ୍ତ ।

ଠିକ୍‌ ଏତିକିବେଳେ ହସି ହସି ଘରଭିତରକୁ ଦୌଡ଼ି ଆସିଲା ତରୁଣକାନ୍ତଙ୍କ କଲେଜ ପାଠୋଇ ଭଉଣୀ ଉର୍ମିଳା । ମୁହଁରେ ତା’ର ଦୁଷ୍ଟାମୀର ହସ । ଆଦରରେ ଭାଇ ପାଖରେ ବସିଯାଇ କହିଲା...‘‘କାହିଁ ଭାଇ ? ମୋ ଜିନିଷ କାହିଁ ?’’

ତରୁଣକାନ୍ତ ନୀରବ... ।

ଉର୍ମିଳା ଚୁପ୍‌ରହିବା ଝିଅ ନୁହେଁ । ଭାଇ ପାଖରେ ବା ସେ ଚୁପ୍‌ରହନ୍ତା କାହିଁକି ! ବାରମ୍ବାର ସେମିତି ଅଳି କରିବା ଭଙ୍ଗୀରେ କହିଲା–‘‘କାହିଁ...ଭାଇ..., ସେ ଜିନିଷ କ’ଣ ତୁମେ ବଜାରରୁ ଆଣି ନାହିଁ ?’’

ତଥାପି ତରୁଣକାନ୍ତ ନୀରବ........

ବ୍ୟସ୍ତ ହୋଇ ଉର୍ମିଳା ଖୁବ୍‌ ଜୋରରେ ହଲାଇଦେଲା ତରୁଣକାନ୍ତଙ୍କୁ । କହିଲା–କ’ଣ ହୋଇଛି ଭାଇ ? ତୁମେ କିଛି କହୁନାହଁ ଯେ ?’’

ଟିକେ ଚମକିପଡ଼ି ତରୁଣକାନ୍ତ କହିଲେ–‘ହଁ’ ।

ଉର୍ମିଳାର ସନ୍ଦେହ ଆହୁରି ଘନୀଭୂତ ହୋଇ ଉଠିଲା । ବାରମ୍ବାର ସେ କେବଳ ଅନୁରୋଧ କରୁଥିଲା–‘‘କ’ଣ ହେଲା କୁହ ଭାଇ । ଏମିତି ଚୁପ୍‌ ରହିଛ ଯେ ?’’

ଅନେକ ସମୟ ପରେ ତରୁଣକାନ୍ତ କହିଲେ... ‘‘ନାଁ–ଆଜି ତୋ ଜିନିଷ ଆଣି ପାରିନାହିଁ-। କାଲି ଘେନି ଆସିବ ।’’

 

ସାମାନ୍ୟ ଶାନ୍ତହେଲା ଉର୍ମିଳା, କହିଲା–‘‘ହେୟାର କ୍ରିମ୍‌ ନ ଆଣିଲ ନାହିଁ...କାଲି କିନ୍ତୁ ମୋ ପାଇଁ ଆଉ ଗୋଟିଏ ଜିନିଷ ଆଣିବ । ନ ଆଣିଲେ ମୁଁ କାନ୍ଦିବି ନିଶ୍ଚୟ ।’’

 

ତରୁଣକାନ୍ତ ମୁହଁ ବୁଲାଇ ଟିକେ ଚାହିଁଲେ ଉର୍ମିଳାଆଡ଼େ । ଉର୍ମିଳା ଅଭିମାନ କରୁଛି...ତା’ ବରାଦ ଅନୁସାରେ ହେୟାର କ୍ରିମ୍‌ଟି ଆସିନାହିଁ ବୋଲି । କାନ୍ଦିବାକୁ ଧମକ ଦେଉଛି ସେ ।

 

ହଁ...ଝିଅମାନଙ୍କର କାନ୍ଦିବା ଓ ଅଭିମାନ କରିବା ଦୁଇଟି ବଡ଼ ଅସ୍ତ୍ର । ଏଇ ଅସ୍ତ୍ରରେ ସେ ଜୟ କରନ୍ତି ପରିବାରର ସମସ୍ତ ହାର୍ଦ୍ଦିକତା, ଆକର୍ଷଣ କରନ୍ତି ସମସ୍ତଙ୍କର ସ୍ନେହ ।

 

ତରୁଣକାନ୍ତ ମୁହଁ ଖୋଲିବା ପୂର୍ବରୁ...ଉର୍ମିଳା ପୁଣି ଆରମ୍ଭ କଲା–‘‘ତୁମେ ତ ଜାଣିଥିବ ଭାଇ, ଶୀତଦିନ ଆସିଗଲାଣି, ମୋର ମୋଟେ ଶୀତଲୁଗା ନାହିଁ । ଗତକାଲି ଯେଉଁ ଥଣ୍ଡା ପଡ଼ିଲା...ସେଥିରେ ମୁଁ କଲେଜରେ ଖୁବ୍‌ ହଇରାଣ ହୋଇଛି । ତେଣୁ କାଲି ମୋ ପାଇଁ ଗୋଟିଏ ଭଲ ସୁଇଟର ଆଣିବ ।’’

 

ତରୁଣକାନ୍ତ ସଂକ୍ଷେପରେ ଉତ୍ତର ଦେଲେ ‘‘ହୁଁ....’’

 

ଭାଇଙ୍କର ସମର୍ଥନ ପାଇଯିବା ପରେ ଉର୍ମିଳା ଚୁପ୍‌ହୋଇ ବସନ୍ତା କେମିତି ? ସଙ୍ଗେ ସଙ୍ଗେ ବରାଦଟାକୁ ଆହୁରି ବଳବତ୍ତର କରିବା ଭଳି କହିଲା–‘‘କନ୍ତୁ ମୋ ପାଇଁ ଚକୋଲେଟ୍‌ ରଙ୍ଗର କାଶ୍ମୀର ସୁଇଟରଟିଏ ଆଣିବ ।’’

 

ତରୁଣକାନ୍ତ ଅନିଚ୍ଛାସତ୍ତ୍ୱେ ପୁଣି ହଁ ମାରିଲେ । ଉର୍ମିଳା ହସରେ ଫାଟି ପଡ଼ୁ ପଡ଼ୁ କହିଲା–‘‘ମୋ ରାଣ...ମୋ ପାଇଁ ନିଶ୍ଚୟ ଚକୋଲେଟ୍‌ ରଙ୍ଗର ସୁଇଟର୍‌ଏ ଆଣିବ ଭାଇ । ଏ ରଙ୍ଗର ସୁଇଟରଗୁଡ଼ିକ ଦେହକୁ ଖୁବ୍‌ ଭଲ ମାନୁଛି । ମୋର ସହପାଠିନୀ କାଦମ୍ବରୀ ପରା ଗତକାଲି ଠିକ୍ ଏଇ ରଙ୍ଗର ଗୋଟିଏ ସୁଇଟର ପିନ୍ଧି ଆସିଥିଲା । ତା’ ଦେହକୁ ସୁଇଟରଟି ଯେମିତି ମାନୁଥିଲା...ସେ କଥା ମୁଁ କ’ଣ କହିବି ?’’

 

ଥରି ଉଠିଲେ ତରୁଣକାନ୍ତ...‘‘ଏଁ... କାଦମ୍ବରୀ ?’’

 

ଉତ୍ସାହିତ ହୋଇ ଉର୍ମିଳା କହିବାରେ ଲାଗିଲା–‘‘ହିଁ ଭାଇ, କାଦମ୍ବରୀ, ମୋର ସାଙ୍ଗରେ ପଢ଼େ । ଦେଖିବାକୁ ଖୁବ୍‌ ସୁନ୍ଦରୀ, ସୁନା କାଠିପରି ଚେହେରା । ପାଠ ମଧ୍ୟ ସେ ମନ୍ଦ ପଢ଼େନାହିଁ । ସେ ସୁଇଟରଟି ତା’ ପାଇଁ କାଶ୍ମୀରରୁ ଆସିଛି ।’’

 

ତରୁଣକାନ୍ତ ସାମାନ୍ୟ ବିରକ୍ତ ହୋଇ କହିଲେ–‘‘ତା ହେଲେ ସେ ରଙ୍ଗର ସୁଇଟର ମୁଁ କଟକରୁ ପାଇବି କେଉଁଠୁ ?’’

 

ହଠାତ୍‌ ସମର୍ଥନ କରିବା ଭଙ୍ଗୀରେ । ଉର୍ମିଳା କହିଲା–‘‘ନାଇଁ ଭାଇ, କାଦମ୍ବରୀ କହୁଥିଲା...ତୁମେ ଟିକେ ଚେଷ୍ଟାକଲେ...ଖୋଜିଲେ...କଟକରୁ ମଧ୍ୟ ଏ ସୁଇଟର ପାଇବ ।’’

 

–‘‘ମୁଁ ଖୋଜିଲେ ପାଇବ ବୋଲି କାଦମ୍ବରୀ କହୁଥିଲା ?’’

 

–‘‘ହଁ, ତୁମେ ଖୋଜିଲେ ନିଶ୍ଚୟ ପାଇବ ବୋଲି ସେ କହୁଥିଲା ।’’

 

–‘‘ମିଛକଥା...କାଦମ୍ବରୀ ମୋତେ ଜାଣିଲା କେମିତି ?’’

 

–‘‘ତୁମକଥା କାଦମ୍ବରୀ ଜାଣିନାହଁ ତ’ ଆଉ କାହା କଥା ଜାଣିଛି ଭାଇ ? କେବଳ ସେତିକି ନୁହେଁ...ସେ ତୁମକୁ ଏତେ ଭଲପାଏ ଯେ...କଥାରେ କହି ହେବନାହିଁ । ସେଥିପାଇଁ ପରା ତୁମ ଫଟୋଟିକୁ ରଖିଥିଲି ସେ ନିତି ନିତି ପୂଜା କରୁଛି ।’’

 

–‘‘ମୋ ଫଟୋ ?’’ ଚମକି ପଡ଼ିଲେ ତରୁଣକାନ୍ତ ।

 

–‘‘ହଁ ତୁମର ଫଟୋ । କ’ଣ ବିଶ୍ଵାସ ହେଉନି ? ମୋ ଲଜିକ୍‌ ବହିର ମଲାଟ ଭିତରେ ତୁମର ଯେଉଁ ଫଟୋଟିକୁ ମୁଁ ଲୁଚାଇ ରଖିଥିଲି...ସେଇଟିକୁ ସେ ନେଇ ଯାଇଛି ।’’

 

–‘‘କିନ୍ତୁ ମୋ ଫଟୋ ତାକୁ ଦେବାପାଇଁ ତୋତେ ଅନୁମତି କିଏ ଦେଲା ?’’

 

ସେତେବେଳକୁ ଉର୍ମିଳା ସାମାନ୍ୟ ଡରି ଯାଇଥିଲା । ତେଣୁ କଥାର ମୋଡ଼ ବୁଲାଇ କହିଲା–‘‘ଆଚ୍ଛା ଭାଇ, ମୁଁ ପଛେ ତା’ ପାଖରୁ ତୁମ ଫଟୋଟିକୁ ଫେରାଇ ଆଣିବି, ହେଲେ ତୁମେ କିନ୍ତୁ ମୋ ପାଇଁ ଆସନ୍ତା କାଲି ସୁଇଟରଟିଏ ନିଶ୍ଚୟ ଆଣିବ ।’’

 

ତା’ପରେ ତରୁଣକାନ୍ତ ଆଉ କିଛି କହିବା ଆଗରୁ ଉର୍ମିଳା କୋଠରୀ ଛାଡ଼ି ଚାଲି ଯାଇଥିଲା । ଆକାଶ ପାତାଳ କେବଳ ଭାବିବାରେ ଲାଗିଲେ ତରୁଣକାନ୍ତ । ନିଜକୁ ନିଜେ ସେ ବିଶ୍ୱାସ କରିପାରୁ ନଥିଲେ । ତେବେ କ’ଣ ସତରେ ସେ ଜୀବନଲ୍ଲଭଙ୍କ ମୃତ୍ୟୁ ପାଇଁ ଦାୟୀ ?

 

ଘରର ଟେବୁଲ, ଚେୟାର, ଛାତ ସମସ୍ତେ କେବଳ ସମସ୍ଵରରେ ଅଭିଯୋଗ କରିବାରେ ଲାଗିଲେ–ତୁମେ..ଖୁନୀ..ତୁମେ ମଡ଼ରର ।

 

କାନ୍ଦି ଉଠିଲେ ତରୁଣକାନ୍ତ । ସେ ଜଣେ ତର୍କଶାସ୍ତ୍ରର ଅଧ୍ୟାପକ । କିନ୍ତୁ ତର୍କଠାରୁ ସେ ରୁହନ୍ତି ବହୁ ଦୂରରେ । ଖୁନ୍‌....ହତ୍ୟା...କଥା ପଡ଼ିଲେ ସେ ବେଦନା ଅନୁଭବ କରନ୍ତି ।

 

ଏଥିପାଇଁ ତରୁଣକାନ୍ତଙ୍କୁ ସେ ଗୋଟିଏ ବ୍ୟତିକ୍ରମ ବୋଲି କୁହାଯିବ...ତାହା ନୁହେଁ । ଅନେକ ଅଛନ୍ତି...ଯେଉଁମାନେ ରକ୍ତ ଦେଖିଲେ ସହ୍ୟ କରି ପାରନ୍ତି ନାହିଁ...ଶବ ଦେଖିଲେ ଧୈର୍ଯ୍ୟଧରି ରହି ପାରନ୍ତି ନାହିଁ... ମୃତ୍ୟୁକଥା ପଡ଼ିଲେ ଥରିବାରେ ଲାଗନ୍ତି । ସେହିଭଳି ଜଣେ ମଣିଷ ଏଇ ତରୁଣକାନ୍ତ ।

 

ଟିକେ କଥାରେ ଭାଙ୍ଗି ପଡ଼ିବା ତାଙ୍କର ପ୍ରକୃତି ।

 

ଏମିତି ଅନେକ କଥା ଚିନ୍ତା କରୁ କରୁ ଖଟଉପରେ ଶୋଇଗଲେ ତରୁଣକାନ୍ତ । ସକାଳ ପ୍ରାୟ ସାତଟା ହେଲାଣି...ସେ ପର୍ଯ୍ୟନ୍ତ ନିଦ ଭାଙ୍ଗି ନାହିଁ । ହୁଏତ ବହୁ ବ୍ୟସ୍ତତା ପରେ ସେ ଶାନ୍ତିର ସ୍ଵପ୍ନ ଦେଖୁଛନ୍ତି ।

 

ଠିକ୍‌ ଏତିକି ବେଳେ ତରୁଣକାନ୍ତଙ୍କୁ ଡାକି ଡାକି କୋଠରୀରେ ପ୍ରବେଶ କଲେ ପୋଲିସ ଇନିସ୍‌ପେକ୍ଟର ରଙ୍ଗବଲ୍ଲଭ ଜେନା । ରଙ୍ଗବାବୁ ତରୁଣକାନ୍ତଙ୍କର ବାଲ୍ୟବନ୍ଧୁ ।

 

ଡାକଶୁଣି ଧଡ଼ ପଡ଼ ହୋଇ ଉଠିପଡ଼ିଲେ ତରୁଣକାନ୍ତ । ହସି ହସି ରଙ୍ଗବଲ୍ଲଭ କହିଲେ–‘‘କିରେ ତରୁଣ...ଆଜି କ’ଣ ଏ ପର୍ଯ୍ୟନ୍ତ ଶୋଇ ଯାଇଛୁ । ଦିନ ସାତଟା ପର୍ଯ୍ୟନ୍ତ ଶୋଇବାର ମୁଁ ତ ତୋତେ କେବେ ଦେଖି ନ ଥିଲି ।’’

 

ଆଖି ମଳି ମଳି ତରୁଣକାନ୍ତ କହିଲେ–‘‘କାଲି ଶୋଉ...ଶୋଉ ଟିକେ ଡେରି ହୋଇଗଲା,..ହଁ..ତୁ ସକାଳୁ...ସକାଳୁ କୁଆଡ଼େ ଶୁଣେ ?’’

 

ରଙ୍ଗବଲ୍ଲଭ କହିଲେ–‘‘ପୋଲିସ ଗୁଡ଼ାଙ୍କର କାମ ତ ତୁ ଜାଣୁ । ତାଙ୍କର ରାତି ନାହିଁ କି ଦିନ ନାହିଁ । ସେମାନେ ତୋ ପରି ଅଧ୍ୟାପକ ହୋଇଥିଲେ ସିନା...ସକାଳ ସାତଟା ପର୍ଯ୍ୟନ୍ତ ଶୋଇ ରହନ୍ତେ ।’’

 

ତରୁଣକାନ୍ତ ପୁଣି ପଚାରିଲେ–‘‘ତେବେ ସକାଳୁ ମୋ ପାଖରେ କ’ଣ କାମ ପଡ଼ିଲା କହ-?’’

 

ରଙ୍ଗବଲ୍ଲଭ କହିଲେ...‘‘କେତେଦିନ ହେଲା ଆମେ ଖୁବ୍‌ ବ୍ୟସ୍ତରେ ପଡ଼ିଛୁ... । ଜୀବନବଲ୍ଲଭ ବାବୁଙ୍କର ହତ୍ୟା କଥା ତୁ ଜାଣିଥିବୁ । ସେଇ କାମରେ ଆମେ ବ୍ୟସ୍ତ । ସେଇଥିପାଇଁ ମୁଁ ତୋ ପାଖକୁ ଆସିଛି ।’’

 

–‘‘ଜୀବନବଲ୍ଲଭଙ୍କ ହତ୍ୟା କଥା ବୁଝିବାକୁ ତୁ ମୋ ପାଖକୁ ଆସିଛୁ...ମାନେ ? ତୁ କ’ଣ ଭାବୁଛୁ ଯେ ମୁଁ ଜୀବନବଲ୍ଲଭଙ୍କୁ ହତ୍ୟା କରିଛି ?’’

 

–‘‘ଆରେ ନାଁ...ନାଁ...ଏ ସବୁ ତୁ କ’ଣ କହୁଛୁ, ମୁଁ ତୋ ପାଖକୁ କେବଳ ସାହାଯ୍ୟ ପାଇଁ ଆସିଛି ।’’

 

–‘‘ସାହାଯ୍ୟ ଓ ବନବଲ୍ଲଭଙ୍କ ହତ୍ୟାର ଅନୁସନ୍ଧାନ ପାଇଁ ମୁଁ ତୋତେ କି ସାହାଯ୍ୟ କରି ପାରିବି ?’’

 

–‘‘କହୁଛି ଶୁଣ... । ତୋର ଗୋଟିଏ ଗୋଲ୍‌ଡ ଫ୍ରେମ୍‌ ଆମେରିକାନ୍‌ ଚଷମା ଥିଲା । ସେ ଚଷମାଟିରେ ମୋର କାମ । ଜୀନବଲ୍ଲଭଙ୍କ ହତ୍ୟା ଦିନ ତାଙ୍କ କୋଠରୀରେ ଗୋଟିଏ ଗୋଲ୍‌ଡ ଫ୍ରେମ ଆମେରିକାନ ଚଷମା ପଡ଼ିଥିଲା । କିନ୍ତୁ ସେ ଚଷମାଟି ଭାଙ୍ଗି କୁଟୁ କୁଟା ହୋଇ ଯାଇଛି । ହୁଏତ ହତ୍ୟା ପୂର୍ବରୁ ଆସାମୀ ଓ ଜୀବନବଲ୍ଲଭଙ୍କ ଭିତରେ ତୁମୁଳ ଧସ୍ତା ଧସ୍ତି ହୋଇଛି । ତା’ ନ ହୋଇଥିଲେ ଚଷମାଟି ଭାଙ୍ଗି ନ ଥାନ୍ତା । ତେବେ ସେ ଯାହାହେଉ...ଏ ଚଷମା ବଜାରରେ ବିକ୍ରୀ ହୁଏ ନାହିଁ । କେବଳ ଯେଉଁମାନେ ଆମେରିକା ଯାଆନ୍ତି...ସେମାନେ ଆଣନ୍ତି । ତେଣୁ ତୋ ଚଷମାଟିରୁ କମ୍ପାନୀର ନାମ ଦେଖି...ଚିଠି ଲେଖିଲେ ଅନେକ କଥା ଜଣା ପଡ଼ିବ ବୋଲି ମୁଁ ଭାବୁଛି । ଟିକେ ସେହି ଚଷମାଟି ମୋତେ ଦେଖା ।’’

 

ରଙ୍ଗବଲ୍ଲଭଙ୍କ ସହିତ ଆଉ କିଛି କଥାବାର୍ତ୍ତା ନ କରି ତରୁଣକାନ୍ତ ଚଷମାଟି ଖୋଜିବାରେ ଲାଗିଲେ । କିନ୍ତୁ...ଚଷମା... ?

 

ଟେବୁଲ ଡ୍ର...ଟ୍ରଙ୍କ୍‌...ସୁଟ୍‌କେଶ୍‌...ତକିଆ ତଳ...ସବୁ କିଛି ଖୋଜିଗଲେ ତରୁଣକାନ୍ତ । ତଥାପି ଚଷମାର ସନ୍ଧାନ ମିଳୁନାହିଁ । ତେବେ କ’ଣ... ।

 

ଟିକେ ଆଶ୍ଚର୍ଯ୍ୟ ହୋଇଗଲେ ରଙ୍ଗବଲ୍ଲଭ ।

 

ବ୍ୟସ୍ତ ହୋଇ ଚିତ୍କାର କରି ତରୁଣକାନ୍ତ କହିଲେ–‘ମୁଁ କିନ୍ତୁ ସତ କହୁଛି ରଙ୍ଗ...ଜୀବନବଲ୍ଲଭଙ୍କ ମୃତ୍ୟୁ କଥା ମୋତେ ଜଣା ନାହିଁ ?’’

 

ରଙ୍ଗବଲ୍ଲଭ ମହା ଦ୍ଵନ୍ଦରେ ପଡ଼ିଥିଲେ । ତାଙ୍କର ଅତି ଆପଣାର ଘନିଷ୍ଠ ବନ୍ଧୁ ତରୁଣକାନ୍ତ । ସେ ଜାଣନ୍ତି–ତରୁଣକାନ୍ତ ସରଳ, ଖିଆଲି ମଣିଷ । କିନ୍ତୁ...

 

ରଙ୍ଗବଲ୍ଲଭ କଳ୍ପନା ଶକ୍ତି ଅକାମୀ ହୋଇ ପଡ଼଼ୁଛି । ତରୁଣକାନ୍ତଙ୍କ ଚଷମାରୁ କମ୍ପାନୀର ନାମ ଦେଖି ଅନୁସନ୍ଧାନର କିଛି ଖିଅ ବାହାର କରିବାକୁ ସେ ସକାଳୁ ସକାଳୁ ଧାଇଁ ଆସିଥିଲେ । ଏବେ କିନ୍ତୁ ଅବସ୍ଥା ଗୋଳମାଳ ହେବା ଉପରେ...ତେବେ କ’ଣ...

 

ଆଉ ଅଧିକ କିଛି ନକହି ରଙ୍ଗବଲ୍ଲଭ ବାହାରିଗଲେ ପଦାକୁ...ତାଙ୍କ ଫେରିଯିବା ବାଟକୁ ନିର୍ଲିପ୍ତ ଓ ନୟନରେ ଚାହିଁ ରହିଲେ ତରୁଣକାନ୍ତ, ସେ ଅନୁଭବ କରୁଥିଲେ...ଜୀବନବଲ୍ଲଭଙ୍କ ମୃତ୍ୟୁ ଜାଲରେ ଯେମିତି ସେ ଛନ୍ଦି ହୋଇ ଯାଉଛନ୍ତି ।

 

ଠିକ୍‌ ଏତିକି ବେଳେ ହାତରେ ଗୋଟିଏ କପ୍‌ଧରି କୋଠରୀ ଭିତରକୁ ଆସିଲା ଉର୍ମିଳା-। କପ୍‌ଟିକୁ ଟେବୁଲ ଉପରେ ରଖି ଦେଇ କହିଲା–‘‘ଏ କ’ଣ ଭଲ ! ଦୁଇଦିନ ହେଲା ତୁମେ କ’ଣ ଭାବୁଛ ? କ’ଣ ହୋଇଛି ତୁମର ?’’

 

ତରୁଣକାନ୍ତଙ୍କୁ ଉର୍ମିଳାର କଥା ଶୁଭୁ ନ ଥିଲା । ସେ କେବଳ ଭାବୁଥିଲେ ଜୀବନବଲ୍ଲଭଙ୍କ ହତ୍ୟା କଥା ।

 

ଉର୍ମିଳା ପାଟିକରି ଉଠିଲେ । ‘‘ଭାଇ...ତୁମେ କ’ଣ ପାଗଳ ହୋଇଗଲ ? କ’ଣ ଏମିତି ଆକାଶ ପାତାଳ ଚିନ୍ତା କରୁଛ ଶୁଣେ ।’’

 

ହଠାତ୍‌ ଚମକି ଉଠିଲେ ତରୁଣକାନ୍ତ । ସିଧା ହୋଇ ବସି କହିଲେ–‘‘ନାଇଁ ଉର୍ମିଳା, ଦେହଟା କାହିଁକି ଭଲ ଲାଗୁନି ।’’

 

ଚପଳା ଭୂମିଲା ଟିକେ ଦୁଷ୍ଟାମୀର ହସି ହସି କହିଲା–‘‘ହଉ ଦେହ ଭଲ ନ ଲାଗିଲା ନାହିଁ । ଆଜି କିନ୍ତୁ ମୋ ପାଇଁ ତୁମେ ସୁଏଟରଟି ଆଣିବ । ମୁଁ ସକାଳୁ ସକାଳୁ କଲେଜ ଚାଲି ଯାଉଛି । ଏନ୍‌. ସି. ସି.ର କ୍ଲାସ ଅଛୁ ।

 

ନୀରବରେ ମୁଣ୍ଡ ହଲାଇଲେ ତରୁଣକାନ୍ତ ।

 

ସାମାନ୍ୟ କଣେଇଁ ଚାହିଁ ଉର୍ମିଳା ବାହାରିଗଲା ଘର ଭିତରୁ । ଗଲାବେଳେ କେବଳ କହିଲା–‘‘କାଦମ୍ବରୀର ସୁଏଟର ପରି...ଚକୋଲେଟ୍‌ ରଙ୍ଗର... ମନେଅଛି ତ ?’’

 

ପୁଣି ଗୋଟାଏ ନରମ ଶିହରଣ ଖେଳିଗଲା ତରୁଣକାନ୍ତଙ୍କ–ବୁକୁ ଭିତରେ । ନାମଟି ଶୁଣି ଏକରକମର ବ୍ୟତିବ୍ୟସ୍ତ ହୋଇପଡ଼ିଲେ ସେ । କିଏ ଏ ଜୀବନବଲ୍ଲଭ ଓ କାଦମ୍ବରୀ ? ତାଙ୍କ ପାଇଁ କାହିଁକି ପ୍ରାଣ ଏମିତି ଅଥୟ, ବିକଳ ହୋଇ ପଡ଼ୁଛି ? ନାଁ...ନାଁ ଏମାନେ ମୋର କେହି ନୁହଁନ୍ତି-। ଏମାନଙ୍କ ନିକଟରେ ମୁଁ କିଛି ଦୋଷ କରି ନାହିଁ । ବୃଥା ଭୟ କରି ଏମାନଙ୍କୁ ଡରିବା ଅନ୍ୟାୟ-

 

ମନରେ ସାହସ ବାନ୍ଧିଲେ ତରୁଣକାନ୍ତ ।

 

ସେ ନିର୍ଦୋଷ । ଜୀବନବଲ୍ଲଭଙ୍କୁ ଜାଣନ୍ତି ନାହିଁ । ମିଛ ଆତଙ୍କରୁ ତାଙ୍କୁ ଦୂରେଇ ରହିବାକୁ ହେବ ।

 

ନିଜର ନିତ୍ୟକର୍ମ ଶେଷ କରିବାକୁ ଆଗେଇଗଲେ ତରୁଣକାନ୍ତ ।

 

ଗୁପ୍ତ ମନ ଭିତରେ କେତେବେଳେ କେମିତି ମାତ୍ର ସେହି ଜୀବନବଲ୍ଲଭଙ୍କ ଦାରୁଣ ଦୁର୍ବିପାକ କଥା ଚମକ ଖେଳାଉଥିଲା ।

 

ଦୈନିକ ଖବର କାଗଜଟାକୁ ଟାଣି ଆଣି ଆଖି ବୁଲାଇ ନେବାକୁ ଚେଷ୍ଟାକଲେ ତରୁଣକାନ୍ତ ।

 

‘‘ଜୀବନବଲ୍ଲଭଙ୍କ ହତ୍ୟା ରହସ୍ୟ ।’’

 

ସମ୍ବାଦଟିକୁ ଦୃଷ୍ଟି ପଥକୁ ଆସିବା ସଙ୍ଗେ ସଙ୍ଗେ ତରୁଣକାନ୍ତଙ୍କର ଆଖି ବଡ଼ ବଡ଼ ହୋଇ ଆସିଲା । ଏକା ନିଃଶ୍ଵାସକରେ ସେ ପଢ଼ିଗଲେ ସମ୍ବାଦଟି ।

 

‘‘ଜୀବନବଲ୍ଲଭଙ୍କ ମୃତ୍ୟୁ ରହସ୍ୟ ଉଦଘାଟନ ପାଇଁ ପୋଲିସ ଏକ ନୂତନ ତଥ୍ୟ ଆବିଷ୍କାର କରିଛନ୍ତି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପଡ଼ିଥିବା ଗୋଟିଏ ସିଗାରେଟ୍‌ କେସ୍‌କୁ କେନ୍ଦ୍ର କରି ଅନୁସନ୍ଧାନ ଚାଲିଛି ।’’

 

ଧଡ଼ ପଡ଼ ହୋଇ ଉଠିପଡ଼ିଲେ ତରୁଣକାନ୍ତ । ନିଜର ସିଗାରେଟ କେସଟିକୁ ଖୋଜିବାକୁ ଚେଷ୍ଟା କଲେ ସେ । ଧୋବଲା ରଙ୍ଗର ସିଗାରେଟ୍‌ କେସ୍‌; କିନ୍ତୁ କାହିଁ ? ସିଗାରେଟ୍‌ କେସ୍‌ଟି କେଉଁଠି ରହିଲା ?

 

ବ୍ୟସ୍ତ ହୋଇ ତରୁଣକାନ୍ତ ଧାଇଁଗଲେ ନିଜର ଶୋଇବା କୋଠରୀକୁ । ନିମିଷକେ ଆଖି ବୁଲାଇ ନେଲେ ଚାରିଆଡ଼େ । ନାଁ ତଥାପି ସିଗାରେଟ୍‌ କେସ୍‌ଟିର ସନ୍ଧାନ ମିଳୁନାହିଁ । ନିଶ୍ଚୟ...ନିଶ୍ଚୟ କେହି ଦୁର୍ବୃତ୍ତ ଓ ତାହା ଚୋରି କରି ନେଇ ତାଙ୍କୁ ଜୀବନବଲ୍ଲଭଙ୍କ ମୃତ୍ୟୁ ସହିତ ଜଡ଼ିତ କରିବା ପାଇଁ ଚେଷ୍ଟା କରିଛି ।

 

କିନ୍ତୁ ହତ୍ୟା ଅଭିଯୋଗରୁ ଦୂରେଇ ରହିବାର ଉପାୟ ?

 

ତରୁଣକାନ୍ତ ସ୍ଥିର ହୋଇ କେବଳ ଚିନ୍ତା କଲେ ଅନେକ କଥା । ତେବେ କ’ଣ ସତରେ ସେ ଏ ମୃତ୍ୟୁ ପାଇଁ ଦାୟୀ ହେବେ ?

 

ବାରମ୍ବାର ନିଜର ପ୍ରଶ୍ନକୁ ନିଜେ ସମାଧାନ କରୁଥିଲେ ତରୁଣକାନ୍ତ ।

 

ନାଁ...ତାଙ୍କର ଚତୁର୍ଦ୍ଦିଗରେ ଘୂରି ବୁଲୁଛି ଏକ ଅହେତୁକୀ ପ୍ରହେଳିକା । ଏ ପ୍ରହେଳିକାକୁ ଦୂରେଇ ଦେବାକୁ ହେବ । ସମସ୍ତ ଅଭିଯୋଗର ମୁଣ୍ଡରେ ପାଦ ପିଟି ପିଟି କହିବାକୁ ହେବ...ମୁଁ ନିର୍ଦୋଷ...ମୁଁ ନିର୍ଦୋଷ...

 

ଛାତର ଗୋଟିଏ ବିନ୍ଦୁରେ ଚକ୍ଷୁ ନିବଦ୍ଧ କରି ଭାବିବାକୁ ଲାଗିଲେ ତରୁଣକାନ୍ତ । ସେ ଭାବନାର ସୀମା ନାହିଁ...ଆଦି ନାହିଁ...ଅନ୍ତ ନାହିଁ... । ଭାବନା ବିଳାସୀ ମଣିଷ ତରୁଣକାନ୍ତ...

 

ସହରର ଭିଡ଼ ପାର ହୋଇ ଗୋଟିଏ ଜନଶୂନ୍ୟ ରାସ୍ତାକଡ଼ରେ ବସି ପଡ଼ିଛନ୍ତି ତରୁଣକାନ୍ତ । ଆଖି ଆଗରେ ବିସ୍ତୀର୍ଣ୍ଣ ଆକାଶର ନଟୁ ଖେଳ । ରୂପଶ୍ରୀ ସଂଧ୍ୟାର ପାନଖିଆ ଓଠ ତଳେ ହସର ତାରଲ୍ୟ ତରଙ୍ଗ ଖେଳିଲା ପରି...ନାଚୁଛି ସୂର୍ଯ୍ୟାସ୍ତର ସୁଷମା । ତନ୍ମୟ ହୋଇ ସେ ଆଡ଼କୁ ଚାହିଁ ବସିଛନ୍ତି ତରୁଣକାନ୍ତ ।

 

‘‘ଆରେ ତରୁଣକାନ୍ତ ବାବୁ ! ନମସ୍କାର... ?’’

 

ଚମକି ପଡ଼ିଲେ ତରୁଣକାନ୍ତ । ପଛ ପାଖରୁ ନମସ୍କାର କରି ଆଗେଇ ଆସୁଛନ୍ତି ଜଣେ ଭଦ୍ରବ୍ୟକ୍ତି ।

 

ଅଚିହ୍ନା ଲୋକର ନମସ୍କାରରେ ଟିକେ ବିଚଳିତ ହେବା ପରି ଜଣାପଡ଼ିଲେ ସେ ।

 

ତରୁଣକାନ୍ତଙ୍କ ସମର୍ଥନକୁ ଅପେକ୍ଷା ନ କରି ଭଦ୍ରବ୍ୟକ୍ତି ଜଣକ ବସିଗଲେ ପାଖକୁ ଲାଗି-। ଭଦ୍ରାମୀ ରକ୍ଷା କରି କେବଳ ଗୋଟିଏ ଫାଙ୍କା ହସ ହସିଲେ ସେ ।

 

ସାମାନ୍ୟ ନୀରବତା ପରେ ଭଦ୍ରବ୍ୟକ୍ତି ଜଣକ କହିଲେ–‘‘ଆପଣ ନିଶ୍ଚୟ ବଡ଼ ଭୟାଳୁ ତରୁଣକାନ୍ତ ବାବୁ ! କିନ୍ତୁ ଏତେ ଡରରେ ସଂସାର ଚଳିବ କେମିତି ?’’

 

ନର୍ବୋଧ ଭଳି ତରୁଣକାନ୍ତ ସେମିତି ଅନେଇ ଥାଆନ୍ତି ।

 

ପୁଣି ଆରମ୍ଭ କଲେ ଭଦ୍ରବ୍ୟକ୍ତି–‘‘ଆପଣଙ୍କୁ ସାହାସ ଦେବାପାଇଁ ମୁଁ ଆସିଛି । ମୋ ମତରେ ଆପଣ ଯାହା କରିଛନ୍ତି କିଛି ଭୁଲ୍‌ କରି ନାହାଁନ୍ତି ।’’

 

ତରୁଣକାନ୍ତ ସେମିତି ଅନୁସନ୍ଧିତ୍ସୁ ଚକ୍ଷୁରେ ଅନାଇ ଥାଆନ୍ତି ।

 

ଭଦ୍ରବ୍ୟକ୍ତି ପୁଣି କହିଲେ–‘‘ମୁଁ କିନ୍ତୁ ଆପଣଙ୍କୁ ମୋ ତରଫରୁ ପୂର୍ଣ୍ଣିମାରେ କ୍ଷମାଦେଇ ସାରିଛି । ଆଜି ଦେଖିଲି...ଆପଣ ଚିନ୍ତିତ ହୋଇ ନଈବନ୍ଧ ପାର ହୋଇ ଏଣେ ଆଗେଇ ଆସୁଛନ୍ତି-। ତେଣୁ ଆପଣଙ୍କୁ ପଛ ଧରିବାକୁ ମୁଁ ବାଧ୍ୟ ହେଲି । କେତେଦିନ ହେଲା ମୁଁ ଆପଣଙ୍କୁ ସାକ୍ଷାତ କରିବା ପାଇଁ ଇଚ୍ଛା କରୁଥିଲେ । ଯାହାହେଉ ଭାଗ୍ୟ ବଶତଃ ଆଜି ଆପଣଙ୍କ ସହିତ ହଠାତ୍‍ ସାକ୍ଷାତ ହୋଇଗଲା ।’’

 

ଟିକେ ସାହସ ପାଇ ତରୁଣକାନ୍ତ କହିଲେ–‘‘ହେଲେ ଏଯାଏ ମୁଁ ଆପଣଙ୍କୁ ଚିହ୍ନି ପାରିଲି ନାହିଁ, ମୋତେ କ୍ଷମା କରିବେ ।’’

 

ସାମାନ୍ୟ ହସର ରେଖାଟାଣି ଭଦ୍ରବ୍ୟକ୍ତି କହିଲେ–‘‘ମୁଁ ସେ କଥା ଅନେକ ଆଗରୁ ଜାଣି ସାରିଛି, ଆପଣ ନିହାତି ଭୁଲା ଲୋକ, ଏମିତିକି ଅନେକ ସମୟରେ ନିଜେ ନିଜକୁ ଭୁଲି ଯାଆନ୍ତି, କିନ୍ତୁ...କିଛି ଦୁଃସମ୍ବାଦ ଶୁଣିଲେ ଆପଣ ଭୁଲି ପାରନ୍ତି ନାହିଁ । ଫଳରେ ତାହା ଆପଣଙ୍କ ନିକଟରେ ବିପଦର କାରଣ ହୁଏ । ଏଇ ଯେମିତି ବର୍ତ୍ତମାନ ଆପଣଙ୍କ ଅବସ୍ଥା ।’’

 

ତରୁଣକାନ୍ତ ଟିକେ ନିଜକୁ ସଜାଇ ନେଇ କହିଲେ–‘‘କିନ୍ତୁ...ନାଇଁ ମୁଁ ତ ବର୍ତ୍ତମାନ କିଛି ଚିନ୍ତା କରୁନାହିଁ ।’’

 

ତରୁଣକାନ୍ତଙ୍କ କଥା ଶୁଣି ସାମାନ୍ୟ ଜୋରରେ ହସିଲେ ଭଦ୍ରବ୍ୟକ୍ତି । କହିଲେ–‘‘ନାଁ...ନାଁ...ତରୁଣକାନ୍ତ ବାବୁ ! ଆପଣ ମୋତେ ମିଛ କହୁଛନ୍ତି । ମୁଁ ଆପଣଙ୍କ ଦୁଃଖ ଜାଣେ, ସେହି ଦୁଃଖ ସମୟରେ ସମବେଦନା ଜଣାଇବାକୁ ମୁଁ ଆସିଛି ।’’

 

‘‘ତେବେ କ’ଣ ଆପଣ ?’’ ଅଟକିଗଲେ ତରୁଣକାନ୍ତ ।

 

‘‘ତଥାପି ଚିହ୍ନି ପାରିଲେ ନାହିଁ ? ହଁ...ଚିହ୍ନିବେ କେମିତି ? ଆପଣ ଯେ ବିଲ୍‌କୁଲ୍‌ ଭୟାକୁଳ ହୋଇ ପଡ଼ିଛନ୍ତି, ସେଥିପାଇଁ ନିଶ୍ଚୟ ମତିଭ୍ରମ ହେଉଥିବ ।’’

 

‘‘କିନ୍ତୁ ମୋର ଯେ ମୋଟେ ମତିଭ୍ରମ ହୋଇ ନାହିଁ ।’’

 

‘‘ଆପଣ ମିଛ କହୁଛନ୍ତି ।’’ ଜୋର ଦେଇ କହିଲେ ଭଦ୍ରବ୍ୟକ୍ତି । ସିଗାରେଟ ଖଣ୍ଡେ ପକେଟରୁ ବାହାର କରି କହିଲେ–‘‘ନିଅନ୍ତୁ...ଦୁଇଦମ ଟାଣି ଦିଅନ୍ତୁ । ଶୀତଟା କମିଯିବ ।’’

 

ପୌଷ ମାସର ଶୀତଟା ଯେ ରାସ୍ତାଘାଟରେ ମଧ୍ୟ ତାହାର ଆସ୍ଥାନ ଜମାଇ ସାରିଛି...ଏକଥା ଖିଆଲ ନଥିଲା ତରୁଣକାନ୍ତଙ୍କର । ଟିକେ ସଙ୍କୁଚିତ ହୋଇ ସେ ସିଗାରେଟ୍‌ଟି ଟାଣିନେଲେ ଭଦ୍ରବ୍ୟକ୍ତିଙ୍କ ହାତରୁ । ତା’ପରେ...ସାମାନ୍ୟ ବିଚଳିତ ହୋଇ କହିଲେ–‘‘ଏ ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ଚିହ୍ନି ନ ପାରି ବିଶେଷ ଦୁଃଖିତ ।’’

 

ହସିଲେ ଭଦ୍ରବ୍ୟକ୍ତି । କହିଲେ–‘‘ମୁଁ କିନ୍ତୁ ଆପଣଙ୍କୁ ବେଶ୍‌ଭଲ ଭାବରେ ଚିହ୍ନି ରଖିଛି । ବିବାହ ସମ୍ପର୍କରେ ଦୈନିକ ଖବର କାଗଜରେ ଆପଣ ଯେଉଁ ପ୍ରବନ୍ଧଟି ଲେଖିଥିଲେ...ସେଇଥିପାଇଁ ତ’ ମୋର ଏ ଯଶା, ବାସ୍ତବିକ୍‌ ନୈତିକ ଚରିତ୍ର ସ୍ଖଳନ ଉପରେ ଆପଣଙ୍କର ଯେଉଁ ଗବେଷଣା ତାକୁ ମୁଁ ତାରିଫ୍‌ କରୁଛି ।’’

 

ତରୁଣକାନ୍ତ ସିଗାରେଟ୍‌ରୁ ଧୂଆଁ ଛାଡ଼ୁ ଛାଡ଼ୁ କହିଲେ–‘‘ସବୁ ବୁଝିଲି । କିନ୍ତୁ ନହାତି ପକ୍ଷରେ ଆପଣ ମୋତେ ଆପଣଙ୍କ ପରିଚୟଟା ଦେଇଦେବା ଉଚିତ ।’’

 

ଭଦ୍ରବ୍ୟକ୍ତି କହିଲେ–‘‘ହଁ, ମୋର ପରଚୟ ଦେଉଛି; କିନ୍ତୁ ପରିଚୟ ଦେବା ଆଗରୁ କହି ରଖୁଛି...ମୋର ମୃତ୍ୟୁ ପାଇଁ ହିଁ ଆପଣ ଦାୟୀ । ଆପଣଙ୍କୁ ଖୁନୀ କହିଲେ ଅତ୍ୟୁକ୍ତି ହେବନାହିଁ ।’’

 

ତରୁଣକାନ୍ତ ସାମନ୍ୟ ବିରକ୍ତ ହୋଇ କହିଲେ–‘‘ପାଗଳଙ୍କ ପରି ଆପଣ କ’ଣ ପ୍ରଳାପ କରୁଛନ୍ତି ? ହୁଏତ ମୋତେ ଚିହ୍ନି ନ ପାରି ଆପଣ ଭୁଲ୍‌ କରୁଛନ୍ତି ।’’

 

ପ୍ରବଳ ଭାବରେ ହସିଉଠି ଭଦ୍ରବ୍ୟକ୍ତି କହିଲେ–‘‘ମୋର ଏତେବଡ଼ ଭୁଲ୍‌ ହେବନି ତରୁଣକାନ୍ତ ବାବୁ । କାରଣ–ପିଲାଦିନେ ସ୍ମରଣ ଶକ୍ତି ପାଇଁ ସ୍କୁଲରୁ ମୁଁ ପୁରସ୍କାର ପାଇଛି । ତେବେ ସେ କଥା ଛାଡ଼ନ୍ତୁ । ମୁଁ ଆପଣଙ୍କୁ ଭଲ ଭାବରେ ଜାଣେ । ଉର୍ମିଳା ଠାରୁ ମଧ୍ୟ ମୁଁ ଅନେକ କଥା ଆପଣଙ୍କ ବିଷୟରେ ଶୁଣିଛି ।’’

 

‘‘ଉର୍ମିଳା ?’’ ଟିକେ ଚମକି ପଡ଼ିଲେ ତରୁଣକାନ୍ତ ।

 

‘‘ହଁ ଉର୍ମିଳା, କାଦମ୍ବରୀର ସହପାଠିନୀ, ଆପଣଙ୍କ ଭଉଣୀ । ତେଣୁ ଏଥର ଆପଣ ଠିକ୍‌ ବୁଝୁଥିବେ ଯେ ମୋର ଚିହ୍ନିବା ମୋଟେ ଭୁଲ ହୋଇନାହିଁ ।’’

 

‘‘କିନ୍ତୁ...’’

 

‘‘ନାଁ...ଆପଣ ଆଉ ଯୁକ୍ତି କରନ୍ତୁ ନାହିଁ । ପରିଚୟଟା ଦେଲେ ଆପଣ ମୋତେ ଠିକ୍‌ ଚିହ୍ନି ପାରିବେ ବୋଲି ମୋର ଆଶା । ଅନ୍ତତ ପକ୍ଷେ ମୁଁ ବର୍ତ୍ତମାନ ଅନେକଙ୍କର ଆଲୋଚନାର ବିଷୟବସ୍ତୁ ହୋଇ ପଡ଼ିଛି ।’’

 

‘‘ଆପଣ ??’’

 

–‘‘ହଁ...ମୁଁ । ଯେଉଁଥିପାଇଁ ଆପଣ ଜନଗହଳି ରାସ୍ତା, ହୋଟେଲ, ପାର୍କ ଛାଡ଼ି ଏ ନିର୍ଜନ ରାସ୍ତା ମୁଣ୍ଡରେ ବସିଛନ୍ତି...ସେ କଥା ମୁଁ ଜାଣେ । କିନ୍ତୁ ମୁଁ ଜୋର ଦେଇ କହୁଛି...ଆପଣ ଏଥିଲାଗି ଦୋଷୀ...’’

 

–‘‘ମୁଁ ଜୀବନବଲ୍ଲଭଙ୍କ ମୃତ୍ୟୁପାଇଁ ଦୋଷୀ ?’’ କମ୍ପି ଉଠିଲେ ତରୁଣକାନ୍ତ ।

 

–‘‘ହଁ...ଅନ୍ତତ ମୋ ତରଫରୁ ଏ ଯୁକ୍ତି ।’’

 

–‘‘ମୋତେ ଏତେବଡ଼ ଦୋଷରେ ଦୋଷୀ କରିବା ପାଇଁ ଆପଣଙ୍କୁ କିଏ ଅଧିକାର ଦେଲା ଶୁଣେ ।’’

 

ଅଳ୍ପ ସମୟ ପାଇଁ ନୀରବ ହୋଇଗଲେ ଭଦ୍ରବ୍ୟକ୍ତି । କହିଲେ–‘‘ଆପଣ ନିର୍ବୋଧ ଭଳି ଯୁକ୍ତି କରୁଛନ୍ତି ତରୁଣକାନ୍ତ ବାବୁ ! କାରଣ–ସେପରି ଚକ୍ଷୁସ ପ୍ରମାଣ ନ ଥିଲେ–ଜଣକୁ ଏତେବଡ଼ ଦୋଷରେ ଦୋଷୀ କରି ହୁଅନ୍ତା ନାହିଁ ।’’

 

ବସିବା ଜାଗାରୁ ଉଠିପଡ଼ି ତରୁଣକାନ୍ତ କହିଲେ–‘‘କିନ୍ତୁ ମୋ ନିକଟରେ ବସି ଏ ସବୁ ଯୁକ୍ତି କରିବାକୁ ଆପଣ କିଏ ?’’

 

–‘‘ମୁଁ !!’’ ସାମାନ୍ୟ ନମ୍ର ହୋଇ ଭଦ୍ରବ୍ୟକ୍ତି କହିଲେ–‘‘ଥରେ କହିଛି...ଆପଣ ମୋତେ ଭଲଭାବରେ ଜାଣନ୍ତି ।

 

ମୁଁ ଜୀବନବଲ୍ଲଭ । ମୋର ମୃତ୍ୟୁପାଇଁ ହିଁ ବର୍ତ୍ତମାନ ଏତେବଡ଼ ଅନୁସନ୍ଧାନ ଚାଲିଛି ।’’

 

–‘‘...ଆପଣ...ଆପଣ ଜୀବନବଲ୍ଲଭ ।’’

 

–‘‘ହଁ...ହଁ...ମୁଁ ଜୀବନବଲ୍ଲଭ । କାଦମ୍ବରୀର ବାପା...’’

 

ପଛେଇ ପଛେଇ ଘୁଞ୍ଚିବାକୁ ଲାଗିଥିଲେ ତରୁଣକାନ୍ତ । ସତେ ଯେମିତି ତାଙ୍କୁ ଗୋଡ଼ହାତ କାଲୁ ମାରି ଯାଉଥିଲା । ପ୍ରାଣ ବିକଳରେ ଚିତ୍‌କାର କରି ଉଠିଲେ ସେ...ଆପଣ...ଆପଣ । ...ଜୀବନବଲ୍ଲଭ ? ? ?

 

–‘‘ଏସବୁ କ’ଣ ଗପୁଛନ୍ତି...କ’ଣ କହୁଛନ୍ତି ଆପଣ ? ଜୀବନବଲ୍ଲଭ କାହାନ୍ତି ? ସେ ଯେ ଅନେକ ଦିନ ହେଲା ମୃତ, ମୁଁ ଆସିଛି ଅତିନ୍ଦ୍ର ।’’

 

–‘‘ନାଁ...ନାଁ...ଆପଣ ଅତିନ୍ଦ୍ର ନୁହଁନ୍ତି...ଆପଣ ଜୀବନବଲ୍ଲଭ ।’’

 

–ଟିକେ ମୁଣ୍ଡ ଠିକ୍‌ କରନ୍ତୁ ତରୁଣକାନ୍ତ ବାବୁ ! ଆଖି ଖୋଲି ଭଲ ଭାବରେ ଦେଖନ୍ତୁ । ମୁଁ ଆସିଛି ଅତିନ୍ଦ୍ରବାବୁ ।’’

 

ରାଗିଉଠିଲେ ତରୁଣକାନ୍ତ । କହିଲେ–‘‘ଆପଣ ପୁଣି କୁଆଡ଼େ ?’’

 

–‘‘ମୁଁ ! କି ଅସୁବିଧାରେ ଘର ପଚାରି ପଚାରି ଆସିଲି ଆପଣ ବୁଝି ପାରିବେନି ।’’

 

–‘‘କିନ୍ତୁ କାହିଁକି ? ମୁଁ ତ’ ଆପଣଙ୍କୁ ନିମନ୍ତ୍ରଣ କରିନି ।’’

 

–‘‘ନାଁ...ନାଁ...ଏମିତିକି ଉର୍ମିଳାଙ୍କ ଶୁଭ ବିବାହରେ ମଧ୍ୟ ଆପଣ ମୋତେ ନିମନ୍ତ୍ରଣ କରିବେନି, ସେ କଥା ମୁଁ ଜାଣେ ।’’

 

–‘‘ତେବେ ବାରମ୍ବାର ଆପଣ ମୋତେ ଏମିତି ବ୍ୟସ୍ତ କରିବାର କାରଣ ?’’

 

–‘‘ଆପଣ ଭୁଲ ବୁଝୁଛନ୍ତି ତରୁଣକାନ୍ତ ବାବୁ, କ’ଣ କହି ବା ମୁଁ ମୋ କଥା ବୁଝାଇବି ଆପଣଙ୍କୁ ?’’

 

–‘‘ମୁଁ ପିଲା ନୁହେଁ, ମୋତେ ବୁଝାଇବାର ଆବଶ୍ୟକତା ନାହିଁ । ଆପଣ ଯାଇ ପାରନ୍ତି-।’’

 

–‘‘ହଁ ଯିବା ପାଇଁ ତ’ ଆସିଛି । କିନ୍ତୁ କେତେଥର ଯେ ବିନା ନିମନ୍ତ୍ରଣରେ ଏମିତି ଆସିବାକୁ ହେବ ତାହା କହି ହେଉନାହିଁ । ସେ ଯାହାହେଉ ଘରଟା ଦେଖିଯାଇ ଭଲ ହୋଇଛି ।’’

 

–‘‘ଆପଣ ଯଦି ଆଉ ଥରେ ହେଲେ ନ ଆସନ୍ତି...ମୁଁ ଅଧିକ ଖୁସି ହେବି, ବୁଝିଲେ ?’’

 

–‘‘କିନ୍ତୁ ଆପଣ ଯେ ମୋତେ ବାରମ୍ବାର ବାଧ୍ୟ କରୁଛନ୍ତି ଆସିବା ଲାଗି ?’’

 

–‘‘ମୁଁ... ? ହୁଏତ ଆପଣଙ୍କ ମୁଣ୍ଡ ଠିକ୍‌ ନାହିଁ ।’’

 

–‘‘ମୁଁ ତର୍କଶାସ୍ତର ଅଧ୍ୟାପକ ନୁହେଁ ତରୁଣକାନ୍ତ ବାବୁ, ମୋର ମାନସିକ ସ୍ଥିତି ବଡ଼ ସ୍ଥିର-।’’

 

–‘‘ତା ହେଲେ ଆପଣ କ’ଣ କହୁଛନ୍ତି...ମୁଁ ଅସ୍ଥିର...ମୁଁ ପାଗଳ ।’’

–‘‘ନାଁ ନାଁ...ବିଶ୍ଵବିଦ୍ୟାଳୟ ଯେତେବେଳେ ଆପଣଙ୍କୁ ଅଧ୍ୟାପକ ଭାବରେ ସ୍ୱୀକାର କରିଛି, ସେତେବେଳେ ମୁଁ ପାଗଳ କହିବା ଅଯୌକ୍ତିକ ହେବ ନିଶ୍ଚୟ ।’’

–‘‘ବେଶ୍‌..., ମୋରି କୋଠରୀରେ ବସି...ସାହସର ସହିତ ଆପଣ ଅନେକ କଥା କହି ସାରିଲେଣି । ଏବେ ଯାଆନ୍ତୁ । ମିଛଟାରେ ମୋତେ ବ୍ୟସ୍ତ କରି ଆପଣ କି ଲାଭ ପାଇବେ ?’’

–‘‘ଆପଣ ଯେ ବ୍ୟସ୍ତ ହେବାପାଇଁ ଅନୁରୋଧ କରୁଛନ୍ତି ।’’

–‘‘ଏପରି ଅଯୌକ୍ତିକ କଥାର ପୁନରାବୃତ୍ତି ପାଇଁ ମୁଁ ବାରମ୍ବାର ମନା କରୁଛି ଅତିନ୍ଦ୍ର ବାବୁ ! ଆପଣ ଦୟାକରି ଯାଆନ୍ତୁ ।’’

–‘‘ହଁ...ମୁଁ ମଧ୍ୟ ଅନେକ ସମୟ ଏଠାରେ ଅପେକ୍ଷା କରିବାକୁ ଆସିନି । ତେବେ ଦୟାକରି ଆପଣ କାଦମ୍ବରୀର ସୁଇଟରଟି ଦେଇ ଦିଅନ୍ତୁ ।’’

–‘‘କାଦମ୍ବରୀର ସୁଇଟର !!!’’

–‘‘ହଁ, ...ଆଶ୍ଚର୍ଯ୍ୟ ହେଉଛନ୍ତି ଯେ । ମୁଁ ଜାଣେ...ପ୍ରତ୍ୟେକ କଥାକୁ ଆପଣ ଏମିତି ଆଶ୍ଚର୍ଯ୍ୟ ବୋଲି ଧରି ନିଅନ୍ତି ।’’

–‘‘କିନ୍ତୁ କାଦମ୍ବରୀର ସୁଇଟର ମୁଁ ଆଣିଛି ବୋଲି ଆପଣଙ୍କୁ କହିଲା କିଏ ?’’

–‘‘ମୋତେ କେହି କହି ନାହାନ୍ତି । ମୁଁ ଜାଣେ...ତାହା ଆପଣଙ୍କ ବ୍ୟତୀତ ଆଉ କେହି କବେ ନେବେ ନାହିଁ ।’’

–‘‘ଅତିନ୍ଦ୍ର ବାବୁ !!’’

–‘‘ବୃଥାରେ ଚିତ୍କାର କରନ୍ତୁ ନାହିଁ । ମୁଁ ଚୋର ଦଳର ସର୍ଦ୍ଦାର ନୁହେଁ । ଆପଣଙ୍କର ଜଣେ ଅତି ହିତକାରୀ ବନ୍ଧୁ । କେବଳ ବିପଦରୁ ଉଦ୍ଧାର କରିବା ପାଇଁ ଧାଇଁ ଆସିଛି । ଆପଣ ମୋ କଥା ମାନନ୍ତୁ । ସୁଇଟରଟି ଦେଇ ଦିଅନ୍ତୁ ।’’

–‘‘ଏ ସବୁ କି ଅଦ୍‌ଭୂତ ଯୁକ୍ତି ଆପଣ କରୁଛନ୍ତି ଅତିନ୍ଦ୍ର ବାବୁ ?’’

–‘‘ମୁଁ ଜାଣେ...ଆପଣ ନିଶ୍ଚୟ ମୋ ଯୁକ୍ତିକୁ ଅଦ୍‌ଭୂତ ବୋଲି କହିବେ, କିନ୍ତୁ ବିଚାର କରି ଦେଖନ୍ତୁ । ଆପଣଙ୍କ ମଙ୍ଗଳ ପାଇଁ ହିଁ ମୁଁ କେବଳ ଅନୁରୋଧ କରୁଛି ?’’

–‘‘ଓଃ...ଆପଣ ମୋତେ ପାଗଳ ନକରି ହୁଏତ ଛାଡ଼ିବେନି ।’’

–‘‘ନାଁ...ନାଁ...ଠିକ୍‌ ତାହା ନୁହେଁ । କିନ୍ତୁ ନିଜେ ଆପଣ ପାଗଳ ହେବାକୁ ବସିଲେ ଆପଣଙ୍କୁ ରକ୍ଷାକରିବ କିଏ ? କେବଳ ସେଇଥିପାଇଁ କହୁଛି...ଆପଣ ମୋ କଥାର ଟିକେ ବିଚାର କରନ୍ତୁ ।’’

–‘‘ଥରେ ନୁହେଁ...ମୁଁ ଶହେବାର ବିଚାର କରି କହୁଛି...କାଦମ୍ବରୀର ସୁଇଟର କଥା କିଛି ଜାଣିନାହିଁ ।’’

–‘‘ଦେଖନ୍ତୁ ତରୁଣକାନ୍ତ ବାବୁ ! ଆପଣଙ୍କ ସୁଇଟର ଆପଣ ଫେରାଇ ଆଣିଲେ...ସେଥିରେ ମୋର କିଛି କହିବାର ନାହିଁ । କିନ୍ତୁ ସେହି ସୁଇଟର ସେ ଦିନେ କାଦମ୍ବରୀଙ୍କ ମୃତ୍ୟୁର କାରଣ ହେବ...ସେ ବିଷୟରେ ମୁଁ ନିଶ୍ଚିତ ।’’

 

–‘‘ମୋ ସୁଇଟର ମୁଁ ଫେରାଇ ଆଣିଛି ?’’

 

–‘‘ମୋତେ ଆଉ ଲୁଚାନ୍ତୁ ନାହିଁ ତରୁଣକାନ୍ତ ବାବୁ । କାଦମ୍ବରୀଙ୍କୁ ଯେ ଆପଣ ସେ ସୁଇଟରଟି ଉପହାର ଦେଇଥିଲେ...ଏ କଥା ସମସ୍ତେ ଜାଣନ୍ତି ।’’

 

–‘‘ଅତିନ୍ଦ୍ର ବାବୁ !!’’

 

–ହଁ...ସେହି ଚକୋଲେଟ୍‌ ରଙ୍ଗର କାଶ୍ମୀର ସୁଇଟରଟିକୁ କାଦମ୍ବରୀ ଖୁବ୍‌ ଭଲ ପାଆନ୍ତି-। ସେଇଟି ସେ ହରାଇଲେ ନିଶ୍ଚୟ ଦୁଃଖରେ ଭାଙ୍ଗି ପଡ଼ିବେ । ତା’ପରେ କେତେବେଳେ କ’ଣ ହେବ...ସେକଥା ମୁଁ କହି ପାରିବିନି ।’’

 

–‘‘ମୋତେ କ୍ଷମା କରନ୍ତୁ ଅତିନ୍ଦ୍ର ବାବୁ ! ସୁଇଟର କଥା ଯେ ମୁଁ କିଛି ଜାଣିନାହିଁ ।’’

 

–‘‘ନାଁ ବାସ୍ତବିକ୍‌ ଆପଣ ଅନେକ କଥା ଜାଣି ନାହାଁନ୍ତି । ତେବେ ସେ ସବୁ କଥା ଆପଣଙ୍କୁ ଜଣାଇ ବି କିଛି ଲାଭ ନାହିଁ । ମୋଟାମୋଟି ଏତିକି କହୁଛି ... ଚକୋଲେଟ୍‌ ରଙ୍ଗର ଗୋଟିଏ କାଶ୍ମୀର ସୁଇଟର ଆପଣ କାଦମ୍ବରୀଙ୍କୁ ଉପହାର. ଦେଇ ଭୁଲ୍‌ କରିଛନ୍ତି । କାରଣ ଏ ରଙ୍ଗଟା ଜୀବନବଲ୍ଲଭଙ୍କ ପ୍ରାଣରେ ବିଶେଷ ଆଘାତ ଦେଉଥିଲା ।’’

 

–‘‘ମାନେ...’’

 

–‘‘କହୁଛି ଶୁଣନ୍ତୁ । କଲେଜ ଜୀବନରେ ଜୀବନବଲ୍ଲଭ ଜଣେ ସହପାଠିନୀକୁ ପ୍ରେମ କରୁଥିଲେ । ସେ ପ୍ରେମର ପ୍ରଥମ ଉପହାର ଥିଲା ଚକୋଲେଟ୍ ରଙ୍ଗର ଗୋଟିଏ ସୁଇଟର । କାଶ୍ମୀର ଏକ୍‌ସ୍‌କର୍ସନ୍‌ରୁ ଫେରି ଜୀବନବଲ୍ଲଭ ସେଇଟି ଆଣିଥିଲେ ତାଙ୍କ ପ୍ରଣୟିନୀଙ୍କ ପାଇଁ । ପ୍ରଣୟିନୀ ସୁଇଟିର ପିନ୍ଧିଲେ ଖୁବ୍ ଖୁସି ହେଉଥିଲେ ଜୀବନବଲ୍ଲଭ । କିନ୍ତୁ ମାତ୍ର ଶୀତ ତିନିମାସ ତ’ ସୁଇଟରଟି ପିନ୍ଧିବା କଥା । ସେତିକିଦିନ ପିନ୍ଧ ସେ ସୁଇଟରଟି ରଖିଦେଲେ ଜୀବନବଲ୍ଲଭ ଦୁଃଖ କରନ୍ତି । ତେଣୁ ବର୍ଷର ଯେ କୌଣସି ସମୟରେ ଟିକେ ଶୀତ ପଡ଼ିଲେ...ଥଣ୍ଡା ଲାଗିଲେ...ସୁଇଟର ପିନ୍ଧ ଆସନ୍ତି ସେ । ଅବଶ୍ୟ ଏଥିପାଇଁ ଅନେକ ଥଟ୍ଟା ସହିବାକୁ ପଡ଼ୁଥିଲା ତାଙ୍କୁ ।

 

ହଠାତ୍ ଦିନେ ଏଇ ସୁଇଟରଟି ଚୋରୀ ହୋଇଗଲା । ସେଦିନ ଯେ ଜୀବନବଲ୍ଲଭଙ୍କ ମନରେ କି ଦୁଃଖ...ତାହା କଥାରେ କହିହେବ ନାହିଁ । ...ପ୍ରେମିକାଙ୍କର ସତର୍କହୀନତା ପାଇଁ ଦୁଃଖ କରିଥିଲେ ଜୀବନବଲ୍ଲଭ । ଏପରିକ ଅଭିମାନରେ ତାଙ୍କ ସହିତ କଥାବାର୍ତ୍ତା ବନ୍ଦ୍‌ କରି ଦେଇଥିଲେ...

 

କିଛିଦିନ କଟିଲା । ଦିନେ ହଠାତ୍ ରାସ୍ତାରେ ଯାଉ ଯାଉ ଗୋଟିଏ ପୁରୁଣା ପୋଷାକ ଦୋକାନରୁ ସୁଇଟରଟିକୁ ଆବିଷ୍କାର କଲେ ଜୀବନବଲ୍ଲଭ । ଆଶ୍ଚର୍ଯ୍ୟ ହେଲେ ସେ । ଅଧିକ କିଛି ନ ପଚାରି ଜୀବନବଲ୍ଲଭ ସେଇଟିକୁ ପୁଣି କଣି ଆଣି ଧାଇଁଲେ ପ୍ରେମିକାଙ୍କୁ ଘରକୁ ।

 

ପ୍ରେମିକା ଯେ ଜୀବନବଲ୍ଲଭଙ୍କ ପାଇଁ ଚିନ୍ତିତା ହୋଇ ନ ଥିଲେ ତାହା ନୁହେଁ । ସେ ମନେ ମନେ ଅଶେଷ ଦୁଃଖ ଅନୁଭବ କରୁଥିଲେ । ଠିକ୍ ଏତିକିବେଳେ ଜୀବନବଲ୍ଲଭଙ୍କୁ ଦେଖି ଆନନ୍ଦରେ ଅଧୀର ହୋଇ ପଡ଼ିଲେ । କିନ୍ତୁ ପର ମୁହୂର୍ତ୍ତରେ ପୃଷ୍ଠା ଓଲଟି ପଡ଼ିଲା । ସୁଇଟରଟିକୁ ଜୀବନବଲ୍ଲଭଙ୍କ ହାତରେ ଦେଖି ସେ ଭୁଲ୍ ବୁଝିଲେ । ସେଦିନ ଘରୁ ଚୋରିଯାଇଥିବା ଜିନିଷ ସହିତ ଯେ ଜୀବନବଲ୍ଲଭ ସମ୍ପୃକ୍ତ ଅଛନ୍ତି...ଏ ବିଷୟରେ ତାଙ୍କର ନିଶ୍ଚିତ ଧାରଣା ଜନ୍ମିଲା । ତେଣୁ ସ୍ଵାଗତ ଜଣାଇବା ପରିବର୍ତ୍ତେ । ଜୀବନବଲ୍ଲଭଙ୍କୁ ଆଘାତ ଦେଇ ଫେରାଇ ଦେଲେ ସେ । ଏପରିକି...ପରେ ପରେ ଅନ୍ୟତ୍ର ବିବାହ କଲେ ।

 

ସେହିଦିନଠାରୁ ଚକୋଲେଟ୍ ରଙ୍ଗର ସୁଇଟର ଦେଖିଲେ ସହି ପାରନ୍ତି ନାହିଁ ଜୀବନବଲ୍ଲଭ । ଦୁଃଖରେ ଭାଙ୍ଗିପଡ଼ି କାନ୍ଦି ପକାନ୍ତି ସେ ।

 

କିନ୍ତୁ ଏ ସୁଇଟର ସହିତ ମୋର ଯେ କି ସମ୍ପର୍କ ମୁଁ ତ’ ଜାଣି ପାରୁନାହିଁ ଅତିନ୍ଦ୍ର ବାବୁ !’’ କହିଲେ ତରୁଣକାନ୍ତ ।

 

ଅତିନ୍ଦ୍ର କହିଲେ–‘‘ମୋତେ ଭୁଲାନ୍ତୁ ନାହିଁ । ମୁଁ ଜାଣେ..ଆପଣ ସେହି ଚକୋଲେଟ୍ ରଙ୍ଗର ସୁଇଟରଟିଏ ଉପହାର ଦେଇଥିଲେ କାଦମ୍ବରୀଙ୍କୁ । ତେଣୁ କାଦମ୍ବରୀ ସୁଇଟରର ପିନ୍ଧଲେ ବାରଣ କରୁଥିଲେ ଜୀବନବଲ୍ଲଭ । ଏପରିକି ଅନେକ ସମୟରେ ସୁଇଟରଟି ଲୁଚାଇ ନେଇ ନଷ୍ଟକରି ଦେବାକୁ ଚେଷ୍ଟା କରିଛନ୍ତି ସେ । କିନ୍ତୁ କାଦମ୍ବରୀ ତାଙ୍କ ମନା ମାନି ନାହାଁନ୍ତି । ଫଳରେ ବାପ ଝିଅଙ୍କର ଅନେକ ସମୟରେ ମନାନ୍ତର ହୋଇଛି । ତଥାପି ବାରମ୍ବାର ସୁଇଟରଟି ପିନ୍ଧିବାକୁ କାଦମ୍ବରୀ ଭୁଲି ନାହାନ୍ତି । ବାପାଙ୍କ ମୃତ୍ୟୁପରେ ମଧ୍ୟ ଏବେ ସେ ସେହି ସୁଇଟରଟି ପିନ୍ଧି କଲେଜକୁ ଯାଇଥିବାର ମଧ୍ୟ ଖବର ପାଇଲି ।

 

ତେବେ ସେ ଯାହାହେଉ...ଆପଣ ସୁଇଟରଟି ଫେରାଇ ଆଣି ଭୁଲ୍ କରିଛନ୍ତି । ମୋର ଅନୁରୋଧ...ସେଇଟିକୁ ଆପଣ ମୋ ହାତରେ ଫେରାଇ ଦିଅନ୍ତୁ ।’’

 

ବିରକ୍ତ ହୋଇ ଉଠିଲେ ତରୁଣକାନ୍ତ । ବସିବା ଜାଗାରୁ ଉଠିପଡ଼ି କହିଲେ–‘‘ଦୟାକରି ଆପଣ ଯାଆନ୍ତୁ । ଜୀବନବଲ୍ଲଭଙ୍କ ମୃତ୍ୟୁ ସହିତ ମୋତେ ଜଡ଼ିତ କରିବାପାଇଁ ଆପଣ ଷଡ଼ଯନ୍ତ୍ର କରୁଛନ୍ତି । ଆପଣଙ୍କୁ ଚିହ୍ନିବାରେ, ଆଉ ବାକି ନାହିଁ । ଅନୁରୋଧ କରୁଛି ଆପଣ ଶୀଘ୍ର ଯାଆନ୍ତୁ ।’’

 

ଯିବାପାଇଁ ଉଠିଲେ ଅତିନ୍ଦ୍ର । ପଦାକୁ ବାହାରି ଯାଉ ଯାଉ କହିଲେ–‘ଯାଉଛି ତରୁଣକାନ୍ତ ବାବୁ ! କିନ୍ତୁ ତଥାପି ଅନୁରୋଧ କରି ଯାଉଛି–ଆପଣ ସୁଇଟରଟି ଫେରାଇ ଦିଅନ୍ତୁ ।’’

 

ତରୁଣକାନ୍ତ ଅତିନ୍ଦ୍ରଙ୍କ କଥାର ପ୍ରତିବାଦ କଲେନାହିଁ । କେବଳ ମନେ ମନେ କାନ୍ଦି ଉଠିଲେ ନିଜର ଅସହାୟତା ପାଇଁ । ସେ ବୁଝିପାରୁ ନ ଥିଲେ ସ ଯେ ତାଙ୍କର ଭୁଲ୍ କେଉଁଠି ରହିଯାଉଛି ।

 

ଧାର ଧାର ଲୁହ ତରୁଣକାନ୍ତଙ୍କ ଚକ୍ଷୁ କୋଣରୁ ନିଗିଡ଼ି ପଡ଼ିଲା । ଏ ଲୁହ ଆଡ଼କୁ ଲକ୍ଷ୍ୟ ନ ଥିଲା ତରୁଣକାନ୍ତଙ୍କର । ସେ କେବଳ ଭାବୁଥିଲେ ନିଜର ପରିସ୍ଥିତି କଥା ଓ ଜୀବନବଲ୍ଲଭଙ୍କ ମୃତ୍ୟୁ କଥା ।

 

ଏତିକିବେଳେ ଡରି ଡରି ଘର ଭିତରକୁ ପ୍ରବେଶ କଲା ଉର୍ମିଳା । ଭାଇ କାନ୍ଦୁଥିବାର ଦେଖି ଦମକି ଠିଆ ହୋଇଗଲା ସେ ।

 

ସତେ ଯେମିତି ଉର୍ମିଳାର ଆଖି ଉପରେ ଆକାଶ ଛିଡ଼ି ପଡ଼ିଲା । କିଛି ବୁଝି ପାରିଲାନି ସେ ।

ଅବଶ୍ୟ ତରଳମନା ତରୁଣକାନ୍ତ ଅନେକ ସମୟରେ କାନ୍ଦନ୍ତି । କିନ୍ତୁ କାନ୍ଦିବା ମୂଳରେ ନିଶ୍ଚୟ କିଛି ରହସ୍ୟ ଗୁପ୍ତ ଥାଏ । ଆଜି ତା’ ହେଲେ କ’ଣ ଏମିତି ଘଟିଲା ?

ପାଖକୁ ଲାଗିଗଲା ଉର୍ମିଳା, ଭାଇଙ୍କ ପିଠିରେ ଏକରକମର ଆଉଜି ପଡ଼ି କହିଲା–‘‘ଭାଇ ! ତୁମେ କାନ୍ଦୁଛ ?’’

ଚହିଙ୍କି ଉଠିଲେ ତରୁଣକାନ୍ତ । ହଠାତ୍ ଲୁହଟାକୁ ପୋଛିନେଇ କହିଲେ–‘‘ତୁ କଲେଜରୁ ଆସିଲୁଣି ?’’

ଉର୍ମିଳା କହିଲା–‘‘ହଁ ମୁଁ କଲେଜରୁ ଆସିଲଣି; କିନ୍ତୁ ତୁମେ ପ୍ରଥମେ କୁହ...କାନ୍ଦୁଥିଲ କାହିଁକି ??’’

ଧରାପଡ଼ିଗଲେ ତରୁଣକାନ୍ତ । ଉର୍ମିଳାକୁ ଭୁଲାଇ ଦେବାକୁ ଚେଷ୍ଟା କଲେ ସେ; କିନ୍ତୁ ଉର୍ମିଳା...ଏକଯିଦିଆ ଝିଅଟା... । କେବଳ ସେହି ଗୋଟାଏ ଯିଦ୍‌.. ‘‘କାନ୍ଦୁଥିଲ କାହିଁକି କୁହ ?’’

ଆଉ କିଛି ବାଟ ମିଳିଲାନି... । ଏଥର ରାଗି ଉଠିଲେ ସେ । ଅଭିଭାବକ ଭଙ୍ଗୀରେ କହିଲେ–‘‘କଲେଜରୁ ଫେରିଛୁ...ଯା...ଦୁଷ୍ଟାମୀ ନ କରି ଖାଇ ନେ ।’’

ଡରିଗଲା ଉର୍ମିଳା । ଭାଇଙ୍କୁ ଭୟକରେ ସେ । ଭାଇ ତା’ର ସବୁକଛି । ସେହି ହେଉଛନ୍ତି ବାପା...ବୋଉ...ପୁଣି ଭାଇ । କାରଣ...ଅନେକ ଦିନ ହେଲା ପରିବାରର ସମସ୍ତେ ବିଦାୟ ନେଇଛନ୍ତି । କେବଳ ତାକୁ କୋଟିନିଧି କରି ପାଳି ନେଇଛନ୍ତି ଏଇ ଭାଇ ତରୁଣକାନ୍ତ ।

ସତ କହିବାକୁ ଗଲେ...ପରିବାରର ଅଭାବ କ’ଣ ଆଜିଯାଏ ଉର୍ମିଳା, କିଛି ଜାଣି ପାରିନାହିଁ ।

ତରୁଣକାନ୍ତ ଉର୍ମିଳାକୁ ସ୍ନେହ କରନ୍ତି, ସମସ୍ତ ମମତା ଅଜାଡ଼ି ଆପଣାର କରନ୍ତି, ବେଳେବେଳେ ବୟସର ସୀମା ଭୁଲି ସେ ଟିକି ଝିଅପରି ଉର୍ମିଳାକୁ ଟାଣି ନିଅନ୍ତି କୋଳ ଭିତରକୁ । ଉର୍ମିଳା ମଧ୍ୟ ପୋଷା ବିରାଡ଼ି ପରି କୋଳ ଭିତରେ ଜାକିଯୁକି ହେଇ ଆଦର ଗ୍ରହଣ କରେ । ତୃପ୍ତିରେ କୋଳ ଭିତରୁ ଉଠି ଆସୁ ଆସୁ କହେ...‘‘ତୁମ ପାଇଁ ମୁଁ ଗୋଟିଏ ନୂଆବୋଉ ଠିକ୍ କରିଛି...ମୋ କଥାରେ ତୁମେ ରାଜି ହେବ ତ ଭାଇ ?’’

ତରୁଣକାନ୍ତ ସ୍ନେହରେ ପିଠି ଥାପୁଡ଼ାଇ କହନ୍ତି–‘‘ପାଗଳୀ ! ସେ ଦିନ ଆସୁ, ପ୍ରଥମେ ମୋ ଭଉଣୀ ପାଇଁ ତୁ ଗୋଟିଏ ଉପଯୁକ୍ତ ବରପାତ୍ର, ଠିକ୍ କଲୁ ।’’

ଉର୍ମିଳା କିଲିବିଲି ହୋଇ କୋଠରୀ ଛାଡ଼ି ପଳାଇ ଯାଉ ଯାଉ ଆପତ୍ତି କରି କହେ...‘‘ଆରେ’’ ।

ବାସ୍...ଏହି ହେଉଛି ତରୁଣକାନ୍ତଙ୍କର ଛୋଟିଆ ଘର ସଂସାର । ଏମାନଙ୍କୁ ଛାଡ଼ି ମାତ୍ର ଗୋଟିଏ ଆଲସେସିଆନ୍‌ କୁକୁର ଓ ଗୋଟିଏ ପୁଝାରୀ... ।

ତେଣୁ ଉର୍ମିଳା ଉପରେ ତରୁଣକାନ୍ତ ରାଗିପାରନ୍ତି ନାହିଁ । କାରଣ ଗାଳି ଦେବାକୁ ସେହି...ପୁଣି ବୁଝେଇବାକୁ ମଧ୍ୟ ତାଙ୍କ ଛଡ଼ା ଆଉ କେହି ନାହିଁ ।

 

ସେଦିନ ତରୁଣକାନ୍ତ ଏମିତି ଟିକେ ବିରକ୍ତ ହେବାପରେ ନୀରବରେ ଉଠିଯିବାକୁ ବସିଲା ଉର୍ମିଳା... ।

 

ଉର୍ମିଳାର ଅବସାଦପୂର୍ଣ୍ଣ ମୁହଁଟି ଆଘାତ ଦେଲା ତରୁଣକାନ୍ତଙ୍କୁ ।

 

ମନ ବଦଳାଇ ପୁଣି ପଛରୁ ଡାକିଲେ ସେ–‘‘ଉମି ! ଏଣେ ଶୁଣିଲୁ ।’’

 

ଭାଇଙ୍କ ଡାକକୁ ଏଡ଼ାଇ ଦେଇ ଚାଲିଯାଇ ପାରିଲା ନି ଉର୍ମିଳା । ଚୁମ୍ବକ ଲୁହାକୁ ଝିଙ୍କିଲା ପରି ଝିଙ୍କିହୋଇ ଆସିଲା ସେ... ।

 

ତରୁଣକାନ୍ତ ଉର୍ମିଳାର ଗୋଟିଏ ହାତକୁ ଧରି ବୁଝାଇବା ଭଙ୍ଗୀରେ କହିଲେ–‘‘ସବୁବେଳେ ତୁ ଭାଇର ଦୁଃଖ ବୁଝି ପାରିବୁନି ଉମି ! ସେ ବିଷୟରେ କିଛି ନ ପଚାରିବା ଭଲ, କିନ୍ତୁ ତୋର କ’ଣ ହୋଇଛି କହ ? ଆଜି ଏମିତି ଡରି ଡରି ଘର ଭିତରକୁ ଆସିଲୁ ଯେ ?’’

 

ନୀରବ ରହି ଗୋଡ଼କୁ ତଳେ ଘଷୁଥିଲା ଉର୍ମିଳା ।

 

ବାରମ୍ବାର ସେହି ଗୋଟାଏ କଥାକୁ ମାଜି ମାଜି ତରୁଣକାନ୍ତ କହିଲେ–‘‘କ’ଣ ହୋଇଛି କହ ? ଏମିତି ଭାଙ୍ଗି ପଡ଼ୁଛୁ କାହିଁକି... ?’’

 

ଅନେକ ସମୟ ପରେ ମୁହଁ ଖୋଲିଲା ଉର୍ମିଳା, କହିଲା–ଭାଇ ! ‘‘ଆଜି ମୁଁ ଗୋଟିଏ ଭୁଲ୍‌ କରି ଦେଇଛି । ମୋତେ କ’ଣ ତୁମେ ଗାଳି ଦେବ ?’’

 

ହସି ଉଠି ସାନ୍ତ୍ଵନା ଦେଲେ ତରୁଣକାନ୍ତ, କହିଲେ–‘‘ଭୁଲ କରିବା ତ’ ମଣିଷର ପ୍ରାଥମିକ ପ୍ରକୃତି । କ‘ଣ କରିଛୁ କହ...ମୁଁ ସୁଧାରି ନେବାକୁ ଚେଷ୍ଟା କରିବି । ତୋ ଦୋଷ କ’ଣ ମୋ ନିକଟରେ ଦୋଷ ହୋଇପାରେ ?’’

 

ସାହସ ପାଇ ଉର୍ମିଳା କହିଲା–‘‘ନାଇଁ ଭାଇ ! ...ସେମିତି କିଛି ବଡ଼ ଦୋଷ ମୁଁ କରିନାହିଁ, କେବଳ ମୋ ପାଇଁ ତୁମକୁ ସାମାନ୍ୟ କିଛି ପଇସା ଖର୍ଚ୍ଚ କରିବାକୁ ପଡ଼ିବ ।’’

 

ଏଥର ଟିକେ ହସିଲେ ତରୁଣକାନ୍ତ, କହିଲେ–‘‘ମୋର ସବୁ ରୋଜଗାର ଯେ କେବଳ ତୋରି ପାଇଁ । ତୋ ପାଇଁ କିଛି ପଇସା ଖର୍ଚ୍ଚ କରି ମୁଁ ଦୁଃଖ କରିବି କାହିଁକି ?’’

 

ଭାଇଙ୍କଠାରୁ ନିର୍ଭର ପ୍ରତିଶ୍ରୁତି ଓ ପାଇ ଉର୍ମିଳା କହିଲା–‘‘ଆଜି ମୁଁ ଭାରି ଭୁଲ୍‌କରି ଦେଇଛି ଭାଇ ! ସକାଳୁ ସକାଳୁ କଲେଜକୁ ଚାଲିଗଲି; କିନ୍ତୁ ସମୟ ହୋଇ ନ ଥିବାରୁ ମୁଁ କଲେଜରୁ କାଦମ୍ବରୀଙ୍କ ଘରଆଡ଼େ ପଶିଗଲି । ମୋ ପାଇଁ ସୁଇଟର କିଣି ଆଣିବାକୁ ମୁଁ ତୁମକୁ କହିଛି ବୋଲି ତା’ପାଖରେ କହିଲି ସେ । ଖୁସି ହେଲା, କହିଲା–‘‘ଚକୋଲେଟ୍‌ ରଙ୍ଗର ତ ?’’ ମୁଁ ହଁ ଭରିଲି । କିନ୍ତୁ କହିଲି–‘‘ଠିକ୍ ରଙ୍ଗଟା ଭାଇ ଜାଣିପାରୁ ନାହାନ୍ତି ।’’ ତେଣୁ ସେ ତା’ ସୁଇଟରଟି ହାତ ସୁଟ୍‌କେଶରୁ କାଢ଼ି ମୋତେ ଦେଲା, କହିଲା–‘‘ଭାଇଙ୍କୁ ଦେଖାଇ ପୁଣି ଘେନି ଆସିବୁ ।’’ ମୁଁ ସୁଇଟରଟି ଆଣିଲି । ଏନ୍‌.ସି.ସି. କ୍ଲାସ ଆରମ୍ଭ ହୋଇ ଯାଇଥିଲା । ତେଣୁ ତରବରରେ ସେଇଟିକୁ କମନ୍‌ରୁମ୍‌ରେ ରଖିଦେଇ ମୁଁ କ୍ଳାସ୍‌କୁ ଚାଲିଗଲି । କିନ୍ତୁ କ୍ଲାସରୁ ଫେରି ଦେଖେ ତ’ ସୁଇଟରଟି ନାହିଁ-

 

ସତ କହୁଛି ଭାଇ...ସୁଇଟରଟି ମୁଁ ଅନ୍ୟ କେଉଁଠି ହଜାଇ ନାହିଁ ।

 

କଥା ଶୁଣୁ ଶୁଣୁ ତରୁଣକାନ୍ତଙ୍କ ମନ ବିଷାକ୍ତ ହୋଇ ଉଠିଥିଲା । ନାଁ...ଆଉ ଏ ପରିସ୍ଥିତିରୁ ନାହିଁ ମିଳିବ ନାହିଁ । ସେହି ଚକୋଲେଟ୍‌ରଙ୍ଗର ସୁଇଟର... । ପୁଣି ଠକ୍ ଠକ୍ ଲୋତକ ବିନ୍ଦୁ ଖସି ପଡ଼ିଲା ତରୁଣକାନ୍ତଙ୍କ ଆଖି କୋଣରୁ ।

 

କାତର ହୋଇ ଉର୍ମିଳା କହିଲା–‘‘ନାଇଁ ଭାଇ ! ତୁମେ ଦୁଃଖ କରନା...ସୁଇଟରଟି ବିଶେଷ ଦାମିକା ନୁହେଁ । ମାତ୍ର ଚାଳିଶ ପଚାଶ ଟଙ୍କା ପଡ଼ିବ ।’’

 

ତରୁଣକାନ୍ତ ଆଉ କିଛି ଭାବିପାରୁ ନ ଥିଲେ । ଚାଳିଶ ବା ପଚାଶ ଟଙ୍କା ତାଙ୍କ ପାଖରେ ବଡ଼ ନଥିଲା । ବଡ଼ ଥିଲା ତାଙ୍କ ପଛରେ ଲାଗି ରହିଥିବା ଚକ୍ରାନ୍ତ ।

 

ଦୁଃଖ କରି ଲାଭ ନାହଁ । ଏ ସବୁ ଚକ୍ରାନ୍ତର ମୁକାବିଲା କରିବାକୁ ହେବ । ସମାଜରେ ବଞ୍ଚି ରହିବାକୁ ହେଲେ ଅନେକ ସମୟରେ ଛାତିକୁ ପଥର କରିବାକୁ ପଡ଼ିବ ।

 

କିଛି ସମୟ ପାଇଁ ସତେ ଯେପରି ତରୁଣକାନ୍ତ ଜଣେ ଦାର୍ଶନିକ ହୋଇ ଉଠିଲେ । ଆଦରରେ ଭଉଣୀର କପାଳରେ ହାତମାରି କହିଲେ ‘‘ଉମି ! ଚୋରୀ ପାଇଁ ମୋର ଦୁଃଖ ନାହିଁ । ଟଙ୍କା ପାଇଁ ମୋର ଖାତିର ନାହିଁ, କିନ୍ତୁ... ଏଇ ମଣିଷଗୁଡ଼ାଙ୍କୁ ମୋର ସବୁଠାରୁ ଅଧିକ ଭୟ, ଏମାନଙ୍କଠାରୁ ଯଦି ମୁଁ ଦୂରେଇ ରହିପାରନ୍ତି ।’’ ଆଉ କିଛି କହି ପାରିଲେ ନାହିଁ ତରୁଣକାନ୍ତ, ତାଙ୍କ ଆଖିରେ ଲୁହର ସମୁଦ୍ର ଲହଡ଼ି ଭାଙ୍ଗିଲା ।

 

କିଛି ବୁଝି ନ ପାରି କେବଳ ତରୁଣକାନ୍ତଙ୍କ ମୁହଁକୁ ଚାହିଁ ରହିଲା ଉର୍ମିଳା ।

 

ତରୁଣକାନ୍ତ ଉର୍ମିଳାର ମନକଥା ବୁଝିଲେ । କହିଲେ–‘‘ତୁ ଜାଣିପାରିବୁ ନି ଉମି ! ମୁଁ କାହିଁକି ଏ ମଣିଷମାନଙ୍କୁ ଏତେ ଭୟ କରେ । ବାପାଙ୍କ କଥା ହୁଏତ ତୋର ମନେ ନାହିଁ, କିନ୍ତୁ ମୋ ଆଖି ଆଗରେ ସବୁ ଜକଜକ ଦିଶିଯାଉଛି । ସେଥିପାଇଁ... ।’’

 

ବାପାଙ୍କ କଥା ପଡ଼ିବାରୁ ଉର୍ମିଳାର ଆଖି ଛଳ ଛଳ ହୋଇ ଊଠିଲା । ଅନ୍ଧାରୀ ଅତୀତ ଭୀତରୁ ଅସ୍ପଷ୍ଟ ହୋଇ ଚେଇଁ ଉଠିଲା ତାଙ୍କ ଚେହେରା । ଠିକ୍‌ ମନେ ପଡ଼ୁନି ଉର୍ମିଳାର । ...ତଥାପି...କଳ୍ପନାର ସ୍ତର ନେଇ ରୂପ ନେଉଛି ପିତୃ ସ୍ମୃତି । କେବଳ ଉର୍ମିଳା ଜାଣେ...ତାର ବାପାଥିଲେ ଜଣେ ଉଚ୍ଚପଦସ୍ଥ ଇଂଜିନିୟର । ଅକାଳରେ...ଅସମୟରେ ତାଙ୍କର ମୃତ୍ୟୁ ହୋଇଗଲା...ସେହି ଦୁଃଖରେ ଦୁଃଖିତା ହୋଇ ରୋଗଗ୍ରସ୍ତା ହେଲେ ମାଆ... । ଶେଷରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଲା ।

 

ତରୁଣକାନ୍ତ ଉର୍ମିଳାର ମନକଥା ସ୍ପଷ୍ଟ ଭାବରେ ବୁଝି ପାରୁଥିଲେ । କଥାର ମୋଡ଼ ବୁଲାଇ କହିଲେ–“ବାପା ମାଆଙ୍କ ମୃତ୍ୟୁ ପାଇଁ ମୁଁ ଦୁଃଖ କରୁନାହିଁ ଉମି ! ସେ ତ’ ଅନେକ ଦିନର କଥା ହୋଇଗଲାଣି । କିନ୍ତୁ ଦୁଃଖ କରୁଛି ଏହି ମଣିଷଙ୍କ ପାଇଁ । ମଣିଷଗୁଡ଼ାକ ଯେ କେଡ଼େ ଜଘନ୍ୟ ତୁ ଜାଣିନାହୁଁ ।’’

 

ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଭାଇଙ୍କୁ ଅନାଇ ରହିଲା ଉର୍ମିଳା ।

 

ତରୁଣକାନ୍ତ କହିଲେ–‘‘ତୁ ଜାଣୁ, ବାପା ଥିଲେ ଜଣେ ଇଞ୍ଜିନିୟର । ଆମ ଜାଣିବାରେ ସେ ଥିଲେ ନିହାତି ସଚ୍ଚୋଟ; କିନ୍ତୁ ଏହି ସଚ୍ଚୋଟ ପଣିଆ ତାଙ୍କ ଦୁର୍ଭାଗ୍ୟର କାରଣ ହେଲା ।’’

 

କଥାରେ ବାଧା ଦେଇ ଉର୍ମିଳା କହିଲା–‘‘କେମିତି ଭାଇ ? ସଚ୍ଚୋଟ ହେବା କ’ଣ ପାପ-?’’

 

ତରୁଣକାନ୍ତ ଉର୍ମିଳା କଥାର ଉତ୍ତର ନ ଦେଇ କହିଲେ–‘‘ମୁଁ ପାପ ପୁଣ୍ୟର ବିଚାର କରୁନାହିଁ ଉମି ! ମୁଁ ବିଚାର କରୁଛି ମଣିଷର କଥା ।’’

 

–‘‘ବାପାଙ୍କ ନିକଟରେ ମଣିଷମାନେ କି ଦୋଷ କଲେ ଭାଇ ।’’ ଉର୍ମିଳା କହିଲା ।

 

ଉପରକୁ ଚାହିଁ ତରୁଣକାନ୍ତ କହିଲେ–‘‘କହୁଛି ଶୁଣ । ଜଣେ ବିଖ୍ୟାତ ଧନୀ କଣ୍ଟ୍ରାକ୍‌ଟର ବାପାଙ୍କ ନିକଟକୁ ଆସିଲେ । ଗୋଟିଏ ମିଛ ବିଲ ପାଶ୍ କରିଦେବାକୁ ଅନୁରୋଧ କଲେ । ବାପା ସେଥିରେ ରାଜି ହେଲେ ନାହିଁ । ତେଣୁ ମନ କଷ୍ଟରେ ଫେରିଗଲେ କଣ୍ଟ୍ରାକ୍‌ଟର ମହାଶୟ । ଗୋଟିଏ ଦିନପରେ କୌଶଳ କ୍ରମେ ଆମ ଗନ୍ତାଘର ଭିତରେ ଦଶହଜାର ଟଙ୍କା ରଖି ଦିଆଗଲା । ସେ କଥା ବାପା ଜାଣିପାରିଲେ ନାହିଁ । ପରେ ପରେ ଭିଜିଲାନ୍‌ସ ବିଭାଗକୁ ଖବର ଦିଆଗଲା । ସେମାନେ ଆସି ଅଚାନକ ଘର ଖାନତଲାସ କଲେ ଓ ଟଙ୍କା ଗୁଡ଼ିକ ପାଇ ତାହାର ହିସାବ ମାଗିଲେ ।

 

ବାପା ସେ ସବୁର ହିସାବ ନ ଦେଇ ପାରି ତାଙ୍କର ଅକ୍ଷମତା ପ୍ରକାଶ କଲେ । ତା‘ପରେ...ବାପାଙ୍କୁ ଆରେଷ୍ଟ କରାଗଲା ଓ ସେ ଚାକିରୀରୁ ସସ୍‌ପେଣ୍ଡ ହେଲେ...’’

 

ଉର୍ମିଳା ଏସବୁ କଥା ଶୁଣି ନ ଥିଲା... ମାତ୍ର ପ୍ରଥମ ଥର ଶୁଣି ସତେ ଯେମିତି ଅଭିଭୂତ ହୋଇ ପଡ଼ୁଥିଲା । ତରୁଣକାନ୍ତ ପୁଣି କହିଲେ–‘‘ବାପାଙ୍କୁ ବେଲ୍‌ରେ ଛାଡ଼ି ଦିଆଗଲା ସତ...କିନ୍ତୁ ସେ ନିଜକୁ ଆଉ ସମାଜ ସହିତ ଖାପ ଖୁଆଇ ପାରିଲେ ନାହଁ । କେବଳ ସବୁବେଳେ ସେହିକଥା ଚିନ୍ତା କରି କରି ଲଜ୍ଜା, ଅପମାନରେ ଭାଙ୍ଗି ପଡ଼ିଲେ । ଏଥିପାଇଁ ଅନେକଙ୍କର ଟାହି ଟାପରା ମଧ୍ୟ ତାଙ୍କ ମେରୁଦଣ୍ଡ ଭାଙ୍ଗି ପକାଇଲା ।

 

ଶେଷରେ ଅତି ଆଶ୍ଚର୍ଯ୍ୟ ରକମ...ଦେଖାଗଲା ଯେ...ଦିନେ ବାପା ନିଜ ଶୋଇବା ଘରେ ଆତ୍ମହତ୍ୟା କରିଛନ୍ତି... ।

 

–‘‘ଭାଇ ! ବାପା ତା ହେଲେ ଆତ୍ମହତ୍ୟା କରିଥିଲେ ?’’ ଉର୍ମିଳାର ପାଟିରୁ ଆପେ ଆପେ ବାହାରିଗଲା ଏ ପ୍ରଶ୍ନଟି ।

 

ଆଖି କୋଣରୁ ଲୁହ ପୋଛୁ ପୋଛୁ ତରୁଣକାନ୍ତ କହିଲେ–‘‘ହଁ ଉମି ! ବାପା ଆତ୍ମହତ୍ୟା କରିଥିଲେ । କିନ୍ତୁ ଆତ୍ମହତ୍ୟା ପରେ ତାଙ୍କ ବ୍ୟକ୍ତିଗତ ଡାଏରୀରୁ ବା ବିଛଣା ତଳୁ କୌଣସି କାଗଜପତ୍ର ବା ଲେଖା ମିଳି ନ ଥିଲା । ଏପରିକ ତାଙ୍କୁ ଯେଉଁ କଣ୍ଟ୍ରାକ୍ଟର ଏ ବିପଦରେ ପକାଇଲେ...ତାଙ୍କ ନାମ ମଧ୍ୟ କେଉଁଠି ହେଲେ ସେ ଉଲ୍ଲେଖ କରି ନାହାନ୍ତି ।’’

 

ଟିକେ ରାଗି ଉଠି ଉର୍ମିଳା କହିଲା–‘‘ଆପଣ କଣ ସେ କଣ୍ଟ୍ରାକ୍ଟରଙ୍କ ନାମ ଜାଣି ନାହାନ୍ତି ଭାଇ ?’’

 

ଦୁଃଖପ୍ରକାଶ କରି ତରୁଣକାନ୍ତ କହିଲେ–‘‘ନାଁ ଉମି ! ମୁଁ ତାଙ୍କ ନାମ ଜାଣି ପାରିନାହିଁ । କାରଣ...କେବଳ ଘଟଣାଟି ଛଡ଼ା ବାପା ମଧ୍ୟ କାହାରିକୁ କୌଣସି ସମୟରେ ତାଙ୍କ ନାମ କହି ନାହାନ୍ତି ।’’

 

ହତାଶ ହୋଇ ତଳକୁ ଚାହିଁରହିଲା ଉର୍ମିଳା ।

 

ତରୁଣକାନ୍ତ କହିଲେ–‘‘ଏଥିପାଇଁ ହୁଏତ ବାପା ତାଙ୍କ ନାମ କାହାକୁ କହି ନାହାନ୍ତି । ସେ ବେଶ୍ ଜାଣିଥିଲେ ଯେ, ମୋ ପୁଅ ଝିଅ...କଣ୍ଟ୍ରାକ୍‌ଟରଙ୍କ ନାମ ଜାଣିଲେ...ପ୍ରତିହିଂସା ପରାୟଣ ହେବେ, ତାଙ୍କର କ୍ଷତି କରିବା ଲାଗି ଚେଷ୍ଟା କରିବେ । ...ତୁ କଥାଟା ଶୁଣୁ ଶୁଣୁ ଯେମିତି ରାଗି ଉଠିଲୁଣି...ସେତିକିରୁ ଜାଣୁଛି...ତାଙ୍କ ନାମ ଜାଣିଲେ ନିଶ୍ଚୟ ତୁ ଖୁନ୍‌ କରନ୍ତୁ ।’’

 

ଉତ୍ସାହିତ ହୋଇ ଉର୍ମିଳା କହିଲା–‘‘ଏଥିରେ କିଛି କ୍ଷତି ହୁଅନ୍ତା ବୋଲି ମୁଁ ବିଚାର କରେ ପାରୁନାହିଁ ଭାଇ ।’’

 

ତରୁଣକାନ୍ତ କହିଲେ...‘‘ମଣିଷ ଅନେକ ସମୟରେ ଯାହା ବିଚାର କରେ...ତାହା ଠିକ୍ ହୁଏ ନାହିଁ । ଏହି ବିଚାର ମୂଳରେ ହିଁ ତ ସବୁ ଭୁଲ୍‌ତକ ରହିଯାଏ ।’’

 

କଥା ଶୁଣି ନିରୁତ୍ତର ରହିଲା ଉର୍ମିଳା ।

 

ତରୁଣକାନ୍ତ କହିଲେ–‘‘ହଉ, ବହୁତ ଡେରି ହେଲାଣି...ଯା ତୁ ଖାଇନବୁ ଉମି । ଟିକେ ପରେ ମୁଁ ବଜାରକୁ ଯାଇ ତୋ ପାଇଁ ସୁଇଟର ଦୁଇଟି କିଣି ଆଣିବି ।’’

 

ଆଉ ଅଧିକ କିଛି ନ କହି ଉଠିଗଲା ଉର୍ମିଳା...

 

ସେହିଠାରେ ସେମିତି ବସିରହି ଆକାଶ ପାତାଳ କେତେ କ’ଣ ଚିନ୍ତାକଲେ ତରୁଣକାନ୍ତ......

 

–‘‘ତୁମେ କ’ଣ ଭାବୁଛ ତରୁଣକାନ୍ତ ମୁଁ ସେହି କଣ୍ଟ୍ରାକ୍‌ଟର ?’’

 

–‘‘ଅନ୍ତତ ମୁଁ ଭାବୁଛି...’’

 

–‘‘କାହିଁକି...କାହିଁକି ତୁମେ ଏ କଥା ଭାବୁଛ... ?’’

 

–‘‘ନା...ଏ ପର୍ଯ୍ୟନ୍ତ ମୁଁ ଭାବି ନଥିଲି...ଏଇ ମାତ୍ର ନୂଆକରି ଭାବିବାକୁ ଆରମ୍ଭ କରିଛି...-।’’

 

–‘‘ତୁମେ ଅନ୍ୟାୟ କରିଛ... ।’’

 

‘‘ମୁଁ... ? ନ୍ୟାୟର ଯଦି ବିଚାର ହେଉଥାନ୍ତା...ତେବେ ମୋ ବାପା ଆତ୍ମହତ୍ୟା କରି ନଥାନ୍ତେ... ।’’

 

–‘‘ତା ହେଲେ ତୁମେ ଭାବୁଛ...ତୁମ ବାପାଙ୍କ ମୃତ୍ୟୁ ପାଇଁ ମୁଁ ଦାୟୀ... ?’’

 

–‘‘ହଁ ଆପଣ । ଅନ୍ତତ ମୋ ବଚାର ହିଁ ଏଇଆ... ।’’

 

–‘‘କିନ୍ତୁ...ତୁମକୁ ଧରି ନେବାକୁ ହେବ ଯେ ସେ କଣ୍ଟ୍ରାକଟରଙ୍କ ମୃତ୍ୟୁ ହୋଇଛି ।’’

 

–‘‘କାହିଁକି... ? କ’ଣ ପାଇଁ ? ?’’

 

–‘‘କାରଣ...ଅନେକ ଦିନ ହେଲା ମୁଁ ଅନୁତାପ କରୁଛି । ମୋର ସେହି ଭୁଲ୍‌ପାଇଁ ମୁଁ ଭଗବାନ୍‌ଙ୍କ ନିକଟରେ ବାରମ୍ବାର କ୍ଷମା ମାଗୁଛି ।’’

 

–‘‘ଏ କ୍ଷମାର ଅର୍ଥ–ଗୋଟିଏ ଭୁଲକୁ ଛାଡ଼ି ଆଉ ଗୋଟିଏ ଭୁଲ ପାଇଁ ପ୍ରେରଣା ସଂଗ୍ରହ କରିବା ।’’

 

–‘‘ତରୁଣକାନ୍ତ...’’

 

–‘‘ମୋ ବିଚାରରେ ମୁଁ ଠିକ୍‌ କହୁଛି...’’

 

–‘‘କିନ୍ତୁ ତୁମେ କ’ଣ ବାସ୍ତବିକ୍‌ ସଠିକ୍‌ ଭାବରେ ଜାଣ ଯେ...ମୁଁ ସେହି ନିର୍ଦ୍ଦିଷ୍ଟ କଣ୍ଟ୍ରାକ୍‌ଟର ?’’

 

–‘‘ନାଁ... ଏ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ ଜାଣିନାହିଁ । ତେବେ ମାତ୍ର ସାମାନ୍ୟ ଏଇ ଦିନକ ତଳେ ମୁଁ ଆପଣଙ୍କର ଗୋଟିଏ ଚିଠି ଆବିଷ୍କାର କଲି । ଏ ଚିଠିଟି ଆପଣ ଲେଖିଥିଲେ ମୋ ବାପାଙ୍କ ନିକଟକୁ । ଅନେକ ଦିନ ତଳର ଚିଠି । ସେ ଚିଠିରେ ଅବଶ୍ୟ ଅନ୍ୟ କୌଣସି କଥା ଲେଖାନାହିଁ । ତେବେ କେବଳ ଏତିକି ଲେଖା ଅଛି...ଆନନ୍ଦବାବୁ... ! ଆସନ୍ତା କାଲି ମୁଁ ମୋ କଣ୍ଟ୍ରାକ୍‌ଟରୀ ସମ୍ପର୍କରେ କିଛି ଆଲୋଚନା କରିବାକୁ ଯିବି । ଆପଣ ଉପସ୍ଥିତ ଥିବେ ବୋଲି ମୁଁ ଆଶା କରେ । ବାସ୍‌ ଏତିକି...’’

 

–‘‘ସେ ଚିଠିରେ ଯେଉଁ ତାରିଖ ପଡ଼ିଛି । ତା’ର ମାତ୍ର ତିନ ଚାରିଦିନ ପରେ ବାପା ଆରେଷ୍ଟ ହୋଇଥିଲେ । ତେଣୁ ଧରିନେଲି... ସେ କଣ୍ଟ୍ରାକ୍‌ଟର ହିଁ ଆପଣ... ।’’

 

–‘‘ଏ ଚିଠି ତୁମେ କେବେ ପାଇଲ ?’’

 

–‘‘ନାଇଁ ମାତ୍ର ଦିନକତଳେ । ମୋର ଚଷମାଟି ଖୋଜୁ ଖୋଜୁ...ଗୋଟିଏ ସୁଟ୍‌କେଶ୍‌ର ପକେଟରୁ ଆବିଷ୍କାର କଲି ଏ ଚିଠିଟି ।’’

 

–‘‘ତୁମେ ମିଛ କହୁଛ । ଅନେକ ଦିନ ତଳରୁ ତୁମର ଏ ସନ୍ଦେହ ।’’

 

–‘‘ନାଁ ନାଁ...ଆପଣ ବିଶ୍ଵାସ କରନ୍ତୁ...ମୁଁ ମୋଟେ ଆପଣଙ୍କ ନାମ ମଧ୍ୟ ଜାଣି ନ ଥିଲି ।’’

 

–‘‘ନାଁ...ତୁମେ ବିପଦରେ ପଡ଼ିଛ ବୋଲି ଏ ସଫେଇ ଦେଉଛ । ନିଶ୍ଚୟ ବହୁ ଆଗରୁ ତୁମେ ମୋତେ ଚିହ୍ନିଥିଲ ।’’

 

–‘‘ମିଛ...ମିଛ କଥା ଆପଣ କହୁଛନ୍ତି...’’

 

–‘‘ମୁଁ ମିଛ କହୁନାହିଁ । ତୁମ ବାପାଙ୍କୁ ମୁଁ ବିପଦରେ ପକାଇ ଥିଲି ବୋଲି...ତୁମର ଏ ପ୍ରତିହିଂସା । ସେହି ପ୍ରତିହିଂସାରେ ହିଁ ତୁମେ ମୋତେ ହତ୍ୟା କରିଛ... ।’’

 

–‘‘ଆପଣଙ୍କୁ... ???’’

 

–‘‘ହଁ ମୋତେ... । ତୁମେ କଣ୍ଟ୍ରାକ୍‌ଟର ଜୀବନବଲ୍ଲଭକୁ ଜାଣି ନ ଥିଲ ତ ତାଙ୍କୁ ନିର୍ମମ ଭାବରେ ହତ୍ୟାକଲ କାହିଁକି ?’’

 

–‘‘କିନ୍ତୁ...ମାତ୍ର ଏଇ ଦିନକତଳେ ଯେ ମୁଁ ଆପଣଙ୍କୁ ଆବିଷ୍କାର କଲି ।’’

 

–‘‘ତୁମେ ମିଛ କହୁଛି...’’

 

–‘‘କିନ୍ତୁ...ଆପଣ...’’

 

–‘‘ମୁଁ ତୁମ ପ୍ରତିହିଂସାର ଶିକାର ହୋଇଛି...ମୁଁ ଜୀବନବଲ୍ଲଭ ବାରମ୍ବାର କ୍ଷମା ମାଗିଥିଲି; କିନ୍ତୁ ତୁମେ ମୋତେ ନିର୍ମମ ଭାବରେ ହତ୍ୟା କରିଛ... ।’’

 

–‘‘ନାଁ...ନାଁ... । ମୋ ପ୍ରତି ଆପଣଙ୍କର ଏ ମିଥ୍ୟା ଅଭିଯୋଗ...ମୁଁ ନିର୍ଦୋଷ...ମୁଁ ନିର୍ଦୋଷ...ମୁଁ ନିର୍ଦୋଷ...’’

 

ଠୋ ଠୋ କରି ଟେବୁଲ ଉପରେ ମୁଣ୍ଡ ବାଡ଼େଇ ଦେଲେ ତରୁଣକାନ୍ତ...

 

‘‘ଭାଇ ଭାଇ ଏ କ’ଣ ଭାଇ ? ତୁମେ କାହା ସହିତ କଥାବାର୍ତ୍ତା କରୁଛ ? କ’ଣ ହେଲା ତୁମର ?’’

 

ନୀରବ ରହିଥିଲେ ତରୁଣକାନ୍ତ...

 

‘‘କଣ ହେଲା... କ’ଣ ହେଲା କୁହ ଭାଇ ?’’ ପ୍ରବଳ ଗତିରେ ତରୁଣକାନ୍ତଙ୍କୁ ହଲାଇବାରେ ଲାଗିଥିଲା ଉର୍ମିଳା ।

 

ମୁଣ୍ଡ ଟେକ ତରୁଣକାନ୍ତ କହିଲେ–‘‘ସେ କଣ ଚାଲିଗଲେଣି ଉମି ?’’

 

–‘‘କାହା କଥା ତୁମେ କହୁଛ ଭାଇ ?’’ ଅନୁରୋଧ କରି ପଚାରିଲା ଉର୍ମିଳା ।

 

–‘‘ଏଁ... ?’’ ପ୍ରକୃତିସ୍ଥ ହେଉଥିଲେ ତରୁଣକାନ୍ତ । ନିଜର ଟେବୁଲଟାରେ ଆଘାତକରି କହିଲେ–‘‘ମୁଁ ପାଗଳ ହୋଇଯିବି...ଉମି...ତୁ ମୋତେ ସାହାଯ୍ୟ କର ।’’

 

ଉର୍ମିଳା କଥାର ଆଦିଅନ୍ତ କିଛି ବୁଝିପାରୁ ନ ଥିଲା । କେବଳ ମନେ ମନେ ଭାବୁଥିଲା–ତେବେ କ’ଣ କାଦମ୍ବରୀ ଆସି ତା’ ସୁଏଟର ପାଇଁ ଜୋର କରି ଯାଇଛି ? କିନ୍ତୁ...ନାଁ...ନାଁ...କାଦମ୍ବରୀ ତ’ ଏତେ ଛୋଟ ନଜରର ଝିଅ ନୁହେଁ... । ତେବେ କ'ଣ ହେଲା ଭାଇଙ୍କର ?

 

ଉର୍ମିଳାର ଚିନ୍ତାରେ ବାଧା ଦେଇ ତରୁଣକାନ୍ତ କହିଲେ–‘‘ସବୁ ମୋର ଭାଗ୍ୟ ଉମି ! ତୁ ଯା...ମୋତେ ଏକୁଟିଆ ବସିବାକୁ ଛାଡ଼ି ଦେ । ମୁଁ କେବଳ ବସି ବସି ସମସ୍ତ ଭୟଙ୍କର ପରିଣତିକୁ ଅନୁମାନ କରିନିଏ ।’’

 

‘‘କିନ୍ତୁ କ’ଣ ହୋଇଛି...ମୁଁ ଯେ ଏପର୍ଯ୍ୟନ୍ତ କିଛି ବୁଝିପାରିଲିନି ଭାଇ ? ମୋତେ ଟିକେ କୁହ ।’’

 

ତରୁଣକାନ୍ତ କହିଲେ–‘‘ମୋର କହିବାର କିଛିନାହିଁ ଉମି ! ଲୋକ କହୁଛନ୍ତି ମୁଁ ଖୁନୀ । ତୁ କ’ଣ ଏ କଥାକୁ ସ୍ୱୀକାର କରୁଛୁ ?’’

 

–‘‘ଭାଇ !!!’’ ଉର୍ମିଳାର ପାଟି ଖନି ବାଜିଗଲା ।

 

–‘‘ହଁ ଉମି ! ତୋ ଭାଇକୁ ଲୋକ ସନ୍ଦେହ କରୁଛନ୍ତି । ସେ ଖୁନୀ ବୋଲି ଅଭିଯୋଗ କରୁଛନ୍ତି ।’’

 

ବ୍ୟସ୍ତ ହୋଇଉଠିଲା ଉର୍ମିଳା । ଭାଇଙ୍କ ପାଖରେ ବସିପଡ଼ି କହିଲା–‘‘ଏ ତୁମେ କ’ଣ କହୁଛ ଭାଇ ? କାହାକୁ ତୁମେ ଖୁନ୍‌ କରିଛ ? କିଏ ତୁମ ନାମରେ ଏ ଅଭିଯୋଗ ଆଣିଛି ?’’

 

–‘‘ମୁଁ ?’’ ତରୁଣକାନ୍ତଙ୍କ ମନ ଭିତରେ ଏକ ନରମ ବିଷ୍ଫୋରଣ ଆତ୍ମଗୋପନ କଲା । ‘‘ମୁଁ ନିଜେ ନିଜକୁ ଅଭିଯୁକ୍ତ କରୁଛି ଉମି !’’

 

–‘‘ତୁମେ ନିଜେ ନିଜକୁ ଅଭିଯୁକ୍ତ କରୁଛ ?’’ କଥାଟାର ଅର୍ଥ କିଛି ବୁଝି ନ ପାରି ଉର୍ମିଳା କେବଳ ଆଶ୍ଚର୍ଯ୍ୟ ହେଲା ।

 

କଥାର ମୋଡ଼ ବୁଲାଇ...ତରୁଣକାନ୍ତ କହିଲେ–‘‘ତୁ ସେ କଥା ଚିନ୍ତା କଲେ ଦୁଃଖ କରିବୁ ଉମି ! ମୋ ଅନୁରୋଧ ରକ୍ଷା କରି ତୁ ଯା..., ଖାଇସାରି ଟିକେ ବିଶ୍ରାମ କରିବୁ ।’’

 

–‘କିନ୍ତୁ’...ଅଟକିଗଲା ଉର୍ମିଳା ।

 

–‘‘ଥରେ କହିଲି...ମୋ ପାଇଁ ତୁ ବ୍ୟସ୍ତ ହେବୁନାହିଁ । ବେଳ ଆସିବ...ସବୁ ଆପେ ଆପେ ଜାଣିବୁ । ଆଜି ମୋତେ ଆଉ ବ୍ୟସ୍ତ ନ କରି ତୁ ଯା ।’’

 

ଉର୍ମିଳା ଜାଣେ...ଅବାଧ୍ୟ ହେଲେ ଭାଇ ବିରକ୍ତ ହୁଅନ୍ତି । ତେଣୁ ଅଧିକ କିଛି ନ ପଚାରି ଉଠିଗଲା ସେ ।

 

କିଛି ସମୟ ନୀରବରେ ବସିବା ପରେ ବଜାରକୁ ବାହାରିଗଲେ ତରୁଣକାନ୍ତ ।

 

ଉର୍ମିଳା ଖାଇସାରି ପୁଣି ଭାଇଙ୍କ କୋଠରୀକୁ ଆସିଲା । କିନ୍ତୁ କୋଠରୀ ଖାଲି । ସନ୍ଦେହରେ ଚାରିଆଡ଼କୁ ଚାହିଁ ଭାଇଙ୍କ କଥା ଚିନ୍ତା କରୁଥିଲା ସେ । ଠିକ୍‌ ଏତିକିବେଳେ ଘରଭିତରକୁ ଆସିଲେ ପୋଲିସ୍‌ ଇନସପେକ୍ଟର ରଙ୍ଗବଲ୍ଲଭ ଜେନା ।

 

ନମସ୍କାର ଜଣାଇଲା ଉମିଳା ।

 

ଚେୟାର ଉପରେ ବସି ଯାଉ ଯାଉ ରଙ୍ଗବଲ୍ଲଭବାବୁ କହିଲେ–‘‘ଭାଇ କୁଆଡ଼େ ଗଲେ ଉର୍ମିଳା ?’’

 

ଟିକେ ବିବ୍ରତ ହୋଇ ଉର୍ମିଳା କହିଲା–‘‘ଏଇ ମାତ୍ର ଅଳ୍ପ ସମୟ ହେଲା ସେ ବଜାରକୁ ବାହାରିଗଲେ ।’’

 

ରଙ୍ଗବାବୁ ଅଧିକ କିଛି ଜାଣିବାକୁ ଚେଷ୍ଟା ନ କରି ସେମିତି ବସି ରହିଲେ ।

 

ସାହାଯ୍ୟ ପାଇବା ଆଶାରେ ଉର୍ମିଳା ବଳିପଡ଼ି କହିଲା–‘‘ଭାଇଙ୍କର କଣ ହୋଇଛି ରଙ୍ଗବାବୁ ? ଆପଣ ତାଙ୍କର ପିଲାଦିନର ସାଙ୍ଗ...ସେ ବିଷୟରେ କିଛି ଜାଣନ୍ତି କି ?’’

 

ଟିକେ ଚମକିପଡ଼ି ରଙ୍ଗବାବୁ କହିଲେ–‘‘କୋଉ କଥା ତୁମେ କହୁଛ ଉର୍ମିଳା ? ତରୁଣକାନ୍ତ କ’ଣ କିଛି କହୁଥିଲା ?’’

 

–‘‘ନାଁ...ଭାଇ କିଛି କହୁ ନ ଥିଲେ । ହେଲେ ସବୁବେଳେ ସେ ଚିନ୍ତିତ ଥିବା ପରି ଜଣା ପଡ଼ୁଛନ୍ତି । ଆଜି ଏଇ ଟିକେ ସମୟ ପୂର୍ବରୁ ଏଇ ଘରେ ସେ ଏକୁଟିଆ ବସୁ ବସୁ କହୁଥିଲେ–ମୁଁ ଖୁନ୍‌ କରିଛି...ନିଜେ ନିଜକୁ ଏଥିପାଇଁ ଅଭିଯୁକ୍ତ କରୁଛି ।’’

 

–‘‘ଏ କଥା ନିଜେ ତରୁଣକାନ୍ତ କହୁଥିଲା ?’’

 

–‘‘ହଁ...ଭାଇ କହୁଥିଲେ ।’’ କହିଲା ଉର୍ମିଳା ।

 

କପାଳରେ ହାତ ମାରି ରଙ୍ଗବାବୁ କହିଲେ–‘‘ଆଉ ମୁଁ ତରୁଣକାନ୍ତକୁ ସାହାଯ୍ୟ କରିପାରିବା ପରି ଜଣା ଯାଉନାହିଁ ଉର୍ମିଳା, ହୁଏତ ସେ ବିପଦରେ ପଡ଼ିଯିବ ।’’

 

–‘‘ଭାଇ ବିପଦରେ ପଡ଼ିଯିବେ ? କି ବିପଦ ? କଣ ହୋଇଛି ତାଙ୍କର ?’’

 

–‘‘ନାଁ...ସେ କିଛି ନୁହେଁ । ତୁମେ ସ୍ଥିର ହୁଅ ଉର୍ମିଳା ! ଅନ୍ତତ ତୁମକୁ ମୁଁ ଅଭିଯୋଗରୁ ମୁକ୍ତ କରିବା ଲାଗି ଚେଷ୍ଟା କରିବି ।’’

 

–‘‘ମୋତେ ଆପଣ ବିପଦରୁ ମୁକ୍ତ କରିବାକୁ ଚେଷ୍ଟା କରିବେ ? କ’ଣ କହୁଛନ୍ତି–ମୁଁ ତ’ କିଛି ବୁଝି ପାରୁନାହିଁ ।’’

 

–‘‘ଆସୁଛି...ସବୁ ବୁଝିବ ଉର୍ମିଳା । ତରୁଣକାନ୍ତ ବର୍ତ୍ତମାନ ସମସ୍ତଙ୍କର ସନ୍ଦେହ ଚକ୍ଷୁରେ-।’’

 

–‘‘କାହିଁକି ? କ’ଣ ପାଇଁ ?’’

 

–‘‘ଅନ୍ତତ ତୁମେ ସେ କଥା ନ ଜାଣିବା ଉଚିତ ।’’

 

‘‘ନାଁ...ନାଁ ମୋ ରାଣ ରଙ୍ଗବାବୁ ! କହନ୍ତୁ...କ’ଣ ହୋଇଛି କୁହନ୍ତୁ... ।’’

 

–‘‘ସବୁ କହିବି ଉର୍ମିଳା ! ତେବେ ଏତିକି ଜାଣିରଖ...ଯେ ଆଜି ପର୍ଯ୍ୟନ୍ତ ଯେତେ ଅନୁସନ୍ଧାନ ହୋଇଛି... ସବୁଗୁଡ଼ିକ କେବଳ ତରୁଣକାନ୍ତ ଓ ତୁମ ବିରୁଦ୍ଧରେ ।’’

 

–‘‘ମାନେ...... ।’’

 

–‘‘ହଁ... ପୋଲିସ୍‌ ସନ୍ଦେହ କରେ ଯେ... ତୁମେ ତରୁଣକାନ୍ତଙ୍କୁ ଏ କାମରେ ସାହାଯ୍ୟ କରିଛ ।’’

 

–‘‘କୋଉ କାମ କଥା ଆପଣ କହୁଛନ୍ତି... ?’’

 

–‘‘ତେବେ ମୋଟାମୋଟି ଏତିକି ଜାଣିରଖ... କାଦମ୍ବରୀଙ୍କ ବାପା... ଜୀବନବଲ୍ଲଭଙ୍କ ହତ୍ୟା ପାଇଁ ତରୁଣକାନ୍ତଙ୍କୁ ସନ୍ଦେହ କରାଯାଉଛି । ଏ ଖୁନ୍‌ ପାଇଁ ଯେ ତୁମେ ତରୁଣକାନ୍ତଙ୍କୁ ସାହାଯ୍ୟ କରିଛ...ସେ ବିଶ୍ଵାସ ଅନ୍ତତ ପୋଲିସର ଜନ୍ମିଛି ।’’

 

–‘‘ମିଛ...ଆପଣ ଏ ମିଛ ଅଭିଯୋଗ ଆମ ବିରୁଦ୍ଧରେ ଆଣୁଛନ୍ତି ରଙ୍ଗବଲ୍ଲଭବାବୁ । ସେ ବିଷୟରେ ଆମେ କିଛି ଜାଣିନାହୁଁ । ଆପଣ ଭୁଲ କହୁଛନ୍ତି ।’’

 

ହସିଲେ ରଙ୍ଗ ବଲ୍ଲଭ । କହିଲେ–‘‘ଏ ଅଭିଯୋଗ ମୋର ନୁହେଁ...ଉର୍ମିଳା ! ଏ ଅଭିଯୋଗ ପୋଲିସ ବିଭାଗର । ତେବେ...ତରୁଣକାନ୍ତଙ୍କୁ ମୁଁ ଉଦ୍ଧାର କରି ପାରିଲା ପରି ଲାଗୁନାହିଁ-। ତଥାପି...ତୁମକୁ ମୁଁ ଉଦ୍ଧାର କରିବାକୁ ଚେଷ୍ଟା କରିବି-।’’

 

ଉର୍ମିଳା କହିଲା–‘‘ନାଁ...ନାଁ...ମୋ ନିରୀହ ଭାଇଙ୍କର କିଛି ଦୋଷ ନାହିଁ ରଙ୍ଗବାବୁ, ଆପଣ ତାଙ୍କୁ ଏ ବିପଦରୁ ରକ୍ଷା କରନ୍ତୁ ।’’

 

ହସି ଉଠିଲେ ରଙ୍ଗବଲ୍ଲଭ । ଚେୟାରରୁ ଉଠି ଚାଲି ଯାଉ ଯାଉ କହିଲେ–‘‘ଅଭିଯୋଗ ଗୁଡ଼ାକ ତ’ ମୁଁ କରିନାହିଁ ଉର୍ମିଳା ! ସେ ସବୁ ଅଭିଯୋଗ ମୁଁ ଉଠାଇ ନେବି କିପରି... । ତେବେ ଏତିକି କହିପାରେ ଯେ...ତରୁଣକାନ୍ତ ନିଜ ଦୋଷ ସ୍ଵୀକାର କରି ତୁମକୁ ଦୋଷମୁକ୍ତ କରିଦେବା ଉଚିତ ।’’

 

ଆଉ ପଛକୁ ନ ଅନାଇ ଚାଲିବାକୁ ଆରମ୍ଭ ରଙ୍ଗବଲ୍ଲଭ ।

 

ସେହିଠାରେ ସେମିତି ବସିରହିଲା ଉର୍ମିଳା । ସେ ନିଜେ ଜୀବନବଲ୍ଲଭଙ୍କ ମୃତ୍ୟୁପାଇଁ ଦାୟୀ । ଏକଥା ପୋଲିସ ବିଭାଗ ବିଶ୍ଵାସ କରେ । ଆଉ ଅଧିକ କିଛି ଚିନ୍ତା କରି ପାରୁ ନ ଥିଲା ଉର୍ମିଳା । କେବଳ ନିଜକୁ ନିଜେ ବିଶ୍ଲେଷଣ କରୁଥିଲା ଅପର ନିକଟରେ ପ୍ରକାଶ କରିବାକୁ ।

 

ଅଭିଯୋଗ ସତ୍ୟରେ ପରିଣତ ହେବା ଅସମ୍ଭବ ନୁହେଁ... । ତେବେ...ହଁ...ତେବେ...

 

–‘‘ଆପଣ ତା ହେଲେ ଦ୍ଵିତୀୟ ବାର୍ଷିକ କଳା ଛାତ୍ରୀ ଉର୍ମିଳା ଦେବୀ ?’’

 

–‘‘ଆଜ୍ଞା ହଁ...’’

 

–‘‘କାଦମ୍ବରୀ ଆପଣଙ୍କ ସହପାଠିନୀ, ନୁହେଁ ?’’

 

–‘‘ଆଜ୍ଞା ହଁ...’’

 

–‘‘କାଦମ୍ବରୀ ଆପଣଙ୍କୁ ନିବିଡ଼ ଭାବରେ ଭଲ ପାଉଥିଲା ।’’

 

–‘‘ଆଜ୍ଞା ହଁ...’’

 

–‘‘ତା’ର ଆଭିଜାତ୍ୟକୁ ଆପଣ ଖୁବ ପସନ୍ଦ କରୁଥିଲେ ।’’

 

–‘‘ଆଜ୍ଞା ହଁ...’’

 

–‘‘ତା’ର ସମ୍ପତ୍ତି ଓ ଶିକ୍ଷା ସହ ବ୍ୟବହାରକୁ ଆପଣ ଭଲ ପାଉଥିଲେ ।’’

 

–‘‘ଆଜ୍ଞା ହଁ...’’

 

–‘‘ସେ ଆପଣଙ୍କ ମମତାବଦ୍ଧ ବ୍ୟବହାରକୁ ଖୁବ୍‌ଭଲ ପାଉଥିଲା ।’’

 

–‘‘ଆଜ୍ଞା ହଁ...’’

 

–ତା’ର ସୁଯୋଗ ନେଇ ଆପଣ ଚାହୁଁଥିଲେ ଯେ କାଦମ୍ବରୀ ଆପଣଙ୍କ ଭାଇଙ୍କୁ ବିବାହ କରୁ...’’

 

–‘‘ଆଜ୍ଞା...ଆଜ୍ଞା’’

 

–‘‘ନାଁ...ଆପଣ କଥା ଗୋଳାଇବାକୁ ଚେଷ୍ଟା କରନ୍ତୁ ନାହିଁ । ମୋ କଥାର ଉତ୍ତର ଦିଅନ୍ତୁ-। କିନ୍ତୁ କାଦମ୍ବରୀଙ୍କ ବାପା ଏ ପ୍ରସ୍ତାବରେ ରାଜି ହେଉ ନ ଥିଲେ ।’’

 

–‘‘ମୁଁ କହି ପାରିବି ନି...’’

 

–‘‘ଆପଣ ଠିକ୍‌ କହି ପାରିବେ । ଭୁଲାଇବାକୁ ଚେଷ୍ଟା କରନ୍ତୁ ନାହିଁ । ଜୀବନବଲ୍ଲଭ କାଦମ୍ବରୀଙ୍କୁ ଉତ୍ସାହିତ କରୁ ନଥିବାର ଆପଣ ନିଶ୍ଚୟ ଜାଣନ୍ତି ।’’

 

–‘‘ଆଜ୍ଞା ହଁ...’’

 

–‘‘ତଥାପି ଆପଣଙ୍କ ଭାଇଙ୍କ ଫଟୋ ଆପଣ କାଦମ୍ବରୀଙ୍କୁ ଦେଇଥିଲେ... ।’’

 

–‘‘ଆଜ୍ଞା ହଁ....’’

 

–‘‘ସେ ଫଟୋ ଦେବାର କାରଣ ଥିଲା ଯେ–ଭାଙ୍କ ଚେହେରା ଦେଖି କାଦମ୍ବରୀ ଆକର୍ଷିତା ହେଉ...’’

 

–‘‘ଆଜ୍ଞା...’’

 

–‘‘ଆପଣ ଭାବୁଛନ୍ତି...ମୁଁ କିଛି ନ ଜାଣି ପଚାରୁଛି ? ମୁଁ ସବୁ ଜାଣେ । ତେଣୁ ମିଛ ନ କହି ସବୁ ସତ କୁହନ୍ତୁ । ହଁ...ଏ ଫଟୋଟିକୁ ଦେଖି ଜୀବନବଲ୍ଲଭ ବିରକ୍ତ ହୋଇଥିଲେ ।’’

 

–‘‘ଆଜ୍ଞା ହଁ...’’

 

–‘‘ସେହିଦିନଠାରୁ ସେ ଝିଅପାଇଁ ସର୍ବଦା ଦୁଃଖ କରୁଥିଲେ ।’’

 

–‘‘ମୁଁ ସେ କଥା କହି ପାରିବି ନି ଆଜ୍ଞା...’’

 

–‘‘ଆପଣ ଠିକ୍‌ କହି ପାରିବେ...କାରଣ ଏକଥା କାଦମ୍ବରୀ ଆପଣଙ୍କୁ ଅନେକ ବାର କହିଛନ୍ତି... ।’’

 

–‘‘ଆଜ୍ଞା...’’

 

–‘‘କୌଣସି କଥା ଲୁଚାଇ ଲାଭ ନାହିଁ । ସବୁ ମୁଁ ଜାଣିଛି । କାଦମ୍ବରୀକୁ ଖୁସି କରିବା ପାଇଁ ଆପଣ ତା’ରି ସୁଇଟର ପରି ଗୋଟିଏ ଚକୋଲେଟ୍‌ ରଙ୍ଗର ସୁଇଟର କିଣିବାକୁ ଇଚ୍ଛା କରିଥିଲେ ।’’

 

–‘‘ଆଜ୍ଞା...ହଁ...’’

 

–‘‘ସୁଇଟରଟି କିଣିବା ପାଇଁ ଆପଣ ତରୁଣକାନ୍ତଙ୍କୁ କହିଥିଲେ ।’’

 

–‘‘ଆଜ୍ଞା ହଁ... ।’’

 

–‘‘କିନ୍ତୁ ସେ ନର୍ଦ୍ଦିଷ୍ଟ ରଙ୍ଗ ନ ଜାଣି ପାରିବାରୁ ଆପଣ କାଦମ୍ବରୀ ଠାରୁ ତାର ସୁଇଟରଟି ମାଗି ଆଣିଥିଲେ ।’’

 

–‘‘ଆଜ୍ଞା ହଁ...’’

 

–‘‘ଏ ସୁଇଟରଟି କମନ୍‌ ରୁମ୍‌ରେ ରଖି କ୍ଲାସକୁ ଗଲାବେଳେ ଚୋରୀ ହୋଇଗଲା ।’’

 

–‘‘ଆଜ୍ଞା ହଁ...’’

 

–‘‘ଏଇ ସୁଇଟରଟି ହିଁ ଜୀବନବଲ୍ଲଭଙ୍କୁ ଅନେକ ସମୟରେ ଦୁଃଖ ଦେଉଥିଲା ।’’

 

–‘‘ସେ କଥା ମୁଁ ଜାଣିନାହିଁ ।’’

 

–‘‘ଆପଣ ଠିକ୍‌ ଜାଣନ୍ତି । କାରଣ–କାଦମ୍ବରୀ ଆପଣଙ୍କୁ ଏ ବିଷୟରେ କହିବାକୁ ମଧ୍ୟ ଭୁଲିନାହିଁ ।’’

 

–‘‘ଆଜ୍ଞା ହଁ...’’

 

–‘‘ତେଣୁ ବହୁ ପୂର୍ବରୁ ଅନେକ ସମୟରେ ଏ ସୁଇଟର ପିନ୍ଧିବା ପାଇଁ ଆପଣ କାଦମ୍ବରୀଙ୍କୁ ଉତ୍ସାହିତ କରୁଥିଲେ ।’’

 

–‘‘ଆଜ୍ଞା ହଁ...’’

 

–‘‘ଆପଣଙ୍କର ଉଦ୍ଦେଶ୍ୟ ଥିଲା ଯେ କାଦମ୍ବରୀ ବାପାଙ୍କର ଅବାଧ୍ୟ କନ୍ୟା ହେଉ... ।’’

 

–‘‘ନାଁ...ଏ କଥା ଠିକ୍‌ ନୁହେଁ ।’’

 

–‘‘ମିଛ କହନ୍ତୁ ନାହିଁ । ଆପଣ ଠିକ ଜାଣିଥିଲେ ଯେ କାଦମ୍ବରୀ ଅବାଧ୍ୟା ହେଲେ...ବାପା ଝିଅଙ୍କର ନ ପଡ଼ିଲେ ଅଧିକ ସୁଯୋଗ ମିଳିବ । ଖୁବ ସହଜରେ କାଦମ୍ବରୀ ଘରୁ ଗୋଡ଼ କାଢ଼ି ତରୁଣକାନ୍ତଙ୍କୁ ବିବାହ କରି ପାରିବ ।’’

 

–‘‘ଆଜ୍ଞା ହଁ...’’

 

–‘‘ତେଣୁ ଅନେକ ସମୟରେ ଦୁଃଖ ଓ ଅନୁତାପରେ ଭାଙ୍ଗି ପଡ଼ୁଥିଲେ ଜୀବନବଲ୍ଲଭ ।’’

 

ନୀରବ ରହିଲା ଉର୍ମିଳା ।

 

–‘‘ସେହି ଦୁଃଖ ଓ ଅନୁତାପ ହିଁ ଶେଷରେ ଜୀବନବଲ୍ଲଭଙ୍କ ମୃତ୍ୟୁର କାରଣ ହେଲା । ତେଣୁ ଆପଣ ଜୀବନବଲ୍ଲଭଙ୍କ ମୃତ୍ୟୁ ପାଇଁ ଦାୟୀ... ।’’

 

–‘‘ଇଏ...ଉ’ଣ କହୁଛନ୍ତି ଆପଣ ?’’

 

–‘‘କୁହନ୍ତୁ, ମୁଁ ଯାହା କହୁଛି...କ’ଣ ତାହା ଠିକ୍‌ ନୁହେଁ ?’’

 

–‘‘ଆପଣ...’’

 

–‘‘ମୁଁ ପୋଲିସ୍‌ଆଇ...ଜି...ଗୋବର୍ଦ୍ଧନ ପଟ୍ଟନାୟକ...’’

 

–‘‘ମୋତେ ରକ୍ଷା କରନ୍ତୁ ସାର୍‌...’’

 

–‘‘ନାଁ...ନାଁ...ମୁଁ ତୁମ ରୂପ ଗୁଣରେ ମୁଗ୍‌ଧ ହୋଇ ଫେରିଯିବାକୁ ଆସି ନାହିଁ । ମୁଁ ଆସିଛି ତୁମକୁ ଆରେଷ୍ଟ କରିବା ଲାଗି ।’’

 

–‘‘ସାର୍‌ ! ମୋତେ କ୍ଷମା କରନ୍ତୁ ସାର୍ । ହୁଏତ ସବୁ ମୂଳରେ ଭାଇଙ୍କର କିଛି ଉଦ୍ଦେଶ୍ୟ ଥାଇପାରେ...କିନ୍ତୁ ମୋର ନାହିଁ... । ସାର୍‌...ସାର୍‌... ।

 

–‘‘ଇଏ କ'ଣ ଉର୍ମିଳା ? ଭାଇ କ‘ଣ ଘରେ ନାହାନ୍ତି ?’’

 

–‘‘ନାଁ...ସେ କୁଆଡ଼େ ବଜାରକୁ ଯାଇଛନ୍ତି । ଆପଣ ତାଙ୍କୁ ଖୋଜନ୍ତୁ । ମୁଁ ନିର୍ଦ୍ଦୋଷ...-।’’

 

–‘‘ଇଏ ତୁମେ କ'ଣ କହୁଛ ଉର୍ମିଳା ? ମୋତେ କ‘ଣ ତୁମେ ଚିହ୍ନି ପାରୁନାହଁ ? ମୁଁ ପରା ତୁମ କଲେଜର ପ୍ରିନ୍‌ସିପାଲ୍‌ ମନ୍ଦାକିନୀ ଚୌଧୁରୀ... ।’’

 

–‘‘ନାଁ... ନାଁ ଆପଣ ଆଇ...ଜି ଗୋବର୍ଦ୍ଧନ ପଟ୍ଟନାୟକ ।’’

 

–‘‘କାହା କଥା ତୁମେ କହୁଛି ଉର୍ମିଳା...ଟିକେ ଭଲ କରି ଦେଖ, ଚିହ୍ନ । ତୁମ ମୁଣ୍ଡ କ’ଣ ଗୋଳମାଳ ହେଇ ଯାଇଛି ?’’

 

–‘‘ଏଁ... ??’’

 

–‘‘କ‘ଣ ଗୁଡ଼ାଏ ତୁମେ ଗପୁଛ ଉର୍ମିଳା ? କାହା ସହିତ ତୁମେ କଥାବାର୍ତ୍ତା କରୁଥିଲ ?’’

 

–‘‘ମୁଁ... ? ହଁ ମୁଁ କଥାବାର୍ତ୍ତା କରୁଥିଲି; କିନ୍ତୁ ସେ ଗଲେ କୁଆଡ଼େ ?’’

 

–‘‘କିଏ ? କାହା କଥା ତୁମେ କହୁଛ ?’’

 

–‘‘ଆପଣ ସତ କହନ୍ତୁ ମନ୍ଦାକିନୀ ଦିଦି ! ମୁଁ କ’ଣ କଦାପି ଏତେବଡ଼ ପାପ କରିପାରେ-?’’

 

–‘‘ପାପ ? ...କିନ୍ତୁ ହଁ...ହଁ...କ’ଣ କହୁଛ ଫିଟାଇ କୁହ ଉର୍ମିଳା ।’’

 

–‘‘ମୁଁ ଯେ ଆଉ କିଛି କହି ପାରୁନାହିଁ ଦିଦି... ।’’

 

–‘‘ବୁଝୁଛି । ଅନେକ ସମୟରେ ଅବଶ୍ୟ ଝିଅମାନଙ୍କର ଏମିତି ଗୋଡ଼ ଖସେ, ସେମାନେ ଆଗପଛର ବିଚାର ନ କରି ବୟସର ଖିଆଲରେ ପାପ କରି ବସନ୍ତ, କିନ୍ତୁ ତୁମେ... !’’

 

–‘‘ନାଁ...ନାଁ...ମୁଁ ଯେ କିଛି ପାପ କରିନାହିଁ ଦିଦି ।’’

 

–‘‘ଦେହର କ୍ଷୁଧାକୁ ଅବଶ୍ୟ ପାପର ଆଖ୍ୟା ଦିଆଯାଇ ନ ପାରେ । ତେବେ ଏଥିରେ ଭାଙ୍ଗି ପଡ଼ିବାର କ‘ଣ ଅଛି ? କ‘ଣ ହୋଇଛି କୁହ । ମୁଁ ତୁମ ଭାଇକୁ କହି ସବୁ ସୁଧାରି ନେବି ।’’

 

–‘‘ଆପଣ ଭାବୁଛନ୍ତି...’’

 

–‘‘ନାଁ...ମୁଁ କେବଳ ଭାବୁନାହିଁ । ଯିଏ ନାହଁ ସିଏ ଏ କଥା ନିଶ୍ଚୟ ଭବିବେ । ତୁମେ ଅଳ୍ପବୟସ୍କା କୁମାରୀ । ଭୁଲ କରିବାଟା ତୁମ ପକ୍ଷରେ ସ୍ଵଭାବିକ ।’’

 

–‘‘କିନ୍ତୁ ମୁଁ ଯେ ଭୁଲ କରିନାହିଁ ଦିଦି...’’

 

–‘‘ଏ ଭୁଲଟା ନିଜକୁ ଭୁଲ୍‌ ବୋଲି ଲାଗେ ନାହିଁ । ଯଦି ମଣିଷ...ଏ ବୟସର ଦାବୀକୁ ଭୁଲ୍ ବୋଲି ଭାବୁଥାନ୍ତା...ତେବେ ମୋଟେ ଭୁଲ୍‌କରନ୍ତା ନାହିଁ, ହଉ...ସେ କଥା ଛାଡ଼ । କିନ୍ତୁ ମୋର ଗୋଟାଏ ଜାଗାରେ ସନ୍ଦେହ...ଆଇ. ଜି. ଗୋବର୍ଦ୍ଧନ ପଟ୍ଟନାୟକ ଯେ ବିବାହିତ ବୟସ୍କ ବ୍ୟକ୍ତି...ତାଙ୍କ ସହିତ... ?’’

 

କେବଳ କାନ୍ଦି ଉଠିଲା ଉର୍ମିଳା...

 

ସାନ୍ତ୍ଵନା, ଦେଇ ମନ୍ଦାକିନୀ ଦେବୀ କହିଲେ–‘‘ତଥାପି କିଛି ଭୟ କରିବାର ନାହିଁ ଉର୍ମିଳା-। ମୁଁ ସବୁର ସମାଧାନ କରିନେବାକୁ ଚେଷ୍ଟା କରିବି ।’’

 

–‘‘କିନ୍ତୁ...କିନ୍ତୁ’’ ଆଉ ଅଧିକ କିଛି କହି ନ ପାରି ଅଟକିଗଲା ଉର୍ମିଳା ।

 

ଠିକ୍ ଏତିକିବେଳେ ଘର ଭିତରକୁ ପଶି ଆସୁ ଅସୁ ତରୁଣକାନ୍ତ କହିଲେ–‘‘ଚକୋଲେଟ୍ ରଙ୍ଗର ସୁଇଟର ବଜାରରୁ ସରି ଯାଇଛି ଉର୍ମିଳା । ଆସନ୍ତା କାଲି ପୁଣି ଆସିବ ବୋଲି ଦୋକାନୀମାନେ କହିଲେ । ତେଣୁ କାଲି ସଂଧ୍ୟା ବେଳକୁ ତୋର ବରାଦ ଅନୁସାରେ...ସୁଇଟର ଦୁଇଟି ନେଇ ଆସିବି ।’’

 

ଉର୍ମିଳା ଭାଇଙ୍କ ଆଡ଼କୁ ଏକ ଲୟରେ ଚାହିଁ ରହିଥିଲା ।

 

ତରୁଣକାନ୍ତ, ଶ୍ରୀମତୀ ମନ୍ଦାକିନୀ ଚୌଧୁରୀଙ୍କୁ ଘର ଭିତରେ ଦେଖି ଟିକେ ଦମକି ଠିଆ ହୋଇଗଲେ । ସାମାନ୍ୟ ଅପ୍ରସ୍ତୁତ ହୋଇ କହିଲ–‘‘ନମସ୍କାର...ଆପଣ ?’’

 

ଅଧ୍ୟକ୍ଷା ମନ୍ଦାକିନୀ ଚୌଧୁରୀ ହସି ପ୍ରତିନମସ୍କାର କରି କହିଲେ–‘‘ଗୋଟିଏ ଦରକାର ହଠାତ୍‌ ଆପଣଙ୍କ ନିକଟକୁ ଚାଲି ଆସିଲେ, କିନ୍ତୁ ଆପଣ ଘରେ ନ ଥୁବାରୁ ଉର୍ମିଳା ସହିତ ଟିକେ ଗପ ସପ ହେଉଥିଲି ।’’

 

–‘‘ଆଚ୍ଛା...ଆଚ୍ଛା...ବସନ୍ତୁ ।’’ କହି ନିଜେ ତରୁଣକାନ୍ତ ଗୋଟିଏ ଚେୟାରରେ ବସିଗଲେ-। ପୁଣି ପ୍ରଶ୍ନ କଲା ଭଳି କହିଲେ–ହଁ...ମୋ ପାଖରେ କି ଦରକାର ପଡ଼ିଲା ?’’

 

ମନ୍ଦାକିନୀ କ’ଣ ପଚାରିବାକୁ ଉଦ୍ୟତ ହେଉଥିଲେ; କିନ୍ତୁ ଠିକ୍‌ ଏତିକିବେଳେ ତରୁଣକାନ୍ତ କଥାରେ ବାଧା ଦେଇ କହିଲେ–‘‘ଉମି ! ମ୍ୟାଡ଼ାମ୍‌ ମନ୍ଦାକିନୀ କେତେବେଳୁ ଆସିଲେଣି, ଟିକେ ଚା’ ଦେଇଛୁ ତ ?’’

 

ଉର୍ମିଳା କିଛି ଉତ୍ତର ନ ଦେଇ ସେମିତି ଠିଆ ହୋଇଥିଲା...

 

ତରୁଣକାନ୍ତ ବେଶ୍ ବୁଝି ନେଲେ ଯେ–ଉର୍ମିଳା ଚା ଟିକେ ଦେଇ ପାରିନାହିଁ । ତେଣୁ କହିଲେ–‘‘ହଉ...ହଉ...ତେବେ ଦୁଇ କପ୍‌ ଚା’ ତଆରି କରି ଆଣ ତ ।’’

 

ଚା’ ତିଆରି କରିବାକୁ ଉଠିଗଲା ଉର୍ମିଳା ।

 

ତା’ପରେ ଅଧ୍ୟକ୍ଷା ମନ୍ଦାକିନୀ କହିଲେ–‘‘ଆସନ୍ତା କାଲି ଆମ କଲେଜରେ ଗୋଟିଏ ଉତ୍ସବ ହେବ । ସେହି ଉତ୍ସବରେ ଆପଣଙ୍କୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ଲାଗି ମୁଁ ଅନୁରୋଧ କରିବାକୁ ଆସିଛି ।’’

 

–‘‘ମୋତେ ?’’ ଟିକେ ରହିଗଲେ ତରୁଣକାନ୍ତ ।

 

–‘‘ଭାରତୀୟ ଦର୍ଶନ ଓ ଦାର୍ଶନିକ’ ଏଇ ବିଷୟବସ୍ତୁ ଉପରେ ଆମ କଲେଜରେ ପ୍ରତିବର୍ଷ ଗୋଟିଏ ପ୍ରବନ୍ଧ ପ୍ରତିଯୋଗିତା ହୁଏ... । ପ୍ରତିଯୋଗିତାରେ ଯେଉଁମାନେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରନ୍ତି ସେମାନଙ୍କୁ ପୁରସ୍କାର ବିତରଣ କରାଯାଏ । ଯଦି ଆପଣ ଏ ଉତ୍ସବରେ ପୌରୋହିତ୍ୟ କରନ୍ତି...’’

 

ମନ୍ଦାକିନୀ କଥାରେ ବାଧା ଦେଇ ତରୁଣକାନ୍ତ କହିଲେ...“ହଁ...ହଁ...ସେଥିରେ ଆପତ୍ତି କ'ଣ ଅଛି ? ମୁଁ ନିଶ୍ଚୟ ଯିବି ।’’

 

–‘‘ମୁଁ ଭାବିଥିଲି ଆପଣ ମୋ ପ୍ରସ୍ତାବରେ ରାଜି ହେବେ ନାହିଁ ।

 

–‘‘କାହିଁକି ? ମୋର କ୍ଷତି କଣ ହେବ ?’’

–‘‘ନାଇଁ...ନାଇଁ...କ୍ଷତି ହେବାର କିଛି ନାହି; କିନ୍ତୁ ଆପଣ ପ୍ରାୟ ଗୋଟିଏ ସୁଖର ଖବର ଜାଣି ନାହାନ୍ତି ଯେ–ଏହି ପ୍ରବନ୍ଧ ପ୍ରତିଯୋଗିତାରେ ଉର୍ମିଳା ପ୍ରଥମ ସ୍ଥାନ ଅଧିକାର କରିଛି ।’’

ବେଦମ୍ ହୋଇ ହସି ଉଠିଲେ ତରୁଣକାନ୍ତ । କହିଲେ–‘‘ଏ ତ ମୋ ପକ୍ଷରେ ଓଲଟି ଖୁସି ଖବର । ମୋ ଉମି ଯେ ଭାରତୀୟ ଦର୍ଶନ ଓ ଦାର୍ଶନିକଙ୍କ ଉପରେ ପ୍ରବନ୍ଧ ଲେଖି ପ୍ରଥମ ସ୍ଥାନ ଅଧିକାର କରିଛି–ସେଥିପାଇଁ ମୁଁ ଆନନ୍ଦିତ ହେବାର କଥା ।’’

–‘‘ତା’ ଛଡ଼ା ପ୍ରବନ୍ଧଟି ମୁଁ ନିଜେ ମଧ୍ୟ ପାଠ କରିଛି । ବାସ୍ତବିକ୍‌ ଏଇଟି ଖୁବ୍‌ ଉପାଦେୟ ପ୍ରବନ୍ଧ । ଉର୍ମିଳାର ଭବିଷ୍ୟତ ନିଶ୍ଚୟ ଉଜ୍ଵଳ ।’’

–‘‘ଅନ୍ତତ ସେହି ଆଶା ତ ମୋର ଅଛି ।’’

–‘‘ଏହିପରି କେତୋଟି ଉପାଦେୟ ବିଷୟ ଉପରେ ଯଦି ବଦାନ୍ୟ ବ୍ୟକ୍ତିମାନେ କିଛି କିଛି ପୁରସ୍କାର ଘୋଷଣା କରନ୍ତେ–ତେବେ ଅନେକ ଉପକାର ହୁଅନ୍ତା ।’’

–‘‘ଓ...ତା ହେଲେ ଏ ପୁରସ୍କାରଟି କ'ଣ କୌଣସି ବଦାନ୍ୟ ବ୍ୟକ୍ତି କଲେଜକୁ ଦାନ କରିଛନ୍ତି ?’’

–‘‘ହଁ...ସେ ଦଶହଜାର ଟଙ୍କା ପୁରସ୍କାର ପାଇଁ ଦାନ କରିଛନ୍ତି । ତାହାରି ସୁଧରୁ ହିଁ ପ୍ରତିବର୍ଷ ପୁରସ୍କାର ଦିଆଯାଏ ।’’

–‘‘ପୁରସ୍କାରଟି କିଏ ଦେଇଛନ୍ତି ମନ୍ଦାକିନୀ ଦେବୀ ?’’

–‘‘ଆପଣ ହୁଏତ ବିଖ୍ୟାତ କଣ୍ଟ୍ରାକ୍‌ଟର ଜୀବନବଲ୍ଲଭଙ୍କୁ ଜାଣିଥିବେ, ବିଚରା ବର୍ତ୍ତମାନ ମୃତ । ସେଇ ଏ ପୁରସ୍କାରଟି ଆମ କଲେଜକୁ ଦାନ କରିଛନ୍ତି ।’’

–‘‘କଣ କହିଲେ ? ଏ ପୁରସ୍କାରଟି ଜୀବନବଲ୍ଲଭ ଦାନ କରିଛନ୍ତି ।’’

–‘‘ଥରି ଉଠିଲେ ତରୁଣକାନ୍ତ । କହିଲେ–‘‘ନାଁ...ନାଁ ମୁଁ ଉତ୍ସବରେ ମୁଖ୍ୟ ଅତିଥି ହୋଇ ଯୋଗ ଦେଇ ପାରିବିନି ମନ୍ଦାକିନୀ ଦେବୀ । ଆପଣ ଆଉ କାହାକୁ ଏଥିପାଇଁ ଅନୁରୋଧ କରନ୍ତୁ-।’’

ଆଶ୍ଚର୍ଯ୍ୟ ହୋଇ ମନ୍ଦାକିନୀ ଦେବୀ କହିଲେ–‘‘କିନ୍ତୁ କାହିଁକି ? କଣ ହେଲା ତରୁଣକାନ୍ତ ବାବୁ ? ଜୀବନବଲ୍ଲଭଙ୍କ ନାମ ଶୁଣି ଆପଣ ଏମିତି ବ୍ୟସ୍ତ ହେଉଛନ୍ତି କାହିଁକି ?’’

–‘‘ନାଁ...ନାଁ...ସେ କିଛି ନୁହେଁ, ଆପଣ ବୁଝିପାରିବେ ନାହିଁ...ଆପଣ ଦୟାକରି ଯାଆନ୍ତୁ...’’

–‘‘କିନ୍ତୁ ପ୍ରଥମେ ଯେ ଆପଣ ଖୁସି ହୋଇ ମୋ ପ୍ରସ୍ତାବରେ ରାଜି ହୋଇଥିଲେ ତରୁଣକାନ୍ତବାବୁ......’’

–‘‘ହଁ ମୁଁ ରାଜି ହୋଇଥିଲି । ଏବେ ପୁଣି ମନା କରୁଛି । ଆପଣ ଦୟାକରି ଯାଅନ୍ତୁ ।

କିଛି ବୁଝି ନ ପାରି ଅପ୍ରସ୍ତୁତ ହୋଇ ପଡ଼ୁଥିଲେ ମନ୍ଦାକିନୀ, ତାଙ୍କ ମନରେ ସନ୍ଦେହ ଜମାଟ ବାନ୍ଧି ଉଠୁଥିଲା ।

ତରୁଣକାନ୍ତ କେବଳ ବାରମ୍ବାର ଅନୁରୋଧ କରି କହୁଥିଲେ–‘‘ଆପଣ ଯାଆନ୍ତୁ...ଦୟାକରି ଯାଆନ୍ତୁ...’’

ନୀରବରେ ଅପମାନିତା ହୋଇ ଚେୟାରରୁ ଉଠିଲେ ମନ୍ଦାକିନୀ...

ଠିକ୍‌ ସେତିକିବେଳକୁ ଚା’ ଦୁଇକପ୍‌ ଧରି ଘର ଭିତରକୁ ପ୍ରବେଶ କଲା ଉର୍ମିଳା, ମନ୍ଦାକିନୀ ଦେବୀ ଉଠି ଯାଉଥିବାର ଦେଖି କହିଲା–‘‘ଦିଦି...ଚା’’ ।

ପ୍ରତିବାଦ କରି ତରୁଣକାନ୍ତ କହିଲେ–‘‘ନାଁ...ନାଁ...ଚା’ ଦେବା ଦରକାର ନାହିଁ । ଦୁଇଟିଯାକ କପ୍‌ ଦେ...ମୁଁ ସବୁ ପିଇଦେବି ।’’

ଏଇ କଥା ପଦକ ଆହୁରି ଆଘାତ ଦେଲା ମନ୍ଦାକିନୀଙ୍କୁ । ଏକା ନିଃଶ୍ୱାସକରେ ସେ ବାହାରିଗଲେ ଘରୁ । ତାଙ୍କ ମନ ଭିତରେ ଜୀବନବଲ୍ଲଭଙ୍କ ସ୍ମୃତିର ବଳୟ ରେଖା କାଟୁଥିଲା । ସେ କେବଳ ଲଜ୍ଜା, ସଂକୋଚ, ଅପମାନ ଓ ସନ୍ଦେହରେ ଭାଙ୍ଗି ପଡ଼ୁଥିଲେ... ।

ତେବେ କ’ଣ......

କଠୋର ହୋଇ ତରୁଣକାନ୍ତ ଟେବୁଲରେ ହାତ ବାଡ଼େଇ କହୁଥଲେ–‘‘ଦେ ଉମି ! ଦୁଇଟିଯାକ କପ୍‍ ମୋ ହାତକୁ ବଢ଼ାଇ ଦେ । ମୁଁ ସବୁ ଶେଷକରି ଦେବି । ଆଉ ମନେରଖ...କାଇ ଯେମିତି ତୁ କଲେଜକୁ ନ ଯାଉ ।’’

ଉର୍ମିଳା କିଛି ବୁଝିପାରୁ ନ ଥିଲା । ଭାଇଙ୍କ ପାଗଳାମୀ ଦେଖି ସେ ଆଶ୍ଚର୍ଯ୍ୟ ହେଉଥିଲା-। ମୂକଙ୍କ ପରି ଠିଆହୋଇ ପରିସ୍ଥିତିକୁ ଲକ୍ଷ୍ୟ କରୁଥିଲା...... ।

ପ୍ରଳୟ ଭାବରେ ରାଗିଉଠି ତରୁଣକାନ୍ତ କହିଲେ–‘‘ତୋତେ କ’ଣ ଶୁଭିଲା ନି ? କହିଲି ପରା...କପ୍‍ ଦୁଇଟି ମୋତେ ଦେ ।’’

ହଠାତ୍‌ ଚମକି ପଡ଼ିଲା ଉର୍ମିଳା । ତା’ ହାତରୁ କପ୍‌ ଦୁଇଟି ତଳେ ଖସିପଡ଼ି କୁଟ୍‌କୁଟ୍‌ ହେଇଗଲା ।

ହସି ଉଠିଲେ ତରୁଣକାନ୍ତ । କହିଲେ–‘‘ତୁ ଖୁବ୍‍ ଡରି ଯାଇଛୁ ନୁହେଁ...ଉମି ? ତୁ କ’ଣ ଭାବୁଛୁ ଯେ ତୋ ଭାଇ କଠୋର ହୋଇ ପାରେନାହଁ ? ସେ ପାଷାଣଠାରୁ ଆହୁରି କଠୋର ହୋଇ ପାରେ । ତୋ ଭାଇ ଉପରେ ତୁ ଆସ୍ଥା ରଖ ଉମି । ସବୁ ଦୁଃଖ ଆପେ ଆପେ ନିଶ୍ଚୟ ଦିନେ ଦୂରେଇଯିବ ।’’

ଉର୍ମିଳା ଠିଆ ହୋଇ ଥରିବାରେ ଲାଗିଥିଲା... ।

ବ୍ରାକେଡ଼୍‌... । ବ୍ରାକେଡ଼ ଭିତରେ ଅନେକ କଥା କହିହୁଏ । ତେଣୁ ଏହିଠାରେ ହିଁ...ଅନେକ କଥା କହିବାର ଏକ ବିରାଟ ସୁଯୋଗ ମିଳିଛି । ନ କହିବାଟା ନିଜର ଦୁର୍ବଳତା ।

କହୁଛି... । ପ୍ରଥମେ କହେ ଯେ... ମୁଁ ହେଉଛି ଏ ଉପନ୍ୟାସର ଲେଖକ ଶ୍ରୀ ବ୍ରଜମୋହନ ମହାନ୍ତି; ଏମ୍‌.ଏ । ଆପଣ ଭୁଲ୍‌ବୁଝିବେ ନାହିଁ । ମୁଁ ନିଜକଥା କହିବାକୁ ଏଠାରେ ବ୍ରାକେଡ଼ର ଅବତାରଣା କରିନାହିଁ । ଉପନ୍ୟାସର ଏକ ବିରାଟ ଭୁଲପାଇଁ କ୍ଷମା ମାଗିବାକୁ ଇଚ୍ଛା କରିଛି । ଏ ଭୁଲ୍‌ଟି ମୋତେ ଅନ୍ୟ କେହି କହି ନାହାନ୍ତି । କହିଛନ୍ତି...ଉପନ୍ୟାସର ଅବହେଳିତ ଚରିତ୍ର ।

 

ସେ ଦିନ ମୁଁ ତରୁଣକାନ୍ତଙ୍କ କୋଠରୀରୁ ଫେରିବା ପରେ ଥକ୍‌କା ହୋଇ ଖଟ ଉପରେ ବସିଯାଇଛି...ଠିକ୍‌ ଏତିକିବେଳେ ରାଗରେ ଜର୍ଜରିତା ହେବା ପରି ଦାନ୍ତ କଡ଼ ମଡ଼ କରି ମୋ କୋଠରୀରେ ପ୍ରବେଶ କଲେ କୁମାରୀ କାଦମ୍ବରୀ । ଉଚ୍ଚ ସ୍ଵରରେ କହିଲେ–‘‘ଆପଣ ତା ହେଲେ ଶ୍ରୀ ବ୍ରଜମୋହନ ମହାନ୍ତି ?’’

 

ମୁଁ ‘ହଁ’ ନ କହିବାର ବାଟ ନ ଥିଲା । ସେ ମୋତେ ଅଧିକ କିଛି ନ ପଚାରି ଗୋଟିଏ ଚେୟାର ଦଖଲ କରି ବସିଗଲେ । ତା’ପରେ କହିଲେ–‘‘ମୁଁ ଭାବିଥିଲି ଆପଣ ନ୍ୟାୟବନ୍ତ ଲୋକ; କିନ୍ତୁ ଆପଣ ଏମିତି ଅନ୍ୟାୟ କରିବେ ବୋଲି ମୋର ଧାରଣା ନ ଥିଲା ।’’

 

ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡ଼େ ଚାହିଁଲି ।

 

ତା’ପରେ ସେ କହିଲେ–“ଓହୋ ମୋତେ ତା ହେଲେ ଆପଣ ଚିହ୍ନି ପାରୁ ନାହାଁନ୍ତି ? ମୁଁ ଜୀବନବଲ୍ଲଭଙ୍କ କନ୍ୟା କାଦମ୍ବରୀ ।’’

 

ମୋ କପାଳର ରେଖାଗୁଡ଼ିକ କୁଞ୍ଚିତ ହୋଇଗଲା । ହତବାକ୍‌ ହୋଇ ମୁଁ ଚାହିଁ ରହିଥିଲା କାଦମ୍ବରୀଙ୍କ ଆଡ଼େ ।

 

ଓକିଲ କୌଣସି ଅଭିଯୁକ୍ତ ଆସାମୀକୁ ଜେରା କରିବା ପରି କାଦମ୍ବରୀ ଆରମ୍ଭ କଲେ–‘‘ମୋର ଉପସ୍ଥିତି ପାଇଁ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ; କିନ୍ତୁ ମୁଁ ଆସିଛି ଆପଣଙ୍କଠାରୁ କୈଫିୟତ ଆଦାୟ କରିବା ପାଇଁ ।’’

 

କାଦମ୍ବରୀଙ୍କ ପ୍ରଶ୍ନ ଶୁଣି ମୁଁ ଏକରକମର ଡରି ଯାଇଥିଲି । କେବଳ ବଲବଲ କରି ଚାହିଁଥିଲି ତାଙ୍କ ମୁହଁକୁ । ସେ ପୁଣି ମୋ ଟେବୁଲୁ ଉପରେ ଗୋଡ଼ ରଖି ବେଖାତିର କଲାଭଳି କହିଲେ–‘‘ଆପଣ ଠିକ୍‌ଭାବରେ ମଣିଷର ଚରିତ୍ର ଅନୁଧ୍ୟାନ କରି ଜାଣନ୍ତି ନାହିଁ । ତେଣୁ ଲେଖକ ହେବାକୁ ସଂପୂର୍ଣ୍ଣ ଅନୁପଯୁକ୍ତ ।’’

 

କଥାଟା ମୋତେ ଖୁବ୍‍ ବାଧିଲା । ପ୍ରତିବାଦ କରିବାର ଶକ୍ତି ସଞ୍ଚୟ କରି କହିଲି–‘‘ଆପଣ ଅନଧିକାର ଚର୍ଚ୍ଚା କରୁଛନ୍ତି, ବିନା ଅନୁମତିରେ ଆପଣ ମୋ କୋଠରୀରେ ପ୍ରବେଶ କରି ଏ ସବୁ ଅବାନ୍ତର ପ୍ରଶ୍ନ ପଚାରିବା ଅନୁଚିତ ।’’

 

ମୋର ଉତ୍ତର ଶୁଣି ଠୋ ଠୋ ହୋଇ ହସିଉଠିଲେ କାଦମ୍ବରୀ । ତା’ପରେ ନିଜେ, ନିଜକୁ ରୋକି ନେଇ କହିଲେ–‘‘ଆପଣ ଯେତେବେଳେ ସଂଖ୍ୟାଧିକବାର ଅନାଧିକାର ଚର୍ଚ୍ଚା କରୁଛନ୍ତି, ସେତେବେଳେ ମୋର ଗୋଟାଏ ଥର ଅନଧିକାର ଚର୍ଚ୍ଚା... ଦୋଷ ନୁହେଁ ନିଶ୍ଚୟ ।’’

 

ଏଥର ସାମାନ୍ୟ ରାଗିଉଠି ମୁଁ କହିଲି–‘‘ଆପଣ ଏସବୁ କ’ଣ କହୁଛନ୍ତି ?’’

 

ତା’ପରେ ସ୍ଥିର ହୋଇ ବସିଯାଇ କାଦମ୍ବରୀ ଆରମ୍ଭ କଲେ ଆପଣ ହୁଏତ ଭାବିଛନ୍ତି ଯେ–ମୁଁ କିଛି ଜାଣି ନାହିଁ । କିନ୍ତୁ ମୁଁ ସବୁ ଜାଣେ । ମୁଁ ନିଶ୍ଚିତ ଭାବରେ ଜାଣେ ଯେ ମୋର ବାପା...ଜୀବନବଲ୍ଲଭଙ୍କ ମୃତ୍ୟୁକୁ କେନ୍ଦ୍ର କରି ଆପଣ ଗୋଟିଏ ଉପନ୍ୟାସ ରଚନା କରୁଛନ୍ତି । ସେଥପାଇଁ ଆପଣ ଅତିନ୍ଦ୍ର ଓ ତରୁଣକାନ୍ତଙ୍କ ପଛେ ପଛେ କାୟା ପଛରେ ଛାୟା ପରି ଲାଗି ରହି ଘଟଣା ସଂଗ୍ରହ କରୁଛନ୍ତି । ନିତିଦିନ ଯେଉଁ ଘଟଣା ଘଟୁଛି...ବା ଆପଣ ଯେଉଁ କଥୋପକଥନ ଶୁଣୁଛନ୍ତି...ତାକୁ ଲିପିବଦ୍ଧ କରୁଛନ୍ତି । ମୋଟାମୋଟି ଆପଣଙ୍କ ଉପନ୍ୟାସରେ ସ୍ଥାନ ପାଇଛନ୍ତି–ଅତିନ୍ଦ୍ର...ତରୁଣକାନ୍ତ ଓ ଉର୍ମିଳା । ତାହାଛଡ଼ା ରଙ୍ଗବଲ୍ଲଭ ଜେନା...ଓ ମନ୍ଦାକିନୀ ଚୌଧୁରୀ ଯେତେବେଳେ ଆସି ସେମାନଙ୍କ ପାଖରେ ପହଞ୍ଚିଛନ୍ତି–ସେତେବେଳେ ସେମାନଙ୍କୁ ମଧ୍ୟ ଆପଣ ଉପନ୍ୟାସର ଚରିତ୍ର ଭାବରେ ଗ୍ରହଣ କରି ନେଇଛନ୍ତି ।’’

 

ବାଧା ଦେଇ କହିଲି–‘‘ଆପଣ ଏ ସବୁ କ’ଣ କହୁଛନ୍ତି ? ମୁଁ ତ ଏପରି କିଛି ଉପନ୍ୟାସ ରଚନା କରୁନାହିଁ ।’’

 

ସଙ୍ଗେ ସଙ୍ଗେ କାଦମ୍ବରୀ ପ୍ରଳୟ ଭାବରେ ରାଗି ଉଠି କହିଲେ–‘‘ଆପଣ ମୋତେ ମୋଟେ ମିଛ କହନ୍ତୁ ନାହିଁ, ମୁଁ ସବୁ ଜାଣେ । ଆପଣଙ୍କ ହାତ ଡାଏରୀଟାକୁ ଖୋଲିଦେଲେ ସବୁ ଜଣାପଡ଼ିଯିବ । ଆପଣ ଛାତିରେ ହାତ ଦେଇ କହି ପାରିବେ ଯେ–କୌଣସି ଉପନ୍ୟାସ ଲେଖୁ ନାହାନ୍ତି ? କାଦମ୍ବରୀଙ୍କ ସହିତ ଯୁକ୍ତି ନ କରି ପାରି ମୁଁ ଚୁପ୍‌ ରହିଗଲି । ତା’ପରେ ପୁଣି କାଦମ୍ବରୀ ଆରମ୍ଭ କଲେ–‘‘ଏ କଥା ମଧ୍ୟ ମୁଁ ଜାଣେ ଯେ–ଅତିନ୍ଦ୍ର ଓ ତରୁଣକାନ୍ତ ଆପଣଙ୍କର ବନ୍ଧୁ । ଅବଶ୍ୟ ତରୁଣକାନ୍ତ ପୂର୍ବରୁ ଅତିନ୍ଦ୍ରକୁ ଜାଣି ନ ଥିଲେ । ତେବେ ସେହି ସୁବିଧା ନେଇ ଆପଣ ସେମାନଙ୍କ ପଛେ ପଛେ ଲାଗି ରହି ଏପରି ଗୋଟିଏ ଉପନ୍ୟାସ ରଚନା କରିବା ଅନ୍ୟାୟ । କାରଣ ଅନେକ ଗୁପ୍ତ କଥା ଆପଣ ଜାଣନ୍ତି ନାହିଁ ।’’

 

ପୁଣି ମୁଁ କହିଲି–‘‘ବେଶ୍‌ ଭଲ କଥା, ମୁଁ ଆପଣଙ୍କ କଥାକୁ ମାନି ନେଲି । ଅବଶ୍ୟ ଗୁପ୍ତରେ ରହି ମୁଁ ଅତିନ୍ଦ୍ର ଓ ତରୁଣକାନ୍ତଙ୍କ ଅବସ୍ଥା ଲକ୍ଷ୍ୟ କରୁଛି, କିନ୍ତୁ ମୁଁ ତ’ ସେମାନଙ୍କ ଇତିହାସ ଲେଖୁନାହିଁ । ମାତ୍ର ରଚନା କରୁଛି ଗୋଟିଏ ଉପନ୍ୟାସ ।’’

 

କାଦମ୍ବରୀ ଆଉଟିକେ ହସିଲେ । କହିଲେ–‘‘ସେଇଥିପାଇଁ ତ’ ମୋର ସବୁଠାରୁ ବେଶୀ ଦୁଃଖ । ଉପନ୍ୟାସ ଗୋଟିଏ ଜୀବନୀ ସମ୍ବଳିତ ଇତିହାସ ନୁହେଁ ସତ...କିନ୍ତୁ ଗୋଟିଏ ଚରିତ୍ର ସମ୍ବଳିତ ମହାକାବ୍ୟ । ଦିନେ ସେଇଟି ହେବ ଜାତିର ନିଜସ୍ଵ । ତା ଦେହରେ ଆପଣ ଚରିତ୍ର ପ୍ରତି ଅବହେଳା ଦେଖାଇଲେ ହେବ କିପରି । ମୁଁ ଭାବୁଛି...ଆପଣ ଆପଣଙ୍କ ଲିଖିତ ଚରିତ୍ର ପ୍ରତି ମୋଟେ ଖାତିର କରନ୍ତି ନାହିଁ ।’’

 

ଆଉଥରେ କାଦମ୍ବରୀଙ୍କ କଥାରେ ବାଧାଦେଇ ମୁଁ କହିଲି–‘‘ଇଏ ଆପଣ କ’ଣ କହୁଛନ୍ତି-? ମୋର ଚରିତ୍ରମାନଙ୍କ ପ୍ରତି ମୁଁ ସତର୍କ କି ନୁହେଁ...ତାହା ଆପଣ କଣ ଜାଣିଲେ କେମିତି ? ମୁଁ ତ କୌଣସି ଚରିତ୍ର ପ୍ରତି ଅବହେଳା ଦେଖାଇ ନାହିଁ ।’’

 

ହଠାତ୍‌ ଟେବୁଲଟାରେ ହାତ ବାଡ଼େଇ କାଦମ୍ବରୀ କହିଲେ–‘‘ନିଶ୍ଚୟ ! ମୁଁ ତାହାର ପ୍ରମାଣ ଦେଇପାରେ । ଆପଣ ଯେଉଁ ଉପନ୍ୟାସ ରଚନା କରିବାକୁ ହାତ ଦେଇଛନ୍ତି...ତାହାର ମୁଖ୍ୟ କାରଣ ହେଲା–ମୋର ବାପାଙ୍କର ମୃତ୍ୟୁ; କିନ୍ତୁ ମୋ ବାପାଙ୍କ ସମ୍ପର୍କରେ ଆପଣ କ’ଣ ଜାଣିଛନ୍ତି ? ଯାହା ଅତିନ୍ଦ୍ର ବା ତରୁଣକାନ୍ତ ଅଲୋଚନା କଲେ ସେହି କଣ ଯଥେଷ୍ଟ ହୋଇଗଲା ? ଯାହାଙ୍କ ଉପରେ ଆପଣ ଉପନ୍ୟାସଟି ଗଢ଼ୁଛନ୍ତି–ତାଙ୍କ ସମ୍ପର୍କରେ ଅଧିକ ଜାଣିବା କଣ ଅପଣଙ୍କର କର୍ତ୍ତବ୍ୟ ନୁହେଁ ?’’

 

ସାମାନ୍ୟ କଠୋର ହୋଇ କହିଲି–‘‘ମୁଁ ଜୀବନବଲ୍ଲଭଙ୍କ ସମ୍ପର୍କରେ ଅନେକ କିଛି ଜାଣେ ।’’

 

କାଦମ୍ବରୀ କହିଲେ–‘‘ଆପଣ ତାଙ୍କ ସମ୍ପର୍କରେ ଯାହା ଯାଣିଛନ୍ତି ତାହା ମଧ୍ୟ ମୋତେ ଜଣା ଅଛି । କିନ୍ତୁ ତାଙ୍କର ସମଗ୍ର ଜୀବନ ଯେ ମାତ୍ର...ସେତେକ ନୁହେଁ । ତାଙ୍କ ଚରିତ୍ର, ତାଙ୍କ ପ୍ରକୃତି, ତାଙ୍କ ବାଲ୍ୟ ଜୀବନ, ତାଙ୍କ କର୍ମମୟ ଜୀବନ ସମ୍ପର୍କରେ ଆପଣ ଅନେକ କିଛି ଜାଣିବା ଦରକାର । କେବଳ ତାଙ୍କ ନାମଟାକୁ ପ୍ରୟୋଗ କରି ଦେଲେ କ’ଣ ଯଥେଷ୍ଟ ହୋଇଗଲା ?’’

 

ମୁଁ ସାମାନ୍ୟ ନୀରବ ରହିଲି ।

 

କାଦମ୍ବରୀ କହିଲେ–‘‘ଆପଣ ବେଶ୍‌ ଭଲକରି ଜାଣନ୍ତି ସେ–ମୁଁ ଜୀବନବଲ୍ଲଭଙ୍କ କନ୍ୟା, ତାଙ୍କ ମୃତ୍ୟୁ ସମ୍ପର୍କରେ ନିଶ୍ଚୟ ମୋର ଅଧିକ ଧାରଣା ଥିବ । କେବଳ ସେତିକି ନୁହେଁ...ତାଙ୍କ ପାଖକୁ ଯେଉଁ ମାନେ ବେଶୀ ଆସନ୍ତି–ଯେଉଁ ମାନେ ବେଶୀ ମିଶନ୍ତି...ସେମାନଙ୍କୁ ନିଶ୍ଚୟ ମୁଁ ଭଲ ଭାବରେ ଜାଣିଥିବି ।

 

କିନ୍ତୁ ଆପଣ କ’ଣ କରିଛନ୍ତି ? କେବଳ ଉର୍ମିଳା, ତରୁଣକାନ୍ତ ଓ ଅତିନ୍ଦ୍ରଙ୍କ କଥୋପକଥନ ଭିତରେ ମୋ ପରି ଗୋଟିଏ ଚରିତ୍ରର ଅବତାରଣା କରିଛନ୍ତି । ଏ ତିନିଜଣଙ୍କ ଭିତରୁ ପୁଣି ତରୁଣକାନ୍ତ ମୋ ବିଷୟରେ ଅଧିକ କିଛି ଜାଣନ୍ତି ନାହିଁ । ତେବେ କୁହନ୍ତୁ...ଆପଣ ମୋ ଉପରେ ଅନ୍ୟାୟ କରିଛନ୍ତି କି ନାହିଁ... ?

 

ଯଦି ଉପନ୍ୟାସ ଭିତରକୁ ମୋତେ ଆପଣ ଗୋଟିଏ ସକ୍ରୀୟ ଜୀବନ୍ତ ଚରିତ୍ର ଭାବରେ ଆଣିଥାନ୍ତେ–ତେବେ ଦୋଷ କ’ଣ ହୋଇଥାନ୍ତା ? ଓଲଟି ମୁଁ ଆପଣଙ୍କୁ ଏ ସମ୍ପର୍କରେ ଯଥେଷ୍ଟ ତଥ୍ୟ ଯୋଗାଇ ପାରିଥାନ୍ତି ।’’

 

କାଦମ୍ବରୀଙ୍କ ଯୁକ୍ତି ଶୁଣି ମୋର ପାଟି ଖନି ବାଜିଗଲା… । ଅନୁନୟ ଆଖିରେ ମୁଁ ତାଙ୍କୁ ଚାହିଁ କହିଲି…‘‘ମୋତେ କ୍ଷମା କରିବେ କାଦମ୍ବରୀ ଦେବୀ ।’’

 

ତା’ପରେ କାଦମ୍ବରୀ ପୁଣି କହିଲେ–‘‘କେବଳ ସେତିକି ନୁହେଁ । ଆପଣ ଯେଉଁ ଚରିତ୍ର ଗୁଡ଼ିକୁ ସକ୍ରୀୟ କରି ଉପନ୍ୟାସ ଭିତରକୁ ଆଣିଛନ୍ତି...ସେମାନଙ୍କ ବିଷୟରେ ମଧ୍ୟ ଆପଣଙ୍କର ମୋଟେ ପୂର୍ଣ୍ଣାଙ୍ଗ ଧାରଣା ନାହିଁ । ସୁଯୋଗ ମିଳିଲେ ସେମାନେ ଆପଣଙ୍କୁ ମୋଟେ କ୍ଷମା କରିବେ ନାହିଁ । ଆପଣ କଣ ଠିକ୍ ଭାବରେ ଜାଣନ୍ତି ଯେ–ଅତିନ୍ଦ୍ର କାହିଁକି ତରୁଣକାନ୍ତଙ୍କୁ ଜୀବନବଲ୍ଲଭଙ୍କ ହତ୍ୟାକାରୀ ବୋଲି ଚିନ୍ତାକଲେ ? ଆପଣ କ'ଣ ଠିକ୍‌ ଜାଣନ୍ତି ଯେ–ବାସ୍ତବିକ୍ ତରୁଣକାନ୍ତ ଜୀବନବଲ୍ଲଭଙ୍କୁ ହତ୍ୟା କରି ନାହାନ୍ତି ? ଆପଣ କ'ଣ ଠିକ୍‌ ଜାଣନ୍ତି ଯେ–ମୁଁ ଉର୍ମିଳାକୁ ଖୁବ୍‌ ଭଲପାଏ ? ଆପଣ କ'ଣ ଠିକ୍‌ ଜାଣନ୍ତି ଯେ–ରଙ୍ଗବଲ୍ଲଭ କର୍ତ୍ତବ୍ୟ ପାଇଁ ଜୀବନବଲ୍ଲଭଙ୍କ ମୃତ୍ୟୁ ସମ୍ପର୍କରେ ଅନୁସନ୍ଧାନ କରୁଛନ୍ତି ?

 

ତା’ଛଡ଼ା ଆପଣ କ’ଣ ଠିକ୍‌ ଜାଣନ୍ତି ଯେ–ଅତିନ୍ଦ୍ର କେଉଁ ପ୍ରକୃତିର ଲୋକ ? ତରୁଣକାନ୍ତ କେଉଁ ପ୍ରକୃତିର ଲୋକ ? ଉର୍ମିଳା କାହିଁକି ମର୍ମାହତା ?

 

ତେବେ କିଛି ନଜାଣି ଆପଣ ଉପନ୍ୟାସ ରଚନା କରୁଛନ୍ତି କିପରି ? ସେ ଉପନ୍ୟାସକୁ କିଏ ପଢ଼ିବ ?

 

ଆପଣଙ୍କ ଉପନ୍ୟାସର ବିଭିନ୍ନ ଚରିତ୍ର ଯେଉଁ ଭାଷାରେ କଥାବାର୍ତ୍ତା କରୁଛନ୍ତି...ସେହି ଭାଷା ଯେ ସେ ଚରିତ୍ରମାନେ ବ୍ୟବହାର କରୁଥିବେ…ଏ ବିଷୟରେ ଆପଣ ନିଶ୍ଚିତ ପ୍ରମାଣ ଦେଇ ପାରିବେ କି ?’’

 

ମୁଁ ଏଥର ନିଜକୁ ଅସହାୟ ମନେକରି କହିଲି–‘‘ମୋତେ କ୍ଷମା କରିବେ କାଦମ୍ବରୀ ଦେବୀ । ମୋର ଗୋଟିଏ ବିରାଟ ଭୁଲ୍‌ ହୋଇଗଲା । ଆଜିଠାରୁ ଏ ଉପନ୍ୟାସ ଲେଖା ମୋର ବନ୍ଦ୍‌ ହେଲା । ଆପଣ ଦୟାକରି ମୋତେ କ୍ଷମା ଦେଇ ଯାଆନ୍ତୁ ।’’

 

ହଠାତ୍ କାଦମ୍ବରୀ ଚେୟାରରୁ ଉଠିପଡ଼ି କହିଲେ–‘‘ଗୋଟାଏ ଭୁଲ୍‌କୁ ଘୋଡ଼ାଇବା ଲାଗି ଆପଣ ସହସ୍ର ଭୁଲ୍‌ କରନ୍ତୁ ନାହିଁ । ଆପଣ ଜଣେ ଲେଖକ, ନିଜର ପରାଜୟ ସ୍ୱୀକାର କରିବାକୁ ଏମିତି ପଶ୍ଚାତ୍‌ପଦ କାହିଁକି ? ଏ ଉପନ୍ୟାସଟିର ଲେଖା ସିନା ବନ୍ଦ୍‌ କରିଦେବେ...କିନ୍ତୁ ଯେଉଁ ଉପନ୍ୟାସ ଗୁଡ଼ିକ ଛାପା ସରିଯାଇଛି...ସେଗୁଡ଼ିକୁ ଆପଣ କେଉଁଠି ଲୁଚାଇବେ ? ସେ ସବୁ ଉପନ୍ୟାସରେ ତ’ ଆପଣ ଶହ ଶହ ଚରିତ୍ରର ଅବତାରଣା କରିଛନ୍ତି । ଧରି ନିଅନ୍ତୁ... ସେମାନେ ସମସ୍ତେ ଜୀବିତ । ତା'ପରେ ସମସ୍ତଙ୍କୁ ଧାଡ଼ିରେ ଠିଆକରି ଆପଣ ପଚାରନ୍ତୁ । ଆପଣ କ'ଣ ସେମାନଙ୍କ ପ୍ରତି ନ୍ୟାୟ ଦେଖାଇଛନ୍ତି ? ସମସ୍ତେ କହିବେ...ଆପଣ ଆପଣଙ୍କ କଳାକୁଶଳତାରେ ସେମାନଙ୍କ ଚରିତ୍ରର ଅପବ୍ୟବହାର କରିଛନ୍ତି । ଆପଣଙ୍କ ମନକୁ ଖାପ ଖାଇଲା ପରି ସେଗୁଡ଼ିକୁ ଆପଣ ସଜାଇ ନେଇଛନ୍ତି ।

 

ତେଣୁ ସେ ଶହ ଶହ ଅଭିଶପ୍ତ ଆତ୍ମାକୁ ଆପଣ କିପରି ଶାନ୍ତ କରିବେ ?

 

ତେବେ ସେ ଯାହାହେଉ...ଲେଖିଲେଣି ଯେତେବେଳେ ଲେଖନ୍ତୁ । ନ ଲେଖିବାଟା ଓଲଟି ଅଧିକ ଅପରାଧ ହେବ । କାରଣ–ଆପଣଙ୍କ ଇଛାକୁ ଆପଣ ବଳପୂର୍ବକ ଦବାଇ ରଖିବେ; କିନ୍ତୁ ଏଣିକି ଯେପରି ପ୍ରତ୍ୟେକ ଚରିତ୍ର ପୂର୍ଣ୍ଣାଙ୍ଗ ଭାବରେ ଫୁଟି ପାରିବେ ସେଥିପ୍ରତି ଆପଣ ଦୃଷ୍ଟି ଦିଅନ୍ତୁ ।’’

 

ଅସହାୟ ପରି ମୁଁ କହିଲି–‘‘କିନ୍ତୁ...ମୁଁ ଯେ ଜୀବନବଲ୍ଲଭଙ୍କ ସମ୍ପର୍କରେ ଅଧିକ କିଛି ଜାଣିନାହିଁ... ଉପନ୍ୟାସଟି ଲେଖିବି କିପରି ? ଯଦି ଆପଣ ଏ ସମ୍ପର୍କରେ ମୋତେ ତଥ୍ୟ ଯୋଗାଇ ଦେଇ ପାରନ୍ତେ... ।’’

 

ସଙ୍ଗେ ସଙ୍ଗେ କାଦମ୍ବରୀ ଦେବୀ କହିଲେ–‘‘ବେଶ୍‌ଭଲ ଅନୁରୋଧଟିଏ କରିଛନ୍ତି । କିନ୍ତୁ ଜୀବନବଲ୍ଲଭ ମୋର ବାପା । ତେଣୁ ତାଙ୍କ ଶେଷ ଜୀବନ ଛଡ଼ା ପ୍ରାଥମିକ ଜୀବନ ସମ୍ପର୍କରେ ଅଧିକ ମୁଁ କିଛି କହି ପାରିବି ନାହିଁ । ହେଲେ ଏ ସମ୍ପର୍କରେ ଆଉ ଜଣେ ଯଥେଷ୍ଟ ଅଧିକ ଜାଣନ୍ତି । ଆପଣ ପଚାରି ବୁଝି ପାରନ୍ତି... ।’’

 

–‘‘କାହାକୁ ପଚାରିବି କହନ୍ତୁ ?’’

 

–‘‘ମହିଳା କଲେଜର ଅଧ୍ୟ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ ଦେବୀଙ୍କୁ ଆପଣ ଏ ସମ୍ପର୍କରେ ପଚାରନ୍ତୁ । ସେ ନିଶ୍ଚୟ ବହୁ ତଥ୍ୟ ଯୋଗାଇ ଦେଇ ପାରିବେ ।’’

 

–‘‘ମନ୍ଦାକିନୀ ଦେବୀଙ୍କର ଆପଣଙ୍କ ବାପାଙ୍କ ସହିତ କି ସମ୍ପର୍କ ?’’

 

–‘‘ସେ କଥା ମୋତେ ନ ପଚାରି ତାଙ୍କୁ ପଚାରିଲେ ଭଲ ହେବ ।’’

 

ମୁଁ କାଦମ୍ବରୀଙ୍କୁ କିଛି ପ୍ରଶ୍ନ ନ ପଚାରି କେବଳ ଲକ୍ଷ୍ୟ କରୁଥିଲି । ସେ ସହଜ ଭାବରେ ମୋ ଆଡ଼କୁ ଚାହିଁ ଅନର୍ଗଳ ଭାବରେ ତାଙ୍କ କଥା କହିବାରେ ଲାଗିଥିଲେ ।

 

ମନେ ମନେ ଆମୋଦ ଅନୁଭବ କରୁଥିଲି ମୁଁ । ଏ ମୋର ପ୍ରଥମ ଉପନ୍ୟାସ ଲେଖା ନୁହେଁ । ଅନେକ ଉପନ୍ୟାସ ଲେଖିଛି । ଶହ ଶହ ନାରୀ ଚିରିତ୍ରକୁ ଆଣି ସେମାନଙ୍କ ପ୍ରକୃତିର ବ୍ୟାଖ୍ୟା କରିଛି; କିନ୍ତୁ କାଦମ୍ବରୀ.... । ମନ ଚହଲି ଉଠିଲା, ଠିକ୍ ଜଣେ ଉଦ୍ଧତା ନାୟିକା ଭଳି ସେ ବସିଥାନ୍ତି ମୋରି ସମ୍ମୁଖରେ । ବେପରୁଆ ହୋଇ ଅଭିଯୁକ୍ତ କରୁଥାନ୍ତି ମୋତେ ।

 

ବେଳେ ବେଳେ ମୋ ମନ ଶଙ୍କାକୁଳ ହୋଇ ଉଠୁଥାଏ ।

 

ମୁଁ ଔପନ୍ୟାସିକ, ସାମାନ୍ୟ ସତ୍ୟ ଘଟଣାର ନିର୍ଯ୍ୟାସ ଉପରେ ମିଥ୍ୟାର ପ୍ରଲେପ ଦେଇ ଘଟଣା ସୃଷ୍ଟି କରିବା ମୋର କାମ । ବେଳେ ବେଳେ କେବଳ କଳ୍ପନାରେ ମଧ୍ୟ ମୁଁ ସୌଧ ରଚନା କରିପାରେ । କିନ୍ତୁ......ନାଁ...କାଦମ୍ବରୀ ସେମିତି ଅଭିଯୋଗର ପୁଟୁଳି ଧରି ମୋତେ ଆଘାତ କରିବାକୁ ଉଦ୍ୟତ, ମୁଁ ବେଳକୁ ବେଳ ଡରି ଯାଉଥିଲି ।

 

ଉପନ୍ୟାସର ଚରିତ୍ର ଯେ ଦିନେ ମଣିଷ ରୂପଧରି ମୋତେ ଆଘାତ ଦେବେ...ମୋର ଲେଖାର ପ୍ରତିବାଦ କରିବେ...ଏ ଧାରଣା ମୋର ନ ଥିଲା । ଏଇ ମାତ୍ର ପ୍ରଥମ ଅଭିଯୋଗ । ତେଣୁ ଭାଙ୍ଗି ପଡ଼ିବା ସ୍ଵଭାବିକ୍‌ । ସାହସ ବାନ୍ଧି ମୁଁ କହିଲି–‘‘ଆପଣ ଯାଆନ୍ତୁ କାଦମ୍ବରୀ ଦେବୀ ! ମୁଁ ନିଶ୍ଚୟ ଜୀବନବଲ୍ଲଭଙ୍କ ସମ୍ପର୍କରେ ମନ୍ଦାକିନୀ ଦେବୀଙ୍କୁ ପଚାରିବି ।’’

 

ଅସ୍ଵାଭାବିକ ଭାବରେ ହସି ଉଠିଲେ କାଦମ୍ବରୀ...କହିଲେ–‘‘କେବଳ ଆପଣ ନିର୍ବୋଧତାର ପରିଚୟ ଦେଉଛନ୍ତି । ସିଧା ସଳଖ ଯାଇ ଏ ବିଷୟରେ ଆପଣ ମନ୍ଦାକିନୀ ଦେବୀଙ୍କୁ ପଚାରିଲେ...ସେ କହିବେ କାହିଁକି... । ନିଶ୍ଚୟ ଆପଣଙ୍କୁ ସନ୍ଦେହ କରି ଗୁପ୍ତ କଥା ଲୁଚାଇ ରଖିବେ-। ତେଣୁ ଘଟଣା ଆଦାୟ କରିବାର କୌଶଳ ମଧ୍ୟ ଆପଣ ଜାଣିବା ଦରକାର ।’’

 

ବାରମ୍ବାର କାଦମ୍ବରୀଙ୍କଠାରୁ ମୁଁ ଅପମାନ ପାଇ ଅସହାୟ ମନେ କରୁଥିଲି । କହିଲି–‘‘ତା ହେଲେ ତାଙ୍କଠାରୁ ଘଟଣା ସଂଗ୍ରହ କରିବାର ଆଉ ଉପାୟ କ’ଣ ? ସେଇଥିପାଇଁ ମୁଁ କହୁଛି ଉପନ୍ୟାସ ଲେଖା ବନ୍ଦ୍‌ କରିଦେବା ଉଚିତ ।’’

 

ସାହସ ଦେବାଭଳି କାଦମ୍ବରୀ କହିଲେ–‘‘ନାଁ...ନାଁ...ଏମିତି ଭାଙ୍ଗି ପଡ଼ିଲେ ଚଳିବ ନାହିଁ-। ଏ ଦିଗରେ ମୋ ସାହାଯ୍ୟ ମୁଁ କରିବି, ଆପଣ ଉପାୟ ଚିନ୍ତା କରନ୍ତୁ । ମୁଁ ମଧ୍ୟ ଚିନ୍ତା କରୁଛି, ଭବିଷ୍ୟତରେ ପୁଣି ସାକ୍ଷାତ ହେବ ।’’

 

କଥା କହୁ କହୁ ଆଉ ଅପେକ୍ଷା ନ କରି କାଦମ୍ବରୀ ଉଠି ଚାଲିଗଲେ । ମୁଁ କେବଳ ତାଙ୍କ ଯିବା ବାଟକୁ ଏକ ଲୟରେ ଚାହିଁ ରହିଥିଲି । ଭଉଁରୀ ଖେଳୁଥିଲା କାଦମ୍ବରୀଙ୍କ ବାକ୍ୟବାଣ ।

 

ଜୀବନବଲ୍ଲଭଙ୍କ ବାଲ୍ୟ ଜୀବନ ସମ୍ପର୍କରେ ମନ୍ଦାକିନୀ ଦେବୀ ଅନେକ କଥା ଜାଣନ୍ତି, କଥାଟା ମୋ ମନ ଭିତରେ ରହସ୍ୟମୟ ପରିବେଶ ସୃଷ୍ଟି କଲା । ତା’ ହେଲେ ଅଧ୍ୟ୍ୟକ୍ଷା ମନ୍ଦାକିନୀ ଦେବୀଙ୍କର ଜୀବନବଲ୍ଲଭଙ୍କ ସହିତ କି ସମ୍ପର୍କ ଥିଲା ?

 

ମନ୍ଦାକିନୀ ଦେବୀ...

 

ବିଶ୍ଵବିଦ୍ୟାଳୟର ଜଣେ ଖ୍ୟାତନାମା ଅଧ୍ୟ୍ୟାପିକା...

 

ତେବେ କ’ଣ... ???

 

ତରୁଣକାନ୍ତଙ୍କ ଘରୁ ଫେରିବା ପରେ ମନ୍ଦାକିନୀଙ୍କ ମନ ଭିତରେ ବିଷକ୍ରିୟା ସୃଷ୍ଟି ହୋଇଥିଲା । ସେ କେତେ କ'ଣ ଭାବି ଯାଉଥିଲେ ।

 

ଜୀବନବଲ୍ଲଭଙ୍କ ନାମ ଶୁଣୁଶୁଣୁ ତରୁଣକାନ୍ତ ଏପରି ଅଥୟ ହୋଇ ପଡ଼ିଲେ କାହିଁକି ? ଜୀବନବଲ୍ଲଭଙ୍କ ସହିତ ତାଙ୍କର କି ସମ୍ପର୍କ ଥିଲା ? ତେବେ...କ’ଣ ?

 

ଜୀବନବଲ୍ଲଭଙ୍କ ପାଇଁ ମନ୍ଦାକିନୀଙ୍କ ଛାତି ଭିତରେ ତାରୁଣ୍ୟର ଝଡ଼ ସୃଷ୍ଟି ହେଉଥିଲା । ଅତୀତଟା ବର୍ତ୍ତମାନ ହୋଇ ନାଚିବାକୁ ଆରମ୍ଭ କରିଥିଲା ତାଙ୍କ ହୃଦୟ ଭିତରେ । ବେଳକୁବେଳ ତାଙ୍କ ବୟସ କମିଯିବା ପରି ସେ ଅନୁଭବ କରୁଥିଲେ ।

 

ଠିକ୍ ଏତିକିବେଳେ ଆସି ପହଞ୍ଚିଗଲେ ଅତିନ୍ଦ୍ର ।

 

ନିଜକୁ ପ୍ରକୃତିସ୍ଥ କରି ମନ୍ଦାକିନୀ ଚାହିଁ ରହିଲେ ଅତିନ୍ଦ୍ରଙ୍କୁ ।

 

ଟିକେ ଚିନ୍ତିତ ହେବା ପରି ଅତିନ୍ଦ୍ର କହିଲେ–‘‘କ’ଣ ତୁମେ ବସି ଏମିତି ଭାବୁଛ ବୋଉ-?’’

 

ମନ୍ଦାକିନୀ ନିଜକୁ ଆଉ ଟିକେ ସଂଯତ କରିନେଇ କହିଲେ–‘‘ନାଇଁ ଅତି ! ମୁଁ କିଛି ଭାବୁନାହିଁ...କେବଳ ତୋରି କଥାହିଁ ଭାବୁଛି, ମୋର ଆଶା ଥିଲା...ତୁ କଣ୍ଟ୍ରାକ୍ଟରୀ କଲେ ଦି ପଇସା ଭଲ ଲାଭ କରି ପାରିବୁ, ସମାଜରେ ମଣିଷ ପରି ମଣିଷ ହୋଇ ବଞ୍ଚି ରହିବୁ ।’’

 

–‘‘ଠିକ୍‌ କହିଛ ବୋଉ ! ଜୀବନବଲ୍ଲଭଙ୍କ ମୃତ୍ୟୁ ପରେ ମୋର ସେ ଭରସା ପାଣିରେ ପଡ଼ିଯାଇଛି । କି ଦୁଃସମୟରେ ତୁମେ ମୋତେ ଜୀବନବଲ୍ଲଭଙ୍କ ସହିତ ପାର୍ଟନର ହେବାକୁ ପରାମର୍ଶ ଦେଲ କେଜାଣି ଶେଷରେ ଏମିତି ବିଷମୟ ପରିଣତି ଘଟିଲା ।’’

 

‘‘ଜୀବନବଲ୍ଲଭ ମୋର ଖୁବ୍‌ ପରିଚିତ ଥିଲେ ଅତି ! କିନ୍ତୁ ଦୀର୍ଘ ଅନେକ ବର୍ଷ ଧରି ତାଙ୍କ ସହିତ ଆଉ ମୋର ସାକ୍ଷାତ ହୋଇ ନ ଥିଲା । ମୁଁ ମହିଳା କଲେଜର ଅଧ୍ୟକ୍ଷା ହେବା ପରେ...ଅଚାନକ ଭାବରେ ତାଙ୍କ ସହିତ ମୋର ସାକ୍ଷାତ ହୁଏ । ସେ ମହିଳା କଲେଜର ହଷ୍ଟେଲ ଗୃହ ନିର୍ମାଣ ପାଇଁ କଣ୍ଟ୍ରାକ୍‌ଟରୀ ନେଇଥାଆନ୍ତି । ଏହିଠାରେ ହିଁ ମୁଁ ତାଙ୍କୁ ତୋ କଥା କହେ...ଓ ପାର୍ଟନର କରିବାକୁ ଅନୁରୋଧ କରେ... ।

 

‘‘ତୁମେ ଠିକ୍‌ଲୋକ ନିକଟରେ ମୋତେ ପହଞ୍ଚାଇଥିଲ ବୋଉ । କିନ୍ତୁ ଭଗବାନଙ୍କର ନିର୍ଦ୍ଦେଶ ଅନ୍ୟ ରକମର ।’’

 

‘‘ହୁଏତ ଆମେ ତାଙ୍କ ସହିତ ସମ୍ପର୍କ ପ୍ରତିଷ୍ଠା କରିବା ପରେ ତାଙ୍କର ଏ ଅବସ୍ଥା ।’’

 

ଅତିନ୍ଦ୍ର ଟିକେ ସଂଯତ ହୋଇଗଲେ । ପ୍ରତିଜ୍ଞା କଲା ପରି କହିଲେ–

 

–‘‘ମୁଁ କିନ୍ତୁ ଶପଥ ନେଇଛି ବୋଉ ! ଜୀବନବଲ୍ଲଭଙ୍କ ହତ୍ୟାକାରୀକୁ ନିଶ୍ଚୟ ଆବିଷ୍କାର କରିବି । ଏ ଦିଗରେ ମଧ୍ୟ ଯଥେଷ୍ଟ ଆଗେଇ ସାରିଲେଣି ।’’

 

–‘‘ମୁଁ ଜାଣେ...ତୁ ଚେଷ୍ଟା କଲେ ନିଶ୍ଚୟ ପାରିବୁ । ଆଉ କିଛି ନ ହେଲେ ମଧ୍ୟ ଏହାଦ୍ଵାରା ଜୀବନବଲ୍ଲଭଙ୍କ ପ୍ରାଣ ମୁକ୍ତି ପାଇବ ।’’

 

–‘‘ତୁମେ ଶୁଣି ଆଶ୍ଚର୍ଯ୍ୟ ହେବ ବୋଉ–ଯେ ଏ ମୃତ୍ୟୁ ସହିତ ଜଣେ ଖ୍ୟାତନାମା ଅଧ୍ୟାପକ ଜଡ଼ିତ ।’’

 

–‘‘ଖ୍ୟାତନାମା ଅଧ୍ୟାପକ ??’’

 

–‘‘ହଁ...ମୋର ଯେତେଦୂର ସନ୍ଦେହ ହୁଏ, ତର୍କ ଶାସ୍ତ୍ରର ଅଧ୍ୟାପକ ତରୁଣକାନ୍ତ ହିଁ ଏ ହତ୍ୟା ପାଇଁ ଦାୟୀ ।’’

 

–‘‘ତରୁଣକାନ୍ତ !!’’ ଚମକି ଉଠି ମନ୍ଦାକିନୀ ଭାବିବାକୁ ଲାଗିଲେ କିଛି ସମୟ । ତା' ପରେ କହିଲେ–‘‘ଆଜି ଠିକ୍‌ ମୁଁ ଏହି ସନ୍ଦେହ କରୁଥିଲି ଅତି ! କିଛି ସମୟ ପୂର୍ବରୁ ମୁଁ ଆମ କଲେଜର ଗୋଟିଏ ଉତ୍ସବରେ ତରୁଣକାନ୍ତଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିବାକୁ ଯାଇଥିଲି-। ସେ ରାଜି ହୋଇଥିଲେ । କିନ୍ତୁ ଯେତେବେଳେ ଜାଣିଲେ ଯେ ଜୀବନବଲ୍ଲଭ ଏଇ ପୁରସ୍କାରଟି କଲେଜକୁ ଦାନ କରିଛନ୍ତି, ସେତେବେଳେ ତାଙ୍କ ଭାବଭଙ୍ଗୀ ବଦଳିଗଲା, ତତ୍‌କ୍ଷଣାତ୍‌ ସେ ମୋତେ ଅପମାନ ଦେଇ ବିଦାକରି ଦେଲେ ।’’

 

–‘‘ତରୁଣକାନ୍ତ ତୁମକୁ ଅପମାନିତା କଲେ ବୋଉ । ବାସ୍ତବିକ୍‌ ତାଙ୍କ ଭାଗ୍ୟର ବିପର୍ଯ୍ୟୟ ହେବାକୁ ଯାଉଛି । ମୁଁ ତାଙ୍କୁ ଆଉ ସେମିତି ସହଜରେ ଛାଡ଼ିବି ନାହିଁ । ଟିକିନିଖି ସମସ୍ତ ସୂତ୍ର ଆବିଷ୍କାର କରି ନିଶ୍ଚୟ ପଦାରେ ପକାଇ ଦେବି ।’’

 

–‘‘ମୋର ଆଶୀର୍ବାଦରେ ତୁ ନିଶ୍ଚୟ ପାରିବୁ ଅତି !’’

 

–‘‘କିନ୍ତୁ ଆଉ ଗୋଟିଏ କଥା–ବୋଉ ! ଥରେ ଜୀବନବଲ୍ଲଭ ମୋତେ କହୁଥିଲେ ଯେ–ଛାତ୍ର ଜୀବନରୁ ସେ ଜଣେ ଝିଅକୁ ଭଲ ପାଉଥିଲେ । ସେ ଝିଅଟି ତାଙ୍କ ଜୀବନର ଅନେକ କଥା ଜାଣିଥିଲା । ଯଦି ସେ ଭଦ୍ରମହିଳା କିଏ ମୁଁ ଜାଣି ପାରନ୍ତି...ତେବେ ଅନେକ ସନ୍ଦେହ ଦୂର ହୋଇ ପାରନ୍ତା...ଅନେକ ତଥ୍ୟ ମଧ୍ୟ ଜଣା ପଡ଼ି ଯାଆନ୍ତା ?’’

 

ଟିକେ କମ୍ପି ଉଠି ମନ୍ଦାକିନୀ କହିଲେ–‘‘କିନ୍ତୁ ମୁଁ ଭାବୁଛି...ତାଙ୍କ ଛାତ୍ର ଜୀବନର ସହପାଠିନୀ...ଏ ସମ୍ପର୍କରେ ଅଧିକ କିଛି ସାହାଯ୍ୟ କରି ପାରିବେ ନାହିଁ ।’’

 

ପ୍ରତିବାଦ କରି ଅତିନ୍ଦ୍ର କହିଲା–‘‘ନା...ତୁମେ କିଛି ବୁଝି ପାରିବନି ବୋଉ... । ପୁରୁଷ ମନ ଏକ ଆବର୍ତ୍ତନର ପ୍ରକ୍ରିୟା । ଜୀବନବଲ୍ଲଭ ଯେ ଝିଅଟିକୁ ମୋଟେ ଭୁଲି ପାରି ନ ଥିବେ...ଏହା ନିଃସନ୍ଦେହ । ତେଣୁ ଝିଅଟି ନିଶ୍ଚୟ ମୃତ୍ୟୁ ସମ୍ପର୍କରେ ଜାଣିଥିବ ଓ ଏ ମୃତ୍ୟୁରେ ସେ ନିଶ୍ଚୟ ଅଂଶୀଦାର ଥିବ ।’’

 

ପ୍ରତିବାଦ କଲା ଭଳି ସ୍ଵର ତୋଳି ମନ୍ଦାକିନୀ କହିଲେ–‘‘କିନ୍ତୁ ତାଙ୍କ ବାଲ୍ୟ ସହପାଠିନୀ ଯେ ବର୍ତ୍ତମାନ ବିବାହିତା ବୃଦ୍ଧା ମହିଳାରେ ପରିଣତ ହୋଇଥିବେ ।’’

 

–‘‘ହଁ...ତା ଠିକ୍‌ । କିନ୍ତୁ ତରୁଣକାନ୍ତ ନିଶ୍ଚୟ ତାଙ୍କ ସମ୍ପର୍କରେ ଆସିଥିବେ ଓ ସବୁକଥା ଜାଣି ହତ୍ୟା କଥା ଚିନ୍ତା କରିଥିବେ ।’’

 

–କିନ୍ତୁ ଆଜି ତରୁଣକାନ୍ତଙ୍କ କୋଠରୀରୁ ଫେରିବା ପରେ ମୋର ମନେହେଲା ଯେ...ଏ ମୃତ୍ୟୁ ପାଇଁ କେବଳ ତରୁଣକାନ୍ତ ହିଁ ଦାୟୀ... ।’’

 

–‘‘ସେ ସନ୍ଦେହ ବି ମୋର ହୋଇଛି ବୋଉ । ବେଶ୍‌...ତୁମେ ଅପେକ୍ଷା କର । ମୁଁ ତରୁଣକାନ୍ତକୁ କେତୋଟି କଥା ପଚାରି ଆସୁଛି ।’’ କହୁ କହୁ ଅତିନ୍ଦ୍ର ବାହାରିଗଲେ ପଦାକୁ । ସେଇଠି ସେମିତି ବସି ରହିଲେ ମନ୍ଦାକିନୀ ଚୌଧୁରୀ ।

 

ମନ୍ଦାକିନୀଙ୍କ ଆଖି ଆଗରେ ନାଚୁଥିଲା...ଅତୀତ ଓ ବର୍ତ୍ତମାନ । ଛାୟା ଛବି ଭଳି ବାରମ୍ବାର ମାନସ ପଟରେ ନାଚି ଉଠୁଥିଲା ଜୀବନବଲ୍ଲଭଙ୍କ ସ୍ୱରୂପ । ଜୀବନବଲ୍ଲଭ ଅମାୟିକ ଥିଲେ । କିନ୍ତୁ ନିଜର ସ୍ୱାର୍ଥସିଦ୍ଧିକୁ ସେ ବଡ଼ ବୋଲି ମନେ କରୁଥିଲେ । ଅନ୍ୟାୟ, ଅତ୍ୟାଚାର, ପାପ ତାଙ୍କ ନିକଟରେ ବଡ଼ ନ ଥିଲା । ମଣିଷତାକୁ ସେ ଏକ କଠୋର ଆତ୍ମଚେତନା ବୋଲି ଅନୁଭବ କରୁ ନ ଥିଲେ । କିନ୍ତୁ କାମନା ଓ ଲାଳସାର ସେ ପୂଜାରୀ ଥିଲେ । ଏଇଥିପାଇଁ ହିଁ ମନ୍ଦାକିନୀ ଓ ଜୀବନବଲ୍ଲଭଙ୍କ ଭିତରେ ଦେଖା ଦେଇଥିଲା ମତଭେଦ ।

 

ପୁଣି ବୁଲି ବସିବାକୁ ଚେଷ୍ଟାକଲେ ମନ୍ଦାକିନୀ ।

 

ସେ ସବୁ ଅତୀତର କଥା, ସେ ସବୁ ଏକ ଅନ୍ଧାରୀ ଯୁଗର ଶିଳାଲିପି ନୁହେଁ, ହୃଦୟ ଲିପି ।

 

ଏ ଲିପି ପାଠ କଲେ ଆନନ୍ଦ ମିଳେ ନାହିଁ...ମିଳେ କେବଳ ଦୁଃଖ...

 

କେହି ଜଣେ ଚାପୁଡ଼ ମାରିଲା ପରି ହଠାତ୍‌ ଚମକି ପଡ଼ିଲେ ମନ୍ଦାକିନୀ...

 

–‘‘କିଏ ?’’

 

–‘‘ମୁଁ ଜୀବନବଲ୍ଲଭ...କ'ଣ ଚିହ୍ନି ପାରୁ ନାହଁ ?’’

 

–‘‘ମାନେ ?’’

 

–‘‘ମାନେ ଆଉ କ'ଣ ? ଆସିଛି ତୁମକୁ ଥରେ ଦେଖିଯିବା ପାଇଁ ।’’

 

–‘‘କିନ୍ତୁ ତୁମେ ଯେ ମୃତ ?’’

 

–‘‘ମୁଁ ମୃତ ? କିଏ କହିଲା ମୁଁ ମୃତ ? ତୁମ ନିକଟରେ କ'ଣ କଦାପି ମୁଁ ମରିପାରେ ?’’

 

–‘‘ଏ ତୁମେ କ'ଣ କହୁଛ ? ତୁମକୁ ଯେ ହତ୍ୟାକରା ଯାଇଛି ।’’

 

–‘‘ଓ...ତୁମେ ଭାବିଛ...ମୋତେ ହତ୍ୟାକରି ମୋର ସ୍ମୃତିକୁ ମଧ୍ୟ ତୁମେ ଭୁଲିଯିବ ? କିନ୍ତୁ ଏ କ'ଣ କଦାପି ସମ୍ଭବ ?’’

 

–‘‘ଏ ତୁମେ କ'ଣ କହୁଛ ଜୀବନବଲ୍ଲଭ ବାବୁ ! ...ମୁଁ ତୁମକୁ ହତ୍ୟା କରିଛି ?’’

 

–‘‘ହଁ...ତୁମେ ମୋତେ ହତ୍ୟା କରିଛ... ।’’

 

–‘‘ଶେଷରେ ମୋ ଉପରେ ତୁମର ଏ ଅପବାଦ ଦେବାର ଥିଲା ?’’

 

–‘‘ମୁଁ କିଛି ଅନ୍ୟାୟ ଅପବାଦ ଦେଉନାହିଁ ମନ୍ଦାକିନୀ... । ମୁଁ ଠିକ୍‌ ଭାବରେ ଜାଣେ...ତୁମେ ମୋତେ ହତ୍ୟା କରିଛ ।’’

 

–‘‘ନାଁ...ନାଁ...ତୁମେ ମୋତେ ଏ ଅପବାଦ ଦିଅନାହିଁ । ମୁଁ ତୁମର ମୃତ୍ୟୁ ସମ୍ପର୍କରେ କିଛି ଜାଣେ ନାହିଁ ।’’

 

–‘‘ସବୁ ଜାଣିଛ...କିନ୍ତୁ ଜାଣି ମଧ୍ୟ ଲୁଚାଇବାକୁ ଚେଷ୍ଟା କରିଛ । କେହି ଜିନିଷ ଲୁଚାଇଲେ...ତାକୁ କୁହାଯାଏ ଚୋର...ଜଣେ କଥା ଲୁଚାଇଲେ ତାକୁ କ'ଣ କୁହାଯିବ କୁହ ?’’

 

–‘‘ହେଲେ ସମାଜରେ ବଞ୍ଚି ରହିବା ପାଇଁ । ...’’

 

‘‘ତୁମେ ଅନେକ କଥା ଗୁପ୍ତ ରଖିଛ । ତେବେ କୁହ...ଏଥିପାଇଁ ତୁମକୁ ଦୋଷ ଦିଆଯିବା ଉଚିତ କି ନୁହେଁ ।

 

–‘‘ଜୀବନବଲ୍ଲଭ ବାବୁ... !’’

 

–‘‘ତୁମେ ତରୁଣକାନ୍ତଠାରୁ ଅଧିକ ମାରାତ୍ମକ । ଅସଲ ହତ୍ୟାକାରୀ...’’

 

–‘‘ନାଁ... ନାଁ... ମୁଁ ଯେ ହତ୍ୟା ବିଷୟରେ କିଛି ଜାଣିନାହିଁ ।’’

 

–‘‘ସବୁ ଜାଣିଛ...ତୁମ ମନକୁ ପଚାର...ମନ ହିଁ ସବୁ ଉତ୍ତର ଦେଇ ପାରିବ ।’’

 

–‘‘ମୁଁ ବାରମ୍ବାର ମୋ ମନକୁ ପଚାରି ସାରିଛି...ହେଲେ ସେ ନୀରବ ।’’

 

–‘‘ଏହି ନୀରବତା ହିଁ ସବୁଠାରୁ ବଡ଼ ଚାଲବାଜି । କେବଳ ସେଇଥିପାଇଁ ମୁଁ ଅଭିଯୋଗ କରୁଛି...ତୁମେ ମୋର ହତ୍ୟାକାରୀ...’’

 

–ଜୀବନବଲ୍ଲଭ ବାବୁ...’’

 

–‘‘ଭାଙ୍ଗି ପଡ଼ନି ମନ୍ଦାକିନୀ ! ନିଜେ ବସି...ସବୁର ବିଚାର କରି କୁହ...ବାସ୍ତବିକ୍‌ ମୋର ହତ୍ୟା ପାଇଁ ଦାୟୀ କିଏ ? ପ୍ରଥମେ ମୋର ଛାତ୍ର ଜୀବନକୁ ତୁମେ ନିର୍ମମ ଭାବରେ ହତ୍ୟା କଲ । ଫଳରେ ମୋର ସମସ୍ତ ମେଧାଶକ୍ତି ଲୋପ ପାଇଲା । ମୁଁ ଅନ୍ୟଙ୍କ ଚକ୍ଷୁରେ ହେଲି ଜଣେ ଲଫଙ୍ଗା...ବଜାରୀ ଛାତ୍ର । କାଳକ୍ରମେ ବାରମ୍ବାର ଫେଲ୍‌ ହୋଇ ମୋତେ କଲେଜରୁ ବିଦାୟ ନେବାକୁ ପଡ଼ିଲା । ମୋର ଚିନ୍ତା ଭିତରେ ଆଉ ବୁଦ୍ଧି ବୃତ୍ତିର ସତ୍ତା ନ ଥିଲା…ଥିଲା କେବଳ ତୁମରି ଗୌର ତନୁକାନ୍ତିର ଆଭରଣ । ସେତେକକୁ ଜୀବନର ସମ୍ପଦ କରି ମୁଁ ବଞ୍ଚି ରହିଥିଲି ।

 

ପରେ ପରେ ତୁମେ ମୋତେ ପ୍ରତ୍ୟାଖ୍ୟାନ କଲ । ତା'ପରେ...ମନ...ବିବେକ...ଆତ୍ମଚେତନା ସହ ଯୁଦ୍ଧ କରି ମୁଁ କେବଳ ବଞ୍ଚି ରହିବାକୁ ଚେଷ୍ଟା କଲି । କିନ୍ତୁ ସେ ବଞ୍ଚିବା ସେ ମରିବା ସହିତ ସମାନ...ଏହା ମୁଁ ଜାଣିଲି...ଅନେକ ଦିନ ପରେ ।

 

ବିବାହିତା ପତ୍ନୀ ଉପରେ ମୁଁ ଥରକୁଥର ଅତ୍ୟାଚାର କଲି । ଏ ଅତ୍ୟାଚାରର ମୂଳରେ ଥିଲ ତୁମେ । ତୁମେ ହିଁ ମୋ ମନ ଭିତରେ ଥାଇ ପ୍ରେରଣା ଯୋଗାଇଦେଉଥିଲ । ଖୁବ୍‌ କମ୍‌ ଦିନ ଭିତରେ ଏକମାତ୍ର ଅଲିଅଳା କନ୍ୟାକୁ ଛାଡ଼ି ସେ ରୋଗ ଯନ୍ତ୍ରଣାରେ ସଢ଼ି ସଢ଼ି ପ୍ରାଣତ୍ୟାଗ କଲେ । ତଥାପି ବୟସର ଚାପାରେ ମୋ ମନ ଶାନ୍ତ ହେଲା ନାହିଁ । ଅଗିରା ପୂନେଇଁର ଅଗି ଭଳି ସେ ଜଳୁଥିଲା ଦାଉ ଦାଉ ।

 

ତୁମେ ହିଁ ଆହୁତି ଢାଳୁଥିଲ ଏହି ଯଜ୍ଞ କୁଣ୍ଡରେ । ଠିକ୍‌ ତୁମକୁ ଭୁଲିବାକୁ ଚେଷ୍ଟା କଲାବଳେ…ଅଚାନକ ଦେଖାହୁଏ ତୁମ ସହିତ । ଅତୁଟ ଅହେତୁକୀ ବାସନାର ଚରିତାର୍ଥ ପାଇଁ ତୁମେ…ପୁଅ ଅତିନ୍ଦ୍ରକୁ ଯୋଡ଼ି ଦିଅ ମୋ ସହିତ । ତୁମେ ଭାବୁଥିଲ…ଏହାଦ୍ଵାରା ଭାରାକ୍ରାନ୍ତ ମନ ଶାନ୍ତ ହୋଇଯିବ । ମୁଁ ଖୁସି ହେବି ।

 

ହେଲେ ଫଳ ଓଲଟା ହେଲା । ଅତିନ୍ଦ୍ରକୁ ଦେଖିବା ମାତ୍ରେ ମୋର ସୁପ୍ତ କାରୁଣ୍ୟ ମୁଣ୍ଡ ଟେକିଲା । ସେହି ଦିନ ଠାରୁ ମୁଁ ପାଗଳ ହେବାକୁ ଲାଗିଲି । ଏ ପାଗଳାମୀର ବୃଦ୍ଧି ପାଇଁ ତୁମେ ଯୋଗାଇ ଦେଉଥିଲ ଲଘୁବିଷ... ।

 

ଦିନ ଆସିଲା । ଫଳ ବିଷମୟ ହେଲା । ତୁମର ସେ ବିଷରେ ମୋର ସମଗ୍ର ଶରୀର ବିଷାକ୍ତ ହୋଇ ଉଠିଲା । ଆଉ ସହ୍ୟ କରି ନ ପାରି ମୁଁ ମୃତ୍ୟୁ ବରଣ କଲି ।’’

 

–‘‘ନାଁ...ନାଁ...ନାଁ...ମିଛ...ମିଛ । ମୁଁ ତୁମକୁ କେବେହେଲେ ହତ୍ୟା କରିବାକୁ ଚେଷ୍ଟା କରିନି । ମୋତେ କ୍ଷମାକର ଜୀବନବଲ୍ଲଭ ! ମୋତେ କ୍ଷମାକର...’’

 

ମୁଣ୍ଡ ଟେକି ପୁଣି ଚାହିଁଲେ ମନ୍ଦାକିନୀ । କିନ୍ତୁ କାହାନ୍ତି…କାହାନ୍ତି ଜୀବନବଲ୍ଲଭ…ସେ ନିର୍ଦ୍ଦୋଷ ବୋଲି ଉତ୍ତର ଦେବାକୁ ?

 

କାନ୍ଦି ଉଠିଲେ ମନ୍ଦାକିନୀ–‘‘ଆସ…ଆଉଥରେ ଆସ ଜୀବନବଲ୍ଲଭ...ଜୋର ଦେଇ କହିଯାଅ...ମୁଁ ତୁମର ମୃତ୍ୟୁ ପାଇଁ ଦାୟୀ ନୁହେଁ... ।’’

 

–‘‘ହଁ...ହଁ ଆପଣ ଏ ମୃତ୍ୟୁ ପାଇଁ ନିଶ୍ଚୟ ଦାୟୀ ।’’

 

–‘‘ନାଁ...ନାଁ... ମୁଁ ଏ ମୃତ୍ୟୁ ସମ୍ପର୍କରେ କିଛି ଜାଣିନାହିଁ ।

 

–‘‘ମିଛ...ମିଛ କହି ନିଜକୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରୁଛନ୍ତି ଆପଣ । କିନ୍ତୁ ଅତିନ୍ଦ୍ର ଆଖିରୁ ଖସି ଯିବା ସହଜ ନୁହେଁ ।’’

 

–‘‘ବାରମ୍ବାର କାହିଁକି ମୋ ପଛ ଧରି ଆପଣ ମୋତେ ଅଭିଯୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି ଅତିନ୍ଦ୍ର ବାବୁ ।’’

 

–‘‘କାରଣ–ମୁଁ ଭଲ ଭାବରେ ଜାଣେ...ଆପଣ ଦୋଷୀ ।’’

 

–‘‘ବେଶ୍‌...ତାହେଲେ ପୋଲିସ୍‌ରେ ଖବର ଦିଅନ୍ତୁ ।’’

 

–‘‘ସେ କାମରେ ମୁଁ ହେଳା କରିନାହିଁ ତରୁଣକାନ୍ତ ବାବୁ, କେବଳ ଆପଣଙ୍କ ସ୍ଵୀକାରୋକ୍ତି ଶୁଣିବାକୁ ମୁଁ ଆସିଛି ।’’

 

–‘‘ଥରେ କହିଛି... ଏ ସମ୍ପର୍କରେ ମୁଁ କିଛି ଜାଣିନାହିଁ ।’’

 

–‘‘ବେଶ୍‌...ଆପଣ ଜାଣି ନାହାନ୍ତି ତ ତେବେ ଅଧ୍ୟକ୍ଷା ମନ୍ଦାକିନୀଙ୍କଠାରୁ ଜୀବନବଲ୍ଲଭଙ୍କ ନାମ ଶୁଣୁ ଶୁଣୁ ଏମିତ ଅଥୟ ହୋଇ ପଡ଼ିଲେ କାହିଁକି ?’’

 

–‘‘କାରଣ ମୁଁ ଜୀବନବଲ୍ଲଭଙ୍କୁ ଭଲ ପାଏ ନାହିଁ ।’’

 

–‘‘ହଁ...ହଁ...ସ୍ପଷ୍ଟ କହନ୍ତୁ । ଆପଣ ଜୀବନବଲ୍ଲଭଙ୍କୁ ଭଲ ପାଆନ୍ତି ନାହିଁ । ସେଥିପାଇଁ ତାଙ୍କୁ ହତ୍ୟା କରିଛନ୍ତି ।’’

 

–‘‘ଜଣକୁ ଭଲ ନ ପାଇଲେ କ’ଣ ହତ୍ୟା କରାଯାଏ ?’’

 

–‘‘ନାଁ । ଭଲ ନ ପାଇଲେ ପ୍ରଥମେ ତାଙ୍କ ପରିବାରର କାହାରି ସହିତ ସମ୍ପର୍କ ରଖିବାକୁ ପଡ଼େ । ତାହାରି ସାହାଯ୍ୟରେ ସବୁ କାମ ତୁଲାଇ ନେବାକୁ ଚେଷ୍ଟା କରାଯାଏ ।’’

 

–‘‘ତା’ମାନେ ଆପଣ କହୁଛନ୍ତି...’’

 

–‘‘କାଦମ୍ବରୀ ହୋଇଛନ୍ତି ଆପଣଙ୍କ ଆୟୁଧ ।’’

 

–‘‘ଅର୍ଥାତ୍ କାଦମ୍ବରୀଙ୍କ ସାହାଯ୍ୟରେ ମୁଁ ଜୀବନବଲ୍ଲଭଙ୍କୁ ହତ୍ୟା କରିଛି ?’’

 

–‘‘ହଁ...ହଁ...ଆପଣ ତାହା ହିଁ କରିଛନ୍ତି ।’’

 

–‘‘କିନ୍ତୁ କାଦମ୍ବରୀ ଯେ ଜୀବନବଲ୍ଲଭଙ୍କ କନ୍ୟା ।’’

 

–‘‘ଅବଶ୍ୟ ବିଚାର କାଦମ୍ବରୀ...ଆପଣଙ୍କ ଉଦ୍ଦେଶ୍ୟ ଜାଣି ପାରି ନାହିଁ । ଆପଣ ତାକୁ ସାଂଘାତିକ ରକମର ଠକାଇ ଦେଇଛନ୍ତି ।’’

 

–‘‘ପାଗଳାମୀ ନ କରି ଆପଣ ଚାଲିଯାଆନ୍ତୁ କହୁଛି…’’

 

–‘‘ଆସିଛି ଯେତେବେଳେ ନିଶ୍ଚୟ ଯିବି । କିନ୍ତୁ କହନ୍ତୁ...ଅଧ୍ୟାପକ ତରୁଣକାନ୍ତ ! ଏ ଫଟୋ କାହାର ?’’

 

ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ତରୁଣକାନ୍ତ । ଅତିନ୍ଦ୍ର ତରୁଣକାନ୍ତଙ୍କର ଗୋଟିଏ ପାଶ୍‌ପୋର୍ଟ ଫଟୋକୁ ଧରି, ଆଗରେ ହଲାଇ ହଲାଇ କହିଲେ–‘‘ଏ ଫଟୋ ଆପଣଙ୍କର ତ ? ଜୀବନବଲ୍ଲଭଙ୍କ ମୃତ୍ୟୁ ଦିନ...ଫଟୋଟି ପଡ଼ିଥିଲା ତାଙ୍କ ଗୋଡ଼ ପାଖ ଖଟ ତଳେ । ତେଣୁ ନିଶ୍ଚୟ ଫଟୋଟିକୁ ଆପଣ ତାଙ୍କ ବିଛଣା ଉପରେ ରଖି ଦେବାର ସୁବିଧା କରିଥିଲେ ।’’

 

କାତର ଭାବରେ ଥରି ଉଠି ତରୁଣକାନ୍ତ କହିଲେ–‘‘ଆପଣ ଏ ସବୁ କ’ଣ କହୁଛନ୍ତି ଅତିନ୍ଦ୍ର ବାବୁ ? ମୁଁ ଶପଥ କରି କହୁଛି... ଫଟୋ କଥା କିଛି ଜାଣି ନାହିଁ । ମୃତ୍ୟୁ ସମ୍ପର୍କରେ ମୁଁ ସଂପୂର୍ଣ୍ଣ ଅଜ୍ଞ ।’’

 

–‘‘ବେଶ୍‌...ନ ମାନିଲେ ନାହିଁ । ହେଲେ ବେଳ ଆସିବ...ନିଶ୍ଚୟ ଆପଣ ସବୁ ମାନିବେ-। କେତେ ଦିନ ଆଉ ଆପଣ ନିଜକୁ ଛପାଇ ରଖି ପାରିବେ ?’’

 

କଥା ଶୁଣି କାନ୍ଦି ଉଠିଲେ ତରୁଣକାନ୍ତ । ଠିକ୍‌ ଏତିକିବେଳେ ଘର ଭିତରକୁ ପଶି ଆସିଲା ଉର୍ମିଳା । କଥାରେ ଜୋର ଦେଇ କହିଲା...କାନ୍ଦୁଛ କାହିଁକି ଭାଇ ?’’

 

ଟେବୁଲ ଉପରେ ପ୍ରବଳ ଆଘାତ କରି ଅତିନ୍ଦ୍ର କହିଲେ–‘‘ଭାଇଙ୍କୁ ଜୀବନବଲ୍ଲଭଙ୍କ ମୃତ୍ୟୁ ପାଇଁ ଦାୟୀ କଲି ବୋଲି ।’’

 

ଟିକେ ସଂକିତା ହୋଇ ଉର୍ମିଳା କହିଲା.. ‘‘ପାପୀ ନିଜର ପାପକୁ ଅନ୍ୟ ମୁଣ୍ଡରେ ଲଦି ଦେବାକୁ ଚେଷ୍ଟା କଲା ପରି ଆପଣଙ୍କର ଏ ଚେଷ୍ଟା କାହିଁକି ?’’

 

ଉର୍ମିଳାର କଥା ଶୁଣି ରାଗି ଉଠିଲେ ଅତିନ୍ଦ୍ର, କହିଲେ–‘‘ଓ... ଭାଇଙ୍କ ପାଇଁ ତୁମେ ଓକିଲାତି କରିବ ପରା ?’’

 

–‘‘ହଁ...କାରଣ ମୁଁ ଜାଣେ...ବାସ୍ତବିକ୍‌ ଖୁନୀ କିଏ ।’’

 

–‘‘ତୁମେ ଜାଣିଛ ?’’

 

–‘‘ହଁ...ବହୁତ ଆଗରୁ ମୁଁ ଜାଣିଛି ।’’

 

–‘‘ମାନେ ଜୀବନବଲ୍ଲଭଙ୍କ ମୃତ୍ୟୁ ପୂର୍ବରୁ ?’’

 

–‘‘ନିଶ୍ଚୟ........’’

 

–‘‘ତାହେଲେ କୁହ....ଜୀବନବଲ୍ଲଭଙ୍କର ହତ୍ୟାକାରୀ କିଏ ?’’

 

–‘‘ତୁମେ.......’’

 

–‘‘ଉର୍ମିଳା !!!”

 

–‘‘ଚିତ୍କାର କରନ୍ତୁ ନି ଅତିନ୍ଦ୍ର ବାବୁ, ମୁଁ ଠିକ୍ ଭାବରେ ଜାଣେ…ଆପଣ ତାଙ୍କୁ ହତ୍ୟା କରିଛନ୍ତି । ଏ ସମ୍ପର୍କରେ ବହୁ ତଥ୍ୟ ମଧ୍ୟ ମୁଁ ସଂଗ୍ରହ କରି ରଖିଛି ।’’

 

ହସି ଉଠିଲେ ଅତିନ୍ଦ୍ର, କହିଲେ–‘‘ମୁଁ ହତ୍ୟାକାରୀ ବୋଲି ତୁମେ ପ୍ରମାଣ ସଂଗ୍ରହ କରି ରଖିଛ ?’’

 

ଜୋର ଦେଇ ଉର୍ମିଳା କହିଲା–‘‘ହଁ ମୁଁ ରଖିଛି, ଦରକାର ହେଲେ ସେ ସବୁ କୋର୍ଟରେ ଦାଖଲ କରିବି ।’’

 

–‘‘ତୁମେ ପାଗଳୀ ହୋଇ ଯାଇଛ ନିଶ୍ଚୟ ।’’

 

–‘‘ମୁଁ ହଜାର ହଜାର ଟଙ୍କାର କଣ୍ଟ୍ରାକ୍‌ଟରୀ କରୁନାହିଁ ଅତିନ୍ଦ୍ର ବାବୁ ! ଯାହାଦ୍ଵାରା ଟଙ୍କା ଦେଖି ପାଗଳ ହୋଇଯିବି, ଖୁନ୍ କରିବାକୁ ଆଗେଇଯିବି ।’’

 

–‘‘ଉର୍ମିଳା !’’

 

–‘‘ଥରେ କହିଛି...ମୋତେ ଧମକାଇ କିଛି ଫଳ ହେବ ନାହିଁ ।’’

 

–‘‘ମାନେ...’’

 

–‘‘ମାନେ... ମୁଁ ଆପଣଙ୍କ ଧମକାରେ ଡରିଯିବା ଝିଅ ନୁହେଁ ।’’

 

–‘‘ଉର୍ମିଳା !’’

 

–‘‘ଆପଣଙ୍କୁ ନିଶ୍ଚୟ ଜୀବନବଲ୍ଲଭ ବିଶ୍ଵାସ କରୁଥିଲେ ।’’

 

–‘‘ହଁ... କ’ଣ ହେଲା ସେଠୁ ? "

 

‘‘ଏପରିକି ସେ କାଦମ୍ବରୀଙ୍କଠାରୁ ମଧ୍ୟ ଆପଣଙ୍କୁ ଅଧିକ ବିଶ୍ଵାସ କରୁଥିଲେ ।’’

 

–‘‘ହଁ...କାରଣ...ମୁଁ ତାଙ୍କ ସହିତ କେବେ ଅବିଶ୍ଵାସୀ କାର୍ଯ୍ୟ କରି ନାହିଁ ।’’

 

–‘‘ସେହି ସୁବିଧା ନେଇ ହିଁ ଆପଣ ଚରମ ଅବିଶ୍ଵାସୀ କାର୍ଯ୍ୟ କରିଛନ୍ତି ।’’

 

–‘‘ମାନେ...’’

 

–‘‘ଏହା ଭିତରେ ଆପଣ ଦୁଇଜଣଙ୍କ ପାର୍ଟନରସିପ୍‌ରେ ବିରୂପାର ପୋଲଟି କଣ୍ଟ୍ରାକ୍‌ଟ୍ରି ନେଇଥିଲେ ।’’

 

–‘‘ଏଥିରେ ନୂଆ କଥା କ'ଣ ଅଛି ?’’

 

–‘‘ଠିକ୍‌ ଜୀବନବଲ୍ଲଭଙ୍କ ମୃତ୍ୟୁର ପରଦିନ ଏ ବାବଦରେ ପଚିଶି ଲକ୍ଷ ଟଙ୍କାର ଗୋଟିଏ ବିଲ୍‌ ମିଳିଥାନ୍ତା ।’’

 

–‘‘ସେଇଥିପାଇଁ ତ’ ମୋର ବିଶେଷ ଦୁଃଖ ଯେ...ସେ ଯେଉଁ ଅର୍ଥ ଖଟାଇ ଲାଭ ଆଶାରେ ଏତେ ପରିଶ୍ରମ କଲେ ତା’ର ଫଳ ଭୋଗକରି ପାରିଲେ ନାହିଁ ।’’

 

–‘‘ମୁଁ ସେ କଥା ପଚାରୁ ନାହିଁ । ଯାହା, ପଚାରୁଛି ଆପଣ ତା'ର ଉତ୍ତର ଦିଅନ୍ତୁ । –କିନ୍ତୁ ଏଇ ମୃତ୍ୟୁର ଠିକ୍‌ ଦୁଇଦିନ ପୂର୍ବରୁ ଆପଣ ତାଙ୍କ ପାଖକୁ ଗୋଟିଏ ଚିଠିରେ ଲେଖିଥିଲେ ଯେ...ଜୀବନବଲ୍ଲଭ ବାବୁ ! ...ଏ ପଚିଶି ଲକ୍ଷ ଟଙ୍କା ମୋତେ ଦେଇ ଦିଅନ୍ତୁ । ମୁଁ ସ୍ଵାଧୀନ ଭାବରେ କଣ୍ଟ୍ରାକ୍‌ଟରୀ କରିବି ।’’

 

–‘‘ହଁ...ମୁଁ ଲେଖିଥିଲି ।’’

 

–‘‘କିନ୍ତୁ ଚିଠି ପାଇ ଆପଣଙ୍କୁ ସେ ଟଙ୍କା ଦେବାକୁ ମନାକରି ଦେଇଥିଲେ ।’’

 

–‘‘କାରଣ...ମୁଁ ଟଙ୍କା ନେଇ ସେ ବାସ୍ତବିକ୍‌ ସ୍ଵାଧୀନ ଭାବରେ ବ୍ୟବସାୟ କରି ପାରିବି...ଏ ବିଷୟରେ ତାଙ୍କର ସନ୍ଦେହ ଜନ୍ମିଥିଲା ।’’

 

–‘‘ସେଇଥିପାଇଁ ଆପଣ ରାଗରେ ତାଙ୍କୁ ହତ୍ୟା କରିଛନ୍ତି । ପାର୍ଟନର ଥିବାରୁ…ଟଙ୍କାଟା ଯେ କେବଳ ଆପଣଙ୍କୁ ମିଳଯିବ...ଏ ବିଷୟରେ ଆପଣ ନିଶ୍ଚିତ ଥିଲେ ।’’

 

–‘‘ଏ ତୁମେ କ'ଣ କହୁଛ ଉର୍ମିଳା ?’’

 

–‘‘ମୁଁ ଠିକ୍‌ କହୁଛି, ସେଇଥିପାଇଁ ଆପଣ ବହୁ ପୂର୍ବରୁ ଚେଷ୍ଟାକରି ଆସୁଥିଲେ । ଏପରିକି କାଦମ୍ବରୀ ବିଷୟରେ ବହୁ କପୋଳ କଳ୍ପିତ କାହାଣୀ ସୃଷ୍ଟି କରି ଜୀବନବଲ୍ଲଭଙ୍କୁ ଯୋଗାଉଥିଲେ । ତେଣୁ ବାପଝିଅଙ୍କର ଅନେକ ସମୟରେ ମନୋମାଳିନ୍ୟ ଘଟୁଥିଲା ।’’

 

–‘‘ଉର୍ମିଳା... !’’

 

–‘‘ଏ ସବୁର ପ୍ରମାଣ ମୋ ନିକଟରେ ଗଚ୍ଛିତ ହୋଇ ରହଛି ଅତିନ୍ଦ୍ରବାବୁ ! ଆବଶ୍ୟକ ହେଲେ ସବୁ ଗୁପ୍ତ କଥା ବାହାରିବ । ତେଣୁ ପ୍ରଥମେ ଆପଣ ନିଜକୁ ସମ୍ଭାଳନ୍ତୁ...ପରେ ଅନ୍ୟମାନଙ୍କୁ ଏ ପାଇଁ ଦୋଷୀ ସାବ୍ୟସ୍ତ କରିବେ ।’’

 

ଆଉ କିଛି କଥା ନ ଶୁଣି ଅତିନ୍ଦ୍ର ଝଡ଼ ବେଗରେ ବାହାରିଗଲେ ଘର ଭିତରୁ ।

 

ପଛରୁ ଥାଇ କେବଳ ହସି ଉଠିଲା ଉର୍ମିଳା ।

 

ସେ ପର୍ଯ୍ୟନ୍ତ ନୀରବରେ ବସି ସବୁକଥା ମନଯୋଗ ଦେଇ ଶୁଣୁଥିଲେ ତରୁଣକାନ୍ତ ।

 

ଆନନ୍ଦ ଅତିସହ୍ୟରେ ଉଉଣୀକୁ କୁଣ୍ଢାଇ ପକାଇ କହିଲେ–‘‘ଉମି ! ତୁ ଏତେ କଥା ସଂଗ୍ରହ କରି ପାରିଛୁ ? ତୋତେ ଅନ୍ତତ ମୋ ତରଫରୁ ଅସଂଖ୍ୟ ଧନ୍ୟବାଦ୍‌ ।’’

 

–‘‘କେବଳ ଏତିକି ନୁହେ ଭାଇ ! ଆହୁରି ଅନେକ ତଥ୍ୟ ମଧ୍ୟ ମୁଁ ସଂଗ୍ରହ କରିଛି ।’’

 

–‘‘ସତେ ? ତୁ ଆହୁରି ଅନେକ ତଥ୍ୟ ସଂଗ୍ରହ କରିଛୁ ?’’

 

–‘‘ହଁ...ଭାଇ ! ଅନ୍ତତ ମୁଁ ନିଜେ ଗୋଟିଏ ମହା ବିପଦରୁ ରକ୍ଷା ପାଇଯିବା ପାଇଁ ।’’

 

–‘‘ତୋତେ କି ବିପଦ ପଡ଼ିଲା ଉମି ?’’

 

–‘‘ତୁମେ ହୁଏତ ଜାଣି ନାହଁ ଭାଇ, ଏ ମୃତ୍ୟୁପାଇଁ ମୁଁ ମଧ୍ୟ କମ୍‌ ଦାୟୀ ନୁହେଁ ।’’

 

–‘‘ମାନେ... ???’’

 

–‘‘ସେ ଅନେକ କଥା ତୁମେ କାଳକ୍ରମେ ନିଶ୍ଚୟ ସବୁ ଜାଣିବ ।’’

 

–‘‘ନାଁ...ନାଁ–ତୁ ମିଛ କଥା କହୁଛୁ ଉମି ! ଜୀବନବଲ୍ଲଭଙ୍କ ମୃତ୍ୟୁପାଇଁ ତୁ ମୋଟେ ଦାୟୀ ନୋହୁଁ ।’’

 

–‘‘ମୋ କଥାକୁ ତୁମେ ବିଶ୍ୱାସ କର ଭାଇ ।’’

 

–‘‘ନାଁ...ନାଁ...ମୋର ବିଶ୍ଵାସ କରିବାର ପ୍ରଶ୍ନ ଉଠୁ ନାହିଁ । ଏ ମୃତ୍ୟୁର ଏକକ କାରଣ ହିଁ ମୁଁ ।’’

 

–‘‘ଭାଇ... !!!”

 

–‘‘ହଁ ଉମି ! ଅତିନ୍ଦ୍ରକୁ, ମନ୍ଦାକିନୀଙ୍କୁ, ରଙ୍ଗବଲ୍ଲଭଙ୍କୁ ମୁଁ ଠକି ଦେଇ ପାରେ, କିନ୍ତୁ ତୋତେ ତ’ ଠକି ପାରିବି ନାହିଁ । ତୋ ଆଗରେ ନିଶ୍ଚୟ ସତ କହିବି... ମୁଁ ହେଉଛି ଖୁନୀ ।’’

 

–‘‘କିନ୍ତୁ ଏ ଖୁନ ଯେ ମୁଁ କରିଛି ଭାଇ ! କାଦମ୍ବରୀକୁ ମୋର ଅସ୍ତ୍ର ରୂପେ ବ୍ୟବହାର କରି ମୁଁ ସମସ୍ତ ଅନ୍ୟାୟ କରିଛି, ମୁଁ ଅପରିଣାମଦର୍ଶୀ ସ୍ଵେଚ୍ଛାଚାରିଣୀ କଲେଜ ଛାତ୍ରୀ ।’’

 

–‘‘ତୁ ମିଛ କହୁଛୁ ଉମି ! ମୁଁ ଜଣେ ପ୍ରତିହିଂସା ପରାୟଣ ଅଧ୍ୟାପକ, ନିଜ ମୃତ ପିତାଙ୍କ ଆତ୍ମାର ସଦ୍‌ଗତି ପାଇଁ ଏ କର୍ମ କରିଛି । ତେଣୁ ତୁ ବା ଏଥିପାଇଁ ଦାୟୀ ହେବୁ କାହିଁକି ?’’

 

–‘‘ନାଁ...ନାଁ...ଭାଇ ! ତୁମେ ମୋତେ ଦୋଷୀ କର ।’’

 

ନିଜ ଆସନରୁ ଉଠିପଡ଼ି ଉର୍ମିଳାର ମୁଣ୍ଡରେ ହାତ ବୁଲାଉ ବୁଲାଉ ତରୁଣକାନ୍ତ କହିଲେ...‘‘ମୋ କଥାରେ ତୁ ରାଜି ହୋଇଯା ଉମି ! ମୁକ୍ତ କଣ୍ଠରେ ସମସ୍ତଙ୍କ ସମ୍ମୁଖରେ କହ..ଭାଇ ତରୁଣକାନ୍ତ ଜୀବନବଲ୍ଲଭଙ୍କ ହତ୍ୟାକାରୀ ।’’

 

ବାରମ୍ବାର ଭାଇଙ୍କର ଅନୁରୋଧ ଶୁଣି କାନ୍ଦି ଉଠିଲା ଉର୍ମିଳା ।

 

ଆପଣ ନିଶ୍ଚୟ ଭାବୁଛନ୍ତି...ତରୁଣକାନ୍ତ ଅଥବା ଉର୍ମିଳା କେହି ହେଲେ ମୋ ବାପାଙ୍କୁ ହତ୍ୟା କରିଛନ୍ତି । କିନ୍ତୁ ମୁଁ ସତ କହୁଛି ବ୍ରଜବାବୁ ! ଏ ଦୁଇଜଣଯାକ ହିଁ ମିଛ ବୟାନ କରୁଛନ୍ତି । ମୋର ମନେହୁଏ... ଉର୍ମିଳା ହତ୍ୟାକାରୀଣୀ ବୋଲି ଶୁଣିବା ପରେ ତରୁଣକାନ୍ତ ତାହା ସ୍ଵୀକାର କରିବାକୁ ରାଜି ନୁହନ୍ତି । କାରଣ...ସେ ଯେଉଁ ଝିଅଟିକୁ ନିଜ କାଖରେ କୋଡ଼ରେ ବଢ଼ାଇ ମଣିଷ କରିଛନ୍ତି...ବଞ୍ଚିବାର ଅଧିକାର ଦେଇଛନ୍ତି...ସେ ଝିଅ ଯେ ଶେଷରେ ଗୋଟିଏ ଖୁନୀ ଝିଅ ହେବ...ଏହା ତରୁଣକାନ୍ତଙ୍କ ଚିନ୍ତାର ବାହାରେ । ତେଣୁ ନିଜେ ତରୁଣକାନ୍ତ ସବୁ ଦୋଷକୁ ନିଜ ମୁଣ୍ଡକୁ ନେଇଯାଇ କହିବାକୁ ପ୍ରସ୍ତୁତ ଯେ...‘‘ମୁଁ ନିଜେ ହତ୍ୟାକାରୀ ।’’

 

ଠିକ୍ ସେହିପରି ତରୁଣକାନ୍ତ ହତ୍ୟାକାରୀ ବୋଲି ଶୁଣିବାପରେ ଉର୍ମିଳା ସହ୍ୟକରି ପାରିନାହିଁ । ଯେଉଁ ଭାଇକୁ ସେ ବାପାଠାରୁ ଅଧିକ ଭକ୍ତି କରେ...ମାଆଠାରୁ ଅଧିକ ସ୍ନେହ କରେ–ସେ ଭାଇ ଯେ ଜଣେ ଖୁନୀ ହୋଇ ପାରନ୍ତି–ଏହା ସ୍ଵୀକାର କରିନେବାକୁ ଉର୍ମିଳା ରାଜି ନୁହେଁ । ତେଣୁ ସେ ନିଜ ମୁଣ୍ଡକୁ ସବୁ ଦୋଷ ନେଇଯାଇ କହିବାକୁ ଆରମ୍ଭ କରିଛି... ‘‘ମୁଁ ହେଉଛି ଖୁନୀ ।’’

 

କାଦମ୍ବରୀଙ୍କ କଥାରେ ବାଧା ଦେଇ କହିଲି...

 

–‘‘ତା ହେଲେ ବାସ୍ତବିକ ହତ୍ୟାକାରୀ କିଏ ଆପଣ କହନ୍ତୁ କାଦମ୍ବରୀ ଦେବୀ ।’’

 

ନିର୍ଘାତ ହସିଲେ କାଦମ୍ବରୀ, କହିଲେ–‘‘ହତ୍ୟାକାରୀ କିଏ...କହିଦେବା ଏଡ଼େ ସହଜ ନୁହେଁ ଲେଖକ, ଏଥିପାଇଁ ଆହୁରି ଗବେଷଣା ଆବଶ୍ୟକ । ଆପଣ ଜଣେ ଲେଖକ...ଅତୀତ, ବର୍ତ୍ତମାନ, ଭବିଷ୍ୟତର କାଳ ଗର୍ଭରୁ ଆପଣ ଅନେକ କଥା ଜାଣି ପାରନ୍ତି । କହନ୍ତୁ ଏ ମୃତ୍ୟୁ ପାଇଁ ବାସ୍ତବିକ୍‌ କିଏ ଦାୟୀ ?"

 

ବ୍ୟସ୍ତହୋଇ ଉଠି ମୁଁ କହିଲି–‘‘ମୁଁ ଯେ ଏ ପର୍ଯ୍ୟନ୍ତ କିଛି ଅନୁମାନ କରି ପାରୁନାହିଁ କାଦମ୍ବରୀ ଦେବୀ ! କି ଉପନ୍ୟାସ ବା ରଚନା କରି ପାରିବି ? ଦୟାକରି ମୋତେ ଆପଣ କ୍ଷମା ଦିଅନ୍ତୁ, ମୁଁ ଆଉ ପାରିବିନି ।’’

 

କାଦମ୍ବରୀ ଚେୟାରରୁ ଉଠି ଘର ଭିତରେ ପଦଚାରଣ କରିବାକୁ ଲାଗିଲେ । ତା ପରେ କ’ଣ ଭାବି କହିଲେ–‘‘ଆଚ୍ଛା ବ୍ରଜବାବୁ ! ଗତଥର ମୁଁ ଆପଣଙ୍କ ପାଖକୁ ଆସିଥିବାବେଳେ ଅନୁରୋଧ କରି ଯାଇଥିଲି ଯେ ଆପଣ ମୋତେ ଉପନ୍ୟାସର ଗୋଟିଏ ଚରିତ୍ର ଭାବରେ ଗ୍ରହଣ କରନ୍ତୁ । କିନ୍ତୁ ଏ ପର୍ଯ୍ୟନ୍ତ ଯେ ଆପଣ ମୋ ଅନୁରୋଧ ରକ୍ଷା କଲେ ନାହିଁ ।’’

 

–‘‘କେମିତି ବା ଅନୁରୋଧ ରକ୍ଷା କରିବି କହନ୍ତୁ, ଉପନ୍ୟାସଟା କେବଳ ମୃତ୍ୟୁ ସମ୍ପର୍କୀୟ ଗବେଷଣା ପୁସ୍ତକ ନୁହେଁ । ଗୋଟିଏ ଆଂଶିକ ବା ପୂର୍ଣ୍ଣ ଘଟଣାର ବିନ୍ୟାସ କରି ରଚନା ଶୈଳୀର ବଳିଷ୍ଠତା ସହିତ ବିଷୟବସ୍ତୁର ସାବଲୀଳା ଗତି ରକ୍ଷିତ ହୋଇ ପାରିଲେ ଉପନ୍ୟାସ ସୃଷ୍ଟି ହୁଏ । କିନ୍ତୁ ଆପଣଙ୍କୁ ଯେ ମୁଁ କିପରି ଉପନ୍ୟାସ ଭିତରକୁ ଆଣିବି ଜାଣି ହେଉନାହିଁ ।’’

 

–‘‘ମୁଁ...ତ’ ଆପଣଙ୍କୁ ଥରେ କହିଛି ବ୍ରଜବାବୁ ! ଯେ ମୁଁ ମଧ୍ୟ ଏ ଉପନ୍ୟାସର ଗୋଟିଏ ମୁଖ୍ୟ ଚରିତ୍ର ।’’

 

–‘‘କେବଳ ଚରିତ୍ର ଚିତ୍ରଣ ଯଦି ଉପନ୍ୟାସର ଧର୍ମ ହୋଇଥାନ୍ତା...ତେବେ ଆପଣଙ୍କୁ ଉପନ୍ୟାସ ଭିତରକୁ ଆଣିବା ମୋଟେ ଅସୁବିଧା ଜନକ ହୁଅନ୍ତା ନାହିଁ । କିନ୍ତୁ ଆପଣଙ୍କ ଚରିତ୍ର ଅପେକ୍ଷା ଅନ୍ୟମାନଙ୍କ ଚରିତ୍ର ଉପନ୍ୟାସ ପକ୍ଷରେ ଅଧିକ ଉପଯୋଗୀ ।’’

 

ରାଗି ଉଠିଲେ କାଦମ୍ବରୀ । ଚେୟାରଟାକୁ ନିଜ ଆଡ଼କୁ ଝିଙ୍କିନେଇ କହିଲେ–‘‘ତା ହେଲେ ଆପଣ କହୁଛନ୍ତି ଯେ ମୁଁ ଗୋଟିଏ ଚରିତ୍ରହୀନା ବାଳିକା ?’’

 

–‘‘ନା...ଏପରି କହିବାର ଦୁଃସାହସ ମୋର ନାହିଁ । ତା' ଛଡ଼ା ପ୍ରତ୍ୟେକ ଚରିତ୍ର ଯେ ଉପନ୍ୟାସ ଉପଯୋଗୀ ହେବେ...ଏ କଥା ଆପଣଙ୍କୁ କିଏ କହିଲା ?’’

 

–‘‘ତା ହେଲେ କହନ୍ତୁ...ତରୁଣକାନ୍ତ, ଉର୍ମିଳା, ମନ୍ଦାକିନୀ, ଅତିନ୍ଦ୍ର, ରଙ୍ଗବଲ୍ଲଭ ଆଦିଙ୍କୁ ଆପଣ କାହିଁକି ଉପନ୍ୟାସର ଚରିତ୍ର ଭାବରେ ଗ୍ରହଣ କରିଛନ୍ତି ?’’

 

–‘‘ନାଁ...ଯେତେବେଳେ ଯେଉଁ ମାନଙ୍କର ଚରିତ୍ର ଆବଶ୍ୟକ ପଡ଼ିଛି...ମୁଁ ସେମାନଙ୍କ ଚରିତ୍ର ଗ୍ରହଣ କରିଛି ।’’

 

–‘‘ତା ହେଲେ ଆପଣ ମୋଟାମୋଟି କହନ୍ତୁ...ଏ ଉପନ୍ୟାସ ରଚନାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ?’’

 

–‘‘ଉଦ୍ଦେଶ୍ୟ କିଛି ନାହିଁ । କେବଳ ଜୀବନବଲ୍ଲଭଙ୍କ ମୃତ୍ୟୁ ସମ୍ପର୍କରେ ଆଲୋକପାତ କରିବା ।’’

 

–‘‘ନାଁ...ଅସଲ କଥା ମୁଁ ଜାଣେ । ଆପଣ ଟଙ୍କା ଖାଇ ଏପରି ଗୋଟିଏ ଉପନ୍ୟାସ ସୃଷ୍ଟି କରିବାକୁ ବ୍ରତୀ ହୋଇଛନ୍ତି ।’’

 

–‘‘କାଦମ୍ବରୀ ଦେବୀ !!’’

 

–‘‘ହଁ ଲେଖକ ! ମୁଁ ଏହାର ଟିକିନିଖି ପ୍ରମାଣ ମଧ୍ୟ ସଂଗ୍ରହ କରି ରଖିଛି । ଆପଣ ସାଧାରଣ ମତାମତକୁ ବିଭ୍ରାନ୍ତ କରିବାକୁ ଚାହାନ୍ତି । କିନ୍ତୁ ମୁଁ ଏହାର ପ୍ରତିବାଦ କରିବି ।’’

 

–‘‘ଆପଣ ଏ କ'ଣ କହୁଛନ୍ତି କାଦମ୍ବରୀ ଦେବୀ ? ମୁଁ ଟଙ୍କା ଖାଇଛି ?’’

 

–‘‘ହଁ...ଆପଣ ଟଙ୍କା ଖାଇଛନ୍ତି । କିନ୍ତୁ ଏହି ସାମାନ୍ୟ କେତେଟା ଟଙ୍କା ପାଇଁ ଯେ ଆପଣ ଆପଣଙ୍କ ନିଜତ୍ଵକୁ ମଧ୍ୟ ବିକି ଦେବେ...ଏ ବିଶ୍ୱାସ ମୋର ନ ଥିଲା ।’’

 

–‘‘ମୋତେ କ୍ଷମା କରନ୍ତୁ କାଦମ୍ବରୀ ଦେବୀ ! ଏତେ ଅପବାଦ ଶୁଣିବା ଅପେକ୍ଷା...ଉପନ୍ୟାସଟିକୁ ମୁଁ ଆଜି ଏଇଠି ହିଁ ଶେଷ କରି ଦେଉଛି ।’’

 

–‘‘ତା’ ମଧ୍ୟ ମୁଁ ଜାଣେ, ସେଇଥିପାଇଁ ବାରମ୍ବାର ଆସିବି ବୋଲି ମୁଁ ପ୍ରତିଜ୍ଞା କରିଛି ।’’

 

–‘‘ମାନେ......’’

 

–‘‘ଆପଣ ଖାଇଥିବା ଟଙ୍କାର ପରିମାଣ ଅଳ୍ପ, ତେଣୁ ଅଧାପନ୍ତରିଆ କରି ଉପନ୍ୟାସଟିକୁ ଶେଷ କରିଦେବା ପାଇଁ ଅପଣ ମନସ୍ତ କରିଛନ୍ତି ।’’

 

–‘‘ନାଇଁ...ନାଇଁ...ମୋ କଥାକୁ ସତ ବୁଝନ୍ତୁ କାଦମ୍ବରୀ ଦେବୀ–ଟଙ୍କା ଖାଇବା ମୋର ଉଦ୍ଦେଶ୍ୟ ନୁହେଁ । ଜୀବନବଲ୍ଲଭଙ୍କ ମୃତ୍ୟୁକୁ କେନ୍ଦ୍ର କରି ଗୋଟିଏ ଉପନ୍ୟାସ ରଚନା କରିବାହିଁ ମୋର ଲକ୍ଷ୍ୟ ।’’

 

–‘‘ତା ହେଲେ ଜାଣିରଖନ୍ତୁ ବ୍ରଜବାବୁ ! ଜୀବନବଲ୍ଲଭ ମରି ନାହାନ୍ତି, ସେ କେବଳ ମରିବାର ଅଭିନୟ ହିଁ କରିଛନ୍ତି ।’’

 

ମୋର ମୁଣ୍ଡ ଗୋଳମାଳ ହୋଇଗଲା...ହତବାକ୍ ହୋଇ ମୁଁ କିଛି ସମୟ ବସିଯାଇ କହିଲି...‘‘ଇଏ ଆପଣ କ'ଣ କହୁଛନ୍ତି କାଦମ୍ବରୀ ଦେବୀ ? ତାଙ୍କ ଶବ ଦାହ କରାଗଲାବେଳେ ଯେ ମୁଁ ଉପସ୍ଥିତ ଥିଲି ।’’

 

–‘‘କେବଳ ଆପଣ ନୁହନ୍ତି...ଏମିତି ହୁଏତ ଅନେକ ଲୋକ ଉପସ୍ଥିତ ଥିଲେ । କିନ୍ତୁ ସମସ୍ତେ କ'ଣ ତାଙ୍କ ଜୀବନକୁ କେନ୍ଦ୍ର କରି ଉପନ୍ୟାସ ରଚନା କରୁଛନ୍ତି ?’’

 

–‘‘ନାଁ...କାରଣ ସମସ୍ତେ ଲେଖକ ନୁହନ୍ତି ।’’

 

–‘‘ବେଶ୍...ଠିକ୍ ସେହିପରି ଜାଣିରଖନ୍ତୁ ଯେ ଯେଉଁମାନଙ୍କର ଶବଦାହ ହୁଏ...ସେମାନେ ସମସ୍ତେ ମରନ୍ତି ନାହିଁ ।’’

 

–‘‘ଚୁପ୍ ରହନ୍ତୁ...ଚୁପ୍ ରହନ୍ତୁ କାଦମ୍ବରୀ ଦେବୀ ! ମୋର କଳ୍ପନା ଶକ୍ତି ମଧ୍ୟ ଲୋପ ପାଇଯିବ ।’’

 

ଗମ୍ଭୀର ହୋଇ ଉଠିଲେ କାଦମ୍ବରୀ, ଆଖି ବୁଜି କହିଲେ–‘‘ଆହୁରି ଗବେଷଣା କରନ୍ତୁ ବ୍ରଜବାବୁ...ଆପଣ ସବୁ ନିଶ୍ଚୟ ଜାଣି ପାରିବେ । ତା’ ଛଡ଼ା ମନ୍ଦାକିନୀଙ୍କୁ ଜୀବନବଲ୍ଲଭଙ୍କ ସମ୍ପର୍କରେ ପଚାରନ୍ତୁ, ସେ ଆପଣଙ୍କୁ ଅନେକ କଥା ଯୋଗାଇ ଦେଇ ପାରିବେ । ଶେଷରେ ଯାଇ ଉପନ୍ୟାସଟି ପୂର୍ଣ୍ଣାଙ୍ଗ ହେବ...କିନ୍ତୁ ତଥାପି ମୋର ଅନୁରୋଧ...ଆପଣ ମୋତେ ଉପନ୍ୟାସର ଗୋଟିଏ ଚରିତ୍ର କରି ଗ୍ରହଣ କରି ନିଅନ୍ତୁ... ।’’

 

–‘‘କାହିଁକି ? କିପରି ଗୋଟିଏ ଚରିତ୍ର କରି ଆପଣଙ୍କୁ ଗ୍ରହଣ କରାଯିବ...ଦୟାକରି ସୂଚାଇ ଦିଅନ୍ତୁ କାଦମ୍ବରୀ ଦେବୀ !’’

 

–‘‘ତା ହେଲେ ଉପନ୍ୟାସଟି ଆପଣ ନ ଲେଖି...ମୁଁ ଲେଖିବା ଉଚିତ... ! ଆପଣ ବିଚାର କରନ୍ତୁ...ମୁଁ ଆସୁଛି ।’’

 

କାଦମ୍ବରୀଙ୍କ କଥା ଶୁଣି କେବଳ ଆକାଶ ପାତାଳ ଚିନ୍ତା କରି ବସିଲି ମୁଁ । ମୋ ଆଡ଼େ ଆଉ ନ ଚାହିଁ ଚେୟାରରୁ ଉଠି କାଦମ୍ବରୀ ଚାଲିଗଲେ । ତାଙ୍କ ଯିବା ବାଟକୁ ମୁଁ ସେମିତି ଚାହିଁଥାଏ, ମନେ ମନେ ଭାବୁଥଏ...ଏପରି ଗୋଟିଏ ଉପନ୍ୟାସ ରଚନା କରିବାଲାଗି ଚେଷ୍ଟାକରି ମଣିଷ କି ଅସୁବିଧାରେ ନ ପଡ଼ିଲା ।

 

ଲେଖକକୁ ଯେ ବେଳେ ବେଳେ ଗବେଷକ ହେବାକୁ ପଡ଼େ...ଏଇ ପ୍ରଥମ ଥର ପାଇଁ ମୋର ଏ ଧାରଣା ହେଲା ।

 

ମନେ ମନେ ସାହସ ବାନ୍ଧିଲି...ନିଶ୍ଚୟ ମନ୍ଦାକିନୀଙ୍କୁ ଜୀବନବଲ୍ଲଭଙ୍କ ସମ୍ପର୍କରେ କେତେକ କଥା ପଚାରିବି ।

 

କିନ୍ତୁ କାଦମ୍ବରୀ କହିଲେ ଯେ ଜୀବନବଲ୍ଲଭ ମରି ନାହାନ୍ତି...]

 

–‘‘ହଁ...ମୋର ମତରେ ମଧ୍ୟ ଜୀବନବଲ୍ଲଭ ମରି ନାହାନ୍ତି, ସେ ମରି ଅମର ।’’

 

–‘‘ଆପଣ ଏ କ'ଣ କହୁଛନ୍ତି ମନ୍ଦାକିନୀ ଦେବୀ ?’’

 

–‘‘ମୁଁ ଠିକ୍ କହୁଛି ରଙ୍ଗବଲ୍ଲଭବାବୁ । ଆପଣ ପୋଲିସ୍ ଇନିସପେକ୍ଟର । ନିଜେ କଥାଟାର ବିଚାର କରନ୍ତୁ । ତାଙ୍କପରି ଲୋକ କ'ଣ କଦାପି ମରିପାରେ ?’’

 

–‘‘ହଁ...ମୁଁ ମଧ୍ୟ ଏ କଥା ଅନେକ ସମୟରେ ଭାବୁଛି ।’’

 

–‘‘ଜୀବନବଲ୍ଲଭଙ୍କୁ ଏକ ମହାନ୍ ବ୍ୟକ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।’’

 

–‘‘ସେଇଥିପାଇଁ ତ' ଆମେ ତାଙ୍କ ମୃତ୍ୟୁ ପାଇଁ ଏତେ ସତର୍କ ।’’

 

–‘‘ଚେଷ୍ଟା କରନ୍ତୁ ରଙ୍ଗବଲ୍ଲଭବାବୁ ! ଯଦି ତାଙ୍କ ମୃତ୍ୟୁର ରହସ୍ୟ ଆପଣ ଜାଣି ପାରନ୍ତି...ତେବେ ଅନ୍ତତ ଅନେକ ଲୋକ ଖୁସି ହେବେ ।’’

 

–‘‘ହଁ...ମୁଁ ଆଜି ଆପଣଙ୍କ ନିକଟକୁ କେତୋଟି ଖବର ସଂଗ୍ରହ ପାଇଁ ଆସିଥିଲି ।’’

 

–‘‘ମୋ ନିକଟରୁ ? କ’ଣ ଜାଣିବାକୁ ଚାହାନ୍ତି କହନ୍ତୁ ।’’

 

–‘‘ଆଚ୍ଛା ଆପଣ କହି ପାରିବେ କି ଯେ...ଜୀବନବଲ୍ଲଭଙ୍କ ମୃତ୍ୟୁ ଦିନ ଉର୍ମିଳା କଲେଜକୁ ଆସିଥିଲେ କି ନାହିଁ ?’’

 

ଟିକେ ଚିନ୍ତିତା ହୋଇ ମନ୍ଦାକିନୀ କହିଲେ...

 

–‘‘ଜୀବନବଲ୍ଲଭଙ୍କ ମୃତ୍ୟୁ ପାଇଁ ସେ ଦିନ କଲେଜ ବନ୍ଦ ହୋଇ ଯାଇଥିଲା ।’’

 

–‘‘ହଁ...ତା' ମୁଁ ଜାଣେ, କିନ୍ତୁ ପିଲାମାନେ ତ’ ପୂର୍ବରୁ ଜାଣି ନ ଥିଲେ । ସେମାନେ କଲେଜକୁ ଆସିବା ପରେ ଫେରି ଯାଇଥିଲେ । ତେଣୁ ଅନ୍ୟ ପିଲାମାନଙ୍କ ସହିତ ଉର୍ମିଳା କଲେଜକୁ ଆସିଥିଲେ କି ନାହିଁ ?’’

 

–‘‘ନାଁ...ସେ ଦିନ ସେ କଲେଜକୁ ଆସି ନ ଥିଲା ।’’

 

–‘‘ନ ଆସିବାର କାରଣ...ଆପଣ ପରେ ପଚାରି ବୁଝିଥିଲେ କି ?’’

 

–‘‘ହିଁ...ବୁଝିଥିଲି । ଉର୍ମିଳା କହୁଥିଲା ଯେ...ତା'ର ଭାଇ ଘରେ ଅନୁପସ୍ଥିତ ଥିବାରୁ ତାକୁ ଘରେ ରହିବାକୁ ହୋଇଥିଲା ।’’

 

–‘‘ନାଁ...ମୋର ମନେହୁଏ...କଲେଜ ବନ୍ଦ୍ ହୋଇଯିବ ବୋଲି ଉର୍ମିଳା ଜାଣି ପାରିଥିଲେ-।’’

 

–‘‘କେମିତି ? ମୁଁ ତ' ଚିନ୍ତା କରି ପାରୁନାହିଁ ।’’

 

–‘‘ଆପଣ ଚିନ୍ତା କରି ପାରିବେନି । ହେଲେ ଉର୍ମିଳା ଜାଣିଥିଲେ ଯେ ଜୀବନବଲ୍ଲଭଙ୍କ ମୃତ୍ୟୁ ପାଇଁ କଲେଜ ବନ୍ଦ୍ ରହିବ ।’’

 

–‘‘ତାଙ୍କ ମୃତ୍ୟୁ କଥା ସେ ପୂର୍ବରୁ ଜାଣିଲା କେମିତି ?’’

 

–‘‘ସେ କଥା ପରେ କହିବି, ମୋର ଆଉ ଗୋଟିଏ ପ୍ରଶ୍ନର ଉତ୍ତର ଦିଅନ୍ତୁ ।’’

 

–‘‘କ'ଣ ପଚାରିବେ ପଚାରନ୍ତୁ ।’’

 

–‘‘ଉର୍ମିଳାଙ୍କ ସହିତ କାଦମ୍ବରୀଙ୍କର ସମ୍ପର୍କ କେମିତି ଥିଲା ?’’

 

–‘‘ପରସ୍ପର ପରସ୍ପରକୁ ଖୁବ୍ ଭଲ ପାଉଥିଲେ । ଏପରିକି ଜଣେ ଆଉ ଜଣକୁ ଦଣ୍ଡେ ଛାଡ଼ି ରହିପାରୁ ନ ଥିଲା । ଖେଳା, ବୁଲା, ପାଠପଢ଼ା ସବୁ ଦୁଇଜଣଯାକ ଏକାଠି ମିଶି କରୁଥିଲେ ।’’

 

–‘‘ଦୁଇଜଣଙ୍କ ଭିତରେ ଏମିତି ସଦ୍ଭାବ ହେବାର କାରଣ କ'ଣ ?’’

 

–‘‘କହିପାରିବିନି, ହୁଏତ...ଦୁଇଜଣ ପ୍ରଥମ ଦ୍ଵିତୀୟ ହେଉଥିବା ହେତୁ ପାଠପଢ଼ା ଦୃଷ୍ଟିରୁ ଏମିତି ବନ୍ଧୁ ହୋଇ ଉଠିଥିଲେ ।’’

 

–‘‘ଆଚ୍ଛା...କହିପାରିବେ କି ଯେ–ଜୀବନବଲ୍ଲଭଙ୍କ ମୃତ୍ୟୁ ପରଦିନ କାଦମ୍ବରୀ ଓ ଉର୍ମିଳା କଲେଜକୁ ଆସିଥିଲେ କି ନାହିଁ ?’’

 

–‘‘ହଁ...ଦୁଇଜଣଯାକ କଲେଜରେ ଉପସ୍ଥିତ ଥିଲେ ।’’

 

–‘‘ବାପାଙ୍କ ମୃତ୍ୟୁପରେ ପରେ କାଦମ୍ବରୀ କଲେଜକୁ ଆସିଲେ କିପରି ? ସେ କ'ଣ ବାପାଙ୍କ ପାଇଁ ଦୁଖିତା ନଥିଲେ ?’’

 

–‘‘ନିଶ୍ଚିତ ଭାବେ କହି ପାରିବିନି, କିନ୍ତୁ କଲେଜକୁ ଆସିଥିବାର ଦେଖିଛି ।’’

 

–‘‘ସେଦିନ ଆପଣ ସେମାନଙ୍କୁ ଲକ୍ଷ୍ୟ କରିଛନ୍ତି କି ?’’

 

–‘‘ହଁ...ଲକ୍ଷ୍ୟ କରିଛି । ଦୁଇଜଣ ଅନେକ ସମୟ ଧରି କ'ଣ ଆଲେଚନା କରୁଥିଲେ । ଶେଷରେ କାଦମ୍ବରୀ କାନ୍ଦୁଥିବାର ମଧ୍ୟ ମୁଁ ଲକ୍ଷ୍ୟ କରିଛି ।’’

 

–‘‘କଦମ୍ବରୀ କ'ଣ ଏମିତି ଅନେକ ସମୟରେ କାନ୍ଦନ୍ତି ?’’

 

Unknown

–‘‘ନାଁ...ସେ ଏକ କଠୋର ପ୍ରକୃତିର ଝିଅ । ଖେଳ କସରତ୍ ପାଖରୁ ଆରମ୍ଭ କରି ସବୁଥିରେ କଲେଜରେ ପ୍ରଥମ ସ୍ଥାନ ଅଧିକାର କରେ । ଅନ୍ୟ ଭାଷାରେ କହିବାକୁ ଗଲେ କାଦମ୍ବରୀକୁ ଗୋଟିଏ ଅଣ୍ଡିରିଚଣ୍ଡୀ ଝିଅ ବୋଲି କୁହାଯାଇ ପାରେ ।’’

 

–‘‘ତେବେ ସେ ଦିନ ସେ କାନ୍ଦୁଥିଲେ କାହିଁକି ?’’

 

–‘‘କହି ପାରିବିନି, ଏ ବିଷୟରେ ମଧ୍ୟ କିଛି ପଚାରିନି ମୁଁ ।’’

 

–‘‘ଶେଷ ପିରିଅଡ଼ ପର୍ଯ୍ୟନ୍ତ ଦୁଇଜଣଯାକ କଲେଜରେ ଥିଲେ ତ ?

 

–‘‘ନାଁ ପ୍ରାୟ ଚତୁର୍ଥ ପିରିଅଡ଼ ପରେ ଦୁଇଜଣଯାକ ଚାଲିଗଲେ ।’’

 

–‘‘କୁଆଡ଼େ ଗଲେ ଆପଣ ଜାଣି ନାହାଁନ୍ତି... ?’’

 

–‘‘ନାଁ...ତେବେ ଯାହା ପରେ ଜାଣିଲି...ସେମାନେ କାଦମ୍ବରୀଙ୍କ ଘରକୁ ଯାଇଥିଲେ ।’’

 

–‘‘ବେଶ୍...ଏବେ ତାହେଲେ ଅନେକ ତଥ୍ୟ ପଦାରେ ପଡ଼ି ପାରିବ ।’’

 

–‘‘ମାନେ... ।’’

 

–‘‘ତରୁଣକାନ୍ତଙ୍କ ଏ ଷଡ଼ଯନ୍ତ୍ରରେ ଉର୍ମିଳା ମଧ୍ୟ ସହଯୋଗୀ । ମୋର ମନେହୁଏ...କାଦମ୍ବରୀ ସବୁ ଜାଣିଥିଲେ ।’’

 

–‘‘ନିଜେ କାଦମ୍ବରୀ ବାପାଙ୍କ ମୃତ୍ୟୁ ଚାହୁଁଥିଲା ?’’

 

–‘‘ଅସମ୍ଭବ ନୁହେଁ, ହୁଏତ ବାପାଙ୍କୁ ହତ୍ୟାକରି ନିଜ ଉଦ୍ଦେଶ୍ୟ ସାଧନ ପାଇଁ କାଦମ୍ବରୀ ଇଚ୍ଛା କରୁଥିଲେ ।’’

 

ଅନେକ ସମୟ ପର୍ଯ୍ୟନ୍ତ ନୀରବ ରହି କଥାଟାର ବିଚାର କଲେ ମନ୍ଦାକିନୀ | ତା’ ପରେ କହିଲେ–‘‘ନିଜେ ଉର୍ମିଳା ବିପଦରେ ପଡ଼ିଥିବାବେଳେ...ଅନ୍ୟକୁ ବିପଦରେ ପକାଇବାକୁ ଚେଷ୍ଟା କରୁଥିବା କଥା ମୁଁ ଚିନ୍ତା କରି ପାରୁନାହିଁ ।’’

 

–ଉର୍ମିଳା ବିପଦରେ ପଡ଼ିଛନ୍ତି ?’’

 

–‘‘ହଁ...ମୁଁ ଭଲ ଭାବରେ ଜାଣେ...ସେ ଅନ୍ତସତ୍ତ୍ୱା ।’’

 

–‘‘ଆପଣ ମିଛ କହୁଛନ୍ତି ମନ୍ଦାକିନୀ ଦେବୀ !’’

 

–ଆପଣ ବିଶ୍ୱାସ କରନ୍ତୁ...ମୁଁ ନିଜ କାନରେ ଶୁଣିଛି ।’’

 

–‘‘ତେବେ କ'ଣ ବୃଦ୍ଧ ଜୀବନବଲ୍ଲଭଙ୍କୁ କେନ୍ଦ୍ର କରି ସେ ଅନ୍ତସତ୍ତ୍ଵା ?’’

 

–‘‘ନାଁ...ବୟସ୍କ ଆଇ. ଜି. ଗୋବର୍ଦ୍ଧନ ପଟ୍ଟନାୟକ ହୁଏତ ଏଥିପାଇଁ ଦାୟୀ ।’’

 

–‘‘ନାଁ...ନାଁ...ମୁଁ ବିଶ୍ଵାସ କରି ପାରୁନାହିଁ ମନ୍ଦାକିନୀ ଦେବୀ ! ଗୋବର୍ଦ୍ଧନ ପଟ୍ଟନାୟକ ଯେ ବିବାହିତ । ପାଞ୍ଚ ଛଅଟି ସନ୍ତାନର ଜନକ ସେ, ବୟସର ସୀମା ମଧ୍ୟ ଯଥେଷ୍ଟ ବେଶୀ ।’’

 

–‘‘ହଁ...ମୁଁ ସବୁ ଜାଣେ । କିନ୍ତୁ ନିଜେ ଯେତେବେଳେ ଉର୍ମିଳା ମୁହଁରୁ ଶୁଣିଛି...ସେତେବେଳେ ଅବିଶ୍ଵାସ କରିବି କେମିତି ?’’

 

–‘‘ମନ୍ଦାକିନୀ ଦେବୀ !!’’

 

–‘‘ଆପଣ ଏମିତି ବ୍ୟସ୍ତ ହେଉଛନ୍ତି ଯେ ? ଉର୍ମିଳାକୁ କ'ଣ ଆପଣ ଆଗରୁ ଜାଣିଥିଲେ-?’’

 

–‘‘ହ...ହଁ...ମୁଁ ଉର୍ମିଳାକୁ ଜାଣିଥିଲି । ତରୁଣକାନ୍ତ ମୋର ବାଲ୍ୟସାଥୀ । କିନ୍ତୁ......’’

 

–‘‘ଏପରି ଗୋଟିଏ ଅସୁନ୍ଦର କଥା ଶୁଣି ନିଶ୍ଚୟ ଆପଣଙ୍କୁ ଖୁବ୍ ବ୍ୟସ୍ତ ଲାଗୁଥିବ ।’’

 

–‘‘କେବଳ ବ୍ୟସ୍ତ ନୁହେଁ ମନ୍ଦାକିନୀ ଦେବୀ ! ମନ ହେଉଛି...ଏଇଠି ମୁଁ ଉର୍ମିଳାକୁ ପାଇଲେ ହତ୍ୟା କରନ୍ତି । ନାରୀ ଯେ ସମୟ ବିଶେଷରେ ଏମିତି ବିଶ୍ଵାସଘାତିନୀ ହୋଇପାରେ...ଏ ବିଶ୍ଵାସ ମୋର ନ ଥିଲା ।’’

 

–‘‘ରଙ୍ଗବଲ୍ଲଭ ବାବୁ ??’’

 

–‘‘ମୁଁ ଠିକ୍ କହୁଛି ମନ୍ଦାକିନୀ ଦେବୀ ! ଏଇ ନାରୀମାନଙ୍କୁ ହିଁ କେନ୍ଦ୍ର କରି ଅନେକ ହତ୍ୟା...ଅନେକ ଆତ୍ମହତ୍ୟା ସମ୍ଭବ ହେଉଛି । ବର୍ତ୍ତମାନ ଆପଣ ଚିନ୍ତା କରନ୍ତୁ...ଗୋବର୍ଦ୍ଧନ ପଟ୍ଟନାୟକଙ୍କର ଅବସ୍ଥା କ'ଣ ହେବ ?’’

 

–‘‘ନିଶ୍ଚୟ ତାଙ୍କ ବିବାହିତା ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡ଼ିବେ ।’’

 

–‘‘କେବଳ ସେତିକି ନୁହେଁ...ଉର୍ମିଳା ଅନ୍ୟତ୍ର ବିବାହ କଲେ ମଧ୍ୟ ତାଙ୍କ ମନରେ ଯେଉଁ କାଳିମା ଲାଗିଲା...ସେ କାଳିମାଳୁ ଦୂର କରିବ କିଏ ?’’

 

–‘‘ଆପଣ କଣ କହୁଛନ୍ତି...କୌଣସି ନାରୀ ସହିତ କୌଣସି ପୁରୁଷର ସମ୍ପର୍କ ପ୍ରତିଷ୍ଠା ହେଲେ...ଆଉ କଳିମା ଲିଭେ ନାହିଁ ?’’

 

–‘‘ନାଁ..., ସେ କାଳିମା ଯେ ଛାତିର; ଲିଭିବ କିପରି ?’’

 

–‘‘ଆପଣ କେବଳ ନାରୀମାନଙ୍କୁ ଦୋଷ ଦେଉଛନ୍ତି ରଙ୍ଗବଲ୍ଲଭ ବାବୁ, ପୁରୁଷମାନେ ମଧ୍ୟ ଏଥିପାଇଁ କମ୍ ଦାୟୀ ନୁହନ୍ତି ।’’

 

–‘‘ମୁଁ ସ୍ୱୀକାର କରୁଛି ମନ୍ଦାକିନୀ ଦେବୀ ! ପୁରୁଷମାନଙ୍କର ମଧ୍ୟ ଦାୟିତ୍ଵ ଅଛି । କିନ୍ତୁ ଏ ବିଷମୟ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଯଦି ନାରୀମାନେ ସତର୍କ ହୋଇ ପାରନ୍ତେ ।’’

 

ଆଉ ଯୁକ୍ତି ନ କରି ବସି ରହିଲେ ମନ୍ଦାକିନୀ, ସ୍ଵର ବଦଳାଇ କହିଲେ...‘‘ଆପଣ ଯାଅନ୍ତୁ ରଙ୍ଗବଲ୍ଲଭ ବାବୁ । ଆଜି କାହିଁକି ମୁଁ ଭାରି ଅସୁସ୍ଥ ଅନୁଭବ କରୁଛି ।

 

ରଙ୍ଗବାବୁ କହିଲେ...‘‘ହଁ ମୁଁ ଯାଉଛି । କିନ୍ତୁ ଦୟାକରି ଆପଣ କାଦମ୍ବରୀ ଓ ଉର୍ମିଳାଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥାଅନ୍ତୁ । ସମୟ କ୍ରମେ ଆପଣଙ୍କ ଠାରୁ ଅନେକ କଥା ବୁଝିବାକୁ ମୁଁ ଆସିବି, ଆଜି ଯାଉଛି ।’’

 

ଅପେକ୍ଷା ନ କରି ଉଠିଗଲେ ରଙ୍ଗବଲ୍ଲଭ ।

 

ମନ୍ଦାକିନୀ ବିଶ୍ଳେଷଣ କରୁଥିଲେ ନିଜକୁ । ନାରୀମାନେ ହିଁ ଅନେକ ହତ୍ୟା ଓ ଆତ୍ମହତ୍ୟାର କାରଣ । ସେ ଯେ ନିଜେ ନାରୀ, ଅବଶ୍ୟ ବାର୍ଦ୍ଧକ୍ୟ ନାରୀତ୍ଵକୁ ଘୋଡ଼ାଇ ସାରିଲାଣି, ତଥାପି ସେ କ'ଣ କୌଣସି ହତ୍ୟା ବା ଆତ୍ମହତ୍ୟାର କାରଣ ହୋଇ ନ ଥିବେ ?

 

ମନ୍ଦାକିନୀଙ୍କ କଳ୍ପନା ଚକ ଭଳି ଘୂରିବାକୁ ଲାଗିଲା । ଅତୀତର ଅନ୍ଧାରୀ ଗହ୍ଵର ଭିତରୁ ନାଚିବାକୁ ଲାଗିଲା ମନ୍ଦାକିନୀଙ୍କ ନାରୀତ୍ଵ । ସେ ଥିଲେ କଲେଜର ଜଣେ ସବୁଠାରୁ ସୁନ୍ଦରୀ ବାଳିକା । ଏପରିକି ରାସ୍ତାରେ ଚାଲିଗଲା ବେଳେ ଚମକ ଖେଳିଯାଉ ଥିଲା । ଚକିତା ହରିଣୀ ପରି ସେ ବିଛାଡ଼ି ଦେଉଥିଲେ ନିଜର ଯୌବନକୁ ।

 

ଆଜି କିନ୍ତୁ ସେ ନାରୀତ୍ଵ ଆତ୍ମହତ୍ୟା କରିଛି । ତା’ ସ୍ଥାନରେ ଜୀବନ୍ୟାସ ପାଇଛି...ଆଉ ଏକ ନାରୀ । ଏ ନାରୀର ନାମ କୁମାରୀ ମନ୍ଦାକିନୀ ନୁହେଁ...ଅଧ୍ୟ୍ୟକ୍ଷା ମନ୍ଦାକିନୀ... ।

 

କାନ୍ଦି ଉଠିଲେ ମନ୍ଦାକିନୀ ଦେବୀ । ନାରୀତ୍ଵଟା ଜୀବନର ସମ୍ପଦ ନୁହେଁ, ଏଇ ଚିନ୍ତା ହିଁ ବାରମ୍ବାର ଆଘାତ କଲା ତାଙ୍କୁ ।

 

ଯୌବନର ପ୍ରଥମ ପାଦରେ ସେ ମନକୁ ହରାଇ ଥିଲେ । ଦ୍ଵିତୀୟ ପାଦରେ ହରାଇଲେ ସ୍ୱାମୀକୁ, କେବଳ ନିଜର ହୋଇ ବଞ୍ଚି ରହିଲା ଏହି ଅତିନ୍ଦ୍ର । ତାକୁ ହିଁ ଅନାଇ ସେ କାଟିଛନ୍ତି ତାଙ୍କ ବିଷମୟ ସମୟତକ ।

 

ଉଚ୍ଚ ଶିକ୍ଷିର ଇଞ୍ଜିନିୟର ଅନାଥ ବାବୁ ଥିଲେ ତାଙ୍କ ସ୍ଵାମୀ । ବିବାହ ପରେ ସ୍ଵାମୀଙ୍କ ସହିତ ସେ ସୁଖମୟ ଜୀବନ ଅତିବାହିତ କରିବାକୁ କାମନା କରିଥିଲେ; କିନ୍ତୁ..., ବିଧିର ବିଧାନ ଅନ୍ୟରକମର । ପୃଷ୍ଠା ଓଲଟି ଗଲା, ବିବାହର ମାତ୍ର ବର୍ଷକ ପରେ ଜନ୍ମ ହେଲା ଅତିନ୍ଦ୍ର । ଇଞ୍ଜିନିୟର ସ୍ଵାମୀ ଆନନ୍ଦରେ ଅଧୀର ହୋଇ ପଡ଼ିଲେ । ପ୍ରଥମ ପୁତ୍ର ସନ୍ତାନ, କିଏ ବା ସୁଖୀ ନ ହେବ ?

 

ପୁଅର ଏକୋଇଶିଆ ଦିନ ଅନେକ ଲୋକଙ୍କୁ ନିମନ୍ତ୍ରଣ କରା ଯାଇଥିଲା । ମହାସମାରୋହରେ ଉତ୍ସବ ପାଳିତ ହେଲା, ରାତି ପ୍ରାୟ ୧୧ଟା ବେଳେ ସମସ୍ତେ ବାହୁଡ଼ିଲେ । ଶେଷରେ ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ ଗାଡ଼ିରେ ବସାଇ ନିଜେ ଅନାଥ ବାବୁ ବାହାରିଲେ ତାଙ୍କ ଘରେ ଛାଡ଼ି ଆସିବାକୁ ।

 

ଦିନସାରା ଖଟି ଖଟି ଅନାଥବାବୁ କ୍ଲାନ୍ତ ହୋଇ ପଡ଼ିଥାନ୍ତି । ଆଖିରେ ଆଖିଏ ନିଦ... । ମନ୍ଦିରା ପାର ହୋଇ ଗାଡ଼ି ଠିକ୍ ଲାଞ୍ଜିବାର୍ଣ୍ଣା ନିକଟରେ ପହଞ୍ଚିଛି କି ନାହିଁ...ହେଲା ଏକସିଡେଣ୍ଟ ।

 

ଖବର ଅନେକ ଡେରିରେ ଆସି ପହଞ୍ଚିଲା ମନ୍ଦାକିନୀଙ୍କ ନିକଟରେ । ସେତେବେଳକୁ ସବୁ ଶେଷ ହୋଇ ଯାଇଥିଲା । ଏକଜିକ୍ୟୁଟିଭ୍ ଇଞ୍ଜିନିୟର, ଅନାଥ ବାବୁ ଇତ୍ୟାଦିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା । କେବଳ ମୁମୂର୍ଷୂ ଅବସ୍ଥାରେ ବଞ୍ଚିଥିଲା...ଅନାଥ ବାବୁଙ୍କ ପିଅନଟି ।

 

ଏଇ ହେଲା ମନ୍ଦାକିନୀଙ୍କ ଭାଗ୍ୟ । ଆଖିରେ ଲୁହ ଜକେଇ ଉଠିଲା ମନ୍ଦାକିନୀଙ୍କର ।

 

ଏତେ ବଡ଼ ଦୁଃଖରେ କିନ୍ତୁ ସେ ଭାଙ୍ଗିପଡ଼ି ନାହାନ୍ତି । ସେହି ସନ୍ତାନଟିକୁ କୋଳରେ ଯାକି ସେ ଚେଷ୍ଟାକଲେ ମଣିଷ କରିବାକୁ ।

 

ଶିକ୍ଷିତା ମନ୍ଦାକିନୀ, ଶାଶୁ, ଶଶୁର, ଦିଅରଙ୍କ ହାତ ଟେକାକୁ ନ ଅନାଇଁ...କଲେଜରେ ଯୋଗ ଦେଇଛନ୍ତି ଅଧ୍ୟାପିକା ଭାବେ । ଭାଗ୍ୟବଶତଃ...ଆଜି ସେ ଅଧ୍ୟକ୍ଷା ।

 

ଅଧ୍ୟାପିକା ଭାବରେ ମଧ୍ୟ ଯଥେଷ୍ଟ ସୁନାମ ରହିଛି ତାଙ୍କର । ମନ୍ଦାକିନୀ ଅର୍ଥ ଶାସ୍ତ୍ରରେ ଏମ୍. ଏ. ପାଶ୍ କରିଥିଲେ । କିନ୍ତୁ ଅର୍ଥ ଶାସ୍ତ୍ର ଅପେକ୍ଷା ଓଡ଼ିଆ ସାହିତ୍ୟ ପ୍ରତି ଯଥେଷ୍ଟ ଆକର୍ଷଣ ଥିଲା ତାଙ୍କର ।

 

କଲେଜ ଜୀବନରେ ସେ କବିତା, ପ୍ରବନ୍ଧ...ଗଳ୍ପ ଇତ୍ୟାଦି ଲେଖୁଥିଲେ । ଏଥିପାଇଁ ବିଭିନ୍ନ ପତ୍ରପତ୍ରିକାରୁ ଅନୁରୋଧ ମଧ୍ୟ ଆସୁଥିଲା । ଅଧ୍ୟାପିକା ଭାବରେ ସେ ଯୋଗ ଦେବା ପରେ...ପୁଣି ଲେଖା ଲେଖିରେ ମନ ବଳାଇଲେ । କିନ୍ତୁ...ଆଶ୍ଚର୍ଯ୍ୟର କଥା...ଏବେ ସେ ଯେଉଁ ଲେଖାଗୁଡ଼ିକ ଲେଖିଲେ...ସେଗୁଡ଼ିକ ଆଉ ପ୍ରକାଶ ପାଇଁ ଦେଲେନାହିଁ । ତେଣୁ ସେ ଯେ ଜଣେ...ଲେଖିକା ଏ କଥା ହୁଏତ ଅନେକେ ଜାଣି ପାରିଲେ ନାହିଁ ... ।

 

ସେହି ଅଧ୍ୟକ୍ଷା ମନ୍ଦାକିନୀ । ଅନେକ ସମୟରେ କେବଳ ଚୁପ୍ ହୋଇ ବସି ରହିବାକୁ ଭଲ ପାଆନ୍ତି । ପୁଅ ଅତିନ୍ଦ୍ରକୁ କୋଳରେ ଧରି...ଠିକ୍ ଗାଉଁଲି ମଣିଷ ପରି ନିଜର କାମ କରି ନିଅନ୍ତି ।

 

ଶେଷରେ ଅତିନ୍ଦ୍ର ପ୍ରତି ଏ ଆଦର ଓଲଟା ଫଳ ଦେଲା । ବେଶୀ ଗେହ୍ଳାବସର ଯୋଗୁ ଅତିନ୍ଦ୍ରର ପାଠ ହେଲାନାହିଁ । ଶେଷ ଚେଷ୍ଟାକରି ମଧ୍ୟ ବିଫଳ ହେଲେ ମନ୍ଦାକିନୀ ।

 

ଅତିନ୍ଦ୍ର ଯେ...ତା’ ଜୀବନରେ କ'ଣ କରିବ...ଏହି ଚିନ୍ତା ସର୍ବଦା ଆଘାତ କଲା ତାଙ୍କୁ ।

 

ଠିକ୍‌ ଏମିତିବେଳେ ତାଙ୍କର ସାକ୍ଷାତ ହୁଏ...କଣ୍ଟ୍ରାକ୍‌ଟର ଜୀବନବଲ୍ଲଭଙ୍କ ସହିତ । ଅତିନ୍ଦ୍ରକୁ ଜଣେ ପ୍ରତିଷ୍ଠିତ କଣ୍ଟ୍ରାକ୍‌ଟର କରି ଗଢ଼ି ବା ଲାଗି ସେ...ତାକୁ ଛାଡ଼ନ୍ତି ତାଙ୍କ ନିକଟରେ । କିନ୍ତୁ...

 

ମନ୍ଦାକିନୀ ଆଖି ଆଗର ପୁଣି ନାଚି ଉଠିଲା ସେହି ଜୀବନବଲ୍ଲଭଙ୍କର ସ୍ମୃତି । ମୃତ ସେ... । ଅନ୍ତତ ଆତ୍ମଶୋଚନରୁ ରକ୍ଷା ପାଇ ଯାଇଛନ୍ତି... ।

 

କପାଳରେ ହାତ ରଖି ନିଜର ଭାଗ୍ୟକୁ ଅଣ୍ଡାଳୁଥିଲେ ମନ୍ଦାକିନୀ...

 

–‘‘ମୁଁ ଆତ୍ମଶୋଚନରୁ ରକ୍ଷା ପାଇନି ମନ୍ଦାକିନୀ...ମୋର ସ୍ଵର୍ଗତ ଆତ୍ମା ମଧ୍ୟ ବିକଳ ହେଉଛି ।’’

 

–‘‘ଜୀବନବଲ୍ଲଭ ! ତୁମେ କ’ଣ ମୋତେ ଛାଡ଼ିଯିବ ନାହିଁ ?’’

 

–‘‘ନା ମନ୍ଦାକିନୀ ! ଏ ଯେ ମୋ ପକ୍ଷରେ ଅସମ୍ଭବ । ତୁମେ ସିନା ମୋତେ ଛାଡ଼ି ରହି ପାରିଲ...ହେଲେ ମୁଁ ତୁମକୁ ଛାଡ଼ି ରହିବା ମୋଟେ ସମ୍ଭବପର ନୁହେଁ ।’’

 

–ମୋ ଠାରୁ ତା ହେଲେ ତୁମେ ଆଉ କଣ ଆଦାୟ କରିବାକୁ ଇଚ୍ଛାକର ଜୀବନବଲ୍ଲଭ-?

 

–‘‘କଡ଼ା ଗଣ୍ଡା କରି ଜୀବନର ସ୍ଵାଦ ।’’

 

–‘‘ମୁଁ ଯେ ବୃଦ୍ଧା ହୋଇ ଯାଇଛି ଜୀବନବଲ୍ଲଭ ।’’

 

–‘‘ତୁମର ରକ୍ତମାଂସର ଶରୀରଟା ସିନା ବୃଦ୍ଧା ହୋଇ ଯାଇଛି...ହେଲେ ତୁମେ ରହିଛ ମୋ ନିକଟରେ ଠିକ୍ ପୂର୍ବପରି ।’’

 

–‘‘ନାଁ...ନାଁ...ତୁମେ ଆଉ ମୋ ପାଖକୁ ଆସନି ଜୀବନବଲ୍ଲଭ ! ମୋତେ ହତ୍ୟାକାରିଣୀ ବୋଲି ଲୋକ ଭୁଲ୍‌ ବୁଝିବେ ।’’

 

–‘‘ନାଁ...ନାଁ...ଏପରି ଭୁଲ୍‌ ବୁଝିବାର କୌଣସି କାରଣ ନାହିଁ ମନ୍ଦାକିନୀ ! ମୋ ସ୍ତ୍ରୀ ର ମୃତ୍ୟୁ ପାଇଁ ମଧ୍ୟ ମୁଁ ତୁମକୁ ଦୋଷୀ କରିନାହିଁ ।’’

 

–‘‘ତୁମ ସ୍ତ୍ରୀର ମୃତ୍ୟୁ ସହିତ ମୋର କି ସମ୍ପର୍କ ଅଛି ଜୀବନବଲ୍ଲଭ ?’’

 

–‘‘ଏଁ...ତୁମେ ତାକୁ ନିଜ ହାତରେ ହତ୍ୟା କରି କ'ଣ ସବୁ ଭୁଲିଗଲ ?’’

 

–‘‘ଜୀବନବଲ୍ଲଭ ?’’

 

–‘‘ଦୁଃଖ କରନି ମନ୍ଦାକିନୀ । ନିଜର ସ୍ୱାର୍ଥ ପାଇଁ ଜଣେ ନାରୀ ଆଉ ଜଣେ ନାରୀକୁ ହତ୍ୟା କରିବା ଅସମ୍ଭବ ନୁହେଁ । ତେଣୁ ତୁମ ହତ୍ୟାକୁ ମୁଁ ବଡ଼ ବୋଲି ଧରିନାହିଁ ।’’

 

–‘‘ମୋତେ ବାରମ୍ବାର କାହିଁକି ତୁମେ ଦୋଷ ଦେଉଛ ଜୀବନବଲ୍ଲଭ ?’’

 

–‘‘ଦୋଷୀକୁ ଦୋଷୀ ବୋଲି କହିଲେ କ’ଣ ପାପ ଲାଗିବ ମନ୍ଦାକିନୀ ?’’

 

–‘‘ନାଁ...ନାଁ...ତୁମେ ଠିକ୍‌ କହିଛ । ହଜାରବାର ତୁମେ ମୋତେ ଦୋଷୀ ବୋଲି କୁହ, ମୁଁ ସବୁ ସହ୍ୟ କରିବି ।’’

 

–‘‘ନାଁ...ତୁମକୁ ସବୁ ଦୋଷ ଦେଇ ପାରୁନାହିଁ । କାରଣ...ତୁମଠାରୁ ଅଧିକ ଦୋଷୀ ଅତିନ୍ଦ୍ର ।’’

 

–‘‘ମାନେ ? ମୋ ଅତି ?’’

 

–‘‘ହଁ ତୁମ ଅତି, ତୁମ ଅତି ହିଁ ମୋତେ ହତ୍ୟା କରିଛି ।’’

 

–‘‘ଏଁ ତୁମେ କଣ କହୁଛ... ? ଫିଟାଇ କୁହ ଜୀବନବଲ୍ଲଭ ।’’

 

–‘‘ମୁଁ କିଛି ମିଛ କହୁନି ମନ୍ଦାକିନୀ ! ଅତିନ୍ଦ୍ର ଯଦି ଜନ୍ମ ନ ହୋଇଥାନ୍ତା...ତେବେ ଅନାଥବାବୁଙ୍କ ମୃତ୍ୟୁ ପରେ ମୋର ଭାଗ୍ୟ ନିଶ୍ଚୟ ବଦଳି ଯାଇଥାନ୍ତା । ତେଣୁ ମୋର ମୃତ୍ୟୁ ପାଇଁ ଦାୟୀ ଅତିନ୍ଦ୍ର... । ସେ ଖୁନି...ସେ ମର୍ଡ଼ରର ।’’

 

–‘‘ନାଁ...ନାଁ...ତୁମେ ମୋ ଅତିକୁ ଦୋଷ ଦିଅନି ଜୀବନବାବୁ, ସବୁ ମୋର ଭାଗ୍ୟର ଦୋଷ, ମୋତେ ତୁମେ କ୍ଷମା କର ।’’

 

–‘‘କିନ୍ତୁ ଜୀବନବ୍ୟାପୀ ଯେ ତୁମକୁ କ୍ଷମା କରିବାର ପ୍ରଶ୍ନ ଆଉ ଉଠିଲାନି ମନ୍ଦାକିନୀ ! ମୃତ୍ୟୁପରେ ଆଦେହୀ ଆତ୍ମା ନେଇ ମୁଁ ତୁମକୁ କିପରି କ୍ଷମା କରି ପାରିବି ।’’

 

–‘‘ଅନ୍ତତ ମୋ ଅତିକୁ ତୁମେ କ୍ଷମା କରିଦିଅ !’’

 

–‘‘ଅସମ୍ଭବ...ସେ ଯେ ମୋର ହତ୍ୟାକାରୀ...ଖୁନୀ...ମଡ଼ରର ?’’

 

–‘‘ଅତିନ୍ଦ୍ର ଖୁନୀ...ଅତିନ୍ଦ୍ର ମଡ଼ରର...’’

 

–‘‘ବୋଉ... !!’’

 

–ଅତିନ୍ଦ୍ର ଖୁନୀ...ଅତିନ୍ଦ୍ର ମଡ଼ରର ???’’

 

–‘‘ବୋଉ ! ତୁମେ ବି ମୋତେ ଏଇ ଦୋଷ ଦେଲ ବୋଉ ?’’

 

–‘‘ଏଁ...ହଁ...ହଁ...କଣ୍ଟ୍ରାକ୍‌ଟର ଜୀବନବଲ୍ଲଭ କହୁଛନ୍ତି...ତୁ ତାଙ୍କୁ ଖୁନ୍‌ କରିଛୁ ।’’

 

–‘‘କିନ୍ତୁ...କିନ୍ତୁ...ମୁଁ ଯେ ନୃତ୍ୟ କଥା କିଛି ଜାଣିନି ବୋଉ ?’’

 

–‘‘ମୁଁ ଠିକ୍‌ଜାଣେ...ତୁ ଏ ବିଷୟରେ କିଛି ଜାଣିନୁ । କିନ୍ତୁ...ଲକ୍ଷ୍ୟକରି ଦେଖ୍‌ ଅତିନ୍ଦ୍ର...ଏଇ ମାଟି, ଏଇ ପାଣି... ଏଇ ପବନରେ ବୁଲି ବୁଲି ସେ ଅଭିଯୋଗ କରୁଛନ୍ତି...ତୁ ତାଙ୍କୁ ଖୁନ୍‌ କରିଛୁ ।’’

 

–‘‘ବୋଉ ତୁମେ କ’ଣ ପାଗଳୀ ହୋଇଗଲ ?’’

 

–‘‘ହଁ...ଅତି ! ମୁଁ ପାଗଳ ହୋଇଯିବି, ତାଙ୍କର ଅଭିଯୋଗ ଯେ ମୋତେ ପାଗଳ କରିଦେବ ।’’

 

–‘‘କିଏ ତୁମ ପାଖରେ ଅଭିଯୋଗ କରୁଛି ବୋଉ... ?’’

 

–‘‘କିନ୍ତୁ ସେ ଯେ ମରିଛିନ୍ତି ବୋଉ । ତୁମ ନିକଟରେ । ଅଭିଯୋଗ କରୁଛି କିଏ ?’’

 

–‘‘ମଣିଷ ମରିଗଲେ ମହାଶୂନ୍ୟରେ ମିଶି ଯାଏନି ଅତି । ଏଇ ପବନରେ ବୁଲି ବୁଲି ସେ ତା’ର କୈଫିୟତ ତଲବ କରେ । ଏଇ ଟିକଟ ଆଗରୁ ଯେ ଜୀବନବଲ୍ଲଭ ଆସିଥିଲେ ।’’

 

–‘‘ଏଁ...ଜୀବନବଲ୍ଲଭ ଆସିଥିଲେ ?’’

 

–‘‘ହଁ...ସେ ଆସିଥିଲେ... ?’’

 

–‘‘କିନ୍ତୁ ବିରୂପା ପୋଲ ବାବଦର ଟଙ୍କା ଯେ ସେମିତି ଥୁଆ ହୋଇଛି... । ସେ ଟଙ୍କାକୁ ମାରି ନେବା ପାଇଁ...ମୁଁ କେବେହେଲେ ଆଶା କରିନି ବୋଉ । ତୁ ବିଶ୍ୱାସ କର ।’’

 

–‘‘ଏଁ ଟଙ୍କା ? ? ସାମାନ୍ୟ ଟଙ୍କାକୁ ଜୀବନବଲ୍ଲଭ ଖାତିର କରୁ ନ ଥିଲେ ଅତି...ସେ ଚାହୁଁ ଥିଲେ ଜୀବନ...’’

 

–‘‘କିନ୍ତୁ ମୃତ୍ୟୁପରେ ତାଙ୍କୁ ପୁଣି କିଏ ଜୀବନ୍ୟାସ ଦେଇ ପାରିବ ବୋଉ... ? ?’’

 

–‘‘ତୁ...ତୁ...ଜୀବନ୍ୟାସ ଦେଇ ପାରିବୁ ଅତି ।’’

 

–‘‘ଏ କି ଅସମ୍ଭବ କଥା ତୁମେ କହୁଛ ବୋଉ । ବେଶ୍‌ ଯଦି ତୁମେ ବିଶ୍ୱାସ କରୁଛ ଯେ...ମୁଁ ତାଙ୍କୁ ହତ୍ୟା କରିଛି...ତେବେ ବିନା ଦ୍ଵିଧାରେ ମୁଁ ମୋର ଦୋଷ ସ୍ୱୀକାର କରୁଛି ! ମୋତେ ଥାନାକୁ ପଠାଇ ଦିଅ ।’’

 

–‘‘ନାଁ...ନାଁ...ତୁ ବ୍ୟସ୍ତ ହୋ ନାହିଁ ଅତି । ଆଜି ପର୍ଯ୍ୟନ୍ତ ତୋ ନିକଟରେ ମୁଁ ଗୋଟିଏ ଗୁପ୍ତ କଥା କହି ନ ଥିଲି । ଆଜି କହୁଛି...’’

 

–‘‘କ’ଣ କହିବ କୁହ ବୋଉ... ?’’

 

–‘‘ମୁଁ ଜୀବନବଲ୍ଲଭଙ୍କୁ ହତ୍ୟା କରିଛି ଅତି । ତୁ ମୋତେ ପୋଲିସ୍‌ରେ ଧରାଇ ଦେ ।’’

 

–‘‘ବୋଉ !!’’

 

–‘‘ତୁ ବିଶ୍ଵାସ କରିବୁ ନାହିଁ ଅତି ! ଅଧ୍ୟାପିକାର ପୋଷାକ ତଳେ ଯେ ମୁଁ କେଡ଼େ ଜଘନ୍ୟା ହୋଇପାରେ...ସେ କଥା ତୁ ଚିନ୍ତା କରି ପାରିବୁ ନାହିଁ ।’’

 

–‘‘ମୁଁ କିନ୍ତୁ ଏ କଥାକୁ ସ୍ୱୀକାର କରିବିନି ବୋଉ... ।’’

 

–‘‘ତୁ ଯାହାକୁ ସ୍ୱୀକାର କରିବାକୁ ନାରାଜ୍‌...ତାକୁ କିନ୍ତୁ ଅନ୍ୟମାନେ ବେଶ୍‌ସହଜରେ ସ୍ଵୀକାର କରଯିବେ ଅତି । ମୋର ଅନୁରୋଧ ତୁ ମୋତେ ପୋଲିସରେ ଧରାଇ ଦେ...’’

 

–‘‘ନାଁ...ନାଁ...ମୁଁ ପାରିବିନି ବୋଉ...ମୁଁ ପାରିବିନି । ମୁଁ ନିଜେ ହତ୍ୟାକାରୀ ବୋଲି ପଛେ ଧରାଦେବି...କିନ୍ତୁ ତୁମକୁ...’’

 

ଆଉ ଅପେକ୍ଷା ନ କରି ଅତିନ୍ଦ୍ର ଦୌଡ଼ି ପଳାଇଗଲା ଘର ଭିତରୁ ।

 

ସେ ଆଡ଼କୁ କେବଳ କଲବଲ କରି ଚାହିଁଥିଲେ ମନ୍ଦାକିନୀ । ତାଙ୍କ ଆଖିରୁ ଝରେ ପଡ଼ିଥିଲା ଧାର...ଧାର...ଲୋତକ ।

 

ସେହି ଲୋତକ କଣିକାରେ ଆତ୍ମପ୍ରକାଶ କରି ବିଦ୍ରୂପର ହସ ହସୁଥିଲେ ଜୀବନବଲ୍ଲଭ-

 

ହଁ...ଏହି ଜୀବନବଲ୍ଲଭଙ୍କ ମୃତ୍ୟୁର ଅନୁସନ୍ଧାନ ପାଇଁ ଆଜି ରଙ୍ଗବଲ୍ଲଭଙ୍କ ପରି ପୋଲିସ ଇନିସ୍‌ପେକ୍ଟର ସକ୍ରୀୟ, ତରୁଣକାନ୍ତଙ୍କ ପରି ଖ୍ୟାତନାମା ଅଧ୍ୟାପକ ଆତଙ୍କିତ, ଅତିନ୍ଦ୍ରଙ୍କ ପରି ଉଦୀୟମାନ ଯୁବକ ବିବ୍ରତ, ମନ୍ଦାକିନୀଙ୍କ ପରି ପ୍ରବୀଣା ଅଧ୍ୟକ୍ଷା ମର୍ମାହତା, ଉର୍ମିଳାଙ୍କ ପରି ଅଲିଅଳା ବାଳିକା ଉଦ୍‌ଭ୍ରାନ୍ତା । ଜୀବନବଲ୍ଲଭ... । ଏକ କ୍ରାନ୍ତିକାରୀ ସମୟର ସମସ୍ୟା ।

 

ଅନେକ ସମୟରେ ଉର୍ମିଳା ବିବ୍ରତ ହୋଇ ପଡ଼ୁଛି...ନିଜର ପରିସ୍ଥିତି କଥା ଚିନ୍ତାକରି ଠି‌କ୍‍ ସେହିପରି ତରୁଣକାନ୍ତ ମଧ୍ୟ ନିଜକୁ ନିଜେ ଭୁଲି ଯାଉଛନ୍ତି ।

 

ସେ ଦିନ କଲେଜରେ ଯୋଗ ଦେବାପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ତରୁଣକାନ୍ତ । ଏତିକିବେଳେ ଭାରାକାନ୍ତ ମନ ନେଇ କୋଠରୀ ଭିତରକୁ ପଶି ଆସିଲେ ଇନସପେକ୍ଟର ରଙ୍ଗବଲ୍ଲଭ ଜେନା ।

 

ନମସ୍କାର କରି କ’ଣ କହିବାକୁ ଉଦ୍ୟତ ହେଉଥିଲେ । ହଠାତ୍‌ କଥାରେ ବାଧା ଦେଇ ତରୁଣକାନ୍ତ କହିଲେ...‘‘ପୁଣି କୁଆଡ଼େ ତୁ ଆସିଲୁ ରଙ୍ଗ ! କ’ଣ ଜୀବନବଲ୍ଲଭଙ୍କ ମୃତ୍ୟୁ ସମ୍ପର୍କରେ ଆଉ କିଛି ଖିଅ ଆବିଷ୍କାର କରିବାକୁ ?’’

 

ସାମାନ୍ୟ କଠୋର ହୋଇ ଉଠି ରଙ୍ଗବଲ୍ଲଭ କହିଲେ–‘‘ହଁ...ତରୁଣ ! ‘ଡିଲେମା ଅଫ୍‌ ଟୁ ହନସ୍‌’ ସମ୍ପର୍କରେ ଭାଷଣ ଦେବା ଯେପରି ତୋର କାମ...ସମାଜର ରହସ୍ୟମୟ ଗୁପ୍ତ ଅସାମାଜିକତା ପ୍ରତି ସତର୍କ ଦୃଷ୍ଟି ରଖିବା ସେପରି ମୋର କାମ । ତେଣୁ ମୁଁ ବାନ ଆସନ୍ତି କେମିତି-?’’

 

–‘‘କିନ୍ତୁ...ବିଶ୍ଵାସ କର ରଙ୍ଗ ! ଏ ମୃତ୍ୟୁ ସମ୍ପର୍କରେ ମୋତେ କିଛିହେଲେ ଜଣା ନାହିଁ ।’’

 

ରଙ୍ଗବଲ୍ଲଭ କହିଲେ–‘‘ଅନେକ ସମୟରେ ମଣିଷ ବହୁ କଥା ନ ଜାଣି ମରିଯିବା ପଛରେ ଧାଇଁଲା ପରି ମଧ୍ୟ ଧାଇଁଥାଏ ତରୁଣ ! ଏଥିରେ ନୂଆ କଥା କ’ଣ ଅଛି ?’’

 

–‘‘ତୁ କ’ଣ କହୁଛୁ...ମୁଁ ବୁଝି ପାରୁନି ।’’

 

–‘‘ତୁ ବିଶ୍ଵବିଦ୍ୟାଳୟର ଜଣେ ଅଧ୍ୟାପକ । ଅଧିକ କଣ କହି ବା’ ମୁଁ ତୋତେ ବୁଝାଇବି-।’’

 

–‘‘ବେଳକୁବେଳ ମୁଁ ନିଜକୁ ହତୋତ୍ସାହିତ ମନେ କରୁଛି ରଙ୍ଗ ! ମୋର ମନେହେଉଛି...ଅଦୃଶ୍ୟ ଚକ୍ରାନ୍ତକୁ ଏଡ଼ାଇ ପାରିବା ମୋ ନିକଟରେ ସମ୍ଭବ ନୁହେଁ ।

 

–‘‘କେବଳ ଅଦୃଶ୍ୟଟା ମଣିଷ ଭାଗ୍ୟରେ ବିପର୍ଯ୍ୟୟ ଆଣେ ନାହଁ ତରୁଣ ! ଏଇ ଦୃଶ୍ୟ ଭିତରେ ମଧ୍ୟ ମଣିଷ ଅଦୃଶ୍ୟର କାହାଣୀ ରଚନା କରି ବଞ୍ଚି ରହିବାକୁ ଚେଷ୍ଟାକରେ ।’’

 

–‘‘ତୁ କ’ଣ ଭାବୁଛୁ ଯେ, ମୁଁ ଜାଣି ଶୁଣି କିଛି ଦୋଷ କରିଛି ?’’

 

–‘‘ମୋର ବିଶ୍ୱାସ ବା ଅବିଶ୍ଵାସର ପ୍ରଶ୍ନ ଉଠନାହିଁ ତରୁଣ ! କାରଣ ମୁଁ ନିଜକୁ ନିଜେ ମଧ୍ୟ ବିଶ୍ୱାସ କରି ପାରୁନାହିଁ ।’’

 

–‘‘ନାଁ...ନାଁ...ତୁ ପୋଲିସ୍ ଇନସ୍‌ପେକ୍ଟର । ଅନ୍ତତ ତୋ ନିଜ ଉପରେ ତୋର ଆସ୍ଥା ରହିବା ଆବଶ୍ୟକ ।’’

 

–‘‘ହଁ...ତରୁଣ । ସେ କଥା ଠିକ୍ । କିନ୍ତୁ ତୁ ଯଦି ମୋ ଆଖିରେ ଧୂଳି ଦେବାକୁ ଚେଷ୍ଟାକରୁ...ତେବେ ଫଳ କ’ଣ ହେବ କହ ?’’

 

–‘‘ମୋତେ କିନ୍ତୁ ତୁ ବିଶ୍ୱାସ କର ରଙ୍ଗ ! ମୁଁ ଜୀବନବଲ୍ଲଭଙ୍କ ମୃତ୍ୟୁ ବିଷୟରେ ବିନ୍ଦୁ ବିସର୍ଗ ମଧ୍ୟ ଜାଣିନାହିଁ ।’’

 

–‘‘ତୁ ଯାହା ଜାଣିନାହୁଁ...ସେ ଯେ ଗୋଟିଏ ଘଟଣା ନୁହେଁ...ଏକଥା କିଏ କହିଲା... ।’’

 

–‘‘ନାଁ...ନାଁ...ମୁଁ ସେ କଥା କହୁନାହିଁ । ଜୀବନବଲ୍ଲଭଙ୍କ ମୃତ୍ୟୁ ଗୋଟାଏ ଘଟଣା ହୋଇପାରେ । କିନ୍ତୁ ମୃତ୍ୟୁ ସହିତ ମୋ ପରିବାରର ଯେ କିଛି ସମ୍ପର୍କ ନାହିଁ ।’’

 

–‘‘ମିଛ କହୁଛୁ ତରୁଣ...ଏ ଘଟଣା ସହିତ ତୋ ପରିବାର ନିଶ୍ଚୟ ସମ୍ପୃକ୍ତ ।’’

 

–‘‘ଏ କି ଆଶ୍ଚର୍ଯ୍ୟ କଥା କହୁଛୁ ରଙ୍ଗ ! ମୁଁ ପରା ତୋତେ ଅନୁରୋଧ କରି କହୁଛି ଯେ–ଏ ସମ୍ପର୍କରେ କିଛି ଜାଣିନାହିଁ ।’’

 

‘‘ତୁ ଯାହା ଜାଣିନାହୁଁ...ତା’ ଯେ ତୋ ପରିବାରରେ ଘଟୁନାହିଁ...ସେ କଥା ତୁ ଜାଣିଲୁ କେମିତି ?’’

 

ହସି ଉଠିଲେ ତରୁଣକାନ୍ତ ! କହିଲେ...‘‘ମୋର ଯେ ମୋଟେ ପରିବାର ନାହିଁ ରଙ୍ଗ ! ପରିବାରର ଘଟଣା ଘଟାଇବ ବା କିଏ ?’’

 

–‘‘ତୋ ପରିବାରରେ ଆଉ କେହି ନାହାନ୍ତି ? ମାନେ...ତୁ କ’ଣ ଅନ୍ୟମାନଙ୍କୁ ମୃତ ତାଲିକାରେ ନେଇ ଯାଇଛୁ ?’’

 

–‘‘ନାଁ...ନାଁ...ସେ କଥା କହନି ରଙ୍ଗ ! ମୋ ପରିବାରର ଆଉ ଗୋଟିଏ ମାତ୍ର ମଣିଷ ଉର୍ମିଳା । ସେ ଯେ ଏ ପର୍ଯ୍ୟନ୍ତ ମଣିଷ ତାଲିକା ଭିତରକୁ ଆସିନାହିଁ ।’’

 

–‘‘ଓ...ତା’ ମାନେ ତୁ ଏଇଆ କହୁଛୁ ଯେ...ସେ ମଣିଷ ନୁହେଁ...ଅମଣିଷ ।’’

 

–‘‘ରଙ୍ଗବଲ୍ଲଭ... ।’’

 

–‘‘ହଁ...ତରୁଣ । ଉର୍ମିଳା ମଣିଷ ନୁହେଁ ଅମଣିଷ ।’’

 

–‘‘ଏ ତୁ କ’ଣ କହୁଛୁ ରଙ୍ଗ ! ଏପର୍ଯ୍ୟନ୍ତ ସେ ଯେ ପିଲା । ତା’ର ସମଗ୍ର ଜୀବନ ମୋ ଆଖି ଆଗରେ, ମୋରି ହାତରେ ଗଢ଼ା ।’’

 

–‘‘ନାଁ...ନାଁ...ମଣିଷକୁ ତୁ ଏତେ ସହଜରେ ବୁଝିପାରିବୁନି ତରୁଣ । ଉର୍ମିଳା ତୋର ଭଉଣୀ ହୋଇପାରେ...କିନ୍ତୁ ମଣିଷ ସେ । ମଣିଷର ସାଧାରଣ ଭୁଲକୁ ଏଡ଼ିବ କିପରି ? ଭୁଲ୍ କରିବା ଯେ ମଣିଷର ସହଜାତ ପ୍ରକୃତି ।’’

 

–‘‘ତା’ ମାନେ ତୁ କହୁଛୁ...’’

 

–‘‘ନାଁ...ମୁଁ କହୁନି...ସହରର ଅନେକ ବ୍ୟକ୍ତି କହୁଛନ୍ତି...’’

 

–‘‘ସହରର ଅନେକ ବ୍ୟକ୍ତି କହୁଛନ୍ତି ?’’

 

–‘‘ହଁ...ସହରର ଅନେକ ବ୍ୟକ୍ତି କହୁଛନ୍ତି...ଉର୍ମିଳା ଖୁନୀ ।’’

 

–‘‘ମିଛ...ମିଛ...ରଙ୍ଗବଲ୍ଲଭ ! ଏ ସବୁ ତୁମ୍ଭମାନଙ୍କର ଚକ୍ରାନ୍ତ ।’’

 

–‘‘ତୁ ବିଶ୍ୱାସ କର ତରୁଣ ! ଏ ମୃତ୍ୟୁ ପାଇଁ ହିଁ ଉର୍ମିଳା ଦାୟୀ ।’’

 

–‘‘ମିଛ...ମିଛ...ମିଛ...ମୁଁ ଏ କଥାକୁ କଦାପି ବିଶ୍ଵାସ କରିବି ନାହିଁ ।’’

 

–‘‘ଜଗତରେ ଏମିତି ବହୁ ଘଟଣା ଘଟୁଛି...ଯାହା ତୁ’ ମୋଟେ ବିଶ୍ଵାସ କରିବୁ ନାହିଁ । କିନ୍ତୁ ସେଗୁଡ଼ିକ ସବୁ ସତ । ଶେଷରେ ତୋତେ ବିଶ୍ଵାସ କରିବାକୁ ହେବ ।’’

 

–‘‘ଅର୍ଥାତ୍‌ ତୁ କହୁଛୁ... ।

 

–‘‘ନାଁ...ମୁଁ...ନୁହେ... ଆହୁରି ଅନେକ ମଧ୍ୟ କହୁଛନ୍ତି...’’

 

–‘‘କ’ଣ କହୁଛନ୍ତି ଅନ୍ୟମାନେ ?’’

 

–‘‘ଉର୍ମିଳା ଅନ୍ତସତ୍ତ୍ଵା ।’’

 

–‘‘ରଙ୍ଗବଲ୍ଲଭ !!!’’

 

–‘‘ଏ କଥାକୁ କ’ଣ ତୁ ବିଶ୍ଵାସ କରୁନୁ ତରୁଣ ? କିନ୍ତୁ ଘଟଣା ସୂର୍ଯ୍ୟାଲୋକ ପରି ସତ୍ୟ-।’’

 

–‘‘ମିଛ...ମିଛ...ରଙ୍ଗ ବଲ୍ଲଭ ! ଏ ତୋର ମିଛ ବୟାନ ।’’

 

–‘‘ବେଶ୍‌...ମିଛ ବୋଲି ଧରି ନେ, କିନ୍ତୁ ଯେତେବେଳେ ଘଟଣା ସତ ବୋଲି ଜାଣିବୁ...ସେତେବେଳେ ପୋଲିସ୍‌ ଇନିସ୍‌ପେକ୍ଟରକୁ ତ’ ନିଶ୍ଚୟ ତୁ ଧନ୍ୟବାଦ ଦେବୁ ।’’

 

–‘‘କିନ୍ତୁ ମୋ ଉମି ଯେ ମୋ ନିକଟରେ ପିଲା । ଏପର୍ଯ୍ୟନ୍ତ ନିଜ ହାତରେ ଖାଇ ଶିଖିନାହିଁ ।’’

 

–‘‘ହଁ...ସବୁ ଝିଅ ପିଲା ହେଇଥାନ୍ତି । ନିଜ ହାତରେ ଖାଇ ଶିଖି ନ ଥାନ୍ତି । ବାପା ଭାଇ କାଖରେ କୋଡ଼ରେ ପୂରାଇ ଗେଲ କରନ୍ତି । କିନ୍ତୁ ସାମାନ୍ୟ ବୟସର ବୃଦ୍ଧିରେ ସେମାନେ ସକ୍ଷମା ହୁଅନ୍ତି ଜନନୀ ହେବାକୁ ।’’

 

–‘‘ମୁଁ ସ୍ଵପ୍ନ ଦେଖୁନାହିଁ ତ ରଙ୍ଗବଲ୍ଲଭ ?’’

 

–‘‘ନାଁ...ନାଁ...ଏ ସ୍ଵପ୍ନର କାହାଣୀ ନୁହେଁ ତରୁଣ, ସତକଥା, ଆଇ. ଜି. ଗୋବର୍ଦ୍ଧନ ପଟ୍ଟନାୟକ ଆଜି ହିରୋ । ସମୟକ୍ରମେ ତୁ ନିଶ୍ଚୟ ସବୁ ଜାଣିବୁ ।’’

 

–‘‘ଆଇ.ଜି. ଗୋବର୍ଦ୍ଧନ ପଟ୍ଟନାୟକ ! କିନ୍ତୁ ସେ ଯେ ପୂର୍ଣ୍ଣ ବଯସ୍କ ବ୍ୟକ୍ତି ରଙ୍ଗବଲ୍ଲଭ ।’’

 

–‘‘ହଁ...ତରୁଣ ! ପ୍ରଥମେ ମୋର ଭ୍ରମ ହୋଇଥିଲା ଯେ ତୁ ଜୀବନବଲ୍ଲଭଙ୍କୁ ହତ୍ୟା କରିଛୁ । କିନ୍ତୁ ପରେ ଜାଣିଲି....’’

 

–‘‘କ’ଣ ଜାଣିଲୁ ?’’

 

–‘‘ଯାହା ତୁ ଜାଣିନାହୁଁ । ଅର୍ଥାତ୍‌ ଉର୍ମିଳାକୁ ଜୀବନବଲ୍ଲଭ ଓ ଗୋବର୍ଦ୍ଧନ ପଟ୍ଟନାୟକଙ୍କୁ ଭଲ ପାଉଥିଲେ । ଉର୍ମିଳା ଥିଲା ଏମାନଙ୍କର ଖେଳ ସାମଗ୍ରୀ । ସମୟକ୍ରମେ ଜୀବନବଲ୍ଲଭଙ୍କ ଉପସ୍ଥିତି ଗୋବର୍ଦ୍ଧନ ପଟ୍ଟନାୟକଙ୍କୁ ଆଘାତ ଦେଲା । ତେଣୁ ସେ ଚକ୍ରାନ୍ତ କରି ଉର୍ମିଳା ହାତରେ ହତ୍ୟା କରାଇଲେ ଜୀବନବଲ୍ଲଭଙ୍କୁ । ଗୋବର୍ଦ୍ଧନବାବୁ ଭାବିଛନ୍ତି ଯେ ସେ ଆଇ.ଜି. ବୋଲି ସମସ୍ତଙ୍କ ଆଖିରେ ଧୂଳି ଦେଇ ଖସିଯିବେ ।’’

 

ନିଜକୁ ଆଉ ସମ୍ଭାଳି ନ ପାରି ପ୍ରବଳ ବେଗରେ କାନ୍ଦି ଉଠିଲେ ତରୁଣକାନ୍ତ । କାନ୍ଥରେ ମୁଣ୍ଡଟାକୁ ଠୋ ଠା କରି ପିଟିଦେଇ କହିଲେ–‘‘ତା ହେଲେ ତୁ କହୁଛୁ...’’

 

–‘‘ହଁ...ମୁଁ କହୁଛି ଉର୍ମିଳା ଅନ୍ତଃସତ୍ତ୍ଵା ।’’

 

–‘‘ମିଛ...ମିଛ...ମୁଁ ଯେ ତଥାପି ବିଶ୍ଵାସ କରି ପାରୁନାହିଁ ରଙ୍ଗବଲ୍ଲଭ... ।’’

 

ଠିକ୍ ଏତିକିବେଳେ ଝଡ଼ବେଗରେ କୋଠରୀ ଭିତରକୁ ପ୍ରବେଶ କରି ଉର୍ମିଳା କହିଲା...‘‘ତୁମକୁ ବିଶ୍ୱାସ କରିବାକୁ ହେବ ଭାଇ ! ମୁଁ ଅନ୍ତସତ୍ତ୍ଵା ।’’

 

–‘‘ଉର୍ମିଳା !’’ କମ୍ପିଉଠିଲେ ତରୁଣକାନ୍ତ ।

 

–‘‘ମୁଁ କୋଠରୀ ବାହାରେ ଥାଇ ସବୁ ଶୁଣିଛି ଭାଇ । ରଙ୍ଗ ବାବୁଙ୍କ ଯୁକ୍ତି ଅକ୍ଷରେ ଅକ୍ଷରେ ସତ । ମୁଁ ଜୀବନବଲ୍ଲଭଙ୍କୁ ହତ୍ୟା କରିଛି । ମୁଁ ଅନ୍ତସତ୍ତ୍ଵା ।’’

 

ସ୍ଥିର ହୋଇ ବସି ପାରିଲେନି ତରୁଣକାନ୍ତ । ପ୍ରବଳ ବେଗରେ ଉଠିଯାଇ...ଠାଏ କରି ଚାପୁଡ଼ାଏ ମାରିଲେ ଉର୍ମିଳାକୁ ।

 

ଉର୍ମିଳା କାନ୍ଦିଲାନି, ଓଲଟି ନିର୍ଘାତ ହସି ହସି କହିଲା...

 

–‘‘ତୁମେ ଭାବୁଛ ମୁଁ କାନ୍ଦିବି ଭାଇ ? କନ୍ତୁ...ନାଁ...ନାଁ...ମୁଁ ମୋଟେ କାନ୍ଦିବିନି । ତୁମର ଏ ଚାପୁଡ଼ାଟା ଯେ ମୋ ଗର୍ଭ ନଷ୍ଟ କରିବାକୁ ଏକାନ୍ତ ଅକ୍ଷମ ।’’

 

–‘‘ଉର୍ମିଳା... ।’’

 

–‘‘ବିବାହ ପରେ ମୋର ପ୍ରଥମ ଗର୍ଭ ହୋଇଥିଲେ...ତୁମେ ମୋର ମନ ମୁତାବକ ଖିରୀ ପୁରୀ ସାଦ ଦେଇଥାନ୍ତ । ହେଲେ ବିବାହ ପୂର୍ବରୁ ମୋର ଗର୍ଭ ହୋଇଥିବାରୁ ତୁମର ଏଇ ଚାପୁଡ଼ାଟାକୁ ସାଦ ବୋଲି ଗ୍ରହଣ କରିନେଲି । ଏଇଟି ଯେ ମୋ ବଡ଼ ଭାଇଙ୍କ ଦାନ ତାଙ୍କୁ ଟିକି ଭଉଣୀକୁ । ମୁଁ ଦୁଃଖ କରିବି କାହିଁକି ?’’

 

କାତର ହୋଇ ପଡ଼ିଲେ ତରୁଣକାନ୍ତ । ଯେଉଁ ଭଉଣୀକୁ ସେ ଆଜିଯାଏ ଭୂଇଁରେ ଚାଲିବାକୁ ଛାଡ଼ି ନ ଥିଲେ, ସେଇ ଭଉଣୀ ଉପରକୁ ହାତ ଉଠାଇଲେ । ଏହାଠାରୁ ଆଉ ଦୁଃଖ କ’ଣ ଥାଇପାରେ ?

 

ବାରମ୍ବାର ନିଜ ହାତକୁ ଚାହିଁ ତରୁଣକାନ୍ତ ଧିକ୍କାର କରୁଥିଲେ ନିଜକୁ । କି ଭୁଲ୍ କଲା ଉର୍ମିଳା ? ଯୌବନର ଅପବ୍ୟବହାର କରିଛି...ଏଇ ତ ? ତେବେ ଗର୍ଭଧାରଣ କରିବା କ'ଣ ପାପ-? ନାଁ...ନାଁ...ସାମାଜିକ ସ୍ଵୀକୃତି ନ ନେଇ ଉର୍ମିଳା ଗର୍ଭଧାରଣ କରିଛି । ଏଇ ତାହେଲେ ତା’ର ଦୋଷ । ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣ କରିଥିଲେ...ଭାଇ ବନ୍ଧୁ...ନିମନ୍ତ୍ରିତ ହୋଇଥିଲେ...ଉର୍ମିଳାର ଏ କାମ କ’ଣ ଦୋଷ ବୋଲି ସାବ୍ୟସ୍ତ ହୋଇଥାନ୍ତା ?

 

ତରୁଣକାନ୍ତଙ୍କ ମନ ହାହାକାର କରି ଉଠିଲା । ତୁମେ ଆଜିଯାଏ କ’ଣ କରୁଥିଲ ତରୁଣକାନ୍ତ ! ଉର୍ମିଳାକୁ ପରା ତୁମେ ମଣିଷ କରିଛ ! ତା' ପେଟ ପିଠିକୁ ଚାହିଁ ଆହାର ଯୋଗାଇଛ-। ତେବେ ମନକୁ ଚାହିଁ ଦେହର ଆହାର ଯୋଗାଇବାକୁ ଅକ୍ଷମ ହୋଇ ପଡ଼ିଲ କାହିଁକି-?

 

ତରୁଣକାନ୍ତଙ୍କ ଅବସ୍ଥା ଦେଖି ରଙ୍ଗବଲ୍ଲଭ ନୀରବରେ କୋଠରୀରୁ ବାହାରି ଯାଇଥିଲେ-

 

ଉର୍ମିଳା ପୁଣି ସାହସ ବାନ୍ଧି କହିଲା...‘‘ଅସତୀ ଅନ୍ତଃସତ୍ତ୍ଵା ଭଉଣୀକୁ ଘରେ ରଖିବାକୁ କୁଣ୍ଠା ଲାଗୁଥିବ ଭାଇ । ମନରେ ମଧ୍ୟ ଯଥେଷ୍ଟ ଆଘାତ ଲାଗୁଥିବ । ଦିଅ...ଆଉ ଡେରି କରନାହିଁ । ମୁଁ ଜୀବନବଲ୍ଲଭଙ୍କୁ ହତ୍ୟା କରିଛି...ସାମାଜିକ ସ୍ଵୀକୃତି ନ ନେଇ ଅନ୍ତଃସତ୍ତ୍ଵା ହୋଇଛି । ମୋତେ ତୁମେ ପୋଲିସରେ ଧରାଇ ଦିଅ ।’’

 

‘‘ଉର୍ମିଳା !’’ ତରୁଣକାନ୍ତଙ୍କ ହୃଦୟ ସତେ ଯେପରି ଭାଙ୍ଗି ପଡ଼ିଲା । ସେ ଉର୍ମିଳାକୁ ଚାହିଁ ପାରୁ ନ ଥିଲେ । ଉର୍ମିଳା ଯେ ଏପରି କଠୋର ହୋଇ ଉତ୍ତର ଦେଇପାରେ...ଏହା ତାଙ୍କ କଳ୍ପନାର ବାହାରେ ଥିଲା ।

 

ନିଜକୁ ନିଜେ କେବଳ ବାରମ୍ବାର ବିଶ୍ଳେଷଣ କରୁଥିଲେ ତରୁଣକାନ୍ତ ।

 

ତାଙ୍କ ଆଖି ଆଗରେ ନାଚି ଉଠିଲା କାଳ୍ପନିକ ଜୀବନବଲ୍ଲଭଙ୍କ ସ୍ଵରୂପ । ତାତ୍ସଲ୍ୟକରି...ତରୁଣକାନ୍ତଙ୍କ ଆଡ଼େ ହାତଠାରି ସେ କହୁଥିଲେ...‘‘ତୁମେ ହାରିଗଲ ତରୁଣକାନ୍ତ, ମୁଁ ଜୟ କରିଗଲି । ମୋର ଅନୁରୋଧ ରକ୍ଷା ନ କରି ତୁମ ବାପା ଯେଉଁ ଭୁଲ୍ କରି ବସିଲେ...ତା’ର ପ୍ରତିବଦଳରେ ତାଙ୍କୁ ଭୀରୁ ଭଳି ଆତ୍ମହତ୍ୟା କରିବାକୁ ହେଲା । ଏଇ ଆତ୍ମହତ୍ୟା ପରେ ତୁମ ବାପାଙ୍କର ଆତ୍ମା ଆକାଶ ବତାସରେ ଉଡ଼ିବୁଲି ମୋତେ ଅଭିଶାପ ଦେଉଥିଲା, ତେଣୁ ପୁଣି ପ୍ରତିହିଂସା ପରାୟଣ ହୋଇ ଉଠିଲି ମୁଁ ।

 

ତାଙ୍କର ଶେଷ ସନ୍ତକ ତୁମେ ଓ ଉର୍ମିଳା । ଚକ୍ରାନ୍ତ କରି ଉର୍ମିଳାର ସତୀତ୍ଵକୁ ମୁଁ ଲୁଣ୍ଠନ କଲି । ଅବଶ୍ୟ ଶେଷରେ ଉର୍ମିଳା ହାତରେ ମୁଁ ପ୍ରାଣ ହରାଇଲି... । କିନ୍ତୁ ସଂସାରରେ ଆଉ କେତେଦିନ ବଞ୍ଚିଥାନ୍ତି କୁହ ? ଏମିତି ବେଳରେ ମୁଁ ବିଦାୟ ନେଇଛି...ଯେଉଁଥିରେ କି ତୁମେ ହତ୍ୟାକାରୀ ବୋଲି ଦଣ୍ଡିତ ହେବ ଓ ଉର୍ମିଳା ପତିତା ବୋଲି ସମାଜରୁ ବହିଷ୍କୃତା ହେବ ।

 

ତେଣୁ ମୁଁ ସମସ୍ତଙ୍କୁ ଜୟ କରିଗଲି ତରୁଣକାନ୍ତ । ଏବେ ଏହି ସ୍ଵର୍ଗ ରାଜ୍ୟରେ ତୁମ ବାପାଙ୍କ ସହିତ ସାକ୍ଷାତ ହେଲେ କହିବି...‘‘ତୁମେ କେବଳ ମୋତେ ଅପଦସ୍ତ କରିବାକୁ ଚେଷ୍ଟା କରିଥିଲ ଆନନ୍ଦ ବାବୁ ! ହେଲେ ମୁଁ ତୁମ ବଂଶର ସମସ୍ତଙ୍କୁ ଅପଦସ୍ତ କରି ପାରିଛି ।’’

 

ବଜ୍ର ମୁଷ୍ଠିରେ ନିଜର ଟେବୁଲଟାକୁ ଆଘାତ କଲେ ତରୁଣକାନ୍ତ । ପାଗଳଙ୍କ ପରି ପ୍ରଳାପ କରି ଉଠି କହିଲେ ‘‘ନାଁ...ନାଁ...ତୁ ଦୁଃଖ କର ନାଁ ଉର୍ମିଳା । ମୁଁ ତୋର ସମସ୍ତ ପାପ...ସମସ୍ତ ଅସାମାଜିକତାକୁ ମୁଣ୍ଡରେ ବହି ନିଜେ ଅପମାନିତ ହେବାକୁ ରାଜି, ତୁ...କହ...ଏ ହତ୍ୟା ତୁ କରିନାହୁଁ...ମୁଁ କରିଛି ।’’

 

ଧୀରେ ଆଖି ଉଠାଇଲା ଉର୍ମିଳା । ଭାଇଙ୍କ ଆଡ଼େ ଚାହିଁ କହିଲା...‘‘ନାଁ ଭାଇ ! ମୋତେ ତୁମେ ମୋର ମତ ବ୍ୟକ୍ତ କରିବାକୁ ଛାଡ଼ିଦିଅ । କାରଣ...ସମାଜରେ ମୁଁ ଯେ ଆଉ ନିରପରାଧିନୀ ହୋଇ ରହି ପାରିବି ନାହିଁ । ଅସତୀ ହୋଇ...ମାନ ସମ୍ମାନ ହରାଇ ପତିତାର ଜୀବନ ଯାପନ କରିବା ଅପେକ୍ଷା...ମୁଁ ଅପରାଧିନୀ ହୋଇ ଜେଲରେ ସଢ଼ିବା ଭଲ ।’’

 

–‘‘ନାଁ...ନାଁ...ଉମି ! ଅନ୍ତତ ତୋର ଅନାଗତ ସନ୍ତାନ ହେବ ଆମ ବଂଶର ଶେଷ ସନ୍ତକ-। ମୁଁ ତାକୁ ମୋ ତରଫରୁ ସ୍ୱୀକୃତି ଦେଉଛି ଉମି ! ତୁ ମୋ କଥାରେ ରାଜି ହୋଇ ଯା ।’’

 

ପୁଣି ଟିକେ ହସିଲା ଉର୍ମିଳା । କହିଲା.. ‘‘ପାଗଳଙ୍କ ପରି ତୁମେ ଏ କ’ଣ କହୁଛ ଭାଇ ? ମୁଁ ସିନା ସବୁ ଅପବାଦକୁ ମୁଣ୍ଡରେ ବହିନେବି...ହେଲେ ସନ୍ତାନ ଯେତେବେଳେ ସମାଜରୁ ତା’ର ପିତୃତ୍ଵ ଦାବୀ କରି ବସିବ...ସେତେବେଳେ କି ଉତ୍ତର ପାଇବ କୁହ ?’’

 

–‘‘ଗୋବର୍ଦ୍ଧନ ପଟ୍ଟନାୟକ କ’ଣ ଅସ୍ୱୀକାର କରିବେ ଉମି ?’’

 

–‘‘ନିଶ୍ଚୟ...କାରଣ ସେ ଯେ ସରକାରୀ କର୍ମଚାରୀ...ପୁଣି ପଦସ୍ଥ ଅଫିସର ।’’

 

–‘‘ଏ ସମାଜରେ କେହି କ’ଣ ସନ୍ତାନର ପିତୃତ୍ଵ କରିବାକୁ ରାଜି ହେବେ ନି ଉମି ?’’

 

ଭାଇଙ୍କ ନିର୍ବୋଧତା ପାଇଁ ସଂକୁଚିତା ହୋଇଗଲା ଉର୍ମିଳା । କହିଲା...‘‘କୌଣସି ନାରୀର ପତିତ୍ଵ ଗ୍ରହଣ କରିବାକୁ ଅନେକ ଯୁବକ ଆଗେଇ ଆସିବେ ଭାଇ ! ହେଲେ କୌଣସି ସନ୍ତାନର ପିତୃତ୍ଵ ଗ୍ରହଣ କରିବାକୁ କେହି ଆଗଭର ହେବେନାହିଁ । ଗୋଟିଏ ପିତୃ ପରିଚୟହୀନ ସନ୍ତାନକୁ ଜନ୍ମ ଦେଇ ମୁଁ ଯୁଗ ଯୁଗ ଧରି ତା’ର ଅଭିଶାପ ମୁଣ୍ଡରେ ମୁଣ୍ଡାଇବି କାହିଁକି ?’’

 

–‘‘ଜେଲକୁ ଗଲେ କ'ଣ ତୋର ସନ୍ତାନ ଜନ୍ମ ହେବନି ଉର୍ମିଳା ?’’

 

–‘‘ନାଁ...କାରଣ ମୁଁ ଗର୍ଭନଷ୍ଟ କରିବା ପରେ ଜେଲକୁ ଯିବି ।’’

 

–‘‘ତା ହେଲେ ଏ ପାପରୁ ମୁକ୍ତି ପାଇଁ...ତୁ...’’

 

–‘‘ଗର୍ଭ ନଷ୍ଟ କରିବି...ଏଇଆ ତ' କହୁଛ ? ଗର୍ଭ ନଷ୍ଟ ପରେ...ସମାଜ ସିନା କିଛି ନ ଜାଣିବ...ହେଲେ ମୁଁ ତ' ସତୀ ହୋଇ ପୁଣି ବିବାହ କରି ପାରିବି ନି ଭାଇ ।’’

 

–‘‘ତା ହେଲେ ତୁ କହୁଛୁ... ।’’

 

–‘‘ମୋର ଅନାଗତ ସନ୍ତାନର ପିତା ଆବଶ୍ୟକ ।’’

 

–‘‘ମୁଁ ଆଉ ତୋତେ କେମିତି ସାହାଯ୍ୟ କରି ପାରିବି ଉମି ?’’

 

‘‘ତୁମେ ଏ ସନ୍ତାନର ପିତା ହେଇ ପାରିବ ଭାଇ ?’’

 

‘‘ଉର୍ମିଳା !!!’’

 

‘‘ହଁ ଭାଇ ! ତୁମେ ସିନା ମୋର ସ୍ଵାମୀ ହେଇ ପାରିବନି...ହେଲେ...ମୋର ଅନାଗତ ସନ୍ତାନର ପାଳକ ପିତା ଭୂମିକାରେ ଅଭିନୟ କରିବାରେ ବାଧା କ'ଣ ଅଛି ?’’

 

ଠକ୍ ଠକ୍ ହୋଇ ତରୁଣକାନ୍ତଙ୍କ ଆଖିରୁ ଖସିପଡ଼ିଲା ଲୋତକ ।

 

ଉର୍ମିଳାର ମୁଣ୍ଡରେ ହାତ ବୁଲାଇ କହିଲେ...

 

–‘‘ମୁଁ ସେ ଗୁରୁଦାୟିତ୍ଵ ବହନ କରୁଛି ଉମି, ତୁ ମୋ ଉପରେ ଭରସା ରଖ ।’’

 

ହସି ଉଠିଲ ଉର୍ମିଳା ।

 

ତରୁଣକାନ୍ତଙ୍କ ଘରୁ ଫେରିବା ପରେ ରଙ୍ଗବଲ୍ଲଭ ସିଧା ଛୁଟି ଯାଇଥିଲେ ଅତିନ୍ଦ୍ରଙ୍କ ନିକଟକୁ । ହତ୍ୟା ସମ୍ପର୍କରେ ଉର୍ମିଳାର ସ୍ୱୀକାରୋକ୍ତି ଅତିନ୍ଦ୍ରଙ୍କୁ ଜଣାଇ ଦେବା ଥିଲା ତାଙ୍କର ଉଦ୍ଦେଶ୍ୟ ।

 

ଚିନ୍ତିତ ହୋଇ ଅତିନ୍ଦ୍ର କେବଳ ସାମନାକୁ ଅନାଇଥିଲେ । ଘର ଭିତରକୁ ପଶି ଯାଉ ଯାଉ ରଙ୍ଗବଲ୍ଲଭ କହିଲେ–‘‘ନମସ୍କାର ଅତିନ୍ଦ୍ର ବାବୁ !’’

 

ଅପ୍ରସ୍ତୁତ ହୋଇ ଉଠି ପ୍ରତିନମସ୍କାର ଜଣାଇଲେ ଅତିନ୍ଦ୍ର । ସାମନାରୁ ଗୋଟିଏ ଚୌକୀ ଝିଙ୍କି ବସିଗଲେ ରଙ୍ଗବଲ୍ଲଭ । ସାମାନ୍ୟ ହସର ରେଖା ଟାଣି କହିଲେ–‘‘ଗୋଟିଏ ମଜା ଖବର ଶୁଣିଲେଣି ଅତିନ୍ଦ୍ର ବାବୁ ?’’

 

ଟିକେ ବିରକ୍ତ ହୋଇ ଅତିନ୍ଦ୍ର କହିଲେ–‘‘ମଜା ଖବର ଶୁଣିବାରେ ମୋର ଆଉ ଆଗ୍ରହ ନାହିଁ ରଙ୍ଗବାବୁ । ସାମାନ୍ୟ କେତେଦିନ ଭିତରେ ଏତେ ଖରାପ ଶୁଣିଲିଣି ଯେ...ଆଉ ମଜା ଖବର ଶୁଣିବାରେ ମୋର ଇଚ୍ଛା ନାହିଁ ।’’

 

ସାମାନ୍ୟ ଆଘାତ ପାଇଲେ ରଙ୍ଗବଲ୍ଲଭ, କହିଲେ–‘‘କିନ୍ତୁ ମୁଁ ଯେଉଁ ଖବରଟି ନେଇ ଆସିଛି...ତାହା ଆପଣଙ୍କୁ ନିଶ୍ଚୟ ଖୁସି କରିବ ।’’

 

ବିରକ୍ତ ହୋଇ ଉଠି ଅତିନ୍ଦ୍ର କହିଲେ–‘‘ପୋଲିସ୍ ଯେଉଁ ଖବର ଦେବେ...ସେଥିରେ ଯେ ମଣିଷ ଖୁସି ହୋଇପାରେ...ଏ ବିଶ୍ଵାସ ମୋର ନାହିଁ ।’’

 

–‘‘ଅତଏବ ଆପଣ କହୁଛନ୍ତି...’’

 

–‘‘ନାଁ...ନାଁ...କିନ୍ତୁ, ଅତଏବ, ବରଂ, ସୁତରାଂର ପ୍ରଶ୍ନ ଉଠୁନାହିଁ । ଏ ହେଉଛି ମୋର ମନର କଥା ।’’

 

ରଙ୍ଗବଲ୍ଲଭଙ୍କୁ ଅତିନ୍ଦ୍ରଙ୍କ କଥା ଆଉ ଟିକେ ବାଧା ଦେଲା । ଚେୟାରରୁ ଉଠିପଡ଼ି ସେ କହିଲେ–‘‘ଆପଣଙ୍କର କ’ଣ ହୋଇଛି ଅତିନ୍ଦ୍ର ବାବୁ ! ମୁଁ ଯେ ଆପଣଙ୍କୁ ସାହାଯ୍ୟ କରିବାକୁ ଆସିଛି-।’’

 

–‘‘ଆପଣ ମୋତେ ସାହାଯ୍ୟ କରିବାକୁ ଆସିଛନ୍ତି, କିନ୍ତୁ ମୁଁ ତ କୌଣସି ବିପଦରେ ପଡ଼ିନାହିଁ । ଆପଣଙ୍କୁ ତ' ମୁଁ କିଛି ସାହାଯ୍ୟ ମାଗି ନାହିଁ ।’’

 

–‘‘ମୋର ମନେହୁଏ ଆପଣ ନିଶ୍ଚୟ ବିପଦରେ ପଡ଼ିଛନ୍ତି ।’’

 

–‘‘ମୁଁ ବିପଦରେ ପଡ଼ିଛି ? ଅର୍ଥାତ୍ ଆପଣ ଉର୍ମିଳାର ଯୁକ୍ତିକୁ ସତ ବୋଲି ଧରି ନେଇଛନ୍ତି ?’’

 

–‘‘ହଁ...ମୁଁ ଉର୍ମିଳାର ଯୁକ୍ତିକୁ ସତ ବୋଲି ଧରି ନେଇଛି, କାରଣ...ସେ ଯେ ନିଜ ମୁହଁରେ ସବୁକଥା ସ୍ୱୀକାର କରୁଛି ।’’

 

–‘‘ତେଣୁ ମୁଁ ଯାହା ସ୍ୱୀକାର କରିବି...ଆପଣ କ'ଣ ତାକୁ ନିରାଟ ସତ ବୋଲି ଧରିନେବେ ?’’

 

–‘‘ହଁ...ଅନ୍ତତ ଅନେକଟା ସତ ବୋଲି ଧରିନେବି ।’’

 

–‘‘ତାହେଲେ ମୁଁ ସତ କହୁଛି ରଙ୍ଗବଲ୍ଲଭ ବାବୁ ! ଉର୍ମିଳାର ଯୁକ୍ତି ନିପଟ ମିଛ ।’’

 

–‘‘ମାନେ ।’’

 

–‘‘ତା’ର କାହାଣୀ କପୋଳକଳ୍ପିତ ।’’

 

–‘‘ମାନେ ଆପଣ କହୁଛନ୍ତି ।’’

 

–‘‘ବିରୁପା ପୋଲ ବାବଦ ଟଙ୍କାକୁ ଆତ୍ମସାତ୍ କରିବାର କୌଣସି ଉଦ୍ଦେଶ୍ୟ ମୋର ନ ଥିଲା । ଉର୍ମିଳା ମିଛ ଅଭିଯୋଗ କରୁଛନ୍ତି ।’’

 

–‘‘ଆପଣ କ'ଣ କହୁଛନ୍ତି ଅତିନ୍ଦ୍ର ବାବୁ ?’’

 

–‘‘ମୁଁ ଠିକ୍ କହୁଛି ରଙ୍ଗବାବୁ ! ଉର୍ମିଳାର ଯୁକ୍ତି ମିଛ ।’’

 

–‘‘ତେବେ... !!’’

 

–‘‘ମୁଁ ଜୀବନବଲ୍ଲଭଙ୍କ ମୃତ୍ୟୁ ସମ୍ପର୍କରେ କିଛି ଜାଣିନାହିଁ ।’’

 

–‘‘ଆପଣ ଜାଣିଛନ୍ତି ବୋଲି କ'ଣ ଉର୍ମିଳା ଯୁକ୍ତି କରୁଛନ୍ତି ?’’

 

–‘‘ଜାଣି ନ ଜାଣିଲା ପରି ଯୁକ୍ତି କରନି ରଙ୍ଗବାବୁ ! ଆପଣଙ୍କୁ ନିଶ୍ଚୟ ଉର୍ମିଳା ସବୁକଥା କହିଥିବ ।’’

 

–‘‘ମୋତେ ବିଶ୍ଵାସ କରନ୍ତୁ ଅତିନ୍ଦ୍ର ବାବୁ ! ମୁଁ ଆଉ ଗୋଟିଏ ମଜା ଖବର ନେଇ ଆପଣଙ୍କ ନିକଟକୁ ଧାଇଁ ଆସିଛି ।’’

 

–‘‘କିନ୍ତୁ ଆପଣଙ୍କର ସେ ମଜା ଖବର ଯେ ଦୁଃଖ ଖବରରେ ପରିଣତ ହେବ ଏଥିରେ ସନ୍ଦେହ ନାହିଁ । କାରଣ ମୁଁ ଜାଣେ...ଆପଣ ଉର୍ମିଳାକୁ ଭଲ ପାଆନ୍ତି ।’’

 

–‘‘ନାଁ...ନାଁ, ଉର୍ମିଳା ଯେ ମୋତେ ଭଲ ପାଏନାହିଁ ଅତିନ୍ଦ୍ର ବାବୁ !’’

–‘‘ସେ କଥା ମଧ୍ୟ ମୋତେ ଅଜଣା ନାହିଁ । ଉର୍ମିଳା ଯଦି ଆପଣଙ୍କୁ ଭଲ ପାଉଥାନ୍ତା ତେବେ ଅବସ୍ଥା ଏପରି ଜଟିଳ ହୋଇ ନ ଥାନ୍ତା ।’’

–‘‘ମାନେ...’’

–‘‘ମାନେ–ଆପଣଙ୍କର ଜୀବନବଲ୍ଲଭଙ୍କ ସହିତ ଭଲ ପଡ଼ୁ ନ ଥିଲା ।’’

–‘‘ଆପଣ କ'ଣ କହୁଛନ୍ତି ଅତିନ୍ଦ୍ର ବାବୁ !’’

–‘‘ମୁଁ ଅନେକ ଖବର ସଂଗ୍ରହ କରି ପାରିଛି ନିଶ୍ଚୟ ! ମୋତେ କିଛି ଅଜଣା ନାହିଁ । ମୁଁ ଜାଣେ...ଆଦିବାସୀ ଅଞ୍ଚଳରେ ଜୀବନବଲ୍ଲଭ ଯେଉଁ ଏକସିଡେଣ୍ଟ କରିଥିଲେ...ସେଥିପାଇଁ ଆପଣ ତାଙ୍କୁ ଦୋଷୀ କରିବାକୁ ଚେଷ୍ଟା କରିଥିଲେ ।’’

–‘‘ମୁଁ ଯେ ଆଇନର ଦାସ ।’’

–‘‘ହଁ...ସେ କଥା ସତ । ତା'ଛଡ଼ା ତରୁଣକାନ୍ତଙ୍କ ସହିତ ଆପଣଙ୍କର ଘନିଷ୍ଠତା ଥିଲା...ତେଣୁ ଜୀବନବଲ୍ଲଭ ଆପଣଙ୍କୁ ସବୁବେଳେ ଶତ୍ରୁ ବୋଲି ଭାବୁଥିଲେ ।’’

–‘‘କିନ୍ତୁ ଏ ସବୁ କଥା ସହିତ ଜୀବନବଲ୍ଲଭଙ୍କ ମୃତ୍ୟୁର କି ସମ୍ପର୍କ ଥିଲା ଅତିନ୍ଦ୍ର ବାବୁ ?’’

–‘‘ସମ୍ପର୍କ ନିବିଡ଼ । କିନ୍ତୁ ସେ ସମ୍ପର୍କକୁ ପ୍ରତିଷ୍ଠା କରିବା ହିଁ କଷ୍ଟକର ।’’

–‘‘ଅତଏବ ଆପଣ କହୁଛନ୍ତି...’’

–‘‘ନାଁ...କହିନାହିଁ । କହିବାକୁ ଯାଉଛି ମାତ୍ର । ତରୁଣଙ୍କ ସହିତ ବନ୍ଧୁତା ରକ୍ଷାକରି ଆପଣ ଚାହୁଁଥିଲେ ଉର୍ମିଳାକୁ । କିନ୍ତୁ ଏହା ଜୀବନବଲ୍ଲଭଙ୍କ ନିକଟରେ ଅସହ୍ୟ ହେଲା ।’’

–‘‘କାହିଁକି ? ଜୀବନବଲ୍ଲଭ ଏ ସମ୍ପର୍କ ନ ଚାହିଁବାର କାରଣ କ’ଣ ?’’

–‘‘କାରଣ...କୌଣସି ପୋଲିସ ଅଫିସର ତରୁଣକାନ୍ତଙ୍କର ଘନିଷ୍ଠ ନ ହେଉ...ଏହା ଥିଲା ତାଙ୍କର କାମନା । ଆପଣ ଉର୍ମିଳା ସହିତ ସମ୍ପର୍କ ରଖିଥିଲେ ଅବସ୍ଥା ଗୋଳମାଳ ହୋଇଥାନ୍ତା-। ସେ ଠିକ୍ ଜାଣିଥିଲେ ଯେ–ଦିନେ ନା ଦିନେ ଉର୍ମିଳା ଓ ତରୁଣକାନ୍ତ ତାଙ୍କ ବିରୁଦ୍ଧରେ ଠିଆ ହେବେ-।’’

–‘‘ଏ ସବୁ କଥା ମୋତେ ନୂଆ ଲାଗୁଛି । '

–‘‘କିନ୍ତୁ ଘଟଣା ଗୁଡ଼ିକ ନିଶ୍ଚୟ ଅତି ପୁରୁଣା । ସେଥିପାଇଁ କାଦମ୍ବରୀଙ୍କ ଜରିଆରେ ଜୀବନବଲ୍ଲଭ ଆପଣଙ୍କ ବିରୁଦ୍ଧରେ ଉର୍ମିଳାର ମନକୁ ବିଷାକ୍ତ କରୁଥିଲେ ।’’

–‘‘କିନ୍ତୁ ମୁଁ ସତ କହୁଛି ଅତିନ୍ଦ୍ରବାବୁ ! ଏସବୁ କଥା କିଛି ଜାଣି ନ ଥିଲି ।’’

–‘‘ଆପଣ ସବୁ ଜାଣିଥିଲେ ।’’

–‘‘ମିଛ କହୁଛନ୍ତି ।’’

–‘‘ଆଚ୍ଛା କହନ୍ତୁ ଜୀବନବଲ୍ଲଭଙ୍କ ମୃତ୍ୟୁ ଦିନ...ଆପଣ ତାଙ୍କ ନିକଟକୁ ଆସିଥିଲେ କି ନାହିଁ ?’’

 

–‘‘ହଁ ଆସିଥିଲି ?’’

 

–‘‘କେଉଁଠି କେମିତି କାର୍ଯ୍ୟ ସାଧିତ ହେବ...ଆପଣ ତାହା ହିଁ ଦେଖିବାକୁ ଆସିଥିଲେ ।’’

 

–‘‘ମାନେ ଆପଣ କହୁଛନ୍ତି...’’

 

–‘‘ନିଃସନ୍ଦେହରେ ମୁଁ କହୁଛି ରଙ୍ଗବାବୁ ! ଆପଣହିଁ ଜୀବନବଲ୍ଲଭଙ୍କୁ ହତ୍ୟା କରିଛନ୍ତି । ଆପଣ ଭାବିଥିଲେ...ପୋଲିସ ଅଫିସରଙ୍କୁ କେହି ସନ୍ଦେହ କରିବେ ନାହିଁ । କିନ୍ତୁ ମୁଁ ଯେ ତୀକ୍ଷ୍ଣ ଦୃଷ୍ଟି ରଖିଥିଲି ।’’

 

–‘‘ମିଛ...ମିଛ...ଅତିନ୍ଦ୍ରବାବୁ ।’’

 

–‘‘ଅତିନ୍ଦ୍ର କପୋଳ କଳ୍ପିତ କାହାଣୀ ଗପେ ନାହିଁ ! ଆପଣଙ୍କର ବେଶ୍ ମନେଥିବ ଯେ ଆଦିବାସୀ ଅଞ୍ଚଳରେ ସେହି ଯେଉଁ ଏକସିଡ଼େଣ୍ଟ ହୋଇଥିଲା...ସେଥିରୁ ରକ୍ଷା ପାଇବା ପାଇଁ ଜୀବନବଲ୍ଲଭ ଆପଣଙ୍କୁ ତିନି ହଜାର ଟଙ୍କା ଲାଞ୍ଚ ଦେଇଥିଲେ ।’’

 

–‘‘ନାଁ...ନାଁ...ଆପଣ ମିଛ କହୁଛନ୍ତି ଅତିନ୍ଦ୍ରବାବୁ ।’’

 

–‘‘ମୁଁ ଜୀବନବାବୁଙ୍କ ପାର୍ଟନର ! ତେଣୁ ସବୁ ହିସାବ ମୋ ପାଖକୁ ଆସିଛି । କିନ୍ତୁ ଆଉ ଗୋଟିଏ କଥା ମଧ୍ୟ ଜାଣିଥିବେ ଯେ–ଜୀବନବଲ୍ଲଭ ଯାହାକୁ ଲାଞ୍ଚ ଦିଅନ୍ତି...ତାକୁ ସହଜରେ ଛାଡ଼ନ୍ତି ନାହିଁ । ସେହି ଟଙ୍କା ପୁଣି ଆଦାୟ ପର୍ଯ୍ୟନ୍ତ ତାଙ୍କ ପଛରେ ଲାଗି ଥାଆନ୍ତି । ତେଣୁ ଆପଣଙ୍କୁ ବିପଦରେ ପକାଇବା ଲାଗି ସେ ଆଇ. ଜି. ଗୋବର୍ଦ୍ଧନ ପଟ୍ଟନାୟକଙ୍କ ସହିତ ପରାମର୍ଶ କରୁଥିଲେ-।’’

 

–‘‘କିନ୍ତୁ ଏତେକଥା ମୋତେ ମୋଟେ ଜଣା ନାହିଁ ଅତିନ୍ଦ୍ର ବାବୁ !’’

 

–‘‘ମୋ ପାଖରେ କିଛି ଲୁଚାଇ ଲାଭ ନାହିଁ ଆଜ୍ଞା ! ମୁଁ ଭଲ ଭାବରେ ଜାଣେ...ଆପଣ ସେହି ରାଗରେ ଜୀନବଲ୍ଲଭଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି ।’’

 

–‘‘ଅତିନ୍ଦ୍ରବାବୁ ।’’

 

–‘‘ଆଉ କିଛି କଥା ଲୁଚି ରହି ପାରିବନି ! ନିଶ୍ଚୟ ଦିନେ ନା ଦିନେ ସବୁ ପଦାରେ ପଡ଼ିଯିବ ।’’

 

ବ୍ୟସ୍ତ ହୋଇ ପଦଚାରଣ କଲେ ରଙ୍ଗବଲ୍ଲଭ । ତାଙ୍କ ଆଖିରୁ ସତେ ଯେମିତି ଅଗ୍ନି ବର୍ଷୁଥିଲା । ପୋଲିସ ଜୀବନରେ ଏଇ ତାଙ୍କର ପ୍ରଥମ ପରାଜୟ । ସେ ସହ୍ୟ କରନ୍ତେ କେମିତି ? ଦାନ୍ତ କାମୁଡ଼ି ନିଜକୁ ନିଜେ ଧିକ୍କାର କରୁଥିଲେ ସେ । ନିଜେ ଜୀବନବଲ୍ଲଭଙ୍କ ହତ୍ୟା ପାଇଁ ଦାୟୀ । କଥାଟା ଚିନ୍ତା କଲାବେଳକୁ ତାଙ୍କ ମୁଣ୍ଡ ଘୂରି ଯାଉଥିଲା । ମନେ ହେଉଥିଲା...ସେହି ମୁହୂର୍ତ୍ତରେ ସେ ଅତିନ୍ଦ୍ରଙ୍କୁ ହତ୍ୟା କରନ୍ତେ । ନଚେତ୍ ମିଛ ବୟାନ ପାଇଁ ପୋଲିସ ହାଜତରେ ଭର୍ତ୍ତିକରି ଦିଅନ୍ତେ । କିନ୍ତୁ... । ନାଁ...ତାଙ୍କ ମୁଣ୍ଡ ଆହୁରି ଗୋଳମାଳ ହୋଇ ଯାଉଛି । ଆଖି ଆଗରେ ନାଚି ଉଠୁଛି ଉର୍ମିଳାର ସ୍ଵରୂପ ।

 

ଏଇ କିଛି ସମୟ ଆଗରୁ ଯେ ଉର୍ମିଳା କହିଥିଲା...‘‘ମୁଁ ନିଜେ ଜୀବନବଲ୍ଲଭଙ୍କୁ ହତ୍ୟା କରିଛି ।’’ ତେବେ... ।

 

ସବୁ କେବଳ ଚକ୍ରାନ୍ତ ସେ ଶହ ଶହ ଚକ୍ରାନ୍ତର ଆବିଷ୍କାର କରି ଦୋଷୀକୁ ଦଣ୍ଡ ଦେଉଛନ୍ତି । କିନ୍ତୁ ଆଜି ନିଜେ ଚକ୍ରାନ୍ତରେ ପଡ଼ି ଯାଇଛନ୍ତି ।

 

ବ୍ୟସ୍ତ ହୋଇ ରଙ୍ଗବଲ୍ଲଭ ବାହାରିଗଲେ ପଦାକୁ ।

 

ସେଇଠି ସେମିତି ବସି ରହି ଅତିନ୍ଦ୍ର ଚାହିଁ ରହିଥିଲେ ରଙ୍ଗବଲ୍ଲଭଙ୍କ ଗତିପଥକୁ । ଆଜି ଅତିନ୍ଦ୍ର ଜଣେ ଦାର୍ଶନିକ ହୋଇ ଉଠିଛନ୍ତି । ତାଙ୍କ ଆଖି ଆଗରେ ପ୍ରହେଳିକା ସୃଷ୍ଟି କରିଛି ଜୀବନବଲ୍ଲଭଙ୍କ ହତ୍ୟା ।

 

ପୁଣି ନିଜକୁ ନିଜେ ପ୍ରଶ୍ନ କରୁଛନ୍ତି ସେ...‘‘ତେବେ ବାସ୍ତବିକ୍ ତାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? ତରୁଣକାନ୍ତ ? ଉର୍ମିଳା ? ରଙ୍ଗବଲ୍ଲଭ ? ବୋଉ ମନ୍ଦାକିନୀ ? ଅଥବା ସେ ନିଜେ ?

 

ନାଁ...କିଛି ବୁଝି ହେଉନାହିଁ । ଆହୁରି ଗବେଷଣା ଆବଶ୍ୟକ । କାତର ହୋଇ ମୁଣ୍ଡ ଆଉଁଶିଲେ ଅତିନ୍ଦ୍ର ।

 

ଏଇ କେତେଦିନ ହେଲା ଏକରକମର କଲେଜରୁ ଛୁଟି ନେଇ ଘରେ ରହିଛନ୍ତି ତରୁଣକାନ୍ତ । ମନରେ କେବଳ ସେହି ଗୋଟିଏ ଚିନ୍ତା । ସତେ କ’ଣ ନିଜେ ସେ ଜୀବନବଲ୍ଲଭଙ୍କ ମୃତ୍ୟୁ ପାଇଁ ଦାୟୀ ହେବେ ? ନିଜେ ଏ ସମସ୍ୟାର ସମାଧାନ କରି ପାରୁ ନାହାନ୍ତି ସେ । ଅନେକ ସମୟରେ ତାଙ୍କ ସନ୍ଦେହୀ ମନ କହୁଛି...ହଁ...ମୁଁ ଜୀବନବଲ୍ଲଭଙ୍କ ମୃତ୍ୟୁ ପାଇଁ ଦାୟୀ ହୋଇପାରେ-। ମଣିଷ ଯାହା...ଚାହେଁ ବା କରେ...ତା’ ଯେ ଅନ୍ୟର ମୃତ୍ୟୁର କାରଣ ହେବନାହିଁ ତାହା କିଏ କହିବ ? ତା' ଛଡ଼ା ପ୍ରାଣ ଠାରୁ ଅଧିକ ଆପଣାର ଶ୍ରଦ୍ଧେୟା ଭଉଣୀ କଥା ଚିନ୍ତା କଲାବେଳକୁ...ସେ କାତର ହୋଇ ଉଠୁଛନ୍ତି । ମନ କହୁଛି...ନିଜେ ଖୁନୀ ବୋଲି ପରିଚୟ ଦେବାରେ ଆପତ୍ତି ନାହିଁ-। ଏତକ ନ ହେଲେ, ଭଉଣୀ ପାଇଁ ମୁଁ କି ସ୍ଵାର୍ଥତ୍ୟାଗ କଲି ?

 

କୌଣସି ଏକ ସମାଧାନରେ ପହଞ୍ଚି ପାରୁ ନାହାନ୍ତି, ତରୁଣକାନ୍ତ । ଦିନକୁ ଦିନ ଚିନ୍ତାରେ ସ୍ୱାସ୍ଥ୍ୟହାନୀ ହେବାରେ ଲାଗିଛି ।

 

ବେଳେ ବେଳେ ତରୁଣକାନ୍ତଙ୍କ ନିକଟକୁ ଆସି ସାହସ ଦେଉଛି ଉର୍ମିଳା । ‘‘ତୁମେ ଭୟ କରନି ଭାଇ ! ମୁଁ ସବୁ ବିପଦକୁ ମୁଣ୍ଡରେ ବହି ନେଇ ପାରିବି । ତୁମେ ହସି ହସି ମୋତେ ଦୋଷୀ ବୋଲି ଅଭିଯୁକ୍ତ କର ।’’

 

ଉର୍ମିଳାର ଯୁକ୍ତି ଶୁଣିବା ମାତ୍ରେ ଓଲଟି ତରୁଣକାନ୍ତ ଆହୁରି ଭାଙ୍ଗି ପଡ଼ୁଛନ୍ତି । ତାଙ୍କ ଆଗରେ ନାଚି ଉଠୁଛି ପିତା ଆନନ୍ଦଙ୍କ ସ୍ଵରୁପ । କେବଳ ବସି ବସି ଅନବରତ କାନ୍ଦିବାରେ ଲାଗୁଛନ୍ତି ସେ ।

 

ଉର୍ମିଳା କିନ୍ତୁ ଏ ଅନୁତାପକୁ ପସନ୍ଦ କରୁନାହିଁ । ସଦାବେଳେ ସେମିତି ବେଖାତିର ଭାବ ଦେଖାଇ କହୁଛି...‘‘ ତୁମେ ଚିନ୍ତା କରନି ଭାଇ ! ତୁମେ ପଛାଇ ଗଲେ ଯେ ମୋର ସମସ୍ତ କଳ୍ପନା ପଣ୍ଡ ହୋଇଯିବ ।’’

 

ବେଳେ ବେଳେ ଉର୍ମିଳାର କଥା ଶୁଣି ସାହସ ବାନ୍ଧୁଛନ୍ତି ତରୁଣକାନ୍ତ । କିନ୍ତୁ ପୁଣି ପର ମୂହୁର୍ତ୍ତରେ ତାଙ୍କୁ ଆଚ୍ଛନ୍ନ କରୁଛି ଭୀରୁତା । ସେ ପଳାୟନପନ୍ଥୀ ମଣିଷ ପରି ଲୁଚି ରହିବାକୁ ଚେଷ୍ଟା କରୁଛନ୍ତି ନିଜର କୋଠରୀ ଭିତରେ । ଅନେକ ସମୟରେ ସେ ଅନୁଭବ କରୁଛନ୍ତି...ମୁଁ ଖୁନୀ ! ମୁଁ ମଡ଼ରର । ଲୋକେ ମୋତେ ଘୃଣା କରନ୍ତି...ମୋତେ ପରିହାସ କରନ୍ତି...ମୁଁ କାହାରି ସମ୍ମୁଖକୁ ନ ଯିବା ଉଚିତ୍‌ ।

 

ଠିକ୍‌ ସେହିପରି ଉର୍ମିଳା ଚିନ୍ତାକରେ...ମୁଁ ଖୁନୀ ! ମୋତେ ଏକତ୍ରିତ ହୋଇ ସମସ୍ତେ ଅଭିଯୁକ୍ତ କରନ୍ତୁ ଖୁନୀ ବୋଲି । ତା’ ହେଲେ ପୋଲିସ ପ୍ରମାଣ କରିବାକୁ ଅଧିକ ପରିଶ୍ରମ ଦରକାର ହେବନାହିଁ । ସେଥିପାଇଁ ସେ ମୁହୂର୍ତ୍ତେ ହେଲେ ଘରେ ରହିବାକୁ ପସନ୍ଦ କରେ ନାହିଁ ।

 

ପୂର୍ବରୁ କିନ୍ତୁ କଲେଜ ସମୟ ଛାଡ଼ିଦେଲେ ଉର୍ମିଳା କେବେ ବାହାରକୁ ଯାଉ ନ ଥିଲା । ସଦାବେଳେ ସେଇ ଘରେ ବସି ଭାଇଙ୍କ ବରାଦକୁ ଚାତକ ପରି ଚାହିଁଥିଲା । ଏବେ ଘରେ ତାକୁ ଦେଖିବାକୁ ମିଳୁନାହିଁ । ରାତିପର୍ଯ୍ୟନ୍ତ କେବଳ ବାହାରେ । ଏଥିପାଇଁ ଅନେକ ଉର୍ମିଳା ପ୍ରତି ଅଶ୍ଳୀଳ ଆକ୍ଷେପ କରୁଛନ୍ତି...ଥଟ୍ଟା କରୁଛନ୍ତି...ଆଖି ମାରୁଛନ୍ତି । ପ୍ରତ୍ୟେକ ଝିଅଙ୍କୁ ଯେ ଏମିତି ଅନେକ ଆକ୍ଷେପ ସହିବାକୁ ପଡ଼େ, ଏଥିରେ ସନ୍ଦେହ ନାହିଁ । ତେଣୁ ବାହାରେ ସମୟ କାଟିବାକୁ ଉର୍ମିଳା ପସନ୍ଦ କରୁ ନ ଥିଲା । ଏବେ ସହସ୍ର କଟାକ୍ଷ ଆଘାତରେ ସେ ଶରବିନ୍ଧା ହରିଣୀ ପରି, ଘାଉଲା ହୋଇ ବଞ୍ଚି ରହିବାକୁ ଚାହେଁ ।

 

ଏହା ମୂଳରେ ତା’ର ଉଦ୍ଦେଶ୍ୟ କ'ଣ ସେ ନିଜେ ବି ଜାଣୁନାହିଁ । ସବୁ କରୁଛି କେବଳ ଭାଇଙ୍କ ପାଇଁ ।

 

ତରୁଣକାନ୍ତଙ୍କୁ ଅଗାଧ ସ୍ନେହ କରୁଥିଲା ଉର୍ମିଳା । ଆଜି ସେହି ସ୍ନେହର ପ୍ରତିଦାନ ସେ ଦେବାକୁ ଚାହେଁ । ଦିନେ ଦୁର୍ବଳ ମୁହୂର୍ତ୍ତରେ ସେ ଆତ୍ମପକ୍ଷ ସମର୍ଥନ କରି ରଙ୍ଗବଲ୍ଲଭଙ୍କ ନିକଟରେ ଭାଇଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲା । ଆଜି କିନ୍ତୁ ନିଜ ଭୁଲ୍‌ ସେ ନିଜେ ବୁଝି ନେଇଛି । ତେଣୁ ନିଜକୁ ତିଳ ତିଳ ନଷ୍ଟକରି ସେ ଚାହେଁ...ତରୁଣକାନ୍ତଙ୍କର ନିର୍ମଳ, ନିଷ୍କଳଙ୍କ ଭବିଷ୍ୟତ । ସେ ସ୍ଵେଚ୍ଛାଚାରିଣୀ ନୁହେଁ...ଅନୁରକ୍ତା ଭଉଣୀ ।

 

ଏଣେ ନିଜର ଅଧ୍ୟାପନା ପ୍ରତି ମଧ୍ୟ ସଜାଗ ହୋଇ ପାରୁ ନାହାନ୍ତି ଅଧ୍ୟକ୍ଷା ମନ୍ଦାକିନୀ । ଶ୍ରେଣୀରେ ଭାଷଣ ଦେଉଥିଲାବେଳେ କେତେବେଳେ କ’ଣ କହୁଛନ୍ତି–ତ ର କିଛି ଠିକ୍‌ଠିକଣା ନାହିଁ-। ଛାତ୍ରୀମାନେ ଭାବୁଛନ୍ତି...ଦିଦିଙ୍କ ମୁଣ୍ଡ ଗୋଳମାଳ ହୋଇଗଲାଣି । ମୁହଁରେ କିଛି ନ କହି କେବଳ ମନେ ମନେ ହସୁଛନ୍ତି ସେମାନେ ।

 

ଚିନ୍ତିତା ମନ୍ଦାକିନୀଙ୍କ ମାନସ ପଟରେ ନାଚିଉଠୁଛି ଯୁବକ ଜୀବନବଲ୍ଲଭଙ୍କ ପ୍ରତିଛବି । ବାରମ୍ବାର ଅଭିଯୋଗ କରୁଛନ୍ତି ସେ । ତୁମେ ଖୁନୀ ମନ୍ଦାକିନୀ...ତୁମେ ମଡ଼ରର । ପ୍ରଥମେ ପ୍ରଥମେ ଏ ଯୁକ୍ତିର ପ୍ରତିବାଦ କରୁଥିଲେ ସେ । ଏବେ କିନ୍ତୁ ପାରୁ ନାହାନ୍ତି । ତାଙ୍କ ଆଖି ଆଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି ଆଦରର ପୁତ୍ର ଅତିନ୍ଦ୍ରର ଭବିଷ୍ୟତ । ମାଆ ସେ, ସମସ୍ତ ଦୁଃଖ ନିର୍ଯାତନା, ଅପମାନକୁ ମୁଣ୍ଡରେ ବହି ପୁଅକୁ ବଞ୍ଚାଇବାର ଚେଷ୍ଟା ତାଙ୍କ ମନ ଭିତରେ ଦୃଢ଼ ଆସନପାତୁଛି ।

 

ନିଜକୁ ନିଜେ ସେ ଦୋଷୀକରି ବଞ୍ଚି ରହିବାକୁ ଚାହାନ୍ତି । ସମସ୍ତ ଅପମାନ ନିର୍ଯାତନାର ଶିକାର ହେବାକୁ ଚାହାନ୍ତି । କିନ୍ତୁ...ନା...ପୁଅ ଅତିନ୍ଦ୍ରକୁ ଦୋଷୀକରି ସେ ବଞ୍ଚିବାକୁ ଚାହାନ୍ତି ନାହିଁ ।

 

ଏଇ ଚିନ୍ତା ହିଁ ତାଙ୍କ ମେରୁଦଣ୍ଡକୁ ଦିନକୁ ଦିନ ଭାଙ୍ଗି ପକାଇବାରେ ଲାଗିଛି ।

 

ଦୀର୍ଘନିଃଶ୍ଵାସ ଛାଡ଼ୁଛନ୍ତି ମନ୍ଦାକିନୀ ।

 

ଠିକ୍‌ ସେହିପରି ନିଜର କାମଧନ୍ଦା ଛାଡ଼ି କେବଳ ଘର ଭିତରେ ବସି ରହିଛି ଅତିନ୍ଦ୍ର । ତାଙ୍କ ଆଖି ଆଗରେ ଚହଲି ଉଠୁଛି ଅନାଗତ ଭବିଷ୍ୟତର କଳଙ୍କମୟ ପୃଷ୍ଠାରାଜି । ‘‘ସତେ କ’ଣ ସେ ଜୀବନବଲ୍ଲଭଙ୍କ ମୃତ୍ୟୁ ପାଇଁ ଦାୟୀ ?’’ କଳ୍ପନା ଗୋଳମାଳ ହୋଇ ଯାଉଛି । ପର ମୁହୂର୍ତ୍ତରେ ଆଦରଣୀୟା ମାଆଙ୍କ ଭାଗ୍ୟ ତାଙ୍କ ଆଖିଆଗରେ ଚମକ ସୃଷ୍ଟି କରୁଛି । ମନ୍ଦାକିନୀ କେବଳ ଅତିନ୍ଦ୍ରଙ୍କ ମାଆ ନୁହଁନ୍ତି...ସମାଜର ଜଣେ ପ୍ରତିଷ୍ଠାତା ମହିଳା..ଖ୍ୟାତନାମା ଅଧ୍ୟାପିକା । ତାଙ୍କ ଚରିତ୍ରରେ କଳଙ୍କ ବୋଳିଦେଇ କ’ଣ ଅତିନ୍ଦ୍ର ବଞ୍ଚିପାରେ ?

 

ନାଁ...ସମସ୍ତ ଦୁଃଖକୁ ବହନ କରି ତାଙ୍କୁ ଦୋଷମୁକ୍ତ କରିବାକୁ ହେବ ।

 

ଅତିନ୍ଦ୍ରଙ୍କର ଏ ଚିନ୍ତାଶୀଳ ମନ ଦେଖି ନିଜକୁ ସମ୍ଭାଳି ନ ପାରି ଅନେକ ସମୟରେ ସମବେଦନା ଜଣାଇବାକୁ ଆସୁଛନ୍ତି ମନ୍ଦାକିନୀ । କିନ୍ତୁ କିଛି ମୁହଁଖୋଲି କହିବା ତାଙ୍କ ନିକଟରେ ସମ୍ଭବ ହେଉନାହିଁ । ପୁଣି ସେ ଫେରି ଯାଉଛନ୍ତି ନିଜର କୋଠରୀକୁ । ଅନ୍ୟ ଦିନ ହୋଇଥିଲେ...ମନ୍ଦାକିନୀ ଅତିନ୍ଦ୍ରଙ୍କ ନିକଟରେ ବସନ୍ତେ...ବାରକଥା ପଚାରି ଅତିନ୍ଦ୍ରଙ୍କୁ ସାନ୍ତ୍ଵନା ଦିଅନ୍ତେ, କିନ୍ତୁ ଆଜି...

 

ଜଡ଼ ହୋଇ ଯାଉଛି ମନ୍ଦାକିନୀଙ୍କ ବାକ୍‌ଶକ୍ତି ।

 

ମନ୍ଦାକିନୀଙ୍କର ଏ ଅବସ୍ଥା ଅଧିକ ଆଘାତ ହେଉଛି ଅତିନ୍ଦ୍ରଙ୍କୁ । ସମୟ ବିଶେଷରେ ମୁହଁରେ ହାତ ଦେଇ କାନ୍ଦିବାରେ ଲାଗୁଛନ୍ତି ସେ । ଦୁଃସାହସୀ ଅତିନ୍ଦ୍ର । କୌଣସି ଅସମ୍ଭବ କାର୍ଯ୍ୟରେ ହାତଦେବା ତାଙ୍କ ନିକଟରେ ଅସମ୍ଭବ ନୁହେଁ । କିନ୍ତୁ ଆଜି ସେ ଭୀରୁ ଭଳି ଲୁଚି ରହିଛନ୍ତି କୋଠରୀ ଭିତରେ । ଆତ୍ମପକ୍ଷ ସମର୍ଥନ କରିବାକୁ ସାହସ ବା ଧୈର୍ଯ୍ୟ ନାହିଁ ।

 

ଏଣେ ରଙ୍ଗବଲ୍ଲଭ ମଧ୍ୟ ସମଯଶା ଭୋଗ କରୁଛନ୍ତି ।

 

ଅତିନ୍ଦ୍ରଙ୍କ ଅଭିଯୋଗ ପରେ ସେ ଭୀରୁ ହୋଇଯାଇଛନ୍ତି କହିଲେ ଚଳେ । ସାଧାରଣ ନିତିଦିନିଆ ସରକାରୀ କାର୍ଯ୍ୟରେ ଆଗେଇ ଯିବାକୁ ତାଙ୍କର ଆଉ ଧୈର୍ଯ୍ୟ ବା ସାହସ ନାହିଁ ।

 

ମନେ ମନେ ନିଜକୁ ବିଶ୍ଳେଷଣ କରୁଛନ୍ତି ସେ । ମୁଁ କ’ଣ ସତରେ ଜୀବନବଲ୍ଲଭଙ୍କ ମୃତ୍ୟୁପାଇଁ ଦାୟୀ ? କଳ୍ପନାର ଆଦିଅନ୍ତ ରହୁନାହିଁ ! ପୋଲିସ୍‌ ପୋଷାକକୁ ଫିଙ୍ଗି ଦେଇ ଆତ୍ମଗୋପନ କରି ପଳାଇବାକୁ ଇଚ୍ଛା କରୁଛନ୍ତି ସେ । କିନ୍ତୁ ପର ମୁହୂର୍ତ୍ତରେ ଏ ଭୀରୁତା ବିରୁଦ୍ଧରେ ସେ ସାହସ ବାନ୍ଧୁଛନ୍ତି । ଅବସ୍ଥାର ମୁକାବିଲା କରିବାକୁ ମନ ଦୃଢ଼ କରୁଛନ୍ତି । ନଟୁ କଣ୍ଡାପରି ଏମିତି ଗଡ଼ିଚାଲିଛି...ସମସ୍ତଙ୍କ ଭାଗ୍ୟ ।

ସେ ଦିନ ବାରବାଟୀ କିଲାପଡ଼ିଆରେ ଏକ ବିରାଟ ଗୋ କୃଷୀ ପ୍ରଦର୍ଶନୀର ଆୟୋଜନ ହୋଇଥିଲା । ବିଭିନ୍ନ ସରକାରୀ ବିଭାଗ ତରଫରୁ ଷ୍ଟଲ୍‌ମାନ ଖୋଲା ଯାଇଥିଲା । ଶହ ଶହ ଦର୍ଶକ ଧାଡ଼ିବାନ୍ଧି ଧାଇଁଥିଲେ ପ୍ରଦର୍ଶନୀ ଦେଖିବାକୁ ।

ଏତିକିବେଳେ ତରୁଣକାନ୍ତଙ୍କ କୋଠରୀକୁ ପଶିଆସିଲା ଉର୍ମିଳା । ଭାଇଙ୍କୁ ଚିନ୍ତିତ ଅବସ୍ଥାରେ ଦେଖି କହିଲା...’’ କ’ଣ ଏମିତି ତୁମେ ଦିନ ରାତି ଭାବୁଛ ଭାଇ ? ତୁମେ ଯଦି ଝିଅଙ୍କ ପରି ଦୁର୍ବଳ ହୋଇପଡ଼... ତେବେ ମୁଁ କ’ଣ କରିବି କୁହ ?’’

ଉର୍ମିଳାର ଯୁକ୍ତି ଶୁଣି ସାମାନ୍ୟ ଚମକି ପଡ଼ିଲେ ତରୁଣକାନ୍ତ । ଉର୍ମିଳା ଠିକ୍‌ କହୁଛି, ଦୁର୍ବଳତା ମଣିଷର ସବୁଠାରୁ ବଡ଼ ବ୍ୟାଧି । ସାହସ ବାନ୍ଧି ଦୁର୍ବଳତାର ମୁକାବିଲା କଲେ ମଣିଷ ଜୟୀ ହୁଏ ।

ପୁଣି ଅନୁରୋଧ କଲା ଉର୍ମିଳା । ତୁମେ ଏମିତି ଭାଙ୍ଗିପଡ଼ନି ଭାଇ ! ମୋ ପାଇଁ ତ’ ତୁମେ ସାହସ ବାନ୍ଧିବା ଉଚିତ ।’’

ମୁଣ୍ଡ ଟେକିଲେ ତରୁଣକାନ୍ତ । ଟିକେ ହସର ରେଖାଟାଣି କହିଲ...‘‘କ’ଣ କରିବାକୁ କହୁଛୁ କହ ।’’

ସହଜ ଭାବରେ ଉର୍ମିଳା କହିଲା, ‘‘ଅନେକ ଦିନ ହେଲା ତୁମେ କଲେଜରୁ ଛୁଟିନେଇ କେବଳ ଘରଟାରେ ବସିଗଲଣି । ନିର୍ଜନତା ହିଁ ସବୁ ଦୁଶ୍ଚିନ୍ତାର କେନ୍ଦ୍ର । ଆଜି ତୁମେ ବାହାରକୁ ଚାଲ ।’’

–‘‘ବାହାରକୁ ??’’ ଆଶ୍ଚର୍ଯ୍ୟ ହେଲେ ତରୁଣକାନ୍ତ ।

–‘‘ହଁ ବାହାରକୁ । ଆଜି ବାରବାଟୀ କିଲାପଡ଼ିଆରେ ଗୋଟିଏ ବିରାଟ ପ୍ରଦର୍ଶନୀର ବ୍ୟବସ୍ଥା ହୋଇଛି । ତୁମେ ମୋ ସାଙ୍ଗରେ ଚାଲ ଭାଇ, ଟିକେ ବୁଲି ଆସିବ ।’’

ତରୁଣକାନ୍ତ ହଁ କି ନାଁ କହିବେ ବୋଲି ଚିନ୍ତା କରୁଥିଲେ । କିନ୍ତୁ ଉର୍ମିଳା ଚିନ୍ତାରେ ବାଧାଦେଇ କହିଲା..‘‘ମୁଁ କିଛି ଶୁଣିବିନି ଭାଇ ! ଆଜି ତୁମକୁ ମୋ ଅନୁରୋଧ ରକ୍ଷାକରି ବାହାରକୁ ଯିବାକୁ ହେବ ।’’

ନୀରବ ରହିଲେ ତରୁଣକାନ୍ତ...

ଆନନ୍ଦିତା ହୋଇ କୋଠରୀରୁ ବାହାରି ଯାଉ ଯାଉ ଉର୍ମିଳା କହିଲା–‘‘ମୁଁ ପ୍ରସ୍ତୁତ ହୋଇ ଆସୁଛି ଭାଇ ! ତୁମେ ଶୀଘ୍ର ପ୍ରସ୍ତୁତ ହୋଇ ବାହାରି ପଡ଼ । ଆଜି କିନ୍ତୁ ତୁମେ ମନାକଲେ ମୁଁ ମାନିବି ନାହିଁ ।’’

ଭାଇଙ୍କ ଉତ୍ତରକୁ ଅପେକ୍ଷା ନ କରି ଦ୍ରୁତ ପଦକ୍ଷେପରେ ଚାଲିଗଲା ଉର୍ମିଳା ।

ବିରାଟ ଗୋ କୃଷୀ ପ୍ରଦର୍ଶନୀ । ଷ୍ଟଲ୍‌ ପରେ ଷ୍ଟଲ୍‌ ଆଖି ପକାଇ ଆଗକୁ ଚାଲିଛି ଉର୍ମିଳା-। ପ୍ରଦର୍ଶନୀର ଅପର ପାର୍ଶ୍ଵରେ ନିଜକୁ ଲୁଚାଇ ଲୁଚାଇ ଆତ୍ମଗୋପନ କଲା ଭଳି ଚାଲିଛନ୍ତି ତରୁଣକାନ୍ତ । ମନେ ମନେ ଚିନ୍ତା କରୁଛନ୍ତି ସେ...‘‘ମୋତେ କିଏ ସନ୍ଦେହ କରୁଛି ?’’ ଏଥିପାଇଁ ବେଳେ ବେଳେ ପାଦ ରୋକି ଯାଉଛି ତାଙ୍କର । ପୁଣି ସାହସ ବାନ୍ଧି ସେ ଟିକେ ଦ୍ରୁତ ଗତିରେ ଆଗେଇ ଯାଉଛନ୍ତି ।

 

ତରୁଣକାନ୍ତ ମନେ କରୁଛନ୍ତି...ସତେ ଯେମିତି ପ୍ରଦର୍ଶନୀର ସମସ୍ତ ଦର୍ଶକ ତାଙ୍କ ପ୍ରତି ସତର୍କ ।

 

ଆଗେଇବାରେ ଲାଗିଛି ଉର୍ମିଳା । କୃଷୀ ବିଭାଗର ଷ୍ଟଲ୍‌... ପଶୁ ବିଭାଗର ଷ୍ଟଲ୍‌...ମତ୍ସ ବିଭାଗର ଷ୍ଟଲ୍‌ ଅତିକ୍ରମ କଲାପରେ ହଠାତ୍‌ ତା’ର ପାଦ ଅଟକିଗଲା । ଗୋଟିଏ ଛୋଟିଆ ସୁନ୍ଦର ସଜ୍ଜିତ ଷ୍ଟଲ୍‌ ସମ୍ମୁଖରେ ଲେଖାଯାଇଛି...‘‘କଟକ ମହିଳା କଲେଜ ।’’ ଦୁଇ ଚାରିଟି ବାଳିକା ବସିଛନ୍ତି ଷ୍ଟଲ୍‌ ଭିତରେ । ସମସ୍ତେ ଉର୍ମିଳାର ପରିଚିତା । ଉର୍ମିଳା ଉପରେ ଦୃଷ୍ଟି ପଡ଼ିଲା ମାତ୍ରେ...ଆନନ୍ଦରେ ଆଗେଇ ଆସିଲେ ସେମାନେ । ହସି ହସି ଷ୍ଟଲ୍‌ଟି ଆଡ଼େ ମୁହିଁଲା ଉର୍ମିଳା ।

 

ଠିକ୍‌ ଷ୍ଟଲ୍‌ର ସମ୍ମୁଖରେ ପହଞ୍ଚିଛି କି ନାହିଁ...ଚମକି ପଡ଼ିଲା ସେ । ଷ୍ଟଲ୍‌ଟିର ଗୋଟିଏ କଡ଼ରେ ଲେଖା ଯାଇଛି...‘‘ସାଧୁ ଜୀବନବଲ୍ଲଭଙ୍କ ସ୍ମୃତି ପାଣ୍ଠିକୁ ଦାନ କରନ୍ତୁ ।’’ ତା’ ନିକଟରେ ଥୁଆଯାଇଛି ଗୋଟିଏ ବାକ୍‌ସ ! ଚକିତା ହୋଇ ଚାହିଁ ରହିଲା ଉର୍ମିଳା । ଠିକ୍‌ ବାକ୍‌ସ ଉପରେ ଜୀବନବଲ୍ଲଭଙ୍କର ଗୋଟିଏ ବିରାଟ ତୈଳଚିତ୍ର ।

 

ଉର୍ମିଳାର ଛାତି ଦମକିଗଲା । ମନେହେଲା ସତେ ଯେମିତି ମୃତ ଜୀବନବଲ୍ଲଭ ତା’ ଆଡ଼େ ଆଙ୍ଗୁଳି ନିର୍ଦ୍ଦେଶ କରି ଧାଇଁ ଆସୁଛନ୍ତି । ପରିହାସ କରୁଛନ୍ତି...ତାତ୍ସଲ୍ୟ କରୁଛନ୍ତି–ଭର୍ଚ୍ଛନା କରୁଛନ୍ତି... । ତୁମେ ମୋତେ ହତ୍ୟାକରି ପାରିବନି ଉର୍ମିଳା, ମୁଁ ଅମର...ମୁଁ ଅଜେୟ ।

 

ଆତ୍ମରକ୍ଷା ପାଇଁ ଉର୍ମିଳାର ଅନ୍ତର କହି ଉଠୁଥିଲା..‘‘ନାଁ...ନାଁ...ମୋତେ କ୍ଷମାକର...ମୋତେ କ୍ଷମାକର...ମୁଁ ଆପଣଙ୍କୁ ହତ୍ୟା କରିନି ଜୀବନବଲ୍ଲଭ ବାବୁ !’’

 

କିନ୍ତୁ ସେ ଫଟୋଟି ସେମିତି ନିର୍ଭୀକ ଭାବରେ ବାରମ୍ବାର ଅଭିଯୋଗ କରି କହୁଥିଲା...ତୁମେ ଖୁନୀ...ତୁମେ ମଡରର... । ମୋରି ଝିଅ କାଦମ୍ବରୀର ସହାୟତାରେ ତୁମେ ମୋତେ ହତ୍ୟା କରିଛ... ।

 

ହଠାତ୍‌ ଉର୍ମିଳାର ଅବଚେତନ ମନ ପ୍ରକାଶିତ ହେବାରେ ଲାଗିଲା । ତା ପାଟିରୁ ବାହାରି ଆସିଲା...‘‘ନାଁ...‘‘ନାଁ...ନାଁ... ।’’

 

ତୈଳଚିତ୍ର ଭିତରୁ କିନ୍ତୁ ବାରମ୍ବାର ଆତ୍ମପ୍ରକାଶ କରୁଥିଲେ ଜୀବନବଲ୍ଲଭ । ସତେ ଯେମିତି ଉର୍ମିଳା ନିକଟକୁ ଧାଇଁ ଆସି ସେ ନିଜର ପ୍ରତିଶୋଧ ନେବାକୁ ଚେଷ୍ଟା କରୁଥିଲେ । ଏଇ...ଏଇ ଉପଯୁକ୍ତ ସମୟ । ତୁମକୁ ପୋଲିସରେ ଧରାଇ ଦେବି ଉର୍ମିଳା ।

 

ଉର୍ମିଳା ଥରକୁଥର କେବଳ ‘‘ପାଟିକରି ଉଠୁଥିଲା...’’ନାଁ...ନାଁ ମୁଁ ନିର୍ଦୋଷ ।’’

 

ମହିଳା କଲେଜର ଛାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲେ ଉର୍ମିଳା ଆଡ଼େ । ସେମାନେ କିଛି ବୁଝିପାରୁ ନଥିଲେ ।

 

ହଠାତ୍‌ ଉର୍ମିଳା ଅନୁଭବ କଲା...ସତେ ଯେମିତି ଜୀବନବଲ୍ଲଭ ତୈଳଚିତ୍ରର କେନ୍ଦ୍ର ଛାଡ଼ି ଆଗକୁ ଆଗେଇ ଆସିଛନ୍ତି । ଉର୍ମିଳାକୁ ଧରି ନେବାକୁ ଚେଷ୍ଟା କରୁଛନ୍ତି । ଉର୍ମିଳା ନିଜର ଶକ୍ତି ମୁତାବକ ଘୂଞ୍ଚିବାକୁ ଆରମ୍ଭ କରିଛି । ଆଉ ଅପେକ୍ଷା ନ କରି ଦ୍ରୁତ ଗତିରେ ଦୌଡ଼ି ଉର୍ମିଳାକୁ ଧରିବା ଲାଗି ଚେଷ୍ଟା କରିଛନ୍ତି ଜୀବନବଲ୍ଲଭ । ତାଙ୍କ ମୁହଁରେ ସେହି ଗୋଟାଏ ଅଭିଯୋଗ...ତୁମେ ଖୁନୀ...ତୁମେ ମଡ଼ରର...ମୁଁ ପ୍ରତିଶୋଧ ନେବି...ପ୍ରତିଶୋଧ... ।

ପ୍ରଦର୍ଶନୀ ପଡ଼ିଆର ଲୋକ ଭିଡ଼ି ଠେଲି, ପଡ଼ି ଉଠି ଧାଇଁବାରେ ଲାଗିଛି ଉର୍ମିଳା । ...‘‘ନାଁ...ନାଁ...ମୁଁ ନିର୍ଦୋଷ...ମୁଁ...ନିର୍ଦୋଷ...’’

ଆଶ୍ଚର୍ଯ୍ୟ ହୋଇ ସାରା ପ୍ରଦର୍ଶନୀର ଲୋକ ଚାହିଁଛନ୍ତି ଉର୍ମିଳା ଆଡ଼େ । ପ୍ରାଣ ବିକଳରେ ପଳାୟନ କରିଛି ଉର୍ମିଳା । ସଙ୍ଗେ ସଙ୍ଗେ ମହିଳା କଲେଜର ଷ୍ଟଲ୍‌ ସମ୍ମୁଖରେ ଲୋକ ଭିଡ଼ ଜମି ଉଠିଛି ।

ଅପର ପାର୍ଶ୍ଵରେ ‘ଥାଇ ଲକ୍ଷ୍ୟ କରୁଥିଲେ ତରୁଣକାନ୍ତ । ଉର୍ମିଳାର କ’ଣ ହେଲା ଭାବି ଧାଇଁ ଆସିଲେ ସେ । ଏତେବେଳେ ତାଙ୍କ ଆତ୍ମଗୋପନକାରୀ ମନ ସାହସର ସହିତ ଆଗେଇ ଆସିଲା । ଉର୍ମିଳା ଉପରେ ବିପଦ...ସେ ଆଉ ନିଜକୁ ଲୁଚାଇ ରଖନ୍ତେ କିପରି... । ଦୌଡ଼ି ଆସି ହଠାତ୍‌ ମହିଳା କଲେଜର ଷ୍ଟଲ୍‌ ସମ୍ମୁଖରେ ଅଟକିଗଲେ ସେ ।

ତାଙ୍କର ଆଖି ପଡ଼ିଗଲା ସେହି କେତୋଟି ଅକ୍ଷର ଉପରେ । –‘‘ସାଧୁ ଜୀବନବଲ୍ଲଭଙ୍କ ସ୍ମୃତି ପାଣ୍ଠିକୁ ଦାନ କରନ୍ତୁ ।’’ ସମସ୍ତ ସାହସ ପାଣି ଫାଟିଗଲା ତରୁଣକାନ୍ତଙ୍କର । କାତର ହୋଇ ସେ ଚାହିଁ ରହିଲେ ସେହି ଦିଗକୁ । ଆଖି ଆଗରେ ନାଚି ଉଠିଲା ଗୋଟିଏ ତୈଳଚିତ୍ର ସୁନ୍ଦର ସୁଠାମ ବଳିଷ୍ଠ ଚେହେରା । ଏଇ ତେବେ ସେହି ଜୀବନବଲ୍ଲଭ ? କେଉଁଠି କେମିତି ଦେଖିଲା ପରି ମନେ ହେଉଛି ।

ହସୁଛି ଜୀବନବଲ୍ଲଭଙ୍କ ତୈଳଚିତ୍ର । ନାଁ...ନାଁ...ଜୀବନବଲ୍ଲଭ ପରିହାସ କରୁଛନ୍ତି...ପ୍ରତିହିଂସାର ବହ୍ନିରେ ବିଦ୍ରୂପ କରୁଛନ୍ତି... । ତରୁଣକାନ୍ତଙ୍କ ଅବଚେତନ ମନ ପ୍ରଶ୍ନ କରି ଉଠିଲା...‘‘ତୁମେ ଜୀବନ–ବଲ୍ଲଭ ?’’

ହଠାତ୍‌ ତୈଳଚିତ୍ରରେ ପ୍ରତିଧ୍ଵନିତ ହେଲା...ତରୁଣକାନ୍ତଙ୍କ ଅହେତୁକୀ ପ୍ରଶ୍ନ...‘‘ତୁମେ କ’ଣ ମୋତେ ଚିହ୍ନି ପାରୁନାହିଁ...ତରୁଣ–କାନ୍ତ ? ମୁଁ ତୁମର ଶିକାର...ମୁଁ ସେହି ଜୀବନବଲ୍ଲଭ । ଯାହାକୁ ତୁମେ ନିର୍ମମ ଭାବରେ ହତ୍ୟା କରିଛ ।’’

ପଛକୁ ଘୁଞ୍ଚି ଆସିଲେ ତରୁଣକାନ୍ତ...‘‘ନାଁ... ନାଁ ମିଛ...ମୁଁ ହତ୍ୟା ସମ୍ପର୍କରେ କିଛି ଜାଣିନି... ।’’

‘‘ତୁମେ ସବୁ ଜାଣିଛ ।’’ ତୈଳଚିତ୍ର ଭିତରୁ ପ୍ରବଳ ପ୍ରତିବାଦ । ‘‘କିନ୍ତୁ ମୁଁ ତୁମକୁ ସେମିତି ଛାଡ଼ିବିନି ତରୁଣକାନ୍ତ...ପ୍ରତିହିଂସାର ପ୍ରଳୟ ଦାବାଗ୍ନି ଏପର୍ଯ୍ୟନ୍ତ ମଧ୍ୟ ମୋର ଏଇ ମୃତ ଛାତି ଭିତରେ ହୁ... ହୁ...ହୋଇ ଜଳୁଛି । ମୁଁ ତୁମକୁ ଶାସ୍ତି ଦେବି । ତୁମ ଉପରେ ପ୍ରତିଶୋଧ ନେବି । ତୁମେ ଖୁନୀ...ତୁମେ ମଡ଼ରର...’’

ପଛକୁ ଘୁଞ୍ଚୁ ଘୁଞ୍ଚୁ ତରୁଣକାନ୍ତ କାତର ହୋଇ ଚିତ୍କାର କରୁଥିଲେ...‘‘କିନ୍ତୁ ମୁଁ ସେ କିଛି ଜାଣିନି ଜୀବନବଲ୍ଲଭ ବାବୁ ।’’

ତରୁଣକାନ୍ତ ପ୍ରଦର୍ଶନୀ ଛାଡ଼ି ପଳାଇ ଯିବାକୁ ଚେଷ୍ଟା କରୁଥିଲେ ।

ମନେହେଲା ସତେ ଯେପରି ତାଙ୍କୁ ଜୀବନବଲ୍ଲଭ ଧରିବାକୁ ଧାଉଁଛନ୍ତି । ତୈଳଚିତ୍ରରୁ ଆତ୍ମପ୍ରକାଶ କରି କାବୁ କରିବାକୁ ଚେଷ୍ଟା କରୁଛନ୍ତି... ।

 

ଆଉ ଠିଆ ହୋଇ ପାରିଲେନି ତରୁଣକାନ୍ତ । କାତର ଭାବରେ ଚିତ୍କାର କରି କରି ଦୌଡ଼ି ପଳାଇବାକୁ ଉଦ୍ୟମ କଲେ ସେ ।

 

ସେ ଅନୁଭବ କରୁଥିଲେ...ପଶ୍ଚାତରେ ସେହି ମର୍ମଭେଦୀ ଦିଗ ଦିଗ ବିଦିଗ ବିସ୍ତାରୀ ପ୍ରଳୟ ପ୍ରତିହିଂସାର ଜ୍ଵଳନଶୀଳ ଅଭିଯୋଗ । ‘‘ତୁମେ ଖୁନୀ...ତୁମେ ଖୁନୀ...ତୁମେ ଖୁନୀ...’’

 

ଭିଡ଼ ଠେଲି ଦୂରରୁ ଦୂରକୁ ଦୌଡ଼ି ପଳାଉଥିଲେ ତରୁଣକାନ୍ତ । ସମଗ୍ର ପ୍ରଦର୍ଶନୀର ଲୋକ ଏ ଭୌତିକ କାଣ୍ଡ ଦେଖି ଆସି ରୁଣ୍ଡ ହୋଇ ଯାଇଥିଲେ ମହିଳା କଲେକ ଷ୍ଟଲ୍‌ ନିକଟରେ ।

 

ଠିକ୍‌ ଏତିକିବେଳେ କ’ଣ ଗୋଳମାଳ ହେଲା ବୋଲି ଜାଣିବାକୁ ଭିଡ଼ ଠେଲି ଆଗେଇ ଆସିଲେ ଅତିନ୍ଦ୍ର ।

 

କେହି କିଛି କହିପାରୁ ନାହାନ୍ତି । ସମସ୍ତେ କେବଳ ଆବାକ୍‌ର ପ୍ରତିମୂର୍ତ୍ତି । ପ୍ରତ୍ୟେକଙ୍କ ମୁହଁକୁ ଚାହିଁଗଲେ ଅତିନ୍ଦ୍ର । ନାଁ...କିଛି ବୁଝି ହେଉନାହିଁ । କେହି ମଧ୍ୟ କିଛି ଉତ୍ତର ଦେଇ ପାରୁ ନାହାନ୍ତି । ଷ୍ଟଲ୍‌ ଭିତରେ ପଶିଗଲେ ସେ ।

 

ଚାରିଆଡ଼କୁ ଚାହିଁଗଲେ ଥରେ । ହଠାତ୍‌ ଦମକି ଠିଆ ହୋଇଗଲେ ଅତିନ୍ଦ୍ର । ‘‘ସାଧୁ ଜୀବନବଲ୍ଲଭଙ୍କ ସ୍ମୃତି ପାଣ୍ଠିକୁ ଦାନ କରନ୍ତୁ ।’’ ଲେଖାଟି ପଢ଼ୁ ପଢ଼ୁ ସତେ ଅବା ତାଙ୍କ ପାଦତଳୁ ମାଟି ଖସି ଖସି ଯାଉଥିଲା । ବାହାରକୁ ଚାହିଁଲେ ସେ । ଶତ ଶତ ଲୋକଙ୍କର ଭିଡ଼ । ମନେ ହେଉଥିଲା ସତେ ଯେମିତି ସମସ୍ତେ ଚାହିଁଛନ୍ତି ଅତିନ୍ଦ୍ରଙ୍କୁ । ଏକ ସ୍ଵରରେ ସମସ୍ତେ ଅଭିଯୋଗ କରୁଛନ୍ତି...‘‘ତୁମେ ଖୁନୀ...ତୁମେ ଖୁନୀ...ଅତିନ୍ଦ୍ର ! ଭଲେଇ ହୋଇ କ’ଣ ପର୍ଯ୍ୟବେକ୍ଷଣ କରୁଛ ?’’

 

–‘‘ଏଁ ଅତିଦ୍ରଙ୍କ ନିଃଶ୍ଵାସ ଘନ ଘନ ହୋଇ ପ୍ରବାହିତ ହେବାରେ ଲାଗିଲା ।

 

ତା’ ପରେ ଅତିନ୍ଦ୍ର ଅନୁଭବ କଲେ...ସତେ ଅବା ଶହ ଶହ ଲୋକ ତାଙ୍କୁ ଧରିବା ଲାଗି ଅଣ୍ଟାରେ ଲୁଗା ଭିଡ଼ି ଆଗେଇ ଆସୁଛନ୍ତି । ନାଁ...ଆଉ ପଳାଇ ଯିବାର ଉପାୟ ନାହିଁ । ଗୋଟାଏ ଦିଗରେ ଶହ ଶହ ଲୋକଙ୍କର ଆମନ୍ତ୍ରଣ । ଆଉ ଗୋଟାଏ ଦିଗରୁ ହାତ ଦେଖାଇ ଠିଆ ହୋଇଛନ୍ତି ନିଜେ ଜୀବନବଲ୍ଲଭ । ...ତେବେ କ’ଣ ସତରେ ଭୀରୁ ଭଳି ଆତ୍ମସମର୍ପଣ କରିବାକୁ ହେବ ?

 

ଆଉ ଉପାୟ ନାହିଁ । ଚିତ୍କାର କରି ଉଠିଲେ ଅତିନ୍ଦ୍ର...‘‘ଆପଣମାନେ ମୋତେ ଛାଡ଼ି ଦିଅନ୍ତୁ । ମୁଁ ଖୁନ୍‌ କରିନି... ମୁଁ ଆତତାୟୀ ନୁହେଁ । ଜୀବନବଲ୍ଲଭଙ୍କ ପାର୍ଟନର ।’’

 

ତଟସ୍ଥ ହୋଇ ଠିଆ ହୋଇଥିଲା ଜନ ସମୁଦ୍ର ।

 

କିନ୍ତୁ ଅତିନ୍ଦ୍ର ମନେ କରୁଥିଲେ, ଏଇ ନୀରବତା ଭିତରେ ତାଙ୍କ ପ୍ରତି ଲୋକଙ୍କର ପ୍ରତିହିଂସା ପ୍ରଜ୍ଵଳିତ ହୋଇ ଉଠୁଛି । ସମୟକ୍ରମେ ନିଶ୍ଚୟ ତାଙ୍କୁ ଲୋକେ ଆମନ୍ତ୍ରଣ କରିବେ । ତାଙ୍କୁ ପୋଲିସ ହାତରେ ଧରାଇ ଦେବେ, ସେ ଖୁନୀ... । ଟଙ୍କା ଲୋଭରେ ସେ ଜୀବନବଲ୍ଲଭଙ୍କୁ ହତ୍ୟା କରିଛନ୍ତି... ।

 

‘‘ନାଁ...ନାଁ...ନାଁ... ।’’ ଅତିନ୍ଦ୍ରଙ୍କର କରୁଣତାର ଚରମ ଆର୍ତ୍ତନାଦ । ସମଗ୍ର ନୀରବ ପ୍ରଦର୍ଶନୀ ପଡ଼ିଆ ପ୍ରତିଧ୍ଵନିତ ହେଲା । ଧୂମକେତୁର କରାଳ ଛାଇଭଳି...ଚନ୍ଦ୍ରର ହାହାକାର ନିଷ୍ଠୁର ଛାତି ଭଳି...ସୂର୍ଯ୍ୟର ଜ୍ଵଳମାନ୍ ବହ୍ନି ଶିଖାର ପ୍ରକୋପ ଭଳି, ଅତିନ୍ଦ୍ରଙ୍କ ସମ୍ମୁଖରେ ଠିଆ ହୋଇଥିଲା ବିରାଟ ପ୍ରଦର୍ଶନୀର ଜନ ସମୁଦ୍ର ।

 

‘‘ଓଃ...’’ ଉନ୍ମତ୍ତ ଜନତାଂ ମୁସୋଲିନୀଙ୍କୁ ଟିକି ଟିକି ଛିଡ଼ାଇ ନେବା ଭଳି...ଆଜି ଅତିନ୍ଦ୍ରଙ୍କ ମାଂସକୁ ଝୁଣି ପକାଇବେ । ମଢ଼ଖିଆ ଶାଗୁଣା ବିଲୁଆଙ୍କ ପରି ଅତିନ୍ଦ୍ରଙ୍କ ସୁଠାମ ଗୌର ତନୁକୁ ଆଘାତ କରିବେ ।

 

ଆଉ ସହ୍ୟ କରି ପାରିଲେନି ଅତିନ୍ଦ୍ର । ଜୀବନର ମୋହ ତାଙ୍କୁ ବାରମ୍ବାର ବାଧ୍ୟ କଲା...ପ୍ରଦର୍ଶନୀ ଛାଡ଼ି ଆତ୍ମରକ୍ଷା କରି ପଳାଇବା ଲାଗି ।

 

ଦୌଡ଼ିବାକୁ ଆରମ୍ଭ କଲେ ଅତିନ୍ଦ୍ର ।

 

ନିର୍ବାକ୍ ହୋଇ ସେମିତି ଚାହିଁଥିଲେ ସମସ୍ତେ ।

 

କିନ୍ତୁ ଅତିନ୍ଦ୍ର ଅନୁଭବ କରିଥିଲେ ଲୋକମାନେ ତାଙ୍କ ପ୍ରତି ତାତ୍ସଲ୍ୟ କରୁଛନ୍ତି...ପରିହାସ କରୁଛନ୍ତି । କେତେ ବାଟ ଯିବ ଯାଅ ବୋଲି ଧମକ ଦେଉଛନ୍ତି ।

 

ଆଗ ପଛ କିଛି ବିଚାର ନ କରି ଆହୁରି ଜୋରରେ ଧାଇଁବାରେ ଲାଗିଲେ ଅତିନ୍ଦ୍ର ।

 

ବିଭିନ୍ନ ଷ୍ଟଲରୁ ଲୋକ ପଳାଇ ଆସି ମଧ୍ୟ ମହିଳା କଲେକ ସ୍କୁଲ ନିକଟରେ ଭିଡ଼ ଜମାଇଲେ । ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ କଥା କ’ଣ ? କେହି କାହାରିକୁ କିଛି ଉତ୍ତର ଦେଇ ପାରୁ ନାହାନ୍ତି । ପ୍ରଶ୍ନ କେବଳ ପ୍ରଶ୍ନରେ ରହି ଯାଉଛି ।

 

ଏତିକିବେଳେ କ’ଣ ଗୋଳମାଳ ହୋଇଗଲା ବୋଲି କଥାଟାକୁ ବୁଝିବା ଲାଗି ଧାଇଁ ଆସିଲେ ପୋଲିସ ଇନିସପେକ୍ଟର ରଙ୍ଗବଲ୍ଲଭ ଜେନା ।

 

ଭିଡ଼ ଠେଲି ସେ ପଶିଗଲେ ଷ୍ଟଲ୍ ସମ୍ମୁଖକୁ । ସେତେବେଳକୁ ମହିଳା କଲେଜର ଛାତ୍ରୀମାନେ ଷ୍ଟଲ ଭିତରେ ଥାଇ ଏକରକମର ଥରିବାରେ ଲାଗିଥାନ୍ତି । ପୋଲିସ୍ ଅଫିସରକୁ ଦେଖି ତାଙ୍କର ସାହସ ହେଲା । ତରବରରେ ଆଙ୍ଗୁଳି ନିର୍ଦ୍ଦେଶ କରି ଜଣେ କହିଲା...‘‘ଆମକୁ ରକ୍ଷା କରନ୍ତୁ ସାର୍ ।’’

 

ସାହସ ଦେବାପରି ହଣ୍ଟରଟାକୁ ହଲାଇ ହଲାଇ ରଙ୍ଗବଲ୍ଲଭ କହିଲେ...‘‘କ’ଣ ହେଲା କୁହ ? ଏ ଗୋଳମାଳର କାରଣ କଣ ?’’

 

ଝିଅଟି କହିଲା...‘‘ମୁଁ କହି ପାରିବିନି ସାର୍ ! ତେବେ ଏଇ ଜୀବନବଲ୍ଲଭ ଫଟୋଟିକୁ ଦେଖି ସମସ୍ତେ ଚିତ୍କାର କରି କରି ପ୍ରଦର୍ଶିନୀ ପ୍ରଦର୍ଶନୀ ଛାଡ଼ି ପଳାଇଛନ୍ତି । ଫଳରେ ଏତେ ବଡ଼ ଗୋଳମାଳ ।’’

 

କଥାଟିକୁ କହିସାରି ଛେପ ଢୋକିଲା ଝିଅଟି ।

 

ବୁଲିପଡ଼ି ଫଟୋଟି ଆଡ଼େ ଚାହିଁଦେଲେ ରଙ୍ଗବଲ୍ଲଭ । କିଛି ସମୟ ତାଙ୍କ ଆଖି ସ୍ଥିର ହୋଇଗଲା ଫଟୋଟି ଉପରେ । ଛାତ୍ରୀମାନେ ସେମିତି ଚାହିଁଥାନ୍ତି ରଙ୍ଗ ବଲ୍ଲଭଙ୍କୁ । ବାହାରେ ଜନତା ଠିଆ ହୋଇ ମଧ୍ୟ ଅନାଇ ରହିଥାଏ ରଙ୍ଗବଲ୍ଲଭଙ୍କ ଆଡ଼େ ।

 

ହଠାତ୍‌ ରଙ୍ଗବଲ୍ଲଭଙ୍କ ହାତରୁ ହଣ୍ଟରଟି ଖସି ପଡ଼ିଲା ।

 

ତା' ପରେ... ।

 

ହଁ...ତା’ ପରେ, ରଙ୍ଗବଲ୍ଲଭ ମନେ କରୁଥିଲେ ଯେମିତି ଜୀବନବଲ୍ଲଭ ତାଙ୍କୁ ମୃତ୍ୟୁ ପାଇଁ ଦୋଷୀ ବୋଲି ଧରି ନେଇଛନ୍ତି । ଆଉ ଖସିଯିବାକୁ ଜୁ ନାହିଁ । ହଲଚଲ ହେବାକୁ ବଳ ନାହିଁ-। ପୋଲିସର ସାହସ ତାଙ୍କ ଦେହରୁ କେଉଁଆଡ଼େ ଉଭେଇଗଲା । କାନ୍ଦି ଉଠିଲେ ରଙ୍ଗବଲ୍ଲଭ, ଟପ୍ ଟପ୍ ହୋଇ ଲୁହ ଖସିପଡ଼ିଲା ତାଙ୍କ ଆଖିରୁ । ଏକରକମର ଚିତ୍କାର କରି ଉଠିଲେ ସେ...

 

–‘‘ମୋତେ ଛାଡ଼ିଦିଅ...ମୋତେ ଛାଡ଼ିଦିଅ ଜୀବନବଲ୍ଲଭ ।

 

‘‘ମହିଳା କଲେଜର ଛାତ୍ରୀମାନେ ଆହୁରି ଥରିବାରେ ଲାଗିଲେ । ବାହାରେ ଠିଆ ହୋଇଥିବା ଲୋକମାନେ ମଧ୍ୟ ବୁଲିପଡ଼ି ପଳାଇବାକୁ ଚେଷ୍ଟାକଲେ । ଭୌତିକ କାଣ୍ଡ । ନିଶ୍ଚୟ ମୃତ ଜୀବନବଲ୍ଲଭଙ୍କ ଅତୃପ୍ତ ଆତ୍ମା ଏହି ପ୍ରଦର୍ଶନୀ ମଣ୍ଡପର ଚତୁର୍ଦ୍ଦିଗରେ ଘୂରି ବୁଲୁଛି । ଚାହୁଁ...ଚାହୁଁ ଆତ୍ମା ଗ୍ରାସ କରିଯିବ ସମସ୍ତଙ୍କୁ ।

 

ତା’ପରେ ଦେଖାଗଲା...ସମଗ୍ର ପ୍ରଦର୍ଶନୀର ଲୋକ ଠେଲା ପେଲା ହୋଇ ପଳାଇବାକୁ ଚେଷ୍ଟା କରୁଛନ୍ତି । ଏ ସମୟରେ ଛୋଟପିଲା...ଝିଅ...ସ୍ତ୍ରୀଲୋକମାନଙ୍କର ଅବସ୍ଥା କହିଲେ ନ ସରେ । ମହିଳା କଲେଜର ଛାତ୍ରୀମାନେ ଏକରକମର ପଥର ପାଲଟି ଯାଇଥିଲେ ।

 

ତା’ପରେ...

 

ଜୀବନବଲ୍ଲଭଙ୍କ କବଳରୁ ନିଜକୁ ମୁକୁଳାଇ ପକାଇବାକୁ ଚେଷ୍ଟା କରିଛନ୍ତି ରଙ୍ଗବଲ୍ଲଭ ।

 

ବିଶୃଙ୍ଖଳିତ ସମଗ୍ର ପ୍ରଦର୍ଶନୀ ମଣ୍ଡପ...

 

ସାମାନ୍ୟ କିଛି ସମୟ ପରେ ଫାଙ୍କା ହୋଇଯାଇଛି ପ୍ରଦର୍ଶନୀ ।

 

ଅନ୍ଧ ସମସ୍ତେ । କଥା କ’ଣ ବୁଝିବାକୁ କାହାର ଅବସର ନାହିଁ । ପ୍ରତ୍ୟେକଙ୍କ ମୁହଁରେ କେବଳ ଗୋଟିଏ କଥା...‘‘ଭୌତିକ କାଣ୍ଡ । ମଲା ମଣିଷ ଲୋକଙ୍କୁ ଗ୍ରାସ କରି ଯାଉଛି ।’’

 

ଅନତି ବିଳମ୍ବେ କଥାଟା ଚାରିଆଡ଼େ ପ୍ରଚାରିତ ହୋଇଗଲା । କିଏ ଶୁଣି ହସରେ ଉଡ଼ାଇ ଦେଲା ତ’ କିଏ ସନ୍ଦେହରେ ଅନେକ କଥା ଚିନ୍ତା କରି ଭାରତୀୟ ଦର୍ଶନ ଉପରେ ଯୁକ୍ତିତର୍କ ଆରମ୍ଭ କରିଦେଲା ।

 

ମାତ୍ର ଅଳ୍ପ ସମୟ ମଧ୍ୟରେ କଥାଟା ଆସି ପହଞ୍ଚିଲା ଅଧ୍ୟକ୍ଷା ମନ୍ଦାକିନୀଙ୍କ ନିକଟରେ । ବ୍ୟସ୍ତ ହୋଇପଡ଼ିଲେ ସେ । ତାଙ୍କ ଛାତ୍ରୀମାନେ ପ୍ରଦର୍ଶନୀ ଦାୟିତ୍ଵରେ ଅଛନ୍ତି । ଗୋଳମାଳ ଭିତରେ ତାଙ୍କର କ'ଣ ହୋଇଥିବ କେଜାଣି ? ଅପେକ୍ଷା ନ କରି ସେ ଖଣ୍ଡେ ରିକ୍‌ସା ଡାକି ଧାଇଁ ଚାଲିଲେ ପ୍ରଦର୍ଶନୀ ପଡ଼ିଆ ଆଡ଼େ ।

 

ଜନଶୂନ୍ୟ ପ୍ରଦର୍ଶନୀ ପଡ଼ିଆ । ରିକ୍‌ସାଟି ଆସି ଅଟକିଲା ମହିଳା କଲେଜର ଷ୍ଟଲ୍‌ ନିକଟରେ ।

 

Unknown

ଛାତ୍ରୀମାନେ ସେତେବେଳକୁ ପ୍ରାୟ ଜ୍ଞାନଶୂନ୍ୟା । କାହାରି ପାଟିରୁ କଥା ବାହାରୁ ନାହିଁ । ରିକ୍‌ସାରୁ ଓହ୍ଳାଇ ଷ୍ଟଲ୍‌ ଭିତରେ ପଶିଲେ ମନ୍ଦାକିନୀ । ଛାତି ଭିତରେ ସାମାନ୍ୟ ଭୟର ଇଙ୍ଗୀତ । ତଥାପି ସାହସ ବାନ୍ଧି କହିଲେ...‘‘କ’ଣ ହେଲା... ? କ’ଣ ହେଲା ସୁମିତ୍ରା ??’’

 

ଛାତ୍ରୀମାନେ ତଥପି ନୀରବ ।

 

ମନ୍ଦାକିନୀଙ୍କ ଛାତି ଆଉଟିକେ ଦମକି ପଡ଼ିଲା । ତେବେ କ'ଣ ମଲା ମଣିଷ ଛାତ୍ରୀମାନଙ୍କ ଭିତରେ ମଧ୍ୟ ପଶିଯାଇଛି ? ହୋଇପାରେ, ଆଉ ଟିକେ ସାହସ ସଞ୍ଚୟ କରି ମନ୍ଦାକିନୀ କହିଲେ...‘‘କ’ଣ ହେଲା କୁହ ସୁମିତ୍ରା ! ମୁଁ ଯେ ଖବର ବୁଝିବାକୁ ଆସିଛି ।’’

 

ସୁମିତ୍ରା ସେମିତି କେବଳ ଜଳ ଜଳ ଚାହିଁଥିଲା । ନିର୍ବାକ୍‌ ପଥର ମୂର୍ତ୍ତି ପରି ଠିଆ ହୋଇ ସେ ଅନାଇଁ ରହିଥିଲା ଅଧ୍ୟକ୍ଷା ମନ୍ଦାକିନୀଙ୍କୁ । ତା’ ଦେହରେ ଆଉ ଶକ୍ତି ନ ଥିଲା ।

 

ଦୁଇ ପାଦ ଆଗେଇ ଯାଇ ମନ୍ଦାକିନୀ ହଲାଇ ଦେଲେ ଜଣେ ଛାତ୍ରୀକୁ । ପାଟି କରି କହିଲେ–‘‘କ’ଣ ହେଲା ତୁମର ? କ’ଣ ହେଲା କୁହ ?’’

 

ଛାତ୍ରୀଟି କିଛି ନ କହି କେବଳ ଅଙ୍ଗୁଳି ନିର୍ଦ୍ଦେଶ କଲା ଜୀବନବଲ୍ଲଭଙ୍କ ଫଟୋଟି ଆଡ଼େ-

 

କିଛି ସମୟ ଫଟୋଟିକୁ ଅନାଇଲେ ମନ୍ଦାକିନୀ । ତା' ପରେ ଆଖି ଫେରାଇ କହିଲେ–"ହଁ କ'ଣ ହେଲା ? ଜୀବନବଲ୍ଲଭଙ୍କ ସ୍ମୃତି ପାଣ୍ଠିକୁ କ’ଣ କେହି ଦାନ କଲେ ନାହିଁ ?’’

 

–‘‘ନାଁ...’’

 

–‘‘ତେବେ ଦୁଃଖ କରିବାର କ'ଣ ଅଛି ?’’ ସାହସ ଦେଇ କହିଲେ ମନ୍ଦାକିନୀ ।

 

–‘‘ନାଁ... ଏଇ ଫଟୋ ସମସ୍ତଙ୍କୁ ଗ୍ରାସ କରିଗଲା ।’’

 

କଥାଟିକୁ ଶୁଣି ପକାଇ ଚମକି ଉଠିଲେ ମନ୍ଦାକିନୀ । ସାମାନ୍ୟ ବିବ୍ରତା ହୋଇ କହିଲେ–‘‘କ’ଣ କହିଲ ?’’

 

ଆଉ ଜଣେ ଛାତ୍ରୀ ସାହସ କରି କହିଲା ‘‘ହଁ ଦିଦି ! ଏଇ ଜୀବନବଲ୍ଲଭଙ୍କ ଫଟୋଟି ଗ୍ରାସ କରିଗଲା ସମସ୍ତଙ୍କୁ ।’’

 

ମନ୍ଦାକିନୀଙ୍କ ଗୋଡ଼ ତଳୁ ସତେ ଯେମିତି ମାଟି ଖସିବାକୁ ଆରମ୍ଭ କଲା । ଅସ୍ଥିର, ଅଧୈର୍ଯ୍ୟ ହୋଇପଡ଼ିଲେ ସେ । ଷ୍ଟଲ୍‌ର ଗୋଟିଏ ବାଉଁଶ, ଖୁଣ୍ଟକୁ ଜୋରରେ ହଲାଇ ଦେଇ କହିଲେ–‘‘କ’ଣ ତୁମକୁ ଭୁତ ଲାଗିଛି ? ଜୀବନବଲ୍ଲଭ ଯେ ମୃତ, ଏଇଟା ମାତ୍ର ତାଙ୍କର ଗୋଟାଏ ତୈଳଚିତ୍ର ।’’

 

ହଠାତ୍‌ ଛାତ୍ରୀ ଜଣଙ୍କ କହି ଉଠିଲା...‘‘ହଁ...ଦିଦି ! ସେହି ତୈଳଚିତ୍ର ଭିତରୁ ଜୀବନବଲ୍ଲଭ ଦାନ୍ତ ଚିପି ସମସ୍ତଙ୍କ ଉପରେ ଆକ୍ରମଣ କଲେ । ଆମେ କେବଳ ମୂକ ହୋଇ ଏଇଠି ଏମିତି ଠିଆ ହୋଇଥିଲୁ ।’’

 

ଆହୁରି ରାଗି ଉଠିଲେ ମନ୍ଦାକିନୀ । ଫଟୋଟି ପାଖକୁ ଆଗେଇ ଯାଇ ଟେବୁଲଟାକୁ ଆଘାତ କରି କହିଲେ–‘‘କାହିଁ...କେଉଁଠି ସେ ଲୁଚି ରହି ଆକ୍ରମଣ କରୁଥିଲେ ?’’

 

ଛାତ୍ରୀ ଜଣକ ଆଉ ଟିକେ ଉତ୍ସାହିତ ହୋଇ କହିଲା...‘‘ହଁ...ଠିକ୍‌ ସେହି ସାମନା ପଟରୁ ସେ ଆକ୍ରମଣ ଆରମ୍ଭ କରିଥିଲେ ଦିଦି !’’

 

ପ୍ରବଳ ବେଗରେ ମନ୍ଦାକିନୀ ବୁଲାଇ ଦେଲେ ଫଟୋଟିକୁ । ମନ୍ଦାକିନୀଙ୍କ ଆକ୍ରମଣ ସହ୍ୟ କରି ନ ପାରି ଟେବୁଲ ଉପରୁ ଫଟୋଟି ଖସି ପଡ଼ିଲା ତଳେ । ଖଣ୍ଡ ଖଣ୍ଡ ହୋଇଗଲା ଉପର କାଚଟା ।

 

ସଂକିତା ହୋଇଗଲେ ମନ୍ଦାକିନୀ । ମନେହେଲା...ସେ ଯେମିତି ଅତୀତରେ ସେହି ତରୁଣ ଜୀବନବଲ୍ଲଭଙ୍କ ତଣ୍ଟି ଚିପି...ତାଙ୍କୁ ହତ୍ୟା କରୁଛନ୍ତି । କାତର ହୋଇ ମନ୍ଦାକିନୀ ପୁଣି ତଳୁ ଉଠାଇ ଆଣିଲେ ଫଟୋଟିକୁ । କିନ୍ତୁ..ଆଃ...ଉପର କାଚଟା ଟିକ ଟିକ ହୋଇଯାଇଛି । ତୈଳ ଚିତ୍ରଟି ବିକୃତ ହୋଇ ଉଠିଛି । ଖଣ୍ଡ ଖଣ୍ଡ କାଚର ସ୍ତର ଜମି ଯାଇଛି ଜ୍ଵଳନ୍ତ, ଜୀବନ୍ତ ଫଟୋଟି ଉପରେ ।

 

ଥରି ଉଠିଲେ ମନ୍ଦାକିନୀ, ଆତତାୟୀର ହାତରେ ପ୍ରାଣ ହରାଇବା ଦିନ ଠିକ୍‌ ଏମିତି ବିକୃତ ହୋଇ ଯାଇଥିବ ଜୀବନବଲ୍ଲଭଙ୍କ ମୁଖମଣ୍ଡଳ । ଆହତା ବାଘୁଣୀ ଭଳି ବିଳପି ଉଠିଲେ ମନ୍ଦାକିନୀ । ଅହେତୁକୀ ଉନ୍ମାଦନାରେ ସେ ଫଟୋଟିକୁ ଜାକି ଧରିଲେ ନିଜର ହୃଦୟ ଉପରେ । ଖଣ୍ଡ ଖଣ୍ଡ ଭଙ୍ଗା କାଚଗୁଡ଼ାକ ସ୍ପର୍ଶକଲା ମନ୍ଦାକିନୀଙ୍କ ଶରୀର । ପରିଚ୍ଛଦର ସ୍ତର ଭେଦି ସେ ଖୋଜି ବୁଲିଲା ମନ୍ଦାକିନୀଙ୍କ ରକ୍ତର ଉଷ୍ମତା । ଆଃ...ତାଙ୍କ ବୃଦ୍ଧା ଶରୀର ଭିତରେ ମଧ୍ୟ ରକ୍ତର କି ପ୍ରବଳ ଆବେଦନ !!

 

ଆହୁରି ନିବିଡ଼ ଭାବରେ ମନ୍ଦାକିନୀ ଫଟୋଟିକୁ ଜାବୁଡ଼ି ଧରିଲେ ନିଜର ବକ୍ଷ ଉପରେ-। ତା’ ପରେ...ରକ୍ତାକ୍ତ ହୋଇ ଉଠିଲା ତାଙ୍କର ସମଗ୍ର ବକ୍ଷ ଦେଶ ।

 

ରକ୍ତ... ! ବୃଦ୍ଧା ମନ୍ଦାକିନୀଙ୍କର ନୁହେଁ...ମୃତ...ଜୀବନବଲ୍ଲଭଙ୍କର ରକ୍ତ । ପରିହାସ କରି ସେ ଫଟୋ ଭିତରୁ ହସୁଥିଲେ ଜୀବନବଲ୍ଲଭ, ପ୍ରତିଶୋଧ...ଉପଯୁକ୍ତ ପ୍ରତିଶୋଧ । ‘‘ତୁମେ ମୋର ରକ୍ତରେ ହୋରି ଖେଳିଗଲ ମନ୍ଦାକିନୀ ! ଆଜି ତୁମ ରକ୍ତରେ ମୁଁ ସ୍ନାନକରି ମୋର ତର୍ପଣ ଶେଷ କରୁଛି । ତୁମେ ହାରିଯାଇଛ ମନ୍ଦାକିନୀ ! ମୋତେ ହତ୍ୟା କରି ମଧ୍ୟ ବାସ୍ତବିକ୍‌ ହତ୍ୟା କରି ପାରିନାହିଁ ।’’

 

ଈର୍ଷା, ରାଗ, ଭୟ, ସମବେଦନାରେ ଫଟୋଟିକୁ ପୁଣି ଫିଙ୍ଗି ଦେଲେ ମନ୍ଦାକିନୀ । ଚିତ୍କାର କରି ଉଠିଲେ ସେ...‘‘ନାଁ...ନାଁ...ତୁମେ ମୋ ଉପରେ ପ୍ରତିଶୋଧ ନେଇ ପାରିବନି ଜୀବନବଲ୍ଲଭ ! ତୁମେ ଅମଣିଷ, ଦିନେ ତୁମେ ମୋର ଏହି କୁମାରୀ ତନୁକୁ ରକ୍ତାକ୍ତ କରି...ସେହି ରକ୍ତର ପ୍ଲାବନ ଭିତରେ ଯୌବନର ଆହୁତି ଢାଳିଥିଲ । ତେଣୁ ମୁଁ ତା’ର ପ୍ରତିଶୋଧ ନେଇ ତୁମକୁ ତିଳ ତିଳ ଜାଳି ପୋଡ଼ି ତା’ର ପ୍ରତିଶୋଧ ନେଇଛି । ତୁମେ ହାରିଯାଇଛ..ତୁମେ ଭୀରୁ...ତୁମେ କାପୁରୁଷ...ତୁମେ ପଳାତକ ।’’

 

ହଠାତ୍‌ ସେହି ଫୋପଡ଼ା ଫଟୋ ଭିତରୁ ପୁଣି ଆତ୍ମପ୍ରକାଶ କରିଛି ଜୀବନବଲ୍ଲଭଙ୍କ ଆତ୍ମା ! ପ୍ରବଳ ଧିକ୍‌କାର କରି ସେ କହିବାକୁ ଆରମ୍ଭ କରିଛି..‘‘ତେବେ ତୁମେ ପ୍ରାଣ ବିକଳରେ ଆଜି ଏମିତି କାହିଁକି ଆତ୍ମଗୋପନ କରୁଛ ମନ୍ଦାକିନୀ ! ସାମାଜିକ ମୁଖା ଖୋଲି କୁହ...ଜୀବନବଲ୍ଲଭଙ୍କ ଯୌବନଯଜ୍ଞର ତୁମେ ପ୍ରଥମ ଆହୁତି । ଏଇ ଅତିନ୍ଦ୍ର ସେହି ଆହୁତିର ଶେଷ ସ୍ମାରକୀ... । ତଥାପି ତୁମେ ଆତ୍ମମର୍ଯ୍ୟାଦାକୁ ଡରି ଆତ୍ମଗୋପନ କରୁଛ କାହିଁକି ମନ୍ଦାକିନୀ ! କୁହ... ସ୍ଵୀକାର କର...ତୁମେ ଜୀବନବଲ୍ଲଭଙ୍କୁ ନିଜ ହାତରେ ହତ୍ୟା କରିଛ ।’’

 

‘‘ନାଁ...ନାଁ...ନାଁ...ମୁଁ କୌଣସି ଯୁକ୍ତିକୁ ସ୍ୱୀକାର କରୁନାହିଁ । ମୁଁ ଜୀବନବଲ୍ଲଭଙ୍କ ପ୍ରେମିକା ନୁହେଁ...ମୁଁ ଚୌଧୁରୀ ଅନାଥବାବୁଙ୍କର ସ୍ତ୍ରୀ, ମହିଳା କଲେଜର ଖ୍ୟାତନାମା ଅଧ୍ୟକ୍ଷା । ତୁମକୁ ଅନେକ ସମବେଦନା ଜଣାଇ ମୁଁ ବାରମ୍ବାର ଘାତପ୍ରତିଘାତ ସହିଛି ଜୀବନବଲ୍ଲଭ ! ଆଉ ନୁହେଁ... । ଆଜି ତୁମକୁ ଶେଷଥର ପାଇଁ ମୁଁ ମୋ ନିକଟରୁ ବିଦାୟ ଦେବାକୁ ଚାହେଁ ।’’

 

ପ୍ରଳାପ କରୁ କରୁ ମନ୍ଦାକିନୀ...ଉନ୍ମତ୍ତା ହେଲା ଭଳି ଫଟୋଟିକୁ ପୁଣି ଉଠାଇ ଫିଙ୍ଗି ଦେଲେ ପ୍ରଦର୍ଶନୀ ପଡ଼ିଆର ମଝିକୁ ।

 

ଫଟ ଉପରେ ଲାଗିଥିବା ଫଟୋ କାଚ ଗୁଡ଼ିକ ବିଛାଡ଼ି ହୋଇ ପଡ଼ିଲା ଏଣେ...ତେଣେ... ।

 

ରାଗରେ ସେମିତି କମ୍ପି କମ୍ପି ମନ୍ଦାକିନୀ...‘‘ସାଧୁ ଜୀବନ–ବଲ୍ଲଭଙ୍କ ସ୍ମୃତି ପାଣ୍ଠିକୁ ଦାନ କରନ୍ତୁ’’ ଲେଖାଥିବା ଟିଣ ପ୍ଲେଟ୍‌ଟିକୁ ଝିଙ୍କି ଆଣି ମଧ୍ୟ ଫିଙ୍ଗି ଦେଲେ ବାହାରକୁ ।

 

ସ୍ଥିର ହୋଇ କେବଳ ଚାହିଁଥିଲେ ମହିଳା କଲେଜର ଛାତ୍ରୀମାନେ ।

 

ମନ୍ଦାକିନୀ ଦାନ୍ତ କାମୁଡ଼ି ନିଜକୁ ଧିକ୍‌କାର କରୁ କରୁ, କହିଲେ..‘‘ମୁଁ ଭୁଲ୍‌ କରିଛି । ଏପରି ଗୋଟିଏ ସ୍ମୃତି ପାଣ୍ଠି ସଂଗ୍ରହ କରିବା....ମୋ ପକ୍ଷରେ ଉଚିତ ନ ଥିଲା ।’’

 

କଥା କହୁ କହୁ ଫଟୋଟି ରଖା ଯାଇଥିବା ଟେବୁଲଟାକୁ ହାତରେ ଆଘାତ କରିବାରେ ଲାଗିଲେ ମନ୍ଦାକିନୀ ! ବେଳକୁ ବେଳ ସେ ଆଘାତ ପ୍ରବଳରୁ ପ୍ରବଳତର ହେଲା । ଧୀରେ ଧୀରେ ହାତର ଆଙ୍ଗୁଳି ଗୁଡ଼ାକ ଫାଟି ରକ୍ତ ବହିବାକୁ ଆରମ୍ଭ କଲା । ତଥାପି ସେମିତି ଆଘାତ କରିବାରେ ଲାଗିଥିଲେ ମନ୍ଦାକିନୀ...

 

ଚିତ୍କାର କରି ଉଠିଲେ ସୁମିତ୍ରା ଇତ୍ୟାଦି ଛାତ୍ରୀମାନେ । ମନ୍ଦାକିନୀ ଛାତି ଫଟା ଆର୍ତ୍ତନାଦ କରି କହୁଥିଲେ….‘‘ନାଁ....ନାଁ....ଜୀବନବଲ୍ଲଭଙ୍କ ଶେଷ ସ୍ମୃତିକୁ ମଧ୍ୟ ମୁଁ ଧ୍ଵଂସ କରି ଦେବାକୁ ଚାହେଁ….’’

󭨕󭨕𗰵

 

କଟିବନ୍ଧ

 

‘‘ଜବାବ ଦିଅନ୍ତୁ ଲେଖକ ନିରୁତ୍ତର ରହିଲେ କାହିଁକି ?’’

 

–‘‘କି ଉତ୍ତର ଦେବି ମୁଁ ଚିନ୍ତା କରି ପାରୁନି କାଦମ୍ବରୀ ଦେବୀ ।’’

 

ଦୁଇପାଦ ଆଗେଇ ଆସି ମୋ ପିଠିରେ ହାତ ପକାଇ କାଦମ୍ବରୀ କହିଲେ, ‘‘ମୁଁ ଜାଣେ ଆପଣ ଉତ୍ତର ଦେଇ ପାରିବେ ନାହିଁ । କାରଣ...ଉତ୍ତର ଦେବାର କ୍ଷମତା ଆପଣଙ୍କର ନାହିଁ ।’’

 

–‘‘ଆପଣ ଭୁଲ୍‌ ବୁଝୁଛନ୍ତି କାଦମ୍ବରୀ ଦେବୀ !’’

 

–‘‘ନାଁ....ଭୁଲ୍‌ ବୁଝିବା ମୋ ଜାତକରେ ନାହିଁ । ମୁଁ ଯାହା ବୁଝେ...ସବୁ ଠିକ୍‌ । ନିଜ ଉପରେ ପ୍ରବଳ ବିଶ୍ଵାସ ନ ଥିଲେ ମୁଁ ଆପଣଙ୍କୁ ଦୋଷ ଦିଅନ୍ତି ନାହିଁ ।’’

 

–‘‘ତା ହେଲେ ଆପଣ କହୁଛନ୍ତି...’’

 

–‘‘ନାଁ...କେବଳ ମୁଁ କହୁଛି ବୋଲି କହି ଆପଣ ଖସି ଯାଇ ପାରିବେନି । ମୋର ପୂର୍ଣ୍ଣ ବିଶ୍ଵାସ...ଆପଣ ଠକିବାକୁ ଚେଷ୍ଟା କରୁଛନ୍ତି ।’’

 

–‘‘ନାଁ...ନାଁ...ମୋତେ ଭୁଲ୍‌ ବୁଝନ୍ତୁନି କାଦମ୍ବରୀ ଦେବୀ । ମୁଁ ଯେ ଉପନ୍ୟାସଟି ଶେଷ କରିବାକୁ ପ୍ରବଳ ଉଦ୍ୟମ କରୁଛି ।’’

 

–‘‘ତା ହେଲେ କୁହନ୍ତୁ...ଆପଣଙ୍କ ଲେଖା କେବେ ଶେଷ ହେବ ?’’

 

–‘‘ମୁଁ ଯେ ନିଜେ ସେ କଥା ଜାଣି ପାରୁନି କାଦମ୍ବରୀ ଦେବୀ ! କାରଣ...’’

 

–‘‘ବାସ୍ତବିକ୍‌ କିଏ ହତ୍ୟାକାରୀ ଆପଣ ତାହା ଜାଣିପାରୁ ନାହାନ୍ତି...’’

 

–‘‘ହଁ ଠିକ୍‌, ସେଇଆ, କେବଳ ଯୁକ୍ତି ଶୁଣି ଶୁଣି ଯେ ମୁଁ ପାଗଳ ହେଇଯିବା ଉପରେ ।’’

 

–‘‘ଆପଣ ଭାବୁଛନ୍ତି...ମୁଁ ଆପଣଙ୍କୁ ପାଗଳ ବୋଲି ଧରି ନେଇ ନାହିଁ... ?’’

 

–‘‘କ’ଣ କହିଲେ ?’’

 

–‘‘ବୁଝି ପାରିଲେ ନି ? ମୋ ମତରେ ଆପଣ ପାଗଳ ।’’

 

–‘‘ମାନେ, ଏତେ ସହଜରେ...’’

 

–‘‘ହଁ...ଅତି ସହଜ ଭାବରେ କୁହାଯାଇ ପାରେ...ଲେଖକ ଗୁଡ଼ା ବଦ୍ଧ ପାଗଳ ।

 

–‘‘କ୍ଷମା କରିବେ କାଦମ୍ବରୀ ଦେବୀ ! ଆପଣ ସୌଜନ୍ୟ ରକ୍ଷା କରୁ ନାହାନ୍ତି ।’’

 

–‘‘ଯେଉଁମାନେ ସୌଜନ୍ୟ କ’ଣ ଜାଣନ୍ତି ନାହିଁ, ସେମାନଙ୍କ ନିକଟରେ ସୌଜନ୍ୟ ରକ୍ଷା କଲେ କିଛି ଲାଭ ହେବ ବୋଲି ମୁଁ ଭାବୁନାହିଁ ।’’

 

–‘‘ଅର୍ଥାତ୍‌ ଆପଣ କହୁଛନ୍ତି....’’

 

–‘‘ଥରେ ନୁହେଁ...ମୁଁ ବାରମ୍ବାର ହିଁ ଏଇ ଯୁକ୍ତି କରୁଛି, ଯେଉଁମାନେ ସାଙ୍ଗ ସାଥୀଙ୍କର ଚରିତ୍ରକୁ ବିକି ଅର୍ଥ ଉପାର୍ଜନ କରନ୍ତି....ସେମାନେ ସୌଜନ୍ୟ କ’ଣ ଜାଣନ୍ତି ବୋଲି ମୁଁ କିପରି ବିଶ୍ଵାସ କରିବି ?’’

 

–‘‘ଥରକୁ ଥର ଆପଣ ମୋତେ ଆଘାତ କରୁଛନ୍ତି କାଦମ୍ବରୀ ଦେବୀ ! କହନ୍ତୁ....କାହାଠାରୁ ମୁଁ ଟଙ୍କା ଖାଇ ଉପନ୍ୟାସ ଲେଖୁଛି ?’’

 

‘‘ମୋତେ ସେ କଥା ଅଜଣା ନାହିଁ ବ୍ରଜବାବୁ ! ମୁଁ ସବୁ କଥା ଜାଣେ...’’

 

–‘‘ମିଛ କହୁଛନ୍ତି....ମୁଁ ଆପଣଙ୍କର ଏ ଯୁକ୍ତିକୁ ସ୍ଵୀକାର କରିବି ନାହିଁ ।’’

 

–‘‘ସ୍ଵୀକାର କରିବାକୁ ଆପଣ ବାଧ୍ୟ । କହନ୍ତୁ, ଆପଣ ଲକ୍ଷ୍ମୀଧର ବାବୁଙ୍କ ଠାରୁ ଟଙ୍କା ଖାଇ ନାହାନ୍ତି ??’’ –‘‘ଏଁ....ଲକ୍ଷ୍ମୀଧର ବାବୁ ?’’

 

–‘‘ହଁ.. ଲକ୍ଷ୍ମୀଧର ବାବୁ ।’’

 

–ଲକ୍ଷ୍ମୀଧର ବାବୁଙ୍କ ସହିତ ଆପଣଙ୍କ ପରିବାରର କି ସମ୍ପର୍କ ? ସେ ଯେ ଜଣେ ପୁସ୍ତକ ପ୍ରକାଶକ ।’’

 

–‘‘ବେଶ୍‌...ତାଙ୍କରି ଠାରୁ ଆପଣ ଟଙ୍କା ଖାଇ ଏ ଉପନ୍ୟାସଟି ରଚନା କରୁଛନ୍ତି ।’’

 

–‘‘ସେ ଏପରି ଗୋଟିଏ ଉପନ୍ୟାସ ପ୍ରକାଶ କରି କି ଲାଭ ପାଇବେ କାଦମ୍ବରୀ ଦେବୀ-?’’

 

–‘‘କି ଲାଭ ମିଳିବ ତାହା ଲକ୍ଷ୍ମୀଧର ବାବୁ ବେଶ୍‌ ଜାଣନ୍ତି । ପାରିବାରିକ କାହାଣୀ ନେଇ ଉପନ୍ୟାସଟି ରଚିତ ହୋଇଥିବାରୁ...କାଟତି ବେଶ୍‌ ହେବ । ବିଶେଷ କରି କେତୋଟି ବ୍ୟକ୍ତି ଜୀବନ୍ତ ନେଇ ଉପନ୍ୟାସଟି ରଚିତ ହେଉଥିବାରୁ, ବଜାରରେ ହଇଚଇ ସୃଷ୍ଟି ହେବ ।’’

 

–ନାଁ....ନାଁ...ଆପଣ ଭୁଲ୍‌ ବୁଝୁଛନ୍ତି କାଦମ୍ବରୀ ଦେବୀ ! ଏପରି ଗୋଟିଏ ଉପନ୍ୟାସ ରଚନାରେ କୌଣସି ଉଦ୍ଦେଶ୍ୟ ନାହିଁ । ଆପଣ ଯଦି କହନ୍ତି...ତେବେ ସଙ୍ଗେ ସଙ୍ଗେ ମୁଁ ଏ ଉପନ୍ୟାସ ରଚନା ବନ୍ଦ କରିଦେବି ।’’

 

–‘‘ହଁ....ଆପଣ ବନ୍ଦ କରିଦେଇ ପାରିବେ, କିନ୍ତୁ ସେହି ସ୍ଥାନରେ ପୁଣି ଆଉ କେତୋଟି ନିରୀହ ଚରିତ୍ର ହେବେ ଆପଣଙ୍କର ଶିକାର । ସେମାନେ ଆପଣଙ୍କୁ କୈଫିୟତ ମାଗିବାକୁ ସୁବିଧା ପାଇବେ ନି । ଫଳରେ ଆପଣ ହେବେ ଗୌରବର ଅଧିକାରୀ ।’’

 

–‘‘ତା ହେଲେ ଆପଣ କ’ଣ ଭାବୁଛନ୍ତି ଜୀବନ୍ତ ଚରିତ୍ର ନ ହେଲେ ଉପନ୍ୟାସ ସୃଷ୍ଟି ହୋଇ ପାରେନାହିଁ ।’’

 

–‘‘ଜୀବନ୍ତ ହୁଅନ୍ତୁ...ମୃତ ହୁଅନ୍ତୁ...ଆପଣ ନିଶ୍ଚୟ ଉପନ୍ୟାସ ରଚନା ପାଇଁ ଚରିତ୍ର ଗ୍ରହଣ କରିବେ । ସେ ଚରିତ୍ର ଗୁଡ଼ିକ ହୋଇଥିବେ ଏ ମାଟିର ମଣିଷ । ଆପଣ ସେହିମାନଙ୍କ ଉପରେ ଚିତ୍ର ଆଙ୍କିବେ...ସେମାନଙ୍କୁ ବିଦ୍ରୂପ କରିବେ...ସେମାନଙ୍କୁ ତାତ୍ସଲ୍ୟ କରିବେ ।’’

 

‘‘ନାଁ....ନାଁ...ମୁଁ କୌଣସି ଜୀବନ୍ତ ବା ମୃତ ମଣିଷର ଚରିତ୍ର ଉପନ୍ୟାସରେ ସ୍ଥାନ ଦେବି ନାହିଁ ।’’

 

–‘‘ତା ହେଲେ ଆପଣ ଉପନ୍ୟାସ ଲେଖି ପାରିବେନି ବ୍ରଜବାବୁ । କାରଣ...ଆପଣ ମଙ୍ଗଳ ଗ୍ରହର ବା ଚନ୍ଦ୍ରମଣ୍ଡଳର ମଣିଷ ଚରିତ୍ର ଜାଣି ନାହାନ୍ତି । ସେମାନଙ୍କ ସ୍ଥିତି ଯେତେବେଳେ ସନ୍ଦେହପୂର୍ଣ୍ଣ...ସେତେବେଳେ ଆପଣ ବା ଚରିତ୍ର କଥା ଚିନ୍ତା କରିବେ କେମିତି ? କୌଣସି ମଣିଷ କଥା ଚିନ୍ତା କଲେ ହିଁ...ଏଇ ମାଟିର ମଣିଷ ବିଷୟ ଚିନ୍ତା କରିବେ ।’’

 

ବ୍ୟସ୍ତ ହୋଇ ଉଠିଲି ମୁଁ । ମୁଣ୍ଡରେ ହାତ ଘଷି ଘଷି କହିଲି–‘‘ମୋତେ କ୍ଷମା କରନ୍ତୁ କାଦମ୍ବରୀ ଦେବୀ ! ଆଜିଠାରୁ ମୋର ଉପନ୍ୟାସ ରଚନା ବନ୍ଦ ହୋଇଗଲା ।’’

 

ହସି ଉଠିଲେ କାଦମ୍ବରୀ । କହିଲେ–‘‘ପାରିବେନି ଲେଖକ । କାରଣ–ଆପଣ ଉପନ୍ୟାସ ଲେଖିବେ ବୋଲି ପ୍ରକାଶକଙ୍କ ଠାରୁ ଦୁଇଶହ ଟଙ୍କା ଆଡଭାନ୍‌ସ ଆଣିଛନ୍ତି । ଲେଖାଟି ନ ଦେଲେ ସେ ଆପଣଙ୍କୁ ବେଜିତ୍‌ କରିବେ । ଟଙ୍କା ପରିଶୋଧ କରିବାର କ୍ଷମତା ମଧ୍ୟ ଆପଣଙ୍କର ନାହିଁ । ତେଣୁ ଆପଣ ଉପନ୍ୟାସଟି ଲେଖିବାକୁ ବାଧ୍ୟ ।’’

 

କାତର ହୋଇ କହିଲି–‘‘ମୋତେ ଆଉ ପରୀକ୍ଷା କରନ୍ତୁ ନି କାଦମ୍ବରୀ ଦେବୀ ! ଏ ବିପଦରୁ ରକ୍ଷା କରନ୍ତୁ ।’’

 

ହସରେ ଫାଟିପଡ଼ି କାଦମ୍ବରୀ କହିଲେ–‘‘ମୁଁ ଭାବୁଥିଲି ଲେଖକମାନଙ୍କର ସାହସ ଅଛି, କିନ୍ତୁ ଆପଣ ଏଡ଼େ ଭୀରୁ !’’

 

ବାସ୍ତବିକ ସେତେବେଳକୁ ମୁଁ ଭୀରୁତାର ଚରମ ସୀମାରେ ପହଞ୍ଚି ସାରିଥିଲି । ଜୀବନବଲ୍ଲଭଙ୍କ ମୃତ୍ୟୁ ମୋ ନିକଟରେ ଏକ ରହସ୍ୟମୟ ଘଟଣା ହୋଇ ଉଠିଥିଲା । ପ୍ରଥମେ ମୋର ଧାରଣା ଜନ୍ମି ଥିଲା ଯେ...ତରୁଣକାନ୍ତ ଜୀବନବଲ୍ଲଭଙ୍କୁ ହତ୍ୟା କରିଛନ୍ତି...ପରେ ପରେ ପୁଣି ଅନୁମାନ କଲି ନିଶ୍ଚୟ ଏ ମୃତ୍ୟୁ ସମ୍ପର୍କରେ ଉର୍ମିଳା ଅଳ୍ପେ ବହୁତେ ଜାଣନ୍ତି । ତା’ପରେ ବିଶ୍ଵାସ ହେଲା...ମନ୍ଦାକିନୀ ହିଁ ସବୁ ଦୁର୍ଘଟଣାର କେନ୍ଦ୍ର । ପରେ ପରେ ପୁଣି ଚିନ୍ତା କଲି, ଅତିନ୍ଦ୍ର ଏ ମୃତ୍ୟୁ ପାଇଁ କମ୍‌ଦାୟୀ ନୁହଁନ୍ତି । ଶେଷରେ ଜାଣିବାକୁ ମିଳିଲା...ଏ ମୃତ୍ୟୁରେ ଇନିସ୍‌ପେକ୍‌ଟର ରଙ୍ଗବଲ୍ଲଭ ମଧ୍ୟ ଜଡ଼ିତ । ତେଣୁ ଏତେଗୁଡ଼ାଏ ପ୍ରାମାଣିକ ତଥ୍ୟର ଆବିଷ୍କାର ପରେ ମୁଣ୍ଡ ଗୋଳମାଳ ହେବା ସ୍ଵାଭାବିକ । କେବଳ ସେତିକି ନୁହେଁ...ଏବେ ପୁଣି ସମସ୍ତେ କହିବାକୁ ଆରମ୍ଭ କରିଛନ୍ତି ଯେ ‘‘ମୁଁ ଜୀବନବଲ୍ଲଭଙ୍କୁ ହତ୍ୟା କରିଛି ।’’ ଅବସ୍ଥାଟା ଲେଖକ ପକ୍ଷରେ କେଡ଼େ ଗୁରୁତର ତାହା ଅନୁମେୟ-

 

ଭୟଭୀତ ହେବା ଛଡ଼ା ମୋର କିଛି ଉପାୟ ନ ଥିଲା । ମୋର ଅପାରଗତାକୁ ମୁଁ ସମ୍ପୂର୍ଣ୍ଣ ପ୍ରକାଶ ନ କରି କେବଳ କହୁଥିଲି–‘‘ମୋତେ କ୍ଷମା କରି ଦିଅନ୍ତୁ କାଦମ୍ବରୀ ଦେବୀ ! ଆଜିଠାରୁ ମୋର ଏ ଉପନ୍ୟାସ ରଚନା ବନ୍ଦ ରହୁ ।’’

 

କାଦମ୍ବରୀ କାଉଁରିଆ କାଠି । ସେ ଭାଙ୍ଗି ଯିବେ...ହେଲେ ନଇଁବେ ନାହିଁ । ଶେଷ ପର୍ଯ୍ୟନ୍ତ ତାଙ୍କର କେବଳ ଗୋଟିଏ ଯୁକ୍ତି...‘‘ନାଁ...ନାଁ..ଆପଣଙ୍କୁ ଉପନ୍ୟାସଟି ରଚନା କରିବାକୁ ହେବ ।’’ ନିରୁତ୍ତର ରହିଥିଲି ମୁଁ !

 

କୁମାରୀ କାଦମ୍ବରୀ । ସତେ ଅବା ଜ୍ଵଳମାନ୍‌ ବହ୍ନି ଶିଖାର ଏକ ତେଜସ୍କ୍ରୀୟ ସ୍ପୁଲିଙ୍ଗ ସେ-। ଜଳିବା କେବଳ ତାଙ୍କର ଧର୍ମ । ହୁଏତ ଜୀବନଟା ସାରା ସେ ଜଳି ଜଳି....ଜ୍ଵଳନକୁ ନିଜର ଅଭ୍ୟାସରେ ପରିଣତ କରି ନେଇଛନ୍ତି । ତାଙ୍କ ବାକ୍ୟାଳାପରୁ ନିଷ୍ଠୁରତାର ନିର୍ବେଦ ପୁରୁଷାକାର ଆତ୍ମପ୍ରକାଶ କରେ । ହାର୍ଦ୍ଦିକତାରୁ ଶୁଷ୍କ ତାରୁଣ୍ୟ ସ୍ରୋତମୂଖୀ ହୁଏ । ସମବେଦନାରୁ ଜୀର୍ଣ୍ଣ ଯୌବନ ଜିଙ୍ଘାସିବାକୁ ଆରମ୍ଭ କରେ ।

 

ସେହି କୁମାରୀ କାଦମ୍ବରୀ । ଜୀବନରେ ପ୍ରେମର ଦ୍ରାଘିମା ଅତିକ୍ରମକରି ନାହାନ୍ତି । ମାନବିକତାର ଆଶ୍ଳେଷରେ ନିଜକୁ ଆହୁତି ଦେଇ ନାହାନ୍ତି । କିନ୍ତୁ ସନ୍ଦେହ... ।

 

ନାଁ...ସନ୍ଦେହକୁ ସେ ଧରି ନିଅନ୍ତି ଏକ ନିରର୍ଥକ ଚୈତନ୍ୟୋଦୟ ବୋଲି । ସେ ନିଜକୁ ଭାବି ନିଅନ୍ତି ସନ୍ଦେହହୀନା କରି ।

 

କିନ୍ତୁ ବାସ୍ତବିକ୍‌ କ'ଣ କାଦମ୍ବରୀ ସନ୍ଦେହହୀନା ? ସେ କଥା ସେ ନିଜେ ହୁଏତ ସ୍ଵୀକାର କରି ନ ପାରନ୍ତି । ତଥାପି...ଅନ୍ୟ ନିକଟରେ ସେ ମୁକ୍ତା...ସ୍ଵତନ୍ତ୍ରା... । ଅପରକୁ ଆଘାତ କରିବାରେ ତାଙ୍କର କୁଣ୍ଠା ନାହିଁ । ଏପରିକି ନିଜ ବାପା ଜୀବନବଲ୍ଲଭଙ୍କୁ ସେ ପ୍ରଶ୍ନବାଣରେ ଘାଉଲା ନ କରି ଛାଡ଼ି ନାହାନ୍ତି । ସେଇଥିପାଇଁ ଅନେକ ସମୟରେ ବାପ ଝିଅଙ୍କର ମନ ମିଳୁ ନ ଥିଲା । ସ୍ନେହ, ମମତା ନ ଥିଲା ।

 

ଅନେକ ସମୟ ଧରି ମୋର ଏ ନୀରବ ଅନୁଚିନ୍ତା ଦେଖି କାଦମ୍ବରୀ କଥାରେ ଜୋର ଦେଇ କହିଲେ–‘‘କ’ଣ ଭାବୁଛନ୍ତି ଆପଣ ? କହନ୍ତୁ, ଉପନ୍ୟାସଟି କେବେ ଶେଷ କରିବେ ?’’

 

ବାରମ୍ବାର ଏହି ଗୋଟିଏ ପ୍ରଶ୍ନ ମୋତେ ଆଘାତ ଦେଇସାରିଥିଲା । ତେଣୁ ସାହସ ସଞ୍ଚୟ କରି କହିଲି–‘‘ଆପଣ ଅପେକ୍ଷା କରନ୍ତୁ...ଏଇ ସଙ୍ଗେ ସଙ୍ଗେ ମୁଁ ଉପନ୍ୟାସଟି ଶେଷକରି ଦେଉଛି ।’’

 

ମୋର ଉତ୍ତର ଶୁଣି ଏକରକମର ଭାଙ୍ଗି ପଡ଼ିଲେ ସେ । କାବାହୋଇ କିଛି ସମୟ ଚାହିଁ ରହିଲେ ମୋ ଆଡ଼େ । ତା’ପରେ ବେଦନାତୁର କଣ୍ଠରେ କହିଲେ–‘‘ଏ ଆପଣ କ’ଣ କହୁଛନ୍ତି ଲେଖକ ? ଆପଣ ବର୍ତ୍ତମାନ ବହିଟିର ଲେଖା ଶେଷ କରିଦେବେ ? ତେବେ କ’ଣ ଆପଣ ଭାବୁଛନ୍ତି ଜୀବନବଲ୍ଲଭଙ୍କ ହତ୍ୟାକାରୀ...’’

 

ତାଙ୍କ ପାଟିରୁ କଥା ଛଡ଼ାଇ ନେଇ କହିଲି–‘‘ମୋ ମତରେ ତରୁଣକାନ୍ତ । ଯେଉଁଦିନ ହୋଟେଲରେ ତରୁଣକାନ୍ତଙ୍କୁ ଅତିନ୍ଦ୍ର ଭେଟିଛନ୍ତି...ସେହି ଦିନଠାରୁ ହିଁ ମୁଁ ଏହାର ପ୍ରମାଣ ପାଇଛି । କେବଳ ଅଧିକ ପ୍ରମାଣ ସଂଗ୍ରହ ପାଇଁ ମୁଁ ଅପେକ୍ଷା କରିଥିଲି ।’’

 

କାନ୍ଦି ଉଠିଲେ କାଦମ୍ବରୀ, ନିବେଦନ କଲା ଭଳି ମୋର ହାତକୁ ଧରି ପକାଇ କହିଲେ–‘‘ଆପଣ ଭୁଲ୍‌ ବୁଝିଛନ୍ତି ଲେଖକ, ଅଧ୍ୟାପକ ତରୁଣକାନ୍ତ ନିରପରାଧୀ । ଏ ମୃତ୍ୟୁ ସମ୍ପର୍କରେ ବାସ୍ତବିକ୍ ସେ କିଛି ଜାଣନ୍ତି ନାହିଁ ।’’

 

‘‘ତେବେ ???’’ ମୁଁ ଆଉ କୌଣସି ପ୍ରଶ୍ନ ପଚାରି ପାରିଲି ନାହିଁ । କେବଳ ପ୍ରଶ୍ନ କଲା ଭଳି ଭ୍ରୂକୁଞ୍ଚିତ କରି ଚାହିଁ ରହିଲି କାଦମ୍ବରୀଙ୍କ ଆଡ଼େ ।

 

ମୋ ଲେଖା ଟେବୁଲରେ ମୁଣ୍ଡରଖି ସେ ଆରମ୍ଭ କଲେ...‘‘ସେ ଅନେକ କଥା ଲେଖକ-। ଅନ୍ତତ ମୁଁ ନିଶ୍ଚିତ ଭାବରେ ଜାଣେ...ତରୁଣକାନ୍ତ...ମୃତ୍ୟୁ ସମ୍ପର୍କରେ ସମ୍ପୂର୍ଣ୍ଣ ଅନଭିଜ୍ଞ । ଏ ସମ୍ପର୍କରେ ଆପଣଙ୍କ ସନ୍ଦେହ ଠିକ୍‌ ନୁହେଁ । ତରୁଣକାନ୍ତ ଅର୍ଥଶାସ୍ତ୍ରର ଅଧ୍ୟାପକ, କିନ୍ତୁ ଶାସ୍ତ୍ର ଓ ଜୀବନ ଭିତରେ ଯେଉଁ ପ୍ରଭେଦ...ଠିକ୍‌ ସେହି ପ୍ରଭେଦ ନେଇ ସେ ସମାଜରେ ଜଣେ ମଣିଷ । ସମାଜରେ ବଞ୍ଚିବାକୁ ହେଲେ ଯେଉଁ ଜଟିଳତା ଆବଶ୍ୟକ...ସେ ଜଟିଳତାର ଧାର ଧାରନ୍ତି ନାହିଁ ତରୁଣକାନ୍ତ ।’’

 

କାଦମ୍ବରୀଙ୍କ କଥା ଶୁଣି ମୋତେ ଆଉଟିକେ ଆଶ୍ଚର୍ଯ୍ୟ ଲାଗିଲା । କଥାଟାକୁ ସହଜ କରିବା ପାଇଁ କହିଲି–‘‘ଯଦି ମୃତ୍ୟୁ ସମ୍ପର୍କରେ ତରୁଣକାନ୍ତ କିଛି ଜାଣି ନ ଥିଲେ–ତେବେ ଅତିନ୍ଦ୍ରଙ୍କ ଅଭିଯୋଗ ଶୁଣି ଏପରି ବ୍ୟସ୍ତ ହୋଇ ଉଠିଲେ କାହିଁକି ?’’

 

ମୋର ଯୁକ୍ତି ଶୁଣି ହସିଲେ କାଦମ୍ବରୀ । କହିଲେ–‘‘ମୋର ଯୁକ୍ତିରେ ବ୍ୟସ୍ତ ହୋଇ ଯେପରି ଆପଣ ଉପନ୍ୟାସ ରଚନା ବନ୍ଦ୍‌ କରି ଦେବାକୁ ଉଦ୍ୟତ ହୋଇ ପଡ଼ିଥିଲେ–ଠିକ୍ ସେହିପରି ତରୁଣକାନ୍ତ...ଅତିନ୍ଦ୍ରଙ୍କ ଅଚାନକ ଆକ୍ରମଣରେ ଘାଉଲା ହୋଇ ପଳାଇ ଯିବାକୁ ଚେଷ୍ଟା କରିଥିଲେ । ଯେଉଁମାନେ କେବେ କୌଣସି ଅପବାଦ ଜୀବନରେ ଶୁଣି ନାହାନ୍ତି...ସେମାନେ ପ୍ରଥମେ ଅପବାଦର ସମ୍ମୁଖୀନ ହେଲେ ଯେଉଁ ଯନ୍ତ୍ରଣା ହୁଏ...ତାହା କେବଳ ଅନୁଭବୀ ହିଁ କହିବେ-।’’

 

ଏଥର କାଦମ୍ବରୀଙ୍କୁ ଘାଉଲା କରିବା ଲାଗି ମୋତେ ସମୟ ଓ ସୁବିଧା ମିଳିଲା । ତେଣୁ ହଠାତ୍‌ ପ୍ରଶ୍ନ କଲି–‘‘ଆପଣ ଜାଣନ୍ତି...ଜୀବନବଲ୍ଲଭଙ୍କ ମୃତ୍ୟୁ ଦିନ...ତାଙ୍କ କୋଠରିକୁ ଗୋଟିଏ ଅଲସେସିଆନ୍ କୁକୁର ଯାଇଥିଲା । ମନେହୁଏ...ସେହି କୁକୁରଟି ଥିଲା ତରୁଣକାନ୍ତଙ୍କର ।’’

 

ସହଜ ଭାବରେ ପୁଣି ହସି ଉଠି କାଦମ୍ବରୀ କହିଲେ–‘‘ନାଁ... ଏ କଥା ବି ଠିକ୍ ନୁହେଁ । ସେ ଦିନ ମୁଁ ନିଜେ ଗୋକୁଳ ସାମନ୍ତରାଙ୍କ କୁକୁରଟିକୁ ଆମ ଘରକୁ ନେଇଥିଲି । ବିଶେଷ କରି କୁକୁରଟି ଦେଖିବାକୁ କେଡ଼େ ସୁନ୍ଦର...ତାହା ମୁଁ ବାପାଙ୍କୁ ଦେଖାଇବାକୁ...ତାଙ୍କ କୋଠରୀକୁ ନେଇଥିଲି । ସେ ଖୁବ୍ ଆନନ୍ଦିତ ହୋଇ କୁକୁରଟିକୁ ଆଉଁଶିଥିଲେ । ଶେଷରେ ମୁଁ ତାଙ୍କୁ କହିଲି ଯେ ଏପରି ଗୋଟିଏ ସ୍ପେନିସ୍‌ କୁକୁର ଅଧ୍ୟାପକ ତରୁଣକାନ୍ତଙ୍କର ମଧ୍ୟ ଅଛି । ମୋ କଥା ଶୁଣିବାପରେ ବାପା ଦୁଃଖରେ ଭାଙ୍ଗି ପଡ଼ି...କୁକୁରଟିକୁ ନେଇଯିବା ପାଇଁ ଅନୁରୋଧ କରିଥିଲେ ।’’

 

କଥା ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗିଲା । କହିଲି–‘‘ତରୁଣକାନ୍ତଙ୍କ କୁକୁର କଥା ଶୁଣି ଜୀବନବଲ୍ଲଭ ଭାଙ୍ଗି ପଡ଼ିଲେ କାହିଁକି ? ନିଶ୍ଚୟ ସେ ତରୁଣକାନ୍ତଙ୍କୁ ଭୟ କରୁଥିଲେ ।’’

 

ସାହସ ଦେବା ପରି କାଦମ୍ବରୀ କହିଲେ–‘‘ନାଁ...ଠିକ୍‌ ତାହା ନୁହେଁ । ଏହା ମୂଳରେ ଆହୁରି ଗୁପ୍ତ ରହସ୍ୟ ରହିଛି । ସେଥିରୁ କେତୋଟି କହୁଛି ଶୁଣନ୍ତୁ...ହୁଏତ ଆପଣଙ୍କର ଦରକାରରେ ଆସିପାରେ ।’’

 

ମୁଁ ତରୁଣକାନ୍ତକୁ ଭଲଭାବରେ ଜାଣିଥିଲି । ତାଙ୍କ ସମ୍ବନ୍ଧରେ ଅନେକ କଥା ଶୁଣିଥିଲି । ସତ କହିବାକୁ ଗଲେ ମୋର ଗୁପ୍ତ ମନ ଭିତରେ ତରୁଣକାନ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ଆସନ ରହିଥିଲା । କିନ୍ତୁ ବାପା ତରୁଣକାନ୍ତକୁ ଭଲ ପାଉ ନ ଥିଲେ । ଅବଶ୍ୟ ସେ ଯେ ତରୁଣକାନ୍ତଙ୍କୁ ଚିହ୍ନିଥିଲେ ତାହା ନୁହେଁ । ହେଲେ ତରୁଣକାନ୍ତ ଯେ’ ଆନନ୍ଦ ବାବୁଙ୍କ ପୁଅ...ଏକଥା ତାଙ୍କୁ ବେଶ୍‌ ଜଣାଥିଲା । ଆନନ୍ଦବାବୁ କିପରି ଆତ୍ମହତ୍ୟା କରିଥିଲେ ତାହା ତ’ ଆପଣ ଜାଣନ୍ତି । ଏପରି ଏକ ଦୁର୍ଘଟଣା ପରେ ସେ ଆନନ୍ଦ ବାବୁଙ୍କ ପରିବାର ଠାରୁ ଦୂରେଇ ରଖିବାକୁ ସର୍ବଦା କାମନା କରୁଥିଲେ ।

ଏହାର ସୁବିଧା ନେବାକୁ ଚେଷ୍ଟା କଲେ ଅତିନ୍ଦ୍ର । ଅତିନ୍ଦ୍ର ବାପାଙ୍କର ପାର୍ଟନର ହେବା ପରେ ଦୃଷ୍ଟି ପକାଇଲେ ମୋ ଉପରେ । ଏ ଦୃଷ୍ଟିକୁ କିନ୍ତୁ ମୁଁ ମୋଟେ ପସନ୍ଦ କରୁ ନ ଥିଲି । ମୁଁ ଭାବୁଥିଲି ଯେ...ମୋ ସହିତ ମିଶିବା ପାଇଁ ବାପା ଅତିନ୍ଦ୍ରଙ୍କୁ ଉତ୍ସାହିତ କରୁଛନ୍ତି । କିନ୍ତୁ ମୋର ଧାରଣା ଠିକ୍‌ ନ ଥିଲା । ବାପା ମଧ୍ୟ ଚାହୁଁ ନ ଥିଲେ ଯେ...ମୁଁ ଅତିନ୍ଦ୍ରକୁ ଭଲ ପାଇ ବସେ ।’’

ଘଟଣାଟି ଶୁଣିବା ପରେ ମୋ ମୁଣ୍ଡ ଗୋଳମାଳ ହେଇଗଲା । କହିଲି–‘‘ତରୁଣକାନ୍ତଙ୍କ ସହିତ ମିଶିବା ଲାଗି ସିନା ଜୀବନବଲ୍ଲଭ ସୁଖ ପାଉ ନ ଥିଲେ...ହେଲେ ଅତିନ୍ଦ୍ରଙ୍କୁ ତ’ ସେ ବେଶ୍‌ ବିଶ୍ୱାସ କରୁଥିଲେ, ତଥାପି ଆପଣଙ୍କ ସହିତ ତାଙ୍କର ସମ୍ପର୍କ ସେ ଇଚ୍ଛା ନ କରିବାର କାରଣ କ’ଣ-?’’

କାଦମ୍ବରୀ ଆରମ୍ଭ କଲେ–‘‘ସେ ଅନେକ କଥା । ବାପା ଓ ଅଧ୍ୟକ୍ଷା ମନ୍ଦାକିନୀ ଥିଲେ ଗୋଟିଏ କଲେଜର ଛାତ୍ର ଛାତ୍ରୀ । ଯୌବନାବସ୍ଥାରୁ ଏ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଥିଲା । ବାପା କାଶ୍ମୀର ଯାଇଥିବାବେଳେ ଗୋଟିଏ ଚକୋଲେଟ୍‌ ରଙ୍ଗର ସୁଇଟର ଆଣି ଉପହାର ଦେଇଥିଲେ ତାଙ୍କୁ । ସମୟକ୍ରମେ ସେଇଟି ହଜି ଯାଇଥିଲା ଓ ତାହାର ପାଇଁ ହେଲା ମନୋମାଳିନ୍ୟ...ଏ କଥା ମଧ୍ୟ ଆପଣ ଅଳ୍ପେ ବହୁତେ ଜାଣନ୍ତି । କିନ୍ତୁ ଏ ସବୁ ଛଡ଼ା ଆଉ ଗୋଟିଏ କଥା ଆପଣଙ୍କୁ ଜଣାନାହିଁ-। ବାପାଙ୍କ ଠାରୁ ମନ୍ଦାକିନୀ ଦୂରେଇ ଯିବା ବେଳକୁ ସେ ଥିଲେ ଅନ୍ତଃସତ୍ତ୍ୱା । ପରେ ପରେ ମନ୍ଦକିନୀ ବିବାହ କଲେ ଇଂଜିନିୟର ଅନାଥ ବାବୁଙ୍କୁ । ପ୍ରଥମେ ଜନ୍ମ ହେଲା ପୁତ୍ର ସନ୍ତାନଟିଏ-। ସେହି ପୁତ୍ର ସନ୍ତାନ ହିଁ ଏଇ ଅତିନ୍ଦ୍ର ଭାଇ । ତେଣୁ ତାଙ୍କ ସହିତ ମୋର ସମ୍ପର୍କକୁ ବାପା ସ୍ୱୀକାର କରନ୍ତେ କେମିତି ?’’

ଆକାଶରୁ ଛିଡି ପଡ଼ିଲା ପରି ମୁଁ କହି ଉଠିଲି–‘‘ଅତିନ୍ଦ୍ର ବାବୁ ଆପଣଙ୍କ ଭାଇ ?’’

କାଦମ୍ବରୀ ନିରୁତ୍ସାହିତ ହୋଇ କହିଲେ–‘‘ହଁ...ସେ ମୋର ଭାଇ ! କିନ୍ତୁ ଏକଥା ଏକା ମନ୍ଦାକିନୀଙ୍କ ବ୍ୟତୀତ ସମାଜର ଆଉ କେହି ଜାଣନ୍ତି ନାହିଁ । ଜାଣିବାର ଉପାୟ ମଧ୍ୟ ନାହିଁ । ସମାଜର ଅନ୍ଧକାର ମଧ୍ୟରେ ଏମିତି ଯେ କେତେ ଗୁପ୍ତ ରହସ୍ୟ, ଆତ୍ମଗୋପନ କରିଛି...ତା’ କିଏ କହିବ ?’’

ନିଜକୁ ସଂଯତ କରି ପୁଣି କହିଲି...‘‘ନାଁ...କେବଳ ଏଇଥିପାଇଁ ମୁଁ ତରୁଣକାନ୍ତଙ୍କୁ ଦୋଷୀ ବୋଲି ଧରି ନେଇନାହିଁ । ଏସବୁ ଛଡ଼ା ତାଙ୍କୁ ଖୁନୀ ବୋଲି ପ୍ରମାଣ କରିବାକୁ ଆହୁରି ଅନେକ ଯୁକ୍ତି ମଧ୍ୟ ରହିଛି । କାରଣ ଜୀବନବଲ୍ଲଭଙ୍କ ମୃତ ବିଛଣା ଦେହରୁ ତରୁଣକାନ୍ତଙ୍କର ଗୋଟିଏ ଫଟୋ ମଧ୍ୟ ମିଳିଥିଲା ।’’

ହସିଲେ କାଦମ୍ୱରୀ । କହିଲେ–‘‘ହଁ...ମୋଠାରୁ ତରୁଣକାନ୍ତଙ୍କ ନାମ ସେ ବାରମ୍ବାର ଶୁଣିବା ପରେ...ଥରେ ମାତ୍ର ତାଙ୍କୁ ଦେଖିବାକୁ ବିକଳ ହୋଇ ପଡ଼ିଥିଲେ । ତେଣୁ ଉର୍ମିଳାଠାରୁ ଗୋଟିଏ ଫଟୋ ନେଇ ମୁଁ ଦେଖାଇଥିଲି ତାଙ୍କୁ । ସେ ଫଟୋଟି ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ ସତ...ହେଲେ ବିଛଣା ତଳେ ସାଇତି ରଖିଥିଲେ ମୃତ୍ୟୁ ପର୍ଯ୍ୟନ୍ତ । ଅବଶ୍ୟ ବାପାଙ୍କ ମୃତ୍ୟୁ ପରେ ଏ ଫାଟୋଟି ଅତିନ୍ଦ୍ରଙ୍କର ହସ୍ତଗତ ହୋଇଥିଲା । ସେଇଥିରୁ ସେ ସନ୍ଦେହ କରିଥିଲେ ଯେ...ବାପାଙ୍କ ମୃତ୍ୟୁପାଇଁ ତରୁଣକାନ୍ତ ଦାୟୀ ।’’

 

ପ୍ରବଳ ପ୍ରତିବାଦ କରି ମୁଁ କହିଲି–‘‘ନାଁ...ନାଁ...ତାଙ୍କ ଚଷମା...ତାଙ୍କ ସିଗାରେଟ୍ କେଶ୍‌...-।’’

 

ସାମାନ୍ୟ ମୁରୁକି ହସି କାଦମ୍ବରୀ କହିଲେ–

 

‘‘ଆପଣ ଭୁଲ୍ ବୁଝିଛନ୍ତି ଆଜ୍ଞା । ଗୋଟିଏ ଗୋଲଡ଼ ଫ୍ରେମର ଆମେରିକାନ୍ ଚଷମା ବାପାଙ୍କର ମଧ୍ୟ ଥିଲା । ସେଇଟିକୁ ସେ ଥରେ ଉପହାର ଦେଇଥିଲେ ଇଞ୍ଜିନୟର ଆନନ୍ଦ ବାବୁଙ୍କୁ । ଆନନ୍ଦ ବାବୁ ନେଲେ ନାହିଁ । ତେଣୁ ଚଷମାଟି ସେମିତି ରହିଥିଲା ତାଙ୍କ ପାଖରେ । ମୃତ୍ୟୁ ଦିନ ସେ ନିଜେ ଚଷମାଟିକୁ ଭାଙ୍ଗି ଦେଇଥିଲେ ।’’

 

କାଦମ୍ବରୀଙ୍କ କଥାରେ ବାଧା ଦେଇ କହିଲି–‘‘ତେବେ ତରୁଣକାନ୍ତଙ୍କ ଚଷମା ଗଲା କୁଆଡ଼େ ?’’

 

କାଦମ୍ବରୀ କହିଲେ–‘‘ଅତିନ୍ଦ୍ରଙ୍କ ଯୁକ୍ତିରେ ଆଘାତ ପାଇ ତରୁଣକାନ୍ତ ହୋଟେଲରୁ ବାହାରି ଆସିବା ବେଳେ ତାଙ୍କ ଚଷମା ଓ ସିଗାରେଟ୍ କେଶକୁ ଟେବୁଲ ଉପରେ ଭୁଲ୍‌ରେ ଛାଡ଼ି ଦେଇ ଚାଲି ଆସିଥିଲେ । ପରେ ପରେ ସେ ଜିନିଷ ଗୁଡ଼ାକୁ ମୁଁ ସେଠାରୁ ଉଦ୍ଧାର କରି ଆଣିଛି । ହେଇ ଦେଖନ୍ତୁ...ସେଗୁଡ଼ିକ ଏପର୍ଯ୍ୟନ୍ତ ମୋ ନିକଟରେ ଅଛି ।’’

 

କାଦମ୍ବରୀ ଚଷମା ଓ ସିଗାରେଟ୍ କେଶ୍ ବାହାର କରି ମୋତେ ଦେଖାଇଲେ । ମୁଁ କେବଳ ବୋକାଙ୍କ ପରି ଚାହିଁଥିଲି । ଶେଷରେ କହିଲି–‘‘ତେବେ ତରୁଣକାନ୍ତ ଚକୋଲେଟ୍‌ ରଙ୍ଗର ସୁଇଟରଟି ଚୋରେଇ ନେଲେ କାହିଁକି ।’’

 

ଅଥୟ ହେଲେ କାଦମ୍ବରୀ । କହିଲେ–‘‘ଆପଣ ଭୁଲ୍ ବୁଝିଛନ୍ତି ଲେଖକ । ଉର୍ମିଳା ବା ତରୁଣକାନ୍ତ ସେ ସୁଇଟର ନେଇ ନାହାନ୍ତି । ନିଜେ ଅଧ୍ୟକ୍ଷା ମନ୍ଦାକିନୀ ଚୋରି କରିଛନ୍ତି ସୁଇଟରଟି-।’’

 

‘‘ମାନେ ??’’ ମୋର ଅନ୍ତର ଥରି ଉଠିଲା ।

 

ପୁଣି କାଦମ୍ବରୀ କହିଲେ–‘‘ସତ କହୁଛି ବ୍ରଜବାବୁ ! ସେଦିନ କମନ୍ ରୁମରେ ଉର୍ମିଳା ସୁଇଟରଟି ରଖି ଦେଇ ଯିବା ପରେ... ମନ୍ଦାକିନୀଙ୍କ ଆଖିରେ ପଡ଼ିଥିଲା ସେଇଟି । ସେହି ସୁଇଟର ପାଇଁ ତାଙ୍କ ଜୀବନର ଏତେ ବଡ଼ ବିପ୍ୟର୍ଯୟ । ତେଣୁ ହୁଏତ ତାଙ୍କ ସୁପ୍ତ ଯୌବନ ଚେଇଁ ଉଠିଲା...ବିବେକ ଆତ୍ମଗୋପନ କଲା, ସେ ଚୋରୀ କଲେ, ସୁଇଟରଟିକୁ ଆପଣ ଇଚ୍ଛା କଲେ ଦେଖନ୍ତୁ...ଏପର୍ଯ୍ୟନ୍ତ ମଧ୍ୟ ମନ୍ଦାକିନୀ ସୁଇଟରଟିକୁ ତାଙ୍କ ଲୁଗା ଟ୍ରଙ୍କରେ ସଜାଇ ରଖିଛନ୍ତି ।’’

 

ତରୁଣକାନ୍ତଙ୍କୁ ଖୁନୀ ବୋଲି ପ୍ରମାଣ କରିବା ଲାଗି ମୋର ଆଉ ଉପାୟ ନ ଥିଲା । ନିଜେ ନିଜେ ଭାବିନେଲି...ଉର୍ମିଳା ହିଁ ଏ ମୃତ୍ୟୁ ପାଇଁ ଦାୟୀ । ସେ ଯଦି ତରୁଣକାନ୍ତଙ୍କ ସହିତ କାଦମ୍ବରୀଙ୍କର ସମ୍ପର୍କ ଚାହିଁ ନ ଥାନ୍ତେ–ତେବେ ହୁଏତ ଏତେବଡ଼ ଦୁର୍ଘଟଣା ଘଟି ନ ଥାନ୍ତା ।

 

ମୁଁ ଠିକ୍ ଏମିତି ଗୁଡ଼ାଏ ଚିନ୍ତା କରୁଥିବା ବେଳେ...କାଦମ୍ବରୀ କହିଲେ–‘‘ମୁଁ ଜାଣି ପାରୁଛି ଲେଖକ...ଆପଣ ଉର୍ମିଳାକୁ ଖୁନୀ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ତା’ ଉପରେ ଏତେ ବଡ଼ ଦୋଷ ଲଦି ଦେବା ପୂର୍ବରୁ ଆପଣ ପ୍ରଥମେ ଚିନ୍ତା କରିବା ଉଚିତ ଯେ...ସେ ଜଣେ ଓଡ଼ିଆ ଝିଅ । ଭାଇ...ପରିବାର...ସ୍ୱାମୀ ... ଜୀବନ, ଏଇ କେତେଟା ଚିନ୍ତା ଥିଲା ତା’ ନିକଟରେ ବିରାଟ ।’’

 

କାଦମ୍ୱିନୀଙ୍କ ମୁହଁରୁ କଥା ଛଡ଼ାଇ ମୁଁ କହିଲି...ହଁ...ସେ କଥା ଜାଣେ । କିନ୍ତୁ ବାପା ଝିଅଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି କରି ଉର୍ମିଳା...ଏପରି ଏକ ସମ୍ପର୍କ ପ୍ରତିଷ୍ଠା ପାଇଁ ପାଗଳୀ ହୋଇ ଉଠିଥିଲେ କାହିଁକି ?’’

 

କାଦମ୍ବରୀ କହିଲେ–‘‘କାରଣ ସେ ଓଡ଼ିଆ ଝିଅ । ଓଡ଼ିଆ ଘରେ ଝିଅ ବିଭା ହୋଇଯିବା ପରେ...ସେ ହୁଏ ଘରର କୁଣିଆଁ । ତା'ପରେ ସବୁ ନିର୍ଭର କରେ ବାପ, ଭାଇ, ଭାଉଜଙ୍କ ଉପରେ । ତାଙ୍କର ହାତ ଟେକା, ସ୍ନେହ, ସୌହାର୍ଦ୍ୟ ଉପରେ ହିଁ ସମ୍ପର୍କ ତିଷ୍ଠି ରହେ । ଉର୍ମିଳା ନିଜର ଭାଇ ତରୁଣକାନ୍ତଙ୍କୁ ଖୁବ୍ ଭଲ ପାଉଥିଲା । ତରୁଣକାନ୍ତ ମଧ୍ୟ ଉର୍ମିଳାକୁ ପ୍ରାଣଠାରୁ ଅଧିକ ଭଲ ପାଉଥିଲେ । କିନ୍ତୁ ତରୁଣକାନ୍ତଙ୍କ ଭାବୀ ସ୍ତ୍ରୀ ଯଦି ଉର୍ମିଳାକୁ ଭଲ ନ ପାଆନ୍ତି...ତେବେ ଏ ସ୍ନେହ ଯେ କିଛି ନୁହେଁ...ସେହି ତରୁଣକାନ୍ତ ଯେ ଦିନେ ପୁଣି ନିଶ୍ଚୟ ବଦଳିଯିବେ । ଏ ବିଶ୍ୱାସ ଉର୍ମିଳାର ଥିଲା । ତେଣୁ ସେ ଚାହୁଁଥିଲା ଜଣେ ଭାଉଜ...ଯିଏ ସବୁଦିନ ତାକୁ ଆପଣାର କରି ପାରିବ ।’’

 

–‘‘ଆପଣ ତାଙ୍କର ଭାଉଜ ହେବାକୁ ଉପଯୁକ୍ତ ବୋଲି କାହିଁକି ଭାବିନେଲେ ସେ ?’’ ଅଡ଼ୁଆ କରି ମୁଁ ପ୍ରଶ୍ନଟି ପଚାରିଲି ।

 

ହସରେ ଫାଟି ପଡ଼ୁ ପଡ଼ୁ କାଦମ୍ବରୀ କହିଲେ–‘‘ଉର୍ମିଳା ମୋତେ ନୂଆ କରି ଆଜି ଦେଖୁ ନାହିଁ । ସେ ମୋର ବହୁଦିନର ସାଥୀ । ତେଣୁ ମୋ ସମ୍ପର୍କରେ ଯେ ତା’ର ଗୋଟିଏ ପୂର୍ଣ୍ଣ ଧାରଣା ଥିଲା ଏଥିରେ ସନ୍ଦେହ ନାହିଁ ।’’

 

–‘‘ତା ହେଲେ ଆପଣ କହୁଛନ୍ତି...ଉର୍ମିଳା ମୃତ୍ୟୁ ସମ୍ପର୍କରେ କିଛି ଜାଣନ୍ତି ନାହିଁ ।’’

 

‘‘ନା...କେବଳ ମୁଁ କହୁନାହିଁ । ଆପଣ ମଧ୍ୟ ଠିକ୍ ସେଇଆ କହିବାକୁ ବାଧ୍ୟ ।’’

 

କଥାର ମୋଡ଼ ବୁଲାଇ ମୁଁ କହିଲି...‘‘କିନ୍ତୁ ଇନସ୍ପେକ୍ଟର ରଙ୍ଗବଲ୍ଲଭ କହନ୍ତି...ଏ ହତ୍ୟା ପାଇଁ ଉର୍ମିଳା ପୂର୍ଣ୍ଣ ଭାବରେ ସହଯୋଗ କରିଛନ୍ତି ।’’

 

ଟିକେ ନୀରବ ହୋଇଗଲେ କାଦମ୍ବରୀ । କ’ଣ ଭାବି ପୁଣି କହିଲେ–‘‘ସେ କଥା ମୁଁ ଜାଣେ । ରଙ୍ଗବଲ୍ଲଭ ନିଶ୍ଚୟ ଏପରି ପ୍ରମାଣ ସଂଗ୍ରହ କରୁଥିବେ । ରଙ୍ଗବଲ୍ଲଭଙ୍କୁ ମୁଁ ଆଜି ନୂଆ ଚିହ୍ନୁ ନାହିଁ ।’’

 

–‘‘ମାନେ ??’’ ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ ମୁଁ ଚାହିଁଲି କାଦମ୍ବରୀଙ୍କ ଆଡ଼କୁ । କାଦମ୍ବରୀ କହି ଚାଲିଲେ ।

 

–‘‘ଆପଣ ଜାଣନ୍ତି ନାହିଁ...ଇନିସ୍‌ପେକ୍ଟର ରଙ୍ଗବଲ୍ଲଭ ତରୁଣକାନ୍ତଙ୍କର ବହୁଦନର ପରିଚିତ ବନ୍ଧୁ । ବାଲ୍ୟାବସ୍ଥାରୁ ସେମାନଙ୍କର ବନ୍ଧୁତ୍ୱ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ସ୍କୁଲ ଜୀବନରେ ରଙ୍ଗବଲ୍ଲଭ ଥିଲେ ସବୁଠାରୁ ଦୁଷ୍ଟ, ଚରିତ୍ରହୀନ ପିଲା । ଏପରିକି କୌଣସି ଶିକ୍ଷକ ତାଙ୍କୁ ଭଲ ପାଉ ନ ଥିଲେ । ମ୍ୟାଟ୍ରିକରେ ଦୁଇ ତିନି ବର୍ଷ ଫେଲ୍ ହେବା ପରେ ପୁଣି ପାଶ୍‌କରି ସେ କଲେଜରେ ଯୋଗଦେଲେ । କଲେଜରେ ମଧ୍ୟ ସଂଖ୍ୟାଧିକ ବାର ତାଙ୍କୁ ଫେଲ୍‌ ହେବାକୁ ପଡ଼ିଲା । ଏଇ କଲେଜରେ ସେ ଝିଅ ପିଲାଙ୍କ ପଛରେ କିପରି ଗୋଡ଼ାଉଥିଲେ–ଏ ପର୍ଯ୍ୟନ୍ତ ଅନେକେ ଭୁଲି ନାହାନ୍ତି । ଏପରିକି ଦିନେ କଟକର ବାଲିଯାତ୍ରା ସମୟରେ ମୋ ଉପରେ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ସେ । ଏ ସବୁ ବିଷୟ ମୁଁ ସୂଚେଇ ଦେଇଥିଲି ଉର୍ମିଳାକୁ । ତେଣୁ ଉର୍ମିଳା ସର୍ବଦା ଦୂରେଇ ରହିବା ଲାଗି ଚେଷ୍ଟା କରୁଥିଲା ରଙ୍ଗବଲ୍ଲଭଙ୍କଠାରୁ ।

 

କିନ୍ତୁ ରଙ୍ଗବଲ୍ଲଭ ଚାହୁଁଥିଲେ ଯେ, ସେ ତରୁଣକାନ୍ତଙ୍କ ସହ ଘନିଷ୍ଟତା ରକ୍ଷାକରି ଉର୍ମିଳାର ସର୍ବସ୍ୱ ହରଣ କରିବେ ।’’

 

–‘‘ତା ହେଲେ ଆପଣ କ’ଣ କହୁଛନ୍ତି ଯେ–ଉର୍ମିଳାକୁ ଦୋଷୀ କରିବା ପାଇଁ ଚାହାନ୍ତି ରଙ୍ଗବଲ୍ଲଭ ? ” କହିଲି ମୁଁ ।

 

କାଦମ୍ବରୀ କହିଲେ–‘‘ନାଁ...ରଙ୍ଗବଲ୍ଲଭ ଠିକ୍ ସେଇଆ ଆଶା କରି ନ ଥିଲେ । ସେ ଭାବିଥିଲେ... ତରୁଣକାନ୍ତଙ୍କ ମୁଣ୍ଡରେ ଦୋଷ ଲଦିଦେଲେ...ତରୁଣକାନ୍ତ ତାଙ୍କ ସାହାଯ୍ୟ ଲୋଡ଼ିବେ-। ଉର୍ମିଳା ମଧ୍ୟ ଏଥିପାଇଁ ଅନୁରୋଧ କରିବ । ତା’ ଛଡ଼ା ନିଜେ ଉର୍ମିଳା ଉପରେ ସାମାନ୍ୟ ଦୋଷ ଦେଇ ମୁକ୍ତ କରିବାର ଗୌରବ ନେବେ । ଫଳରେ ଉର୍ମିଳାର ନୈତିକ ସମର୍ଥନ ମିଳିବ । ଏଇ ସମର୍ଥନ ଦ୍ଵାରା ହିଁ ସେ ହାସଲ କରିବେ ସବୁ ।’’

 

ପ୍ରତିବାଦ କରି କହିଲି–‘‘କିନ୍ତୁ ରଙ୍ଗବଲ୍ଲଭ ଯେ ଉର୍ମିଳାକୁ ସମ୍ପୂର୍ଣ୍ଣ ଦୋଷୀ ବୋଲି କହୁଛନ୍ତି ।’’

 

ସହଜ ଭାବରେ କାଦମ୍ବରୀ କହିଲେ–ହଁ.., ଏପରି ଦୋଷଦେବାର ମଧ୍ୟ କାରଣ ରହିଛି-। ପୁରୁଷଗୁଡ଼ା ସ୍ଵାର୍ଥପର । ତାଙ୍କ ମନୋନୀତ ପ୍ରଣୟିନୀ ସହିତ...ଆଉ କାହାର ସମ୍ପର୍କ ଥିବାର ଯଦି ସେ ଶୁଣନ୍ତି...ତେବେ ଧୈର୍ଯ୍ୟ ଧରି ରହି ପାରନ୍ତି ନାହିଁ । ସେହି ଯଶା ହୋଇଛି ରଙ୍ଗବଲ୍ଲଭଙ୍କର । ମନ୍ଦାକିନୀଙ୍କଠାରୁ ରଙ୍ଗବଲ୍ଲଭ ଜାଣିଲେ ଯେ ଉମିଳା ଗର୍ଭବତୀ । ଆଇ. ଜି ଗୋବର୍ଦ୍ଧନ ପଟ୍ଟନାୟକଙ୍କ ସହିତ ତା’ର ସମ୍ପର୍କ ଅଛି । ତେଣୁ ବିରକ୍ତ ହୋଇ ଉଠିଲେ ରଙ୍ଗବଲ୍ଲଭ । ତା’ର ପ୍ରତିକ୍ରିୟା ସୂରୁପ ସେ ଚେଷ୍ଟାକଲେ ଉର୍ମିଳାକୁ ଖୁନୀ ବୋଲି ପ୍ରମାଣ କରିବା ଲାଗି ।’’

 

ସାମାନ୍ୟ ଚମକି ଉଠି କହିଲି–‘‘ତେବେ କ’ଣ ସତରେ ଉର୍ମିଳା ଗର୍ଭବତୀ ନୁହଁନ୍ତି ?’’

 

ହସିଲେ କାଦମ୍ବରୀ । କହିଲେ–‘‘ସବୁ କେବଳ ଭୁଲ୍ ବୁଝାବଣା, ଜୀବନବଲ୍ଲଭଙ୍କ ମୃତ୍ୟୁ ପାଇଁ ତରୁଣକାନ୍ତ ଦୋଷୀ ବୋଲି ଶୁଣିବା ପରେ ସେ ଦୁଃଖରେ ଭଙ୍ଗି ପଡ଼ିଥିଲା । ଆତ୍ମଚିନ୍ତାରେ ସେ ନିଜର ଅବସ୍ଥା କଥା ଭାବୁଥିଲା । ଠିକ୍ ଏତିକିବେଳେ ପହଞ୍ଚିଗଲେ ମନ୍ଦାକିନୀ । ଯାହା ଶୁଣିଲେ–ତାହାର ସେ କଦର୍ଥ କରି ରଙ୍ଗବଲ୍ଲଭଙ୍କୁ କହିଲେ । ଏ କଥା ରଙ୍ଗବଲ୍ଲଭ ତରୁଣକାନ୍ତଙ୍କୁ କହିବା ପରେ... ଉର୍ମିଳା ସତକଥା କହିବାକୁ ପସନ୍ଦ କଲାନାହିଁ । କାରଣ–ସତକଥା ଜାଣିଥିଲେ ତରୁଣକାନ୍ତ ଉର୍ମିଳାକୁ ଦୋଷଦେଇ ପାରି ନ ଥାନ୍ତେ–ଅଥବା ନିଜେ ରକ୍ଷା ପାଇ ଉର୍ମିଳାକୁ ଜେଲ ଭୋଗିବା ପାଇଁ ସ୍ଵାଧୀନତା ଦେଇ ନ ଥାନ୍ତେ । ତେଣୁ ଉର୍ମିଳା ସବୁବେଳେ ଚିନ୍ତା କଲା–ଯେ ତରୁଣକାନ୍ତ ତା’ଉପରେ ଚିଡ଼ନ୍ତୁ...ରାଗରେ ତା’ର ମୁଣ୍ଡରେ ଦୋଷ ଦେଇ ନିଜେ ନିର୍ଦ୍ଦୋଷ ହୁଅନ୍ତୁ ।’’

 

ଏ ସବୁ ଯୁକ୍ତି ଶୁଣିବାକୁ ମୋର ଆଉ ଧୈର୍ଯ୍ୟ ନଥିଲା । ଏପରି ଏକ ଗୋଳମାଳ ପରିସ୍ଥିତି ଭିତରେ ପଶିବାକୁ ମଧ୍ୟ ମୋର ଆକାଂକ୍ଷା ନ ଥିଲା । ନିରୁତ୍ସାହିତ ହୋଇ କହିଲି–‘‘କାଦମ୍ବରୀ ଦେବୀ ! ଘଟଣାର ଟିକିନିଖି ଟିପା ଟିପ୍ପଣୀ ମୋର ଆବଶ୍ୟକ ନୁହେଁ । ମୁଁ ମାତ୍ର ଜଣେ ସାମାନ୍ୟ ଉପନ୍ୟାସ ଲେଖକ । ଗୁଇନ୍ଦା ବିଭାଗର ଅଫିସର ପରି ଟଣାର ଅଭ୍ୟନ୍ତରେ ପ୍ରବେଶ କରିବାର ଆଗ୍ରହ ମୋର ନାହିଁ । ଆପଣ ଯାଆନ୍ତୁ...ଏଇଠି ମୁଁ ଉପନ୍ୟାସଟି ଶେଷ କରି ଦେଉଛି । ଲେଖି ଦେଉଛି...ଅତିନ୍ଦ୍ର ହଁ ଜୀବନବଲ୍ଲଭଙ୍କ ମୃତ୍ୟୁ ପାଇଁ ଦୋଷୀ ।’’

 

ହଠାତ୍ କାନ୍ଦି ଉଠିଲେ କାଦମ୍ବରୀ । ଟେବୁଲ ଉପରେ ମୁହଁ ରଖି ନିଜକୁ ନିଜେ ଧିକ୍କାର କଲା ଭଳି କହିଲେ–‘‘ଏ ଆପଣ କଣ କହୁଛନ୍ତି ଲେଖକ ? ଅତିଦ୍ର ସେ ଜୀବନବଲ୍ଲଭଙ୍କର ଅସ୍ଵୀକୃତ ସନ୍ତାନ । ତେଣୁ ମୁଁ ଜାଣୁ ଜାଣୁ ଆପଣ ମୋ ଭାଇ ମୁଣ୍ଡରେ ଏତେବଡ଼ ଗୋଟାଏ ଦୋଷ ଲଦି ଦେବେ...ମୁଁ ତାହା ସହିବି କିପରି ? ମୁଁ ସ୍ୱୀକାର କରୁଛି...ଅତିନ୍ଦ୍ର ନିଶ୍ଚୟ ଜଟିଳ । ଧନ ଓ ଜୀବନ ପାଇଁ ଭୁଲ୍ କରିବା ତାଙ୍କ ନିକଟରେ ବିଚିତ୍ର ନୁହେଁ... । କିନ୍ତୁ...’’ ଅଟକିଗଲେ କାଦମ୍ବରୀ ।

 

ପରେ ପରେ ଟିକେ ଉଚ୍ଚ ସ୍ୱରରେ କହିଲି–‘‘ତେବେ ଅତିନ୍ଦ୍ରଙ୍କ ମୁଣ୍ଡରେ ଦୋଷ ଲଦି ଦେବାରେ ଆପତ୍ତି ରହିଲା କେଉଁଠି ?’’

 

ସାମାନ୍ୟ ବିଚଳିତା ହୋଇ ଉଠିଲେ କାଦମ୍ବରୀ ।

 

ଟିକେ ଗଳା ଖଙ୍କାରି କହିଲେ–ଆପଣଙ୍କ ଯୁକ୍ତିକୁ ମୁଁ ଏଡ଼ାଇ ଦେଉନାହିଁ । ହେଲେ ଅତିନ୍ଦ୍ର ଯେ ଜୀବନବଲ୍ଲଭଙ୍କ ହତ୍ୟାକାରୀ ନୁହଁନ୍ତି...ଏହା ବିନା ଦ୍ଵିଧାରେ କୁହାଯାଇ ପାରେ ?’’

 

ଟିକେ ଆଶ୍ଚର୍ଯ୍ୟ ହୋଇ କହିଲି–‘‘କେମିତି ?’’

 

ମୁହଁ ସେମିତି ତକୁ କରି କାଦମ୍ବରୀ କହିଲେ–“ଅତିନ୍ଦ୍ରଙ୍କର ଅର୍ଥ ଲୋଭ ଅପେକ୍ଷା ମାଂସର ଲୋଭ ଅଧିକ । ତାଙ୍କ ଦୃଷ୍ଟିରେ ମୁଁ ଥିଲି ବଡ଼ । ମୁଁ କିପରି ତାଙ୍କ ପୌରୁଷତ୍ୱକୁ ସ୍ଵୀକାର କରେ...ତାଙ୍କୁ ପ୍ରଶଂସା କରେ....ତାଙ୍କ ପାଦତଳେ ନିଜକୁ ସମର୍ପି ଦିଏ...ଏଇ କଥା ହିଁ ସେ ଅଧିକ ପରିମାଣରେ ଚିନ୍ତା କରୁଥିଲେ । ସେଥିପାଇଁ ନାନା ଚକ୍ରାନ୍ତ କରି ତରୁଣକାନ୍ତଙ୍କ ବିରୁଦ୍ଧରେ ବାପାଙ୍କ ନିକଟରେ ଅଭିଯୋଗ କରିବା, ତାଙ୍କ ପକ୍ଷରେ ଅସମ୍ଭବ ନ ଥିଲା ।

 

ତା’ ଛଡ଼ା ବାପାଙ୍କ ମୃତ୍ୟୁ ଦିନ ଅତିନ୍ଦ୍ର ସହରରୁ ଅନୁପସ୍ଥିତ ଥିଲେ ।’’

 

ହଠାତ୍‍ କଥାରେ ବାଧା ଦେଇ ମୁଁ କହିଲି–‘‘ଅତିନ୍ଦ୍ର ସହରରୁ ଅନୁପସ୍ଥିତ ଥିଲେ ବୋଲି ଆପଣ ଜାଣିଲେ କେମିତି ?’’

 

କାଦମ୍ବରୀ କହିଲେ–‘‘ଠିକ୍‍ ସେହିଦିନ ସନ୍ଧ୍ୟାବେଳେ ମୁଁ ଅଧ୍ୟକ୍ଷା ମନ୍ଦକିନୀଙ୍କ ନିକଟକୁ ଯାଇଥିଲି । ତାଙ୍କ ଠାରୁ ଶୁଣିଲି ଯେ ଅତିନ୍ଦ୍ର ସକାଳୁ ନିଜ ଗାଁକୁ ଯାଇଛନ୍ତି । ପାହାନ୍ତା ଗାଡ଼ିରେ ଫେରିବେ ।

 

ପରେ ଏହାର ସତ୍ୟତା ମଧ୍ୟ ମୁଁ ଜାଣି ପାରିଥିଲି । ରାତିରେ ବାପାଙ୍କ ମୃତ୍ୟୁ ହେବା ପରେ ସକାଳୁ କଥାଟା ପ୍ରଘଟ ହୋଇ ଯାଇଥିଲା । ଅତିନ୍ଦ୍ର ବିକଳରେ ଧାଇଁ ଆସି ଘରଟିକୁ ପରୀକ୍ଷା ନିରୀକ୍ଷା କଲାବେଳେ ତାଙ୍କ ପକେଟରୁ ମେଲ ଟିକେଟଟିଏ ଖସି ପଡ଼ିଲା । ଏତିକିରୁ ମୁଁ ବେଶ୍‍ ବୁଝିନେଲି ଯେ...ଅତିନ୍ଦ୍ର ମୃତ୍ୟୁ ସମ୍ପର୍କରେ କିଛି ଜାଣନ୍ତି ନାହିଁ । କାରଣ ମେଲ୍‍ ଗାଡ଼ି ଆସି ଷ୍ଟେସନରେ ପହଞ୍ଚେ ପ୍ରାୟ ଭୋର ସାଢ଼େ ପାଞ୍ଚଟାରେ ।’’

 

ପୁଣି କାଦମ୍ବରୀଙ୍କ କଥାରେ ବାଧା ଦେଲି ମୁଁ–‘‘କିନ୍ତୁ ପୋଲ ବାବଦର ବିଲ୍ ଟଙ୍କାକୁ ଯେ ଅତିନ୍ଦ୍ର ଆତ୍ମସାତ୍ କରିବାକୁ ଚେଷ୍ଟା କରୁଥିଲେ ।’’

ହସିଲେ କାଦମ୍ବରୀ–କହିଲେ–‘‘ନାଁ...ଏ ଆପଣଙ୍କର ଭୁଲ୍ ଧାରଣା । ଟଙ୍କା ପାଇଁ ଅତିନ୍ଦ୍ରଙ୍କର ପ୍ରବଳ ମୋହ ଥିଲା ସତ...ହେଲେ ବାପାଙ୍କୁ ଅସନ୍ତୁଷ୍ଟ କରିବା ଲାଗି ସେ ମୋଟେ ଇଚ୍ଛା କରୁ ନ ଥିଲେ । କାରଣ...ତାଙ୍କର ଧାରଣା ଜନ୍ମି ଥିଲା ଯେ–ବାପା ମୋର ବିବାହ ତାଙ୍କ ସହିତ କରାଇ ଦେବା ଲାଗି ଆଗ୍ରହୀ ।’’

ବିରକ୍ତ ହୋଇ କହିଲି–‘‘ଆପଣ ତ ପ୍ରତ୍ୟେକ କଥାର ପ୍ରତିବାଦ କରୁଛନ୍ତି । ତା ହେଲେ ବାସ୍ତବିକ୍ ଜୀବନବଲ୍ଲଭଙ୍କୁ କିଏ ହତ୍ୟା କରିଛି...ଆପଣ ଯଦି କିଛି ଜାଣିଛନ୍ତି...ତେବେ କହନ୍ତୁ, ମୁଁ ମିଛରେ ବାଡ଼ି ବୁଲାଇ ଲାଭ କ’ଣ ?’’

ଟିକେ ଶଙ୍କି ଯାଇ କାଦମ୍ବରୀ କହିଲେ–‘‘ମୁଁ ଯଦି ସତ କଥାଟା ଜାଣିଥାନ୍ତି–ତେବେ ଏତେ ମଥା ଖେଳାଇବାର ଆବଶ୍ୟକତା କ’ଣ ଥିଲା ? ସିଧା ସିଧା ତ’ ମୋର ଅଭିଯୋଗକୁ ମୁଁ କାର୍ଯ୍ୟକାରୀ କରି ନିଅନ୍ତି ।’’

କାଦମ୍ବରୀଙ୍କ ଯୁକ୍ତି ଶୁଣି ନୀରବ ହୋଇଗଲି ମୁଁ ।

କାଦମ୍ବରୀ ପୁଣି ଆରମ୍ଭ କଲେ–‘‘ଆପଣ ହୁଏତ ଏ ମୃତ୍ୟୁ ପାଇଁ ମନ୍ଦାକିନୀଙ୍କ ଦୋଷୀ ବୋଲି ଭାବୁଥିବେ, କିନ୍ତୁ ସେ ମଧ୍ୟ ଏ ହତ୍ୟାରେ ସଂପୃକ୍ତ ବୋଲି ମୁଁ ବିଶ୍ୱାସ କରୁନାହିଁ ।’’

–‘‘କାହିଁକି ? ତାଙ୍କୁ ଦୋଷ ଦେବାରେ କ’ଣ କିଛି ଯୁକ୍ତି ନାହିଁ ।’’

–‘‘ହଁ ତାଙ୍କ ମୁଣ୍ଡରେ ଦୋଷ ଲଦି ଦେବାକୁ ବହୁ ଯୁକ୍ତି ରହିଛି, କିନ୍ତୁ ସେଗୁଡ଼ିକ କେବଳ ଯୁକ୍ତି ମାତ୍ର । ତାହା ଦେହରେ ସତ୍ୟତା ନାହିଁ । ମନ୍ଦାକିନୀ ଖୁବ୍‍ ଭୟାତୁରା । ହତ୍ୟା ପରି ଏକ ଜଘଣ୍ୟ କାର୍ଯ୍ୟ ପାଇଁ ଯେ ସେ ଏକାନ୍ତ ଅଯୋଗ୍ୟ ଏଥିରେ ତିଳେହେଲେ ସନ୍ଦେହ ନାହଁ ।

ସେ ଥିଲେ ଜୀବନଵଲ୍ଲଭଙ୍କ ପ୍ରେମିକା । ତେଣୁ ଜୀବନବଲ୍ଲଭଙ୍କ ପ୍ରତି ତାଙ୍କର ଦୁର୍ବଳତା ଥିଲା ନିଶ୍ଚୟ, କିନ୍ତୁ ତାଙ୍କ ଉପରେ ମନ୍ଦାକିନୀଙ୍କର ପ୍ରତିହିଂସା ନ ଥିଲା । କାରଣ–ଓଲଟି ସବୁବେଳେ ମନ୍ଦାକିନୀ ଭାବୁଥିଲେ ମୁଁ ଜୀବନବଲ୍ଲଭଙ୍କ ପ୍ରତି ଅନ୍ୟାୟ କରିଛି । ଏହି ଆତ୍ମଗ୍ଲାନିରେ ସେ ନିଜକୁ ନିଜେ ଜାଳି ପୋଡ଼ି ତିଳ ତିଳ ନିଜର ବିଷରେ ନିଜେ ମର୍ମାହତ ହେଉଥିଲେ ସତ–ତଥାପି ଜୀବନବଲ୍ଲଭଙ୍କ ପ୍ରତି ତାଙ୍କର ସମର୍ଥନ ପୂର୍ଣ୍ଣ ମାତ୍ରାରେ ରହିଥିଲା ।

ଅନେକ ସମୟରେ ଯୌବନର ସ୍ମୃତି ମଣିଷର ସାରା ଜୀବନ ପାଇଁ ସମ୍ପଦ ହୋଇ ରହେ । ଠିକ୍ ତାହାହିଁ ହୋଇଥିଲା ମହାକିନୀଙ୍କର । ଥରେ ଭୁଲ୍ ବୁଝି ସେ ଜୀବନବଲ୍ଲଭଙ୍କ ପ୍ରତି ଯେଉଁ ଅନ୍ୟାୟ କରିଥିଲେ...ସେ ଅନ୍ୟାୟର ପ୍ରାୟଶ୍ଚିତ କରିଥିଲେ ସାରା ଜୀବନ କେବଳ ଅନୁତାପ କରି କରି ।

ଏଥିପାଇଁ ତାଙ୍କ ସହିତ ସାକ୍ଷାତ ହେବା ପରେ ମନ୍ଦାକିନୀ ଏକ–ରକମର ଭାଙ୍ଗି ପଡ଼ିଥିଲେ । ଅହେତୁକୀ ମନ ଭିତରେ ସ୍ମୃତିରେ ପୂଜାକୁ ଗାଢ଼ରୁ ଗାଢ଼ତର କରିବା ଲାଗି ସେ ଅତିନ୍ଦ୍ରଙ୍କୁ ଛାଡ଼ିଥିଲେ ତାଙ୍କ ନିକଟରେ ।

ଏବେ କୁହନ୍ତୁ...ଆଉ ମନ୍ଦାକିନୀଙ୍କୁ ବା ଦୋଷ ଦେଇ ହେବ କିପରି ?

 

ଆପଣ ହୁଏତ ଯୁକ୍ତି କରିବେ ଯେ–ତା ହେଲେ ମନ୍ଦାକିନୀ ଚକୋଲେଟ୍‍ ରଙ୍ଗର ସୁଇଟରଟି ଚୋରାଇ ନେଲେ କାହିଁକି ? କିନ୍ତୁ ଏ ଅଭିଯୋଗର ଉତ୍ତର ଖୁବ୍ ସହଜ । ଏହି ଚକୋଲେଟ୍ ରଙ୍ଗର ସୁଇଟର ମନ୍ଦାକିନୀଙ୍କ ଦୁର୍ଭାଗ୍ୟର କାରଣ । ତେଣୁ ସେ ରଙ୍ଗଟା ଯେ ତାଙ୍କୁ ଜୀବନସାରା ଦୁଃଖ ଦେଉଥିବ ଏଥିରେ ସନ୍ଦେହ ନାହିଁ ।

 

ହଠାତ୍ସେହି ରଙ୍ଗର ସୁଇଟରଟି ସେ କମନରୁମରେ ଦେଖିବା ପରେ ଆତ୍ମହରା ହୋଇ ପଡ଼ିଥିବେ । ସୁଇଟର ପାଇଁ ଗୁପ୍ତ ମନ ଭିତରେ ପ୍ରବଳ ମୋହ ଜାଗି ଉଠିଥିବ । ଫଳରେ ଅଧ୍ୟକ୍ଷା ଆସନରୁ ଖସିଆସି ସେ ସୁଇଟରଟିକୁ ଚୋରାଇ ନେବାକୁ ପଛାଇ ନାହାନ୍ତି ।

 

ଆପଣ ଲେଖକ । ଆପଣଙ୍କୁ ମୁଁ ଅଧିକ ବା, କ’ଣ କହିବି ? ମନ୍ଦାକିନୀ ମଣିଷ, ଅଧ୍ୟକ୍ଷା ହେଲେ ମଧ୍ୟ ମଣିଷର ସହଜାତ ପ୍ରବୃତ୍ତି ସେ ଛାଡ଼ନ୍ତେ କିପରି ?

 

କେହି ଜଣେ ଉଚ୍ଚପଦସ୍ଥ ଅଫିସର ହୋଇପାରେ...କିନ୍ତୁ ପ୍ରତ୍ୟେକଙ୍କ ମନ ଭିତରେ ଯେଉଁ ଆଦିମ ମାନବ ପ୍ରବୃତ୍ତି ଆତ୍ମଗୋପନ କରିଛି...ସେ ବିରାଟ ଅଫିସର ପାଖରେ ଯାହା...ଦରିଦ୍ର ଚପରାଶୀ ପାଖରେ ମଧ୍ୟ ସେଇଆ ।

 

ତେଣୁ ମନ୍ଦାକିନୀଙ୍କର ବା ଭୁଲ ରହିଲା କେଉଁଠି ? ବରଂ ଯଦି ମନ୍ଦାକିନୀ ଏ ଭୁଲ୍ ନ କରିଥାନ୍ତେ–ତେବେ ମୁଁ କହିଥାନ୍ତି–ସେ ଅମଣିଷ ।’’

 

–‘‘ମାନେ ??’’ ହସୁ ହସୁ କହିଲି ମୁଁ ।

 

କାଦମ୍ବରୀ ଜଣେ ଦାର୍ଶନିକା ପରି ଆଖି ଟେକି କହିଲେ–‘‘ଆପଣ ବିଶ୍ୱାସ କରନ୍ତୁ ବ୍ରଜବାବୁ ! ମଣିଷ ସର୍ବଦା ନିଜକୁ ଗୁପ୍ତ ରଖି ଅଭିନୟ କରେ ବୋଲି ସେ ହୁଏ ମଣିଷ । ନିଜକୁ ପୂର୍ଣ୍ଣ ମାତ୍ରାରେ ପ୍ରକାଶ କଲେ ସେ ହେବ ପଶୁ । ଏଇ ଦେଖନ୍ତୁ...ସହରରେ ଗଲାବେଳେ ବିରାଟ ବିରାଟ କୋଠା ଦେଖି ଆପଣଙ୍କ ଗୁପ୍ତ ମନ ଭିତରେ କ’ଣ ବାସନା ଜାଗେ ନାହିଁ ? ସେହି ପ୍ରାସାଦରେ ଜୀବନ କଟାଇବାକୁ ଆତ୍ମା କହେ ନାହିଁ ? ଏ ଜୀବନ ପରା ସୁଖ ପ୍ରୟାସୀ, କିନ୍ତୁ ସେ କାମନାକୁ ଗୁପ୍ତ ରଖି ଆମେ ଅଭିନୟ କରୁ ବୋଲି–ହେଉ ମଣିଷ । ପ୍ରକାଶ କଲେ ହେବୁ ଚୋର...ବା ଗୁଣ୍ଡା ବା ଅସାମାଜିକ ଜୀବ ।’’

 

କାଦମ୍ବରୀଙ୍କ ଯୁକ୍ତି ଶୁଣି ମୁଁ କାବା ହୋଇଗଲି ।

 

କାଦମ୍ବରୀ ପୁଣି କହିଲେ–‘‘କିନ୍ତୁ ଏହି ଆତ୍ମପ୍ରକାଶକୁ ମୁଁ ମଣିଷତା ବୋଲି ଗ୍ରହଣ କରେ-। ସିଏ ସଚ୍ଚା ମଣିଷ...ତା ପକ୍ଷରେ ଆତ୍ମ ପ୍ରକାଶ ହିଁ ଲୋଡ଼ା, ତେଣୁ ମୋ ମତରେ ମନ୍ଦାକିନୀ କିଛି ଭୁଲ୍, କରି ନାହାନ୍ତି ।’’

 

ବ୍ୟସ୍ତ ହୋଇ କହିଲି–‘‘ହଉ ଆଜି ଏତିକି ଥାଉ । ଅନେକ କଥା ଆପଣଙ୍କ ଠାରୁ ଶୁଣିଲିଣି । ଆଉ କେବେ ଆସିଲେ କଥାବାର୍ତ୍ତା ହେବା ।’’

 

କାଦମ୍ବରୀ କିନ୍ତୁ ଛାଡ଼ିବା ଝିଅ ନୁହଁନ୍ତି । ହଠାତ୍ ସ୍ୱର ବଦଳାଇ କହିଲେ–‘‘ଆପଣ ମୋ ଉପରେ ବିରକ୍ତ ହୋଇଗଲେଣି ନିଶ୍ଚୟ; କିନ୍ତୁସେ ବିରକ୍ତି ଭାବକୁ ପ୍ରକାଶ ନ କରି ଆତ୍ମଗୋପନ କରୁଛନ୍ତି କାହିଁକି ? ଇଚ୍ଛା ଅନୁସାରେ ଗାଳି ଦିଅନ୍ତୁ, ସେଥିରେ ମୁଁ ଖୁସି ହେବି ।’’

 

ଅଡ଼ୁଆରେ ପଡ଼ି ବିବ୍ରତ ହୋଇଗଲି ମୁଁ ।

 

କାଦମ୍ବରୀ ପୁଣି ଆରମ୍ଭ କଲେ–‘‘ଏହା ଭିତରେ ହୁଏତ ଆପଣ ରଙ୍ଗବଲ୍ଲଭ ଜେନାଙ୍କୁ ଦୋଷୀ କରିବା ଲାଗି ଚେଷ୍ଟା କରୁଥିବେ, କିନ୍ତୁ ସେ ମଧ୍ୟ ପ୍ରକୃତ ଦୋଷୀ ନୁହନ୍ତି । ଅବଶ୍ୟ ଉର୍ମିଳାକୁ ବିବାହ କରିବା ପାଇଁ ତାଙ୍କ ମନ ଭିତରେ ପ୍ରବଳ ଆକାଂକ୍ଷା ଜାତ ହୋଇଛି, ତେଣୁ ସେ ସଂଖ୍ୟାଧିକ ମିଛ ସତ କହି ପରିସ୍ଥିତିକୁ ଜଟିଳ କରିଦେବା ପାଇଁ ଚେଷ୍ଟା କରିଛନ୍ତି । କିନ୍ତୁ ଜୀବନବଲ୍ଲଭଙ୍କ ମୃତ୍ୟୁ ସହିତ ତାଙ୍କୁ ଜଡ଼ିତ କଲେ ଅନ୍ୟାୟ ହେବ ।

 

ଉର୍ମିଳା ପ୍ରତି ରଙ୍ଗବଲ୍ଲଭଙ୍କର ଯେଉଁ ମୋହ ଥିଲା...ସେ ମୋହ ବା କାହାର ନାହିଁ । ଯୌବନର ପ୍ରଥମ ପାଦରେ ଅନେକ ପୁରୁଷ ପ୍ରେମିକ ସାଜିବାକୁ ଚେଷ୍ଟା କରନ୍ତି । ରଙ୍ଗବଲ୍ଲଭ ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ।’’

 

ଏତିକି କହି ସାରିବା ପରେ କାଦମ୍ବରୀ ଗାଲରେ ହାତ ଦେଇ କିଛି ସମୟ ବସିଗଲେ ।

 

ମୁଁ କେବଳ ଚାହିଁଥାଏ ତାଙ୍କୁ ।

 

କାଦମ୍ବରୀ !!

 

ଏକ ଆହତ ଆତ୍ମା ପରି ଆତ୍ମପ୍ରକାଶ କରିଛନ୍ତି ମୋରି ନିକଟରେ । ଦୂରେଇ ଦେବାର ଉପାୟ ନାହିଁ । ସମୟକ୍ରମେ ମୋ ଭିତରେ କାଦମ୍ୱରୀଙ୍କ ବିଷ ସଞ୍ଚାରିତ ହେଉଛି । ବେଳେ ବେଳେ ମୁଁ ଭୁଲିଯାଉଛି ନିଜକୁ, କିନ୍ତୁ କାଦମ୍ବରୀ... ! ନାଁ...ନିର୍ଭୀକ... ନିଥର ଲୌହ ପିଣ୍ଡପରି ସ୍ଥିର ହୋଇ ବସି ରହିଛନ୍ତି ମୋରି ସମ୍ମୁଖରେ । ହୁଏତ ବାପାଙ୍କ ମୃତ୍ୟୁ ପାଇଁ ତାଙ୍କ ମନରେ ଦୁଃଖ ନାହିଁ । କିନ୍ତୁ ଘଟଣାର ଟିକିନିଖି ଅନୁସନ୍ଧାନ ପାଇଁ ଆଗ୍ରହ ଅଛି ।

 

ଅବଶ୍ୟ କାଦମ୍ବରୀଙ୍କର ପ୍ରଥମ ଆଗମନ ବେଳେ ଯେଉଁ ଦୁଷ୍ଟାମୀ ଥିଲା...ସେ ଦୁଷ୍ଟାମୀ ଅନେକାଂଶରେ କମି ଯାଇଛି ତଥାପି......

 

ହୁଏତ କାଦମ୍ବରୀ ଚିନ୍ତା କରୁଛନ୍ତି ଅନେକ କିଛି । ସମଗ୍ର ମଣିଷ ସମାଜ ପ୍ରତି ତାଙ୍କର ଅଭିଯୋଗ । ସେ ଦେଖାଇ ଦେବାକୁ ଚାହାନ୍ତି...ସମସ୍ତେ କାପୁରୁଷ...ପରାଜୟର ଶିକାର । ଭୟ ଓ ଆଶଙ୍କା ହିଁ ପ୍ରତ୍ୟେକଙ୍କର ମୃତ୍ୟୁର କାରଣ ।

 

ଏହି ଭୟ ଓ ଆଶଙ୍କାର ପ୍ରତିକ୍ରିୟା...ନିଜେ କାଦମ୍ବରୀଙ୍କୁ ମଧ୍ୟ ସମୟ ବିଶେଷରେ ଆହତ କରୁଛି । ତେଣୁ ସେ ଧାଇଁ ଆସୁଛନ୍ତି ଲେଖକ ପାଖକୁ ତା’ର ସମାଧାନ ପାଇଁ ।

 

ସେମିତ ନିବିଷ୍ଟ ନୟନରେ ମୁଁ ଚାହିଁ ରହିଥାଏ କାଦମ୍ବରୀଙ୍କ ଆଡ଼େ ।

 

ହଠାତ୍‌ ମୁଣ୍ଡ ଉଠାଇଲେଲେ କାଦମ୍ବରୀ ।

 

ହୁଏତ ଚାଲିଯିବା ପାଇଁ ସେ ଉଦ୍ୟତ ହେଉଛନ୍ତି ।

 

ନାଁ...ମୋର କଳ୍ପନା ଭୁଲ୍‌ ହୋଇଗଲା ।

 

ମୁହଁ ଖୋଲିଲେ; ସେ–‘‘ଉପନ୍ୟାସଟି ଆଜି ଶେଷ କରି ଦିଅନ୍ତୁ ଲେଖକ ।’’

 

ମୁଁ ସନ୍ଦେହ ଦୃଷ୍ଟିରେ ଅନାଇ ରହିଲି ତାଙ୍କୁ ଆଡ଼େ । ପୁଣି କିଛି ସମୟ ନୀରବ ରହିବା ପରେ କାଦମ୍ବରୀ କହିଲେ ‘‘ହଁ...ଆଜି ଉପନ୍ୟାସଟିର ଲେଖା ଆପଣ ଶେଷ କରି ଦିଅନ୍ତୁ । ଜୀବନବଲ୍ଲଭଙ୍କର ବାସ୍ତବିକ୍‌ ହତ୍ୟାକାରିଣୀ ମୁଁ, ଜୀବନ ମୋହରେ ତରୁଣକାନ୍ତଙ୍କ ପାଇଁ ମୁଁ ମୋ ବାପାଙ୍କୁ ହତ୍ୟା କରିଛି ।’’

 

ଏତିକି କହୁ କହୁ କାଦମ୍ବରୀ ଧଡ଼ କରି ଉଠି ପଦାକୁ ଚାଲି ଯାଇଥିଲେ ।

 

ହତବାକ୍‌ ହୋଇ ମୁଁ ଚାହିଁ ରହିଥିଲି ତାଙ୍କ ଚାଲିଯିବା ବାଟକୁ ।

 

କୁମାରୀ କାଦମ୍ବରୀ ଜୀବନବଲ୍ଲଭଙ୍କ ହତ୍ୟାକାରୀ । ପ୍ରାଣ ମୋର ଅଧୀର ହୋଇ ଉଠିଲା । ବିବେକ ଜଡ଼ ପାଲଟିଗଲା । ହୃଦୟ ଭିତରେ କେବଳ ପ୍ରତିଧ୍ୱନିତ ହେଲା ସେହି ଗୋଟାଏ ବାକ୍ୟ ..‘‘ଜୀବନବଲ୍ଲଭଙ୍କର ବାସ୍ତବିକ୍‌ ହତ୍ୟାକାରୀ ମୁଁ...’’

 

ବିକଳରେ ମୁଁ କୋଠରୀ ଭିତରେ ଦ୍ରୁତ ପଦଚାରଣ କରିବାକୁ ଆରମ୍ଭ କରିଦେଲେ । କିନ୍ତୁ...ନାଁ...ଶାନ୍ତି ନାହିଁ । ମୋତେ ଉପନ୍ୟାସଟି ଶେଷ କରିବାକୁ ହେବ । ଯେଉଁ ଉପନ୍ୟାସର ଘଟଣା ସଂଗ୍ରହ ପାଇଁ ଦିନ ଦିନ ରାତି ରାତି କଟିଛି...ସେହି ବିରାଟ ଉପନ୍ୟାସର ଆଜି ଶେଷ ପରିଣତି ନିଜ ହାତ ପାହାନ୍ତାରେ । ମୁଁ ଲେଖକ । ଲେଖିବି କୁମାରୀ କାଦମ୍ବରୀ ହିଁ ବିଖ୍ୟାତ କଣ୍ଟ୍ରାକ୍‌ଟର ଶ୍ରୀ ଜୀବନବଲ୍ଲଭଙ୍କ ହତ୍ୟାକାରିଣୀ...... ।

 

କିନ୍ତୁ......

 

ନାଁ...ହାତ ଚଳୁନାହିଁ । ଏଇ କେତେ ଦିନ ଧରି କାଦମ୍ବରୀଙ୍କ ସହିତ ଯେଉଁ ଆଳାପ...ଆଲୋଚନା...ତା’ ଫଳରେ ତାଙ୍କ ପ୍ରତି ଏକ ଅଜଣା ମୋହ ଜାଗିଉଠିଛି । କାଦମ୍ବରୀ ନିଜର ହୋଇ ଉଠିଛନ୍ତି । ତେବେ ତାଙ୍କ ମୁଣ୍ଡରେ ଗୋଟାଏ ଏତେ ବଡ଼ ଦୋଷ ଲଦି ଦେଇ ହେବ କିପରି ?

 

ସତରେ କ'ଣ କାଦମ୍ବରୀ ଜୀବନବଲ୍ଲଭଙ୍କୁ ହତ୍ୟା କରିଛନ୍ତି ??

 

ନିଜର ପ୍ରଶ୍ନରେ ହିଁ ମୁଁ ନିଜେ ସଂକୁଚିତ ହୋଇ ପଡ଼ିଲି ।

 

ମୁଁ ଲେଖକ । ନିର୍ଭୀକତା ମୋର ବିଶେଷତ୍ଵ । ଶେଷରେ ମୋତେ ଲେଖିବାକୁ ହେବ...କାଦମ୍ବରୀ ଜୀବନବଲ୍ଲଭଙ୍କୁ ହତ୍ୟା କରିଛନ୍ତି ।]

󭨕󭨕𗰵

 

ପାଦବନ୍ଧ

 

ପାଦବନ୍ଧର ଏଇ ମାତ୍ର ଉପକ୍ରମଣିକା ।

 

ପରସ୍ଥିତିର ଜଟିଳତାରେ ସମଗ୍ର ପରିବେଶ ଭାରାକ୍ରାନ୍ତ... ।

 

ସମୟର ତାଡ଼ନାରେ ତରୁଣକାନ୍ତ, ଉର୍ମିଳା, ଅତିନ୍ଦ୍ର, ମନ୍ଦାକିନୀ, ରଙ୍ଗବଲ୍ଲଭ ଆଦି ଚରିତ୍ରମାନେ ଧାଡ଼ି ବାନ୍ଧି ଧାଇଁବାରେ ଲାଗିଛନ୍ତି । ସମସ୍ତଙ୍କ ପଶ୍ଚାତ୍‌ଧାବନ କରି ଦୌଡ଼ିବାରେ ଲାଗିଛି ଗୋଟିଏ ବିରାଟ ପ୍ରଶ୍ନବାଚୀ । ...‘‘ତୁମେ କ’ଣ ଜୀବନବଲ୍ଲଭଙ୍କୁ ହତ୍ୟା କରିଛ ?’’

 

ପ୍ରଶ୍ନ ଶୁଣି ହୁଏତ ଦମକି ଠିଆ ହେଉଛନ୍ତି ସମସ୍ତେ । ପୁଣି ଆତ୍ମଗୋପନ କରି ପଳାଇବାକୁ ଚେଷ୍ଟା କରୁଛନ୍ତି ପ୍ରାଣ ବିକଳରେ ।

 

ପରସ୍ଥିତିର କେନ୍ଦ୍ର ବିନ୍ଦୁ ହିଁ ଜୀବନବଲ୍ଲଭଙ୍କ ହତ୍ୟା ।

 

ପ୍ରଥମେ ଏହି ଜୀବନବଲ୍ଲଭଙ୍କ ହତ୍ୟା ସମସ୍ତଙ୍କ ନିକଟରେ ପହଞ୍ଚିଥିଲା କେବଳ ଗୋଟିଏ ନରମ ସମ୍ବାଦ ଭାବରେ । ପରେ ପରେ ସମ୍ବାଦ ଏକ ଘଟଣାରେ ପରିଣତ ହେଲା । ଘଟଣାକୁ ବିନ୍ଦୁ କରି ବୃତ୍ତ ଭଳି ଘୂରିବାକୁ ଲାଗିଲା ରହସ୍ୟ ।

 

ଶେଷରେ ରହସ୍ୟର ଶିକାର ହେଲେ ସମସ୍ତେ । ବେଳୁବେଳ ଜଣେ ପରେ ଜଣେ ହୋଇ ପ୍ରତ୍ୟେକଙ୍କ ମୁଣ୍ଡରେ ଅଭିଯୋଗ ଲଦି ହୋଇ ପଡ଼ିଲା । ପ୍ରାଣ ବିକଳରେ ଆତ୍ମଗୋପନ କରିବାକୁ ଚେଷ୍ଟା କଲେ ଚରିତ୍ରମାନେ । ସମସ୍ଵରରେ ହୁଏତ ସମସ୍ତେ ଆର୍ତ୍ତନାଦ କରି ଉଠିଲେ–‘‘ଆମେ ଜୀବନବଲ୍ଲଭଙ୍କ ମୃତ୍ୟୁ ସମ୍ପର୍କରେ କିଛି ଜାଣିନାହୁଁ । ଆମେ ନିରାପରାଧୀ... ଦୋଷହୀନ... ।’’

 

ତା’ପରେ ଚାଲିଲା ପରସ୍ପରଙ୍କ ଆତ୍ମ ବ୍ୟଖ୍ୟା । ଅତି ନଗଣ୍ୟ ନିତିଦିନିଆଁ ଜୀବନ ସହିତ ଯେ ଗୋଟାଏ ବିରାଟ ଅସାମାଜିକ କାର୍ଯ୍ୟ ଏପରି ନିବିଡ଼ ଭାବେ ସଂଶ୍ଳିଷ୍ଟ ହୋଇପାରେ...ତାହା ଚମକପ୍ରଦ ଭାବେ ସୂଚିତ ହୁଏ...ଚରିତ୍ରମାନଙ୍କୁ ଆତ୍ମ ବ୍ୟାଖ୍ୟାରୁ । ଏଇ ଆତ୍ମ ବ୍ୟାଖ୍ୟା ହିଁ ପ୍ରତ୍ୟେକଙ୍କ ମନରେ ଆଣିଦେଲା...ଭୟ...ଭ୍ରାନ୍ତି ।

 

ତେଣୁ ଜଣେ ଅନ୍ୟ ଜଣକୁ ବିପଦରେ ପକାଇ ନିଜେ ଖସିଯିବାକୁ ଚେଷ୍ଟା କଲା, କିନ୍ତୁ ଏ ଖସିଯିବା ଠାରୁ ଯେ ଏ ମଣିଷର ସ୍ଥିତି ଆହୁରି ଜଟିଳ ଏଥିରେ ସନ୍ଦେହ ନାହିଁ । ଫଳରେ ଆତ୍ମସମର୍ପଣ ପାଇଁ ଏକ ବିରାଟ ପୀଠ ପ୍ରସ୍ତୁତ ହୋଇଗଲା । ବିଶେଷ କରି ପାରିବାରିକ ଜୀବନର ଘନିଷ୍ଠାତା ହିଁ...ଆଣିଦେଲା ଆତ୍ମସମର୍ପଣର କାରୁଣ୍ୟ ।

 

ତା'ପରେ ସମସ୍ତେ କହିବାକୁ ଆରମ୍ଭ କଲେ...‘‘ମୁଁ ଜୀବନବଲ୍ଲଭଙ୍କୁ ହତ୍ୟା କରିଛି ।’’ ଏପରିକି ସ୍ଥିରଚିତ୍ତା କାଦମ୍ବରୀ ମଧ୍ୟ ନିଜକୁ ଲୁଚାଇ ପାରିଲେ ନାହିଁ । ଲେଖକଙ୍କ ଆଗରେ ନିଜର ଦୁର୍ବଳତା ପ୍ରକାଶ କରି ଭଗ୍ନ ହୃଦୟରେ କହିଲେ...‘‘ମୁଁ ଜୀବନବଲ୍ଲଭକୁ ନିଷ୍ଠୁର ଭାବେ ହତ୍ୟା କରିଛି-।’’

 

କିନ୍ତୁ ସତରେ କ'ଣ ଏମାନେ ଜୀବନବଲ୍ଲଭଙ୍କ ମୃତ୍ୟୁ ସମ୍ପର୍କରେ କିଛି ଜାଣନ୍ତି ? ଏମାନେ କ’ଣ ସତରେ ତାଙ୍କ ମୃତ୍ୟୁ ପାଇଁ ଦାୟୀ ?

 

ନାଁ... ।

 

ସନ୍ଦେହୀ ମଣିଷର ମନ ।

 

ଏଇ ସନ୍ଦେହ ପାଇଁ ଆଜି ମଣିଷର ସ୍ଥିତି ଟଳମଳ । ବଞ୍ଚିବା ପାଇଁ ବିକଳ ଓ ଆକୁଳ ଚିତ୍କାର ।

 

ଆତ୍ମଚେତନା ଲାଗି ଆଜି ଯେଉଁ ସାମାଜିକ ଦ୍ଵନ୍ଦ୍ୱ ମୁଣ୍ଡ ଟେକିଛି...ତା’ର ଲାଗି ହିଁ ମଣିଷ ହୋଇଛି ଅସ୍ଥିର ।

 

ସ୍ଥିତି କାହିଁ ??

 

ବିରାଟ ଅସ୍ଥିରତା ଭିତରେ ତେବେ ସ୍ଥିତିର ପ୍ରଚୋଦନା ??

 

ହଁ...

 

ସେଇଥିପାଇଁ କାଦମ୍ବରୀ ପରି ସ୍ଵୟଂ ଚାଳିତା ବାଳିକା ମଧ୍ୟ ବିଶ୍ୱରୂପ ଦର୍ଶନ କରି ନିଜକୁ ହଜାଇବା ଭଳି ହଜାଇ ଦେଇଛନ୍ତି ।

 

ସେ ବେଶ୍‌ ଜାଣନ୍ତି...ଜୀବନବଲ୍ଲଭଙ୍କ ମୃତ୍ୟୁ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ । କିନ୍ତୁ... । ଏ ଆତ୍ମପ୍ରତ୍ୟୟ ଓ ଆତ୍ମ ବିଶ୍ୱାସକୁ ଜୟ କରାଯାଇଛି...ଅସ୍ଥିର ମାନବିକ ପ୍ରକୃତି ।

 

ମୁଁ ଜୀବନବଲ୍ଲଭଙ୍କ କନ୍ୟା, କିନ୍ତୁ କନ୍ୟା ହୋଇ ପିତାଙ୍କ ଆଦେଶ ପାଳନରେ ଯଥେଷ୍ଟ ଅବଜ୍ଞା କରିଛି । ତାଙ୍କ ମତ ବିରୁଦ୍ଧରେ ଯାଇ ତରୁଣକାନ୍ତକୁ ଭଲ ପାଇ ବସିଛି । ଏହା ପରୋକ୍ଷରେ ଜୀବନବଲ୍ଲଭଙ୍କ ମୃତ୍ୟୁର କାରଣ ହୋଇନାହିଁ ତ ??

 

ଏଇ ସନ୍ଦେହ ହିଁ ଶେଷରେ କାଦମ୍ବରୀକୁ ଝିଙ୍କି ନେଇଛି ଏକ ଅନଶ୍ଚିତ...ଅସ୍ଥିର...ପଥରେ । ଶେଷରେ ସମଗ୍ର ପରିସ୍ଥିତିକୁ ନିଜେ ବିଚାର କରି...କିଛି କୂଳକିନାରା ନପାଇ କହିଛନ୍ତି...‘‘ହତ୍ୟାକାରିଣୀ...ମୁଁ ।’’

 

ବାସ୍ତବିକ୍‌ ଜୀବନବଲ୍ଲଭଙ୍କ ହତ୍ୟା ଆଉ ଏକ ରହସ୍ୟ ହୋଇ ନ ଥିଲା । ଅନେକ ଦିନ ପୂର୍ବରୁ ଏ ସମ୍ପର୍କରେ ପୋଲିସ ଅନୁସନ୍ଧାନ ଶେଷ ହୋଇ ଯାଇଥିଲା ।

 

ହେଲେ ଇନିସ୍‌ପେକ୍‌ଟର ରଙ୍ଗବଲ୍ଲଭ ନିଜର ସ୍ୱାର୍ଥ ଦୃଷ୍ଟିରୁ ବ୍ୟକ୍ତିଗତ ଭାବରେ...ଏ ସମ୍ପର୍କରେ ଅନୁସନ୍ଧାନ କରୁଥିଲେ ।

 

ସେ ଭାବୁଥିଲେ...ଚେଷ୍ଟାକଲେ ପରିସ୍ଥିତିକୁ ଜଟିଳ କରିଦିଆଯାଇ ପାରେ ।

 

ଏଇ ଚେଷ୍ଟାର ମୂଳରେ...ରଙ୍ଗବଲ୍ଲଭଙ୍କ ଆଖି ଆଗରେ ନାଚି ଉଠୁଥିଲା ଉର୍ମିଳାର ଫୁଟନ୍ତ ଯୌବନ । ସେଥିପାଇଁ ନିଜେ ଅସୁବିଧାରେ ପଡ଼ି ମଧ୍ୟ ଆଗେଇବାକୁ ଚେଷ୍ଟା କରୁଥିଲେ ରଙ୍ଗବଲ୍ଲଭ ।

 

କିନ୍ତୁ ପୋଲିସ ରିପୋର୍ଟ କୁହେ... ଜୀବନବଲ୍ଲଭଙ୍କ ମୃତ୍ୟୁ ସମ୍ପର୍କରେ ଦେଖା ଦେଇଥିବା ସନ୍ଦେହ ଠିକ୍‌ ନୁହେଁ । ତାଙ୍କୁ ହତ୍ୟା କରାଯାଇ ନାହିଁ । ସେ ନିଜେ ନିଜେ ଆତ୍ମ ହତ୍ୟା କରିଛନ୍ତି । ତାଙ୍କ ଟ୍ରେଜେରୀ ଭିତରୁ ଆବିଷ୍କାର କରାଯାଇଥିବା ଗୋଟିଏ ଚିଠିର ନକଲ ହେଲା...

 

–‘‘ମୋର ମୃତ୍ୟୁକୁ ହୁଏତ ଅନେକ ହତ୍ୟା ବୋଲି ଭୁଲ୍‌ ବୁଝିବେ । କିନ୍ତୁ ମୋତେ କେହି ହତ୍ୟା କରୁନାହିଁ । ମୁଁ ନିଜର ପାପକୁ ନିଜେ ଘୋଡ଼ାଇ ନ ପାରି ଆତ୍ମହତ୍ୟା କରୁଛି । ମୋରି ପାଇଁ ନିରୀହ ଆନନ୍ଦବାବୁ ନିଜ ହତ୍ୟା କରିଛନ୍ତି ।

 

ଏ ଦୁଃଖଦାୟକ ଘଟଣା ଅନେକ ସମୟରେ ମୋ ପାଷାଣ ମନକୁ ତରଳାଇ ଦିଏ । ସେହି ଆନନ୍ଦବାବୁଙ୍କର ଗୁଣବାନ୍‌ ସନ୍ତାନ ତରୁଣକାନ୍ତ ମୋର କନ୍ୟା କାଦମ୍ବରୀ ତାକୁ ଭଲ ପାଏ । ମୋର ମନ ନ ମାନି ମଧ୍ୟ ସେ ତା’ର ପ୍ରଶଂସା କରେ । ତରୁଣକାନ୍ତ ବିଦ୍ୱାନ୍‌ । ତା’ଠାରୁ ଯେ ମୁଁ ଗୋଟିଏ ଯୋଗ୍ୟ ପୁତ୍ର ପାଇବି ତା ନୁହେଁ ହେଲେ କାଦମ୍ବରୀ ସହିତ ତରୁଣକାନ୍ତର ସମ୍ପର୍କ ପରେ ମୁଁ ତରୁଣକୁ ଚାହିଁବି କିପରି ?

 

ହୁଏତ ସେ ଏ ସବୁ କଥା ଜାଣିନାହିଁ । ମୁଁ ତା ଜାଣିଛି ନିଜ ମନକୁ କି ଯୁକ୍ତି କରି ବୁଝାଇବ ? ଏଥିପାଇଁ କାଦମ୍ୱରୀର ଉଜ୍ଜଳ ଭବିଷ୍ୟତ ପଥରୁ ଦୁରେଇ ଯିବା ଉଦ୍ଦେଶ୍ୟରେ ମୁଁ ଆତ୍ମହତ୍ୟା କରୁଛି ।

 

ଶେଷରେ କହିରଖେ କାଦମ୍ବରୀ ମୋର ପୂର୍ବକୃତ ପାପ ସମ୍ପର୍କରେ କିଛି ନ ଜାଣୁ ସେଇଥିପାଇଁ ହିଁ ଲେଖାଟି ଟ୍ରେଜେରୀ ଭିତରେ ରଖିଯାଉଛି । ଟ୍ରେଜେରୀର ଚାବି ନେନ୍ଥାଟିକୁ ପାର୍ଶଲ କରିଯାଉଛି ଆଇ:ଜି:ଗୋବର୍ଦ୍ଧନ ପଟ୍ଟନାୟକଙ୍କ ନିକଟକୁ ମୃତ୍ୟୁପରେ ମୋର ସମ୍ପତ୍ତି ହେବ ତରୁଣକାନ୍ତଙ୍କର ।

 

ଇତି

ଶ୍ରୀ ଜୀବନବଲ୍ଲଭ ସାମନ୍ତରାୟ

 

ତେଣୁ ହତ୍ୟା ସମ୍ପର୍କରେ ଆଉ ଅଧିକ ପୋଲିସ୍‌ ଅନୁସନ୍ଧାନର ଆବଶ୍ୟକତା ନ ଥିଲା ।

 

ଧରି ନିଆଯାଉ..ଏହିଠାରେ ହିଁ ଉପନ୍ୟାସର କାହାଣୀ ଏବେ ଅବରୋହଣ କରିବାରେ ଲାଗିଛି ।

 

କିନ୍ତୁ ବାସ୍ତବିକ୍‌...ଉପନ୍ୟାସର କାହାଣୀ ଭାଗ ଶେଷ ହୋଇ ନାହିଁ । ମୁଖବନ୍ଧ, କଟିବନ୍ଧ, ପାଦବନ୍ଧରେ ଯେଉଁ କାହାଣୀ ଏକମୁଖୀ ହୋଇ ଧାଇଁଲା, ତାହା ଶେଷ ହୋଇଛି ଓଲଟ ବନ୍ଧରେ ।

 

ଏଠାରେ ବିରାଟ ପ୍ରଶ୍ନ ଉଠିପାରେ ଯେ କୌଣସି କାର୍ଯ୍ୟ କରିବାକୁ ଗଲେ ପ୍ରଥମେ ପାଦରୁ ହିଁ କରିବାକୁ ହୁଏ । ଅର୍ଥାତ୍‌ ଦେଉଳଟି ଗଢ଼ିବା ପୂର୍ବରୁ ପ୍ରଥମେ ମୂଳଦୁଆ ବା ପାଦଦେଶର ଭିତ୍ତିସ୍ଥାପନ କରିବାକୁ ହୁଏ । ଏପରିକି କୌଣସି ଦେବ ମନ୍ଦିରରେ ପ୍ରବେଶ ପରେ ପ୍ରଥମେ ପାଦ ବନ୍ଦନା କରି ଶେଷରେ ମୁଖ ଦର୍ଶନ କରିବାକୁ ହୋଇଥାଏ । କିନ୍ତୁ ଏ ଉପନ୍ୟାସରେ ପ୍ରଥମେ ମୁଖବନ୍ଧ ସୃଷ୍ଟି ହୋଇ ଶେଷରେ ପାଦବନ୍ଧରେ ପହଞ୍ଚିବାକୁ ହୋଇଛି । ତେଣୁ ସର୍ବତୋଭାବେ ଏହା ଯେ ଏକ ଓଲଟବନ୍ଧ ଏଥିରେ ସନ୍ଦେହ ନାହିଁ ।

 

ଏବେ ଆଧୁନିକ ଯୁଗରେ ଉପନ୍ୟାସର ଶୈଳୀ ଓ ସଂଜ୍ଞା ଅନେକ ପରିମାଣରେ ବଦଳି ଯାଇଛି । ସେ ଦୃଷ୍ଟିରୁ ବିଚାର କଲେ ଏ ଉପନ୍ୟାସଟି କେଉଁ ପର୍ଯ୍ୟାୟଭୁକ୍ତ ତାହା ବିଚାର କରିବାର କଥା ।

 

ନାଁ... ଉପନ୍ୟାସର କାହାଣୀ ତଥାପି ଶେଷ ହୋଇନାହିଁ ।

 

ଜୀବନବଲ୍ଲଭଙ୍କ ଚିଠି ଯେ ନିରାଟ ସତ୍ୟ ଏକଥା ମଧ୍ୟ ବିଶ୍ୱାସ କରି ହେବନାହିଁ ।

 

ତେବେ...

 

ଦ୍ଵନ୍ଦ... ମଣିଷ ମନର ଦ୍ଵନ୍ଦ ।

 

ଏ ଦ୍ଵନ୍ଦ ଅନନ୍ତ ଓ ଅନାଦି ।

 

ହଁ...

 

ଯେ କୌଣସି ଗୋଟିଏ ସମାଧାନରେ ପହଞ୍ଚିବାକୁ ହେବ । ଚରିତ୍ରମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେବାକୁ ହେବ ।

 

ତେଣୁ ଧରି ନିଆଯାଉ ଜୀବନବଲ୍ଲଭ ନିଶ୍ଚୟ ଆତ୍ମହତ୍ୟା କରିଛନ୍ତି ।

 

କିନ୍ତୁ କାହିଁ ? ତଥାପି ତ ଚରିତ୍ରମାନେ ଆତ୍ମସନ୍ତୋଷ ଲାଭ କରି ପାରୁନାହାନ୍ତି...

 

ସେହି ବ୍ୟଗ୍ରତା...ସେହି ବ୍ୟାକୁଳତା...

 

ପ୍ରଦର୍ଶନୀ ପଡ଼ିଆରୁ ଫେରିବା ପୁର୍ବରୁ ବିବ୍ରତ ହୋଇ ପଡ଼ିଛନ୍ତି ମନ୍ଦାକିନୀ । ପ୍ରାଣରେ ଶାନ୍ତି ନାହିଁ, ଆଶ୍ୱସ୍ତି ନାହିଁ, ଅସ୍ଥିରତା ଅନୁଭବ କରୁଛନ୍ତି ପ୍ରତ୍ୟେକ ମୁହୂର୍ତ୍ତରେ । ଦିନେ ଜୀବନବଲ୍ଲଭ ତାଙ୍କ ପ୍ରାଣ ଭିତରେ କୁହୁକିନୀର ମାୟା ସୃଷ୍ଟି କରିଥିଲେ । ସେହି ମାୟାହିଁ ଏବେ ମଧ୍ୟ ପାଗଳ କରୁଛି ତାଙ୍କୁ । ବାର୍ଦ୍ଧକ୍ୟର ଶିରା ପ୍ରଶିରାରେ ସେହି ମାଦକତା ସଂଚରିତ ହୋଇ କହୁଛି.. ମୁଁ ମରିନାହିଁ...ମୁଁ ଜୀବିତ... ମୁଁ ଦେହର କ୍ଷୁଧା ନୁହେଁ.. ମନର...ଆତ୍ମାର । ବାରମ୍ବାର ଟେବୁଲ ଉପରେ ମୁଣ୍ଡ ରଖି ନିଜ ଭାଗ୍ୟକୁ ନିନ୍ଦା କରି କାନ୍ଦି ଉଠୁଛନ୍ତି ମନ୍ଦାକିନୀ । ନାରୀ ସେ, ସମୟର ଅଣୁ ପରମାଣୁକୁ ସେ କେବଳ ନାରୀ ହୋଇ ଉପଭୋଗ କରିବାକୁ ଚାହାନ୍ତି...ଅଧ୍ୟକ୍ଷା ଭାବରେ ନୁହେଁ ।

 

ସମୟ ବିଶେଷରେ ମନ୍ଦାକିନୀ ନିଜକୁ ନିନ୍ଦା କରୁଛନ୍ତି...ନିଜର ପରିବେଶକୁ ନିନ୍ଦା କରୁଛନ୍ତି । ପୁଣି ପାଗଳିନୀ ପରି ବସି ଚିନ୍ତା କରୁଛନ୍ତି ଅନେକ କିଛି ।

 

ମନ୍ଦାକିନୀ... । ଖ୍ୟାତନାମା ଅଧ୍ୟକ୍ଷା ମନ୍ଦାକିନୀ । ନିଜ ମନର ବିଷରେ ନିଜେ ପୋଡ଼ିଜାଳି ହୋଇ...ଆଶା କରୁଛନ୍ତି ଆଉ ଏକ ମୃତ୍ୟୁହୀନ ସମାଜରେ ଜୀବନର ପ୍ରତିଷ୍ଠା ।’’

 

ଅଧ୍ୟାପିକାମାନେ ହୁଏତ ମନ୍ଦାକିନୀଙ୍କ ଅନ୍ତର କଥା ବୁଝିପାରୁ ନାହାନ୍ତି । ହେଲେ ସମସ୍ତେ ବେଶ୍‌ ଅନୁଭବ କରିଛନ୍ତି...ମନ୍ଦାକିନୀ ଦୁଃଖିତା ।

 

ଏଣେ ତରୁଣକାନ୍ତ ପ୍ରତ୍ୟେକ ମୁହୂର୍ତ୍ତରେ ବିଶ୍ଳେଷଣ କରୁଛନ୍ତି ନିଜକୁ । ସେ ଅଧ୍ୟାପକ, ଅନ୍ୟକୁ ବୁଝାଇବା ଓ ନିଜେ ବୁଝିବା ତାଙ୍କର ପ୍ରଧାନ କାର୍ଯ୍ୟ । କିନ୍ତୁ ନାଁ । ତରୁଣକାନ୍ତ ହୁଏତ ପାଗଳ ହୋଇଯିବେ । ଅସୀମ ଦିଗନ୍ତର ସୀମାହୀନ ବିସ୍ତୁତି ଭଳି ତରୁଣକାନ୍ତ ଆକୁଳ ମିନତି ଜଣାଉଛନ୍ତି ଏକ ଆକାରହୀନ ନିର୍ବେଦତାକୁ ।

 

ନିଜ ଭିତରେ ନିଜ ପାଇଁ ଯେଉଁ ହାହାକାର ବହ୍ନି ଜଳି ଉଠୁଛି...ତାକୁ ସେ ଶାନ୍ତ କରି ପାରୁନାହାନ୍ତି । ଅନ୍ତର ଭିତରେ ଆତ୍ମପ୍ରକାଶ କରୁଛି ଏକ ଅଜଣା ଭୟ । ସତେ କ’ଣ ତାଙ୍କ ସାମାଜିକ ପ୍ରତିଷ୍ଠା, ସମ୍ମାନ ଲୋପ ପାଇଯିବ ? ଜଣେ ସାଧାରଣ ନାଗରିକ ଭଳି ସେ ଦୋଷୀ ସାବ୍ୟସ୍ତ ହୋଇ କାରବରଣ କରିବେ ? ଆଉ ଅଧିକ ଚିନ୍ତା କରି ପାରୁନାହାନ୍ତି ସେ ।

 

ଏଣେ ଅତିନ୍ଦ୍ର ଏଣେ ଠିକ୍‌ ସେହି ଦଶା ଭୋଗ କରୁଛନ୍ତି । ବେଳକୁ ବେଳ ସନ୍ଦେହୀ ହୋଇ ଉଠୁଛନ୍ତି ସେ । ନାଁ...ସେ ନିଶ୍ଚୟ ମୃତ୍ୟୁ ପାଇଁ ଦାୟୀ ହେବେ । ସମସ୍ତେ ତାଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦାନ କରିବେ ।

 

ଅଃ... । ଅଲକ୍ଷ୍ୟରେ ଚିତ୍କାର କରି ଉଠୁଛନ୍ତି ଅତିନ୍ଦ୍ର । ସାମାଜିକ ସମ୍ମାନରୁ ମଣିଷ ଟିକେ ତଳକୁ ଖସି ଆସିଲେ ଯେ କି ଦୁଃଖ...ଯନ୍ତ୍ରଣା ଭୋଗ କରେ...ତାହା ତାଙ୍କୁ ବେଶ୍‌ ଜଣା । ସେହି ଅନୁଚିନ୍ତା ହିଁ ତାଙ୍କୁ ଅନେକ ସମୟରେ ପାଗଳ କରି ଦେଉଥିଲା ।

 

ନିଜର ହାତକୁ ନିଜେ କାମୁଡ଼ି ସେ ପରୀକ୍ଷା କରୁଥିଲେ...ହଁ ମୁଁ...ଜୀବିତ । ମୋତେ ବଞ୍ଚି ରହିବାକୁ ହେବ । ସମୟ ସହିତ ଯୁଦ୍ଧ କରି ମୋତେ ସୈନିକ ଭଳି ସମ୍ମାନ ଲାଭ କରିବାକୁ ହେବ ।

 

ଏଣେ ଉର୍ମିଳା ମଧ୍ୟ ନିଜ ପଢ଼ା ଟେବୁଲ ନିକଟରେ ବସି ଚିନ୍ତା କରୁଥିଲା ନିଜର ଭାଗ୍ୟ ବିଷୟରେ । ଅନେକ ସମୟରେ ସେ ଅନୁଭବ କରୁଥିଲା...ମୁଁ ହତଭାଗିନୀ, ମୋର ବାପା ମାଆ କେହି ନାହାନ୍ତି ସତ...ତାହା ସହିତ ଭାଗ୍ୟଟା ମଧ୍ୟ ନାହଁ । ଏହି କିଛି ନଥିବା ଭିତରେ ମୋତେ ବଞ୍ଚିବାକୁ ହେବ...ଅପରର ଖେଳ ସାମଗ୍ରୀ ହୋଇ ମୋତେ କେତେକଙ୍କୁ ଖେଳାଇବାକୁ ପଡ଼ିବ ।

 

ପର ମୁହୂର୍ତ୍ତରେ ସାମାଜିକ ସ୍ଖଳନ ଆଘାତ ଦେଉଥିଲା ତାକୁ । କାତର ହୋଇ ମୁହିଁ ଗୁଞ୍ଜି ସେ ବସିଯାଉଥିଲା ନୀରବରେ ।

 

ନାଁ...ନାଁ... । ମୋର କିଛି ଭୁଲ୍‌ନାହଁ । ମୁଁ ଜାଣି ଜାଣି କିଛି ଭୁଲ୍‌ କରିନାହିଁ ମୁଁ କ୍ଷମା ଚାହେଁ ।

 

ନିର୍ଜନ କୋଠରୀଟା କେବଳ ଚିତ୍କାର କରୁଥିଲା ଉର୍ମିଳାର ଚର୍ତୁପାର୍ଶ୍ଵରେ । ଏ ଜୀବନଟା ଏମିତି ସାହା ଭରସାହୀନ । ବଞ୍ଚିବାକୁ ହେଲେ ଏକୁଟିଆ ବିଞ୍ଚିବାକୁ ହେବ । ସାଙ୍ଗସାଥୀ ଧରି ସଂସାରରେ ବଞ୍ଚି ହୁଏ ନାହିଁ ।

 

ଅନେକ ସମୟରେ ନିଜକୁ ନିଜ ଯୁକ୍ତିରେ ପରାସ୍ତ କରି ହସରେ ଫାଟିପଡ଼େ ଉର୍ମିଳା । ପୁଣି ଯୁକ୍ତି କରୁ କରୁ କ୍ଷିପ୍ର ଗତିରେ ପଦଚାରଣ କରିବାରେ ଲାଗି କୋଠରୀ ମଧ୍ୟରେ ସେ । ମନେକରେ...ସତେ ଯେମିତି ଅନେକ ବ୍ୟକ୍ତି ଧାଡ଼ି ବାନ୍ଧି ତା ଉପରେ ଆକ୍ରମଣ କରିବାକୁ ଧାଇଁ ଆସୁଛନ୍ତି ।

 

ଏମିତି ନିଜର ବିଷୟରେ ପ୍ରତ୍ୟେକ ଘାରି ହେଉଛନ୍ତି । କେହି କାହାରକୁ ସ୍ୱାନ୍ତ୍ଵନା ଦେବାର ଅବକାଶ ନାହିଁ ।

 

ନିଜର କୋଠରୀ ଭିତରେ ବସି ସେମିତି ଉପରକୁ ଚାହିଁ ରହିଥାନ୍ତି ମନ୍ଦାକିନୀ ।

 

ଠିକ ଏତିକିବଳେ ହଠାତ୍ କୋଠରୀ ଭିତରକୁ ପଶି ଆସିଲେ ତରୁଣକାନ୍ତ ।

 

ଚେୟାର ଉପରୁ ଉଠିପଡ଼ିଲେ ମନ୍ଦାକିନୀ ଦେବୀ–‘‘ତରୁଣକାନ୍ତ ବାବୁ ହଠାତ୍...’’

 

ବିନମ୍ର ଭାବରେ ଠିଆ ହୋଇ ତରୁଣକାନ୍ତ କହିଲେ–‘‘ଆପଣ ଆସିବାପାଇଁ ଖବର ଦେଲେ ପରା ?’’

 

–‘‘ମୁଁ’’ ଚମକି ପଡ଼ିଲେ ମନ୍ଦାକିନୀ ।

 

–‘‘ହଁ...ଆପଣଙ୍କ ଚପରାଶି ଯାଇ ଖବର ଦେଲା ଯେ ଜରୁରୀ କାମ ଅଛି ଶୀଘ୍ର ଆସିବା ଲାଗି ।’’

 

ଆକାଶକୁ ଅନାଇ କଣ ଭାବୁଥିଲେ ମନ୍ଦାକିନୀ ।

 

ଏତିକିବେଳେ କୋଠରୀ ମଧ୍ୟକୁ ଅତିନ୍ଦ୍ର ପଶିଆସି କହିଲେ–‘‘ମୋତେ ଡକାଇଲା ବୋଉ ? ହଠାତ୍ କ’ଣ କାମ ପଡ଼ିଲା ?’’

 

ଆଉ ଟିକେ ଆଶ୍ଚର୍ଯ୍ୟ ହୋଇ ମନ୍ଦାକିନୀ ମୁହଁ ଫେରାଇ ଚାହିଁ ରହିଲେ ଅତିନ୍ଦ୍ରଙ୍କ ଶାନ୍ତ ମୁଖମଣ୍ଡଳକୁ । କିଛି ଜବାବ୍ ଦେବା ପୂର୍ବରୁ କୋଠରୀ ଭିତରକୁ ପଶି ଆସିଲା ଉର୍ମିଳା ।

 

ସମସ୍ତଙ୍କୁ ଦେଖି ଟିକେ ଦମକି ଠିଆ ହୋଇଗଲା ସେ ।

 

ତା’ପରେ ସାହସ ସଞ୍ଚୟ କରି କହିଲା–‘‘ମୋତେ ଡକାଇଲେ ଦିଦି ? ଆଜି କଲେଜରେ ଯୋଗ ଦେଇ ପାରିବି ନାହିଁ ବୋଲି ଯେ ମୁଁ ଦରଖାସ୍ତ ଦେଇଛି ।’’

 

ରହସ୍ୟ ଭିତରେ ପଶି ପାରୁ ନ ଥିଲେ ମନ୍ଦାକିନୀ । କାତର ହେବାପରି ଥରି ଥରି ସେ କହିଲା–‘‘କାହିଁ..ମୁଁ ତ’ କାହାରିକୁ ଡକାଇ ନାହିଁ । ମୁଁ ଡକାଇଛି ବୋଲି ତୁମ୍ଭମାନଙ୍କୁ କିଏ କହିଲା ?’’

 

–‘‘ମୁଁ’’ ପରଦା ଠେଲି ଭିତରକୁ ପଶି ଆସୁ ଆସୁ କହିଲେ ଜୀବନବଲ୍ଲଭ ।

 

–‘‘ଏଁ’’ ଜୀବନବଲ୍ଲଭ ବାବୁ ।’’ ମନ୍ଦାକିନୀଙ୍କ କଣ୍ଠରେ ଶିହରଣ ।

 

–‘‘ହଁ...ମୁଁ କଣ୍ଟ୍ରାକ୍‌ଟର ଜୀବନବଲ୍ଲଭ ସାମନ୍ତରାୟ ।’’

 

ଜୀବନବଲ୍ଲଭଙ୍କୁ ଚାହୁଁ ଚାହୁଁ ମୂର୍ଚ୍ଛା ହୋଇ ଯାଉଥିଲେ ଅତିନ୍ଦ୍ର, ବାରମ୍ବାର ନିଜକୁ ଭୁଲି ଯାଉଥିଲେ ତରୁଣକାନ୍ତ । କାତର ହୋଇ ପ୍ରାଣ ବିକଳରେ ପଳାଇବାକୁ ଚେଷ୍ଟା କରୁଥିଲା ଉର୍ମିଳା ।

 

ହଠାତ୍‌ ଗର୍ଜନ କରି ଉଠିଲେ ମନ୍ଦାକିନୀ । ‘‘ଜୀବନବଲ୍ଲଭ ତୁମେ ସଂସାରରୁ ବିଦାୟ ନେଇ ସାରିଛ । ତୁମ କାମନା ତୁମେ ପୂରଣ କରି ସାରିଛ । ତଥାପି ବାରମ୍ବାର ଏମିତି ଆତ୍ମପ୍ରକାଶ କରି ଆମକୁ ବ୍ୟତିବ୍ୟସ୍ତ କରୁଛ କାହିଁକି ? କୁହ...କ’ଣ ତୁମର ଇଚ୍ଛା ? ତୁମେ ଭୂତ ହୋଇ ଆମକୁ ଗ୍ରାସ କରିବାକୁ ଆସିଛ । ବେଶ୍‌ ଜୀବନରେ ଅତ୍ୟଧିକ ବାର ଗ୍ରାସ କରିବା ଅପେକ୍ଷା...ଥରେ ଗ୍ରାସକରି ଫେରିଯାଅ । ସେଥିରେ ଆମେ ସନ୍ତୁଷ୍ଟ ହେବୁ ।’’

–‘‘ନାଁ...ତୁମ୍ଭମାନଙ୍କୁ ବାରମ୍ବାର ଗ୍ରାସ କରିବାରେ ଆନନ୍ଦ ଅଛି । କାରଣ...ତୁମେ କେବଳ ଥରକୁଥର ମରିବା ଶିଖିଛ....ବଞ୍ଚିବା ଶିଖିନାହିଁ ।’’

–‘‘ତୁମଠାରୁ ବହୁବାର ବହୁ ଯୁକ୍ତି ଶୁଣିଛି ଜୀବନବଲ୍ଲଭ ! ଆଉ ଯୁକ୍ତି ଶୁଣିବାରେ ମୋର ଆଗ୍ରହ ନାହିଁ । ଦୟାକରି ତୁମେ ଚାଲିଯାଅ ।’’

–‘‘ମୁଁ ଯେ ଆଉ ଚାଲି ଯିବାକୁ ଆସିନି ମନ୍ଦାକିନୀ ଦେବୀ !’’

–‘‘ତେବେ’’...ମନ୍ଦାକିନୀଙ୍କ ପ୍ରାଣରେ ଆତଙ୍କର ବାତ୍ୟା ।

–‘‘ଏଇଠି...ଏଇ କୋଠରୀରେ ତୁମରି...ନିକଟରେ ‘‘ମୁଁ ଚିରଦିନ ରହିବାକୁ ଚାହେଁ...ସ୍ୱାମୀ ନୁହେଁ ସହୋଦର ଭାବରେ...’’

–‘‘ଜୀବନବଲ୍ଲଭ !!!’’

–‘‘ଭୂତ ମଧ୍ୟ ମଣିଷ ହୋଇପାରେ ମନ୍ଦାକିନୀ ଦେବୀ ! ତୁମେ ମଣିଷକୁ ଭୂତ ଭାବରେ ଗ୍ରହଣ କଲେ ସେ ହେବ ଭୂତ, ତୁମେ ଭୂତକୁ ମଣିଷ ଭାବରେ ଗ୍ରହଣ କଲେ ସେ ହେବ ମଣିଷ...-।’’

–‘‘ତୁମେ ଚୁପ୍‌ ହୁଅ ଜୀବନବଲ୍ଲଭ ।’’

–‘‘ଥରେ ଚିନ୍ତାକର ମନ୍ଦାକିନୀ ଦେବୀ ! ଯେଉଁ ସ୍ତ୍ରୀ ସ୍ଵାମୀ କୋଳ ଛାଡ଼ି ନିର୍ଜନ ରାତିରେ ମୁହୂର୍ତ୍ତେ ମଧ୍ୟ ଦୁରେଇ ରହିବାକୁ ଇଚ୍ଛା ନ କରେ, ସେହି ସ୍ତ୍ରୀ ସ୍ୱାମୀର ମୃତ୍ୟୁ ପରେ ସ୍ଵପ୍ନରେ ମଧ୍ୟ ସ୍ୱାମୀର ଦର୍ଶନ ମିଳିଲେ ଗୁଣି ଗାରେଡ଼ିରେ ଆଶ୍ରୟ ନିଏ । ଏଇତ ତୁମ ଜୀବନ...ଆଉ ଏଇତ ତୁମ ଜୀବନ୍ତ ମଣିଷ ସମାଜର ଇତିହାସ ।’’

ଏତିକିବେଳେ ସାହସ ବାନ୍ଧି ତରୁଣକାନ୍ତ କହିଲେ–‘‘ଆପଣ ତାହେଲେ କ’ଣ କହୁଛନ୍ତି-? ଏମିତି ତିଳ ତିଳ କରି ଶେଷରେ ଗ୍ରାସ କରାଯିବେ ?’’

ଏଥର ଭାଙ୍ଗି ପଡ଼ିଲେ ଜୀବନବଲ୍ଲଭ । କହିଲେ–‘‘ନାଁ ଯେ ! ମୁଁ ସମସ୍ତଙ୍କ ନିକଟରେ ଛଳନା କରିପାରେ...ପ୍ରତାରଣା କରିପାରେ, ତୁମ ନିକଟରେ ନୁହେଁ । ଏମିତି କି ତୁମ ସହିତ ଯୁକ୍ତି କରିବାକୁ ଚାହେଁନା । ତୁମକୁ ମୁଁ ମିଛ କହି ପାରିବିନି, କାରଣ ମୁଁ ତୁମ ନିକଟରେ ଦୋଷୀ । ତୁମ ବାପାଙ୍କର ବାସ୍ତବ ହତ୍ୟାକାରୀ । କେବଳ ସେତିକି ନୁହେଁ...ମୋ ଝିଅ ପାଇଁ ମୁଁ ତୁମକୁ ଆନ୍ତରିକ ଭଲ ପାଏ ।’’

–‘‘ଯାହାକୁ ଭଲ ପାଇ ହୁଏ...ତାକୁ ଭୂତ ହୋଇ ଗ୍ରାସ କରିବାରେ ଯେ କି ମୁଁ ବୁଝି ପାରୁନାହିଁ ।’’

 

–‘‘ନାଇଁ ବାପା ! ଜୀବନବଲ୍ଲଭ ଭୂତ ନୁହେଁ । ସେ ଏବେ ବି ଜୀବିତ ।’’

 

–‘‘ଜୀବନବଲ୍ଲଭର ବାବୁ !’’ ବଡ଼ ବଡ଼ ଆଖିରେ ଚାହଁ ରହିଲେ ଅତିନ୍ଦ୍ର ।

 

ଜୀବନବଲ୍ଲଭ କହିଲେ–‘‘ମୁଁ ସତ କହୁଛି ବାବା ! ମୁଁ ଏବେ ବି ଜୀବିତ । ଆଇ.ଜି.ଗୋବର୍ଦ୍ଧନ ପଟ୍ଟନାୟକଙ୍କ ସହିତ ଗୁପ୍ତ ମନ୍ତ୍ରଣା କରି ମୁଁ ମୃତ୍ୟୁର ଏକ ମିଥ୍ୟା ଖବର ତୁଟାଇଥିଲି ମାତ୍ର । ଗୋବର୍ଦ୍ଧନ ବାବୁ ମୋର ବାଲ୍ୟ ବନ୍ଧୁ । ସେ ଯଥାଯଥ ଭାବରେ ସାହାଯ୍ୟ କରିଛନ୍ତି ।’’

 

–‘‘କିନ୍ତୁ କାହିଁକି ? ଏ ଛଳନାର ଅଭିପ୍ରାୟ କ’ଣ ଥିଲା ଶୁଣେ ?’’ କମ୍ପି ଉଠି କହିଲେ ମନ୍ଦାକିନୀ...

 

–‘‘ଛଳନାର କାରଣ ଅନେକ ଥିଲା ମନ୍ଦାକିନୀ ଦେବୀ ! ଏକେତ ମୋର ନିଜର ବିଷରେ ମୁଁ ଜଳିପୋଡ଼ି ମରୁଥିଲି...

 

ଦ୍ଵିତୀୟରେ...କାଦମ୍ବରୀ ମନ ରକ୍ଷା କରି ତରୁଣକାନ୍ତଙ୍କ ସହିତ ତା’ର ମିଳାମିଶା ମୋ ମନରେ ପ୍ରତିକ୍ରିୟା ସୃଷ୍ଟି କରୁଥିଲା । ଏଇଥିପାଇଁ ମୋତେ ମରିବାକୁ ପଡ଼ିଲା । ମୁଁ ସିନା ଚକ୍ରାନ୍ତ କରି ଥରେ ମଲି... ହେଲେ ଶେଷରେ ଦେଖିଲେ... ତୁମ୍ଭେମାନେ ଜୀବନରେ ଅସଂଖ୍ୟ ବାର ମରୁଛି-। ତେଣୁ ସାହସ ଦେବା ପାଇଁ ହିଁ ପୁଣି ମୋତେ ବଞ୍ଚିବାକୁ ପଡ଼ିଲା । ନ ହେଲେ ହୁଏତ...କେତୋଟି ମୂଲ୍ୟବାନ୍‌ ପ୍ରାଣ...ଅକାରଣରେ ମୃତ୍ୟୁବରଣ କରିଥାନ୍ତେ ।

 

ଲଜ୍ଜାରେ ସମସ୍ତେ ମୁଣ୍ଡ ତଳକୁ କଲେ.....

 

‘‘କିନ୍ତୁ ଆପଣଙ୍କର ସେ ଶବଦାହ ହୋଇଥିଲା’’ ବହୁ ସମୟର ନୀରବତା ପରେ କହିଲା ଉର୍ମିଳା ।

 

‘‘ନାଁ ମା...ମଣିଷ କେବଳ ଜୀବନରେ ସଂଖ୍ୟାଧିକବାର ମରେ ନାହିଁ..ମିଛ କହେ ମଧ୍ୟ । କେହି ମୋର ଶବ ଦେଖି ନ ଥିଲେ ଶବ ନେଲାବେଳେ ଜୀବନ ଅଛି କି ନାହିଁ ବୋଲି ମଧ୍ୟ କେହି ଅପେକ୍ଷା କରି ନ ଥିଲେ । ଶବ ସଂସ୍କାର କେଉଁଠି ହେଲା କେହି କହି ପାରିବେ ନାହିଁ । ଏପରିକି ଏ କଥା କାଦମ୍ବରୀକୁ ମଧ୍ୟ ଅଜଣା । ବନ୍ଧୁ ଗୋବର୍ଦ୍ଧନବାବୁ ଯେ ଏସବୁ ସଫଳତାର ସହିତ କରାଇ ନେଇଛନ୍ତି...ସେଥିପାଇଁ ତାଙ୍କୁ ମୁଁ ଧନ୍ୟବାଦ ଦେଉଛି ।’’

 

‘‘ପୋଲିସ୍‌ ବିଭାଗର କର୍ମଚାରୀ ହୋଇ ସେ ଏପରି କାମ କଲେ କେମିତି ?’’ କହିଲେ ଅତିନ୍ଦ୍ର ।

 

‘‘ଏଥିପାଇଁ ଅବଶ୍ୟ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତଥାପି ବନ୍ଧୁ ଭାବରେ ସେ ଅସୁବିଧା ମୁଣ୍ଡରେ ବୋହି ମୋତେ ସାହାଯ୍ୟ କରିଛନ୍ତି ।’’

 

କିଛି ସମୟ ନୀରବ ହୋଇଗଲେ ସମସ୍ତେ, ତା’ପରେ...

 

ଟେବୁଲ ଉପରେ ଭରାଦେଇ ମନ୍ଦାକିନୀ କ’ଣ କହିବାକୁ ଉଦ୍ୟତ ହେଉଥିଲେ । କଥାରେ ବାଧାଦେଇ ଜୀବନବଲ୍ଲଭ କହିଲେ–‘‘ମୋ ଉଦ୍ଦେଶ୍ୟର ମାତ୍ର ଗୋଟିଏ ପର୍ଯ୍ୟାୟ ଶେଷ ହୋଇଛି । ଆହୁରି ଅନେକ ବାକି ରହିଯାଇଛି । ତୁମ୍ଭେମାନେ ବସ...ମୁଁ ଆସୁଛି ।’’

 

ପରଦା ଠେଲି ପୁଣି ଜୀବନବଲ୍ଲଭ ବାହାରିଗଲେ ପଦାକୁ ।

 

ଜରାଜୀର୍ଣ୍ଣ ବୃଦ୍ଧ ଭଳି ତାଙ୍କ କମ୍ପିତ ପାଦର ଗତିରେ ଦୋହଲି ଉଠୁଥିଲା ସମଗ୍ର ଶରୀର-

 

ମୂକ ହୋଇ ଗତିପଥକୁ କେବଳ ଚାହିଁ ରହିଥିଲେ ମନ୍ଦାକିନୀ, ତରୁଣକାନ୍ତ, ଅତିନ୍ଦ୍ର ଓ ଉର୍ମିଳା । ତାଙ୍କ ଗତିରେ ବାଧା ଦେଇ ଘଡ଼ିଏ ଅପେକ୍ଷା କରିବା ଲାଗି ଅନୁରୋଧ କରିବାକୁ ସାହସ କରିପାରି ନ ଥିଲେ କେହି ।

 

ଜୀବନବଲ୍ଲଭ....

 

ଏକ ମୃତ୍ୟୁ, ବାତ୍ୟା, ଜୀବନର ସଫଳ ସ୍ମାରକୀ ।

 

ହଁ...ଉପନ୍ୟାସ ଶେଷ ହୋଇଗଲା । ଚରିତ୍ରମାନେ ଆତ୍ମଗୋପନ କରିଗଲେ । ସେମାନେ ହୁଏତ ନିର୍ଦ୍ଦୋଷ, ପୁଣି ହୁଏତ ନିର୍ଦ୍ଦୋଷ, ପୁଣି ହୁଏତ ନିଜର ବିଷରେ ପ୍ରତ୍ୟେକ ନୀଳକଣ୍ଠ, ଏମାନେ ଏ ଶତାବ୍ଦୀର....

 

ଭୀରୁ...ଭୟାତୁର...ସନ୍ଦେହୀ.. ।

 

ଏମାନେ ଜୀବିତ, ଏମାନେ ବାସ୍ତବ ।

 

ଏ ଉପନ୍ୟାସର କାହାଣୀ ଇତିହାସ ନୁହେଁ....

 

କପୋଳ କଳ୍ପିତ ମଧ୍ୟ ନୁହେଁ....

 

ତେବେ... ?

 

କହୁଛି ତା ହେଲେ....

 

ଉପନ୍ୟାସର ପ୍ରତ୍ୟେକ ଚରିତ୍ର ଜୀବନ୍ତ ଓ ବାସ୍ତବ । କିନ୍ତୁ ଚରିତ୍ରଗୁଡ଼ିକ ଯାହା... ଠିକ୍‌ ସେହିଭାବେ ତାହାର ଚିତ୍ରଣ ନ ହୋଇ...ଠିକ୍‌ ବିପରୀତ ଦିଗରୁ ଚିତ୍ରଣ ହୋଇଛି । ତେଣୁ ଚାରିତ୍ରିକ ଓ ଅଯୌକ୍ତିକତା ଉପନ୍ୟାସର ମୁଖ୍ୟ ଗତିପଥକୁ ନିୟନ୍ତ୍ରଣ କରିଛି ।

 

ଉପନ୍ୟାସର ପ୍ରଥମ ଗତିଶୀଳ ଚରିତ୍ର ହେଉଛନ୍ତି ତରୁଣକାନ୍ତ । ତରୁଣକାନ୍ତ ଜୀବିତ । ମୋର ଜଣେ ଘନିଷ୍ଠ ବନ୍ଧୁ ଓ ବର୍ତ୍ତମାନ ଭୁବନେଶ୍ୱର ସେକ୍ରେଟାରୀଏଟ୍‍ର ଜଣେ କିରାଣୀ । ତରୁଣକାନ୍ତ କିରାଣୀ ହେଲେ ମଧ୍ୟ ଖୁବ୍‌ ଯୁକ୍ତପ୍ରିୟ । ଏବେ ତାଙ୍କର ସାହସ ଓ ଧୈର୍ଯ୍ୟ ଦ୍ଵିଗୁଣିତ ହୋଇଯାଇଛି କହିଲେ ଚଳେ ।

 

ଥରେ ଏମିତି ବସି ଗପସପ ହେଉ ହେଉ ତାଙ୍କ କରୁଣ ଅତୀତ କଥା ସେ ମୋତେ କହୁଥିଲେ । ଜୀବନରେ ଅତି ପିଲାଦିନରୁ ସେ ତାଙ୍କ ବାପ ମାଆଙ୍କୁ ହରାଇଛନ୍ତି । ନିଜ ଗୋଡ଼ରେ ନିଜେ ଠିଆ ହୋଇ, ବହୁ କଷ୍ଟରେ ଦି ଅକ୍ଷର ପାଠ ପଢ଼ି, ଏବେ ସେ ମଣିଷ । ଲାଞ୍ଚ...ମିଛଠାରୁ ସେ ଦୂରେଇ ରହନ୍ତି ।

 

ମ୍ୟାଟ୍ରିକ୍‌ ପାଶ୍‌ପରେ ଜୀବିକାର୍ଜନ କରିବା ଲାଗି ତାଙ୍କୁ କିରାଣୀ ଭାବରେ ଯୋଗ ଦେବାକୁ ହୋଇଥିଲା । କିଛି ଦିନ ପରେ ସେ ଟ୍ରେଜେରୀ ବିଭାଗକୁ ବଦଳି ହୋଇଥିଲେ । ଏଇ ଟ୍ରେଜେରୀରେ କାମ କରୁଥିବା ଜଣେ ସହକର୍ମୀ ଟ୍ରେଜେରୀ ଟଙ୍କାକୁ ଆତ୍ମସାତ୍‌କରି ଫେରାର ହୋଇଗଲେ । ଫଳରେ ବିନାଦୋଷରେ ଦୋଷୀ ହୋଇ ଚାକିରୀରୁ ସସ୍‌ପେଣ୍ଡ୍‌ ହେଲେ ତରୁଣକାନ୍ତ-। ଏପରିକି ଆରେଷ୍ଟ ହେବାକୁ ମଧ୍ୟ ପଡ଼ିଲା ।

 

ଏଇ ଘଟଣାଟି ମର୍ମନ୍ତୁଦ ବେଦନା ଦେଲା ତରୁଣକାନ୍ତଙ୍କୁ । କ୍ରମେ ମାନସିକ ଅସ୍ଥିରତା ପ୍ରକାଶ ପାଇଲା । ସମୟ କ୍ରମେ ପୂର୍ଣ୍ଣ ପାଗଳ ହୋଇ ରାସ୍ତାରେ ବୁଲିଲେ ସେ ।

 

ଏଇ ପାଗଳ ଅବସ୍ଥାରେ ସାକ୍ଷାତ ହୁଏ ଜଣେ ଭଦ୍ରବ୍ୟକ୍ତିଙ୍କ ସହିତ । ସେ ଚେଷ୍ଟାକରି ତରୁଣକାନ୍ତଙ୍କୁ ଚିକିତ୍ସା ପାଇଁ ପଠାନ୍ତି ରାଞ୍ଚି ।

 

ରାଞ୍ଚିରେ କିଛିଦିନ ରହିବା ପରେ ତରୁଣକାନ୍ତ ଦୈବକ୍ରମେ ସଂପୂର୍ଣ୍ଣ ଆରୋଗ୍ୟ ହୋଇ ଯାଆନ୍ତି । ଏଣେ ମୋକଦ୍ଦମାରେ ମଧ୍ୟ ସେ ନିର୍ଦ୍ଦୋଷରେ ଖଲାସ ହୁଅନ୍ତି । ତେଣୁ ପୁଣି ତାଙ୍କୁ ଚାକିରୀ ମିଳେ ।

 

ସେହି ତରୁଣକାନ୍ତ । ବଞ୍ଚିବା ପାଇଁ ସେ ଜଳିପୋଡ଼ି ଜୀବନରେ ଅନେକ ଥର କେବଳ ଭୟ ଓ ଭ୍ରାନ୍ତି ପାଇଁ ମରିଛନ୍ତି...ତାଙ୍କର କଥା, ଉପନ୍ୟାସରେ ତାଙ୍କୁ ଚରିତ୍ରକୁ ଚିତ୍ରଣ କରାଯାଇଛି ଜଣେ ଅଧ୍ୟାପକ ଭାବରେ । ଅର୍ଥାତ୍‌ ତରୁଣକାନ୍ତ କିରାଣୀ ନ ହୋଇ ଅଧ୍ୟାପକ ହୋଇଥିଲେ ମଧ୍ୟ ଓ ତାଙ୍କ ବିରୁଦ୍ଧରେ ଟଙ୍କା ଆତ୍ମସାତ୍‌ର ଅଭିଯୋଗ ନ ହୋଇ ଖୁନ୍‌ ଭଳି ଅଭିଯୋଗ ହୋଇଥିଲେ ମଧ୍ୟ, ସେ ମାନସିକ ଅସ୍ଥିରତାର ଯନ୍ତ୍ରଣାରେ ପୀଡ଼ିତ ହୋଇ ପ୍ରାଣ ବିକଳରେ ଆତ୍ମଗୋପନ କରିଥାନ୍ତେ ।

 

ଆଜିର ମଣିଷ ନିଜର ସ୍ଥିତି ପାଇଁ କେଡ଼େ ବିକଳ ଓ ସେହି ସ୍ଥିତିର ଦୃଢ଼ତାରେ କେଡ଼େ ଦୁର୍ବଳ ତାହା.... ତରୁଣକାନ୍ତଙ୍କ ଚରିତ୍ରରୁ ହିଁ ସୂଚିତ ହୁଏ ।

 

ଉପନ୍ୟାସର ଆଉ ଗୋଟିଏ ଚରିତ୍ର ଉର୍ମିଳା । ଏବେ ମଧ୍ୟ ଉର୍ମିଳା ଜୀବିତା । ସେ କଲେଜ ଛାତ୍ରୀ ନୁହଁନ୍ତି.. ଜଣେ ଗ୍ରାମସେବିକା । ବାଲେଶ୍ୱର ଜିଲ୍ଲାର ଅନେକ ହୁଏତ ଉର୍ମିଳାଙ୍କୁ ଜାଣିଥିବେ । ଏବେ ଭାରତ କୃଷକ ସମାଜ ତରଫରୁ ଅନୁଷ୍ଠିତ ଏକ କୃଷି ମେଳାରେ ସେ ଯୋଗଦେଇ ମୋତେ ତାଙ୍କ ବିଦଗ୍‌ଧ ଅତୀତ କଥା କହୁଥିଲେ ।

 

ଉର୍ମିଳାଙ୍କର ବୁଢ଼ୀ ମା ଓ ଗୋଟିଏ ମାତ୍ର ଭାଇ ଏବେ ଜୀବିତ । କିନ୍ତୁ ସେ ମଦଖାଇ, ନାନା ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ଜୀବନ କଟାନ୍ତି । ତେଣୁ ଭାଇଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି ଉର୍ମିଳା ।

 

ସେ ନିଜେ ଯେ ସତୀ ସାଧ୍ୟୀ ହୋଇ କର୍ମମୟ ଜୀବନ ଅତିବାହିତ କରୁଛନ୍ତି....ତାହା ନୁହେଁ । ସମ୍ପ୍ରସାରଣ କର୍ମଚାରୀଙ୍କର ନିଷ୍ଠୁର ବ୍ୟବହାର ତଳେ ସେ ଅନେକ ସମୟରେ ନିଜକୁ ସମର୍ପି ଦେବାକୁ ବାଧ୍ୟ ହେଉଛନ୍ତି । ତାଙ୍କ ଯୌବନର କେନ୍ଦ୍ର ଭିତରୁ ଆତ୍ମପ୍ରକାଶ କରୁଥିବା ମାଦକତାର ବିନିମୟରେ ସେ ଚାହୁଁଛନ୍ତି ଜୀବନ ।

 

ଏଇ ଜୀବନ ଓ ମମତା ପାଗଳୀ ଉର୍ମିଳା...ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଛନ୍ତି ଶକ୍ତି ଅନୁସାରେ । କିନ୍ତୁ ଶେଷରେ ମଧ୍ୟ ଭୟର ଶିକାର ହୋଇଛନ୍ତି ସେ । ପ୍ରାଣ ବିକଳରେ କହୁଛନ୍ତି...‘‘ମୁଁ ଜୀବନବଲ୍ଲଭଙ୍କ ହତ୍ୟାକାରିଣୀ ।’’

 

ଉର୍ମିଳା କଲେଜ ଛାତ୍ରୀ ନ ହୋଇ ଗ୍ରାମସେବିକା ହୋଇଥିଲେ... ବା ଭ୍ରାତୃସ୍ନେହରେ ବିଗଳିତା ନ ହୋଇ ଦୂରେଇ ରହିବାକୁ ଚେଷ୍ଟା କରିଥିଲେ ଯେ–ଭୟଠାରୁ ଦୁରେଇ ରହିପାରି ନ ଥାନ୍ତେ...ଶେଷରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥାନ୍ତେ–ଏଥିରେ ସନ୍ଦେହ ନାହିଁ ।

 

ଆଜି କେବଳ ସ୍ଥିତି ପାଇଁ ବିକଳ ଏ ମଣିଷ ସମାଜ ।

 

ଅନ୍ୟ ଗୋଟିଏ ଉବ୍ଦାତ୍ତ ଚରିତ୍ର ଅତିନ୍ଦ୍ର । ଏ ଜଣକ ମଧ୍ୟ ମୋର ଘନିଷ୍ଠ ବନ୍ଧୁ । ସେ କଣ୍ଟ୍ରାକ୍‌ଟର ବା ମନ୍ଦାକିନୀଙ୍କ ପୁତ୍ର ନୁହଁନ୍ତି । ସେ ଜଣେ ବସ୍‌ ଡ୍ରାଇଭର । ବାରମ୍ବାର ସେ ମୋ ନିକଟରେ ଯୁକ୍ତି କରି କହନ୍ତି–‘‘ମୋର ଜୀବନ ପ୍ରତି ମୋହ ନାହିଁ । ମୋଟର ଏକ୍‌ସିଡ଼େଣ୍ଟରେ ସବୁବେଳେ ପ୍ରାଣ ବାହାରି ଯିବାର ଭୟ ମୋ ଆଖି ଆଗରେ ଝୁଲୁଥିଲେ ମଧ୍ୟ ମୁଁ ରାତି ନାହିଁ ଦିନ ନାହିଁ ଖଟିବାରେ ଲାଗିଛି ।’’

 

ତାଙ୍କ ଯୁକ୍ତି ଶୁଣି ମୁଁ ଅନେକ ସମୟରେ ହସେ, କାରଣ–ଟିକେଟ୍‌ପାଇଁ ଯାତ୍ରୀମାନେ ଠେଲା ପେଲା ହୋଇ ଧାଡ଼ିରେ ଠିଆ ହେଲା ଭଳି ଯେ ଜୀବନର ପାଥେୟ ସଂଗ୍ରହ ପାଇଁ ଅତିନ୍ଦ୍ର ରାତିକୁ ଦିନମଣି ଖଟିବାରେ ଲାଗିଛନ୍ତି–ସେତେକ ହୁଏତ ସେ ଭୁଲି ଯାଉଛନ୍ତି । ଯଦି ଜୀବନ ପ୍ରତି ତାଙ୍କର ମୋହ ନ ଥାନ୍ତା–ତେବେ ରାସ୍ତାକଡ଼ରେ ପଡ଼ି ପଡ଼ି ଶୁଖି ଶୁଖି ମରିବାକୁ ହୁଏତ ସେ ଅଧିକ ପସନ୍ଦ କରନ୍ତେ ।

 

ତେଣୁ ଜୀବନ ପ୍ରତି ତାଙ୍କର ସମସ୍ତଙ୍କ ଠାରୁ ଅଧିକ ମୋହ । ଏକ୍‌ସିଡ଼େଣ୍ଟର ଭୟ ସେ ତାଙ୍କ ନିକଟରେ ନାହିଁ... ତା ନୁହେଁ । ଯଦି ଏକ୍‌ସିଡେଣ୍ଟର ଭୟ ତାଙ୍କ ନିକଟରେ ନ ଥାନ୍ତା–ତେବେ ସେ କେବଳ ଘଣ୍ଟାକୁ ଅଶି କିଲୋମିଟର ଛଡ଼ା ଆଉ କମ୍‌ ଗତିରେ ବସ୍‌ ଚଳାନ୍ତେ ନାହିଁ ।

 

ପ୍ରତ୍ୟେକ ଥର ବ୍ରେକ୍‌ ବାଜିଲା ବେଳେ ହିଁ... ତାଙ୍କୁ ଇଞ୍ଚ ଇଞ୍ଚ କରି ଭୟ ଗ୍ରାସ କରିବାରେ ଲାଗିଛି ବଞ୍ଚିବା ପାଇଁ ।

 

ଏ ଦୃଷ୍ଟିରୁ ସେ କଣ୍ଟ୍ରାଟରରେ ହୁଅନ୍ତୁ ବା ବସ୍‌ ଡ୍ରାଇଭର ହୁଅନ୍ତୁ... ଜୀବନପାଇଁ ଆତ୍ମସମର୍ପଣ କରିବାରେ ବ୍ୟଗ୍ର ।

 

ଠିକ୍‌ ସେହିପରି ମନ୍ଦାକିନୀ ଜଣେ ଓକିଲ, ଆଇ.ଜି.ଗୋବର୍ଦ୍ଧନ ପଟ୍ଟନାୟକ କଟକ ସହରର ଜଣେ ଶିକ୍ଷକ, ଅନାଥ ବାବୁ ଜଣେ ସ୍କୁଲ ଇନିସପେକ୍ଟର, ଲକ୍ଷ୍ମୀଧର ବାବୁ ଜଣେ ଡାଲିଚାଉଳ ଦୋକାନୀ ଓ ଶେଷରେ ରଙ୍ଗବାବୁ କିନ୍ତୁ ଜଣେ ସତରେ ପୋଲିସ ବିଭାଗର କର୍ମଚାରୀ-

 

ଏଇମାନଙ୍କର ବାସ୍ତବ ଚରିତ୍ରକୁ ନେଇ ଉପନ୍ୟାସର ସୃଷ୍ଟି ଓ ସର୍ଜନା । କେବଳ ଏମାନଙ୍କ ନାମଗୁଡ଼ିକୁ ଯେ ବ୍ୟବହାର କରାଯାଇଛି ତାହା ନୁହେଁ, ତାଙ୍କ ବ୍ୟକ୍ତିଗତ ଚରିତ୍ରର ଠିକ୍‌ ବିପରୀତ ଦିଗରୁ ପ୍ରତ୍ୟେକ ଚରିତ୍ରଙ୍କୁ କଳ୍ପନା କରାଯାଇଛି ।

 

ସର୍ବଶେଷରେ କହିଲେ ଠିକ୍‌ହେବ ଯେ–ଲେଖକ ବ୍ରଜମୋହନ ହେଉଛନ୍ତି...କୌଣସି ଜଣେ ଲେଖକଙ୍କର ସୃଷ୍ଟି ପ୍ରିୟ କଳାଶକ୍ତି ଓ କାଦମ୍ବରୀ ହେଉଛନ୍ତି ବାସ୍ତବିକ୍‌ ଲେଖକଙ୍କର ଆତ୍ମା ବା ବିବେକ । ଏଇ ସବୁର ଭିଡ଼ା ଓଟରା ଭିତରେ ଜନ୍ମନିଏ କାହାଣୀ ତିନି ବନ୍ଧୁର ।

 

ଏଇ ତିନିବନ୍ଧୁ ଭିତରୁ ପ୍ରଥମ ବନ୍ଧୁ ଭାବରେ ଦେଖାଦିଏ କୌଣସି ଏକ ଅଜ୍ଞାତ ସମସ୍ୟା-। ସେହି ସମସ୍ୟା ଦେହରେ ଝାସ ଦିଅନ୍ତି ଚରିତ୍ରମାନେ । ଶେଷରେ ନିଜେ ଲେଖକ ନିକିତି ଧରି ତୁଳି ବସେ ପରସ୍ଥିତିକୁ । ତେଣୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇ ବନ୍ଧଗୁଡ଼ିକ ବାରି ହୋଇ ପଡ଼ନ୍ତି ଆପେ ଆପେ ।

 

ତେବେ ଉପନ୍ୟାସରେ ଏ ଜଟିଳତା କାହିଁକି ?

 

ଏବେ କାହାଣୀ ଶୁଣାଇବାର ମୋହ ଲେଖକମାନଙ୍କ ମନରୁ ଦୁରେଇ ଗଲାଣି । ଦିନ ଥିଲା ଯେତେବେଳେ ଦେବତାଙ୍କ କଥା, ପଶୁ ପକ୍ଷୀଙ୍କ କଥା, ନୀତି କଥା, ହିତ କଥା ପାଠକମାନଙ୍କୁ ଅପାର ଆନନ୍ଦ ଯୋଗାଉଥିଲା । ଆଉ ସେ ସମୟ ନାହିଁ । ଏବେ ଛୋଟ ପିଲାଟିଏ ମଧ୍ୟ ଜାଣିଲାଣି ଯେ–ମିଛ କହିବା ମହାପାପ । କିନ୍ତୁ ସତ କହିବାର ଯେଉଁ ଅଭ୍ୟାସ ଲୋଡ଼ା....ସେତେକ ତାକୁ ଜଣାନାହିଁ ।

 

ଏ ଦୃଷ୍ଟିରୁ ଆଜି ନୂଆ ହୋଇ କିଛିନାହିଁ । ରାମ, ସୀତା, ରାଧା, କୃଷ୍ଣ, ଲଳିତା, ବିଶାଖା, ପରେ ପରେ ରାଜକୁମାର, ରାଜକୁମାରୀ, ଅଥବା ଲାବଣ୍ୟବତୀ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ନନ୍ଦିକା, ଚନ୍ଦ୍ରଭାଗା, ଶେଷରେ ଧୋବୀ ସନିଆଁ ଇତ୍ୟାଦିର କାହାଣୀ ଆଉ ମଣିଷ ମନକୁ ଆନନ୍ଦ ଦେଇ ପାରୁନାହିଁ ।

 

ନାୟକ, ନାୟିକା, ବିରହ, ମିଳନ, ସମସ୍ୟା ଓ ସମାଧାନ ଦିଗରେ ପୃଥିବୀରେ ଏତେ ଚିନ୍ତା ହେଲାଣି ଯେ–ଆଉ ଅଧିକ ଚିନ୍ତା ମଣିଷର ବଞ୍ଚିବାକୁ ସୁଗମ କରିପାରିବ ବୋଲି ବିଶ୍ୱାସ ନାହିଁ ।

 

ମଝିରେ ପୁଣି ସ୍ୱର–ଉଠିଲା ମଣିଷର ସମୟ ସ୍ୱଳ୍ପ, ସେଥିପାଇଁ କ୍ଷୁଦ୍ର ଗଳ୍ପ କ୍ଷୁଦ୍ର କବିତା, କ୍ଷୁଦ୍ର ଉପନ୍ୟାସ ଆବଶ୍ୟକ । ଏଥିପାଇଁ ବିମ୍ବ, ଚିତ୍ରକଳ୍ପ ବିକଳ୍ପ, ଆଭାସ ଚିତ୍ର ଧୀରେ ଧୀରେ ମୁଣ୍ଡ ଟେକିଲା...ମଣିଷର ସମୟ ସଞ୍ଚୟକୁ ସାହାଯ୍ୟ କରିବା ଲାଗି ।

 

ତେବେ କହନ୍ତୁ ଦେଖି...ଏ ସମୟର ସଞ୍ଚୟ କାହିଁକି ? ବଞ୍ଚିବା ପାଇଁ ତ ? ସ୍ଥିତି ପାଇଁ ତ-? ବଞ୍ଚିବା ଯେ ଏବେ ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ । ଏଇ ବଞ୍ଚିବାର ଭୟ ବହୁ ସମୟରେ ମଣିଷକୁ ମୃତ୍ୟୁ ମୁଖକୁ ଟାଣି ନେଉଛି...ଆତ୍ମଗୋପନ କରିବାର କଳା ଶିକ୍ଷା ଦେଉଛି । ଯଦି ମଣିଷର ବଞ୍ଚିବା ଭୟ ନ ଥାନ୍ତା–ତେବେ ହୁଏତ ପାପ ପୂଣ୍ୟର ସୀମାରେଖା ନ ଥାନ୍ତା ବା ମଣିଷକୁ ବହୁବାର ମୃତ୍ୟୁ ମୁଖରେ ପଡ଼ିବାକୁ ହେଉ ନ ଥାନ୍ତା ।

 

ଏ ଦୃଷ୍ଟିରୁ ଆଜି ଉପନ୍ୟାସରେ ଚରିତ୍ରର ଚିତ୍ରାଙ୍କନ ଅନାବଶ୍ୟକ ହୋଇ ପଡ଼ିଛି । ହୃଦୟସ୍ପର୍ଶୀ କାହାଣୀ ମଣିଷକୁ ସନ୍ତୁଷ୍ଟ କରିପାରୁ ନାହଁ । ଫଳରେ ପ୍ରତି ସମୟ, ମୁହୂର୍ତ୍ତ ପ୍ରତି ବାକ୍ୟାଳାପ ଭିତରେ ମଧ୍ୟ ଗୋଟିଏ ଗୋଟିଏ ଉପନ୍ୟାସ ନୂଆ ନୂଆ ରୂପ ନେଇ ସୃଷ୍ଟି ହେବାରେ ଲାଗିଛି । ସେ ସବୁ ଉପନ୍ୟାସ ଲିଖିତ ହୋଇ ରହିଲେ–ପୃଥିବୀ ଅମୂଲ୍ୟ ସମ୍ପଦ ବୋଲି ନିଶ୍ଚୟ ବିବେଚିତ ହୁଅନ୍ତା । ଏ ଉପନ୍ୟାସରେ ଏହାହିଁ ସୂଚିତ ହୋଇଛି ଯେ–ମଣିଷର ପ୍ରତ୍ୟେକ ବାକ୍ୟ ମଧ୍ୟ ଉପନ୍ୟାସର ଶ୍ରେଷ୍ଠ ସଂଳାପ, ଏଥିପାଇଁ ଯତ୍ନ ବା ଅଧ୍ୟବସାୟ ଆବଶ୍ୟକତା ନାହିଁ ।

 

ପ୍ରତ୍ୟେକ ପ୍ରାୟ ଜାଣନ୍ତି–ଏକ ବିନ୍ଦୁରୁ ବିଶ୍ୱର ସର୍ଜନା । ପୁଣି ବିରାଟ ବିଶ୍ୱବ୍ରହ୍ମାଣ୍ଡ ମଧ୍ୟରେ ଏକ ବିନ୍ଦୁ ମଧ୍ୟ କ୍ରିୟଶୀଳ । ସେହିପରି ମଣିଷ ଜୀବନର ଗୋଟାଏ ମୁହୂର୍ତ୍ତ ନିଶ୍ଚୟ ବିରାଟ ଜୀବନର ଅଂଶବିଶେଷ । ଏଇ ଅଂଶ ପୁଣି ଜୀବନ ଭିତରେ ଅଜୀବନର ସୂଚନା ଦିଏ ।

 

ଇଲିଅଟ୍‌ ଜୀବନର ଅସାରତା ଦେଖାଇ ବଞ୍ଚିବାକୁ ଯେଉଁ ଆବେଦନ କରିଛନ୍ତି....ଏଜରା ପାଉଣ୍ଡ ନିଜକୁ ଅବୋଧ୍ୟ କରି ମଧ୍ୟ ତାହାଠାରୁ କମ୍‌ ଆବେଦନ କରି ନାହାନ୍ତି । ଲାବଣ୍ୟବତୀ ଜୀବନପାଇଁ ପ୍ରେମିକ ନିକଟରେ ଆତ୍ମସମର୍ପଣ କରୁଥିବାବେଳେ...ଧୋବୀ ସନିଆଁ ପାଇଁ ପାଷାଣ ପାଲଟି ଯିବାକୁ ଅଲକ୍ଷ୍ୟରେ ଆବେଦନ କରିବସିଛି । ଠିକ୍‌ ସେହିପରି ଆଧୁନିକ ଜୀବନ ସହିତ ଖାପ ଖୁଆଇ ଶ୍ରାବଣୀ ଖୋଜୁଛି ହୋଟଲେରେ ତା’ର ଜୀବନ ।

 

ତେବେ ମଣିଷ ଜୀବନ ବିପଣୀ ଖୋଲିଥିବାବେଳେ ଆତ୍ମପ୍ରବଞ୍ଚନାର ପ୍ରବଳ ଉଦ୍ୟମ କାହିଁକି ? ଏ ସବୁ ଆତ୍ମପ୍ରବଞ୍ଚନା କେବଳ କଳାର ଶୈଳୀ ନୈପୁଣ୍ୟ ଦେଖାଇବା ଲାଗି ।

 

ଯେଉଁଠି କଳା ନିଜେ ପ୍ରକାଶ ପାଇଁ ବ୍ୟାକୁଳ ସେଠାରେ ଉପକ୍ରମଣିକାର ଆବଶ୍ୟତା ମୋଟେ ନାହିଁ ।

 

ତେବେ ଆଜିର ଯୁଗରେ ଔପନ୍ୟାସିକର ସମସ୍ୟା କ’ଣ ?

 

ବଡ଼ଘରର ନାୟକ ଛୋଟ ଘରର ନାୟିକା ଅଥବା ସାମ୍ୟବାଦୀ ଯୁବକ ପାଇଁ ଆଭିଜାତ୍ୟ ପରାୟଣ ଯୁବତୀର ଆତ୍ମଦାନ ଏ ଯୁଗର ସମସ୍ୟା ହୋଇ ନାହିଁ । ବାପ ଦୁଇଙ୍କର ପାରିବାରିକ ଚାପା ଆଜିର ଯୁଗକୁ ନୂତନ ସନ୍ଦେଶ ଦେଉନାହିଁ । ତେଣୁ ମଣିଷର ସ୍ଥିତି ଏ ସମ୍ପର୍କରେ ନୀରବ ।

 

କିନ୍ତୁ ଐନ୍ଦ୍ରଜାଲିକ ସ୍ଵପ୍ନ ନେଇ ଏକ ନବୀନା ଯୁବତୀ କୌଣସି ଆଇ.ଏ.ଏସ. ଅଫିସର ପରି ଗୁଣବାନ ପୁରୁଷର ହାତ ଧରିବା ପରେ...ଯଦି ସେ ଯୁବକ ପୁଣି ଯୁବତୀ ପାଲଟି ଯାଏ–ତେବେ ବିବାହିତ ଯୁବତୀ ପ୍ରାଣରେ ସ୍ଥିତିପାଇଁ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହେବ ତାହା ହିଁ ବୃଦ୍ଧି କରିବ ଏ ଯୁଗର କଳା ସମ୍ପଦ । ଠିକ୍‌ ସେହିପରି କୌଣସି ଦୁର୍ଘଟଣାରେ ପ୍ରାଣ–ପ୍ରତିମ ପୁଅର ମୁଣ୍ଡ କଟି ଯିବାପରେ...ସେ ସ୍ଥାନରେ ଗୋଟିଏ କୁକୁର ବା ମାଙ୍କଡ଼ର ମୁଣ୍ଡ ଲଗାଇ ପୁଅକୁ ବଞ୍ଚାଇ ରଖିଲେ ମମତା ପାଗଳୀ ମାଆର ସ୍ଥିତିରେ ଓ ସ୍ମୃତିରେ କି ପ୍ରାଣବତ୍ତା ପ୍ରକାଶ ପାଇବ ତାହା ହିଁ ଏ ଯୁଗରେ ଲକ୍ଷ୍ୟ କରିବାର କଥା । ଶାସ୍ତିର ଛତରଖିଆ, ଗୋଷ୍ଠୀଠାରୁ, ବଜ୍ର ବାହୁର ସମ୍ପ୍ରସାରିତ ବହୁମୁଖୀ ଯୋଜନାଠାରୁ, ଅନ୍ଧଦିଗନ୍ତର ସ୍ଵାଧୀନତାପ୍ରେମୀ ଐତିହାସିକ ଘଡ଼ି ସନ୍ଧିଠାରୁ ଯେ ଏ ସମସ୍ୟା ଏକ ଅଭୂତ ପର୍ବ ବ୍ୟତିକ୍ରମ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ।

 

ଅଫିମ କଳାରାତି, ବାବୁର୍ଚ୍ଚିର ଟୋପିପରି ଶୁଭ ଚନ୍ଦ୍ରକିରଣ ବା ଆତ୍ମାକୁ ସପୁରୀ ପଣସ କରି ସ୍ଵପ୍ନ ଦେଖିବାର ଯୁଗର ଆମେ ସାମାନ୍ୟ ଆଗେଇ ଆସିଛୁ । ଉପେନ୍ଦ୍ର ଯୁଗର ପର୍ବତ ଭଳି ଉରଜଗୁଡ଼ିକ ଏବେ ପ୍ରସ୍ତରକ୍ଷୟ ଦ୍ଵାରା କମି କମି ମାତ୍ର ଛୋଟ ଆପେଲରେ ପରିଣତ ହେଲାଣି । ତାକୁ ପୁଣି ଆହୁରି ଛୋଟ କରି ବାନ୍ଧି ରଖିବାକୁ ବଜାରରେ ଚିପା ପୋଷାକର ପ୍ରବଳ କାଟତି । ହୁଏତ ଆଉ କେତେଦିନ ପରେ ଆମ ମହିଳାମାନେ କହିବେ–ହେ ଭଗବାନ ! ଆମକୁ ଏ ଭାରରୁ ମୁକ୍ତ କର ।

 

ଏଇଠି ହିଁ ସୃଷ୍ଟି ହେବ ଉପନ୍ୟାସର କାହାଣୀ । ଯଦି ଦୈବାତ୍‌ କେବେ ନାରୀମାନେ ଉରଜହୀନା ହୋଇ ଜନ୍ମ ନିଅନ୍ତି (ଅର୍ଥାତ୍‌ ପରେ ଉରଜ ବର୍ଦ୍ଧିତ ନ ହୁଏ) ତେବେ ମଣିଷର ପ୍ରକୃତିରେ କି ପରିବର୍ତ୍ତନ ଦେଖାଦେବ ।

 

ଏଇ ଆମ ଗଙ୍ଗାଧରଙ୍କ ଯୁଗ କଥା ଭାବନ୍ତୁ । ତାଙ୍କ ସୀତା ବାଲ୍ମୀକ ଆଶ୍ରମରେ ଶୋଇଥିବାବେଳେ...ଉଷା ଆସି ତାଙ୍କୁ ଦର୍ଶନ କରିବାଲାଗି ଦୁଆର ମୁହଁରେ ଜଗି ବସିଲା । ଗଙ୍ଗାଧରଙ୍କର ଏ କଳ୍ପନାରେ ବୈଚିତ୍ର୍ୟ ରହିଛି ନିଶ୍ଚୟ । କିନ୍ତୁ ବିଜ୍ଞାନ ଦିନକୁ ଦିନ ଆଗେଇବାରେ ଲାଗିଛି । ଦିନ ଆସିବ ହୁଏତ ମଣିଷ ମଣିଷ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିବ । ସେ ଯେଉଁ ମଣିଷ ସୃଷ୍ଟି କରିବ...ତାହାର ପ୍ରକୃତି କ’ଣ ହେବ ତାହାହିଁ ଚିନ୍ତା କରିବାର କଥା । ଏଇଠି ହିଁ ସୃଷ୍ଟି ହେବ ଉପନ୍ୟାସର ଆଦିପର୍ବ ।

 

ଏବେ ଚନ୍ଦ୍ରଲୋକକୁ ଯାତ୍ରା କରିବାପାଇଁ ମଣିଷ ପ୍ରବଳ ପ୍ରଚେଷ୍ଟା ଆରମ୍ଭ କରି ଦେଇଛି-। ମଣିଷ ଚନ୍ଦ୍ରଲୋକରେ ପହଞ୍ଚି ସାରିଛି ମଧ୍ୟ କିନ୍ତୁ ଚନ୍ଦ୍ରଲୋକରେ ପହଞ୍ଚିବା ପରେ...ସେଠାକାର ପରିବେଶର ପ୍ରତିକ୍ରିୟା ମଣିଷ ମନରେ କି ପ୍ରତିଫଳନ ସୃଷ୍ଟି କରିବ ତାହା ହିଁ ଏ ସ୍ଥିତି କାହାଣୀ-

 

ତେଣୁ ମଣିଷର କ୍ରୋଧ, ହିଂସା, ଅହମିକା, ଭୟ ପ୍ରତ୍ୟେକ ସ୍ଥିତିର ପରିପନ୍ଥୀ ହୋଇଥିବାରୁ...ଏ ସବୁ ଉପରେ ଉପନ୍ୟାସ ରଚିତ ହେବାର ଆବଶ୍ୟକତା ଏବେ ପ୍ରବଳ ଭାବରେ ଅନୁଭୂତ ହେଉଅଛି ।

 

ଆମେ ସବୁ ନିଜର ଶବକୁ ନିଜ ମୁଣ୍ଡରେ ଧରି ପ୍ରବଳ ଗତିରେ ଧାଇଁବାରେ ଲାଗିଛେ । ଏ ଧାଇଁବା କାହାପାଇଁ ? ବିଗତଟା ବିସ୍ମୃତ ଶବାଧାର ଭିତରେ ନିଜର ଶବ ନୁହେଁ କି ? ସେ ଶବକୁ ଦାହ କରି ହେବ ନାହଁ । ଶ୍ମଶାନରେ ଛାଡ଼ି ଆସି ହେବ ନାହଁ । ବଞ୍ଚିଥିବା ଯାଏ ସେ ଶବକୁ ବହି ବହି ଚାଲିବାକୁ ହେବ । ତେଣୁ ଆମେ ସବୁ ଶବବାହକମାନେ ପ୍ରଥମେ ନିଜର କଥା ହିଁ ଚିନ୍ତା କରିବା ଆବଶ୍ୟକ ।

 

ନିତି ନିତି ଅନେକ ଚିନ୍ତା ଆମ ମନକୁ ଆସୁଛି । କିନ୍ତୁ ସେ ଚିନ୍ତା ଗୁଡ଼ିକ କାର୍ଯ୍ୟକାରୀ ନ ହୋଇ ମୃତ୍ୟୁ ବରଣ କରୁଛି । ଏହିପରି ଏକ ମୃତ୍ୟୁ ହୋଇରୁ ଜୀବନବଲ୍ଲଭଙ୍କର । ତେଣୁ ସେ ମୃତ୍ୟୁ ସହିତ ପ୍ରତ୍ୟେକ ଜୀବିତ ମଣିଷ ଯେ ଅଳ୍ପେ ବହୁତେ ସମ୍ପୃକ୍ତ ଏଥିରେ ସନ୍ଦେହ ନାହିଁ ।

 

ଅନେକ ସମୟରେ ଅନେକ ପାପ କରିବାକୁ ମନ କଲବଲ ହୋଇଉଠେ, କିନ୍ତୁ ସେ ପାପରୁ ନିବୃତ୍ତ ହେବାପାଇଁ ଆମକୁ ବାଧା ଦିଏ ବିବେକ । ଏ ବିବେକ କିଛି ନୁହେଁ.... ଯୁଗ ଯୁଗ ଧରି ପ୍ରଚଳିତ ସାମାଜିକ ଓ ଲୌକିକ ଚଳଣୀର ଏକ ପ୍ରଚୋଦନା ମାତ୍ର । ଫଳରେ ଯେଉଁ ପାପ କରିବାକୁ ମନ ଆଗେଇବାରେ ଲାଗିଥାଏ–ସେ ପାପ ପରାଜୟ ସ୍ଵୀକାର କରି ମୃତ୍ୟୁବରଣ କରେ । ଏମିତି ସହସ୍ର ସହସ୍ର କାମନା ନିତିଦିନ ମୃତ୍ୟୁବରଣ କରି ଭୂତ ହେବାରେ ଲାଗଛି । ଆମେ ସେ ସବୁକୁ ବଞ୍ଚାଇ ରଖି ପାରୁନାହୁଁ, କିନ୍ତୁ ଏହି କାମନା ଭିତରେ ମଧ୍ୟ ମଣିଷ ସ୍ଥିତି ପାଇଁ ଯୁଦ୍ଧ କରିବାରେ ଲାଗିଛି । ତେଣୁ କାମନା ଦେହରେ ଯେ ମାନବିକତାର ସ୍ଵାଦ ନାହିଁ..ତାହା କହି ହେବନାହିଁ । ମନ୍ଦାକିନୀ ଓ ରଙ୍ଗବଲ୍ଲଭ ଏଇ କାମନାର ବିନାଶ କରି ଶେଷରେ ପଶୁ ହୋଇ ଯିବାକୁ ବାଧ୍ୟ ହୋଇଛନ୍ତି । ମହାପୁରୁଷମାନେ କହିଛନ୍ତି–କାମନାର ବିନାଶରେ ମାନବିକ ପ୍ରବୃତ୍ତି ମହୋତ୍ତର ହୁଏ । କିନ୍ତୁ ସେ ବିନାଶ ନାହିଁ । କୌଣସି ନବ ଯୁବତୀର ଅଙ୍ଗ ଲାଭ ପାଏ । ଜଣେ ନବୀନ ଯୁବକର ଯେଉଁ କାମନା ତାହା କୌଣସି ଧର୍ମ, ପରାୟଣ ବ୍ୟକ୍ତିର ଭଗବତ୍‌ ପ୍ରାପ୍ତିର କାମନା ଠାରୁ ନିମ୍ନ ସ୍ତରର ନୁହେଁ । ଜୀବନର ଶାନ୍ତି ପାଇଁ ଯୁବକର ଉଦାତ୍ତ ମାନବିକତା ବିକଳ ହୋଇ ଉଠୁଥିବା ବେଳେ ପ୍ରାଣର ପରିତ୍ରାଣ ପାଇଁ ଧର୍ମପରାୟଣ ବ୍ୟକ୍ତିର ଅନ୍ତର ବିଳପି ଉଠୁଛି । ତେଣୁ ପାପ ଓ ପୂଣ୍ୟର ବ୍ୟାଖ୍ୟା କାହିଁ ?

ମଣିଷର ସ୍ଥିତି କୌଣସି ଧରାବନ୍ଧା ନୀତି ବା ନିୟମରେ ନାହିଁ । ସୃଷ୍ଟିର ତର୍ଜମା ଯେପରି ଅନନ୍ତ–ସ୍ଥିତିର ତର୍ଜମା ମଧ୍ୟ ଠିକ୍‌ ସେହିପରି ଅନନ୍ତ ଓ ଆକାରହୀନ । ଏ ସ୍ଥିତିବାଦ ବିଂଶ ଶତାଦ୍ଦୀର ଏକ ନୂତନ ସନ୍ଦେଶ ନୁହେଁ ।

ଏକ ଅନ୍ଧାରୀ ଅତୀତରୁ ଆମେ ସୃଷ୍ଟି, ସ୍ଥିତି, ଲୟର ପୂଜାରୀ । ସୃଷ୍ଟି ଦିଗରେ ଆମେ ନୀରବ । କାରଣ–ସୃଷ୍ଟି ପାଇଁ ପ୍ରକୃତି ସଦା ଜାଗ୍ରତ । ଲୟ ପାଇଁ ମଧ୍ୟ ପ୍ରକୃତିର ଉପାଦାନ ଯଥେଷ୍ଟ-। କେବଳ ସ୍ଥିତି ଆମକୁ ସିଧାସଳଖ ଭାବରେ ଘାତ ପ୍ରତିଘାତର ସମ୍ମୁଖୀନ କରାଉ ଥିବାରୁ ଏ ଦିଗରେ ଆମେ ଚିନ୍ତା କରିବାର ଆବଶ୍ୟକତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି-

କେବଳ ବଦଳୁଛି ସମୟ । ଏଇ ସମୟର ଚାପରେ ନିଜର ସ୍ଥିତି ପାଇଁ ରାମ ରାବଣକୁ ହତ୍ୟା କଲେ...କୃଷ୍ଣ କଂସକୁ ନିଧନ କଲେ । ଏଇ ସ୍ଥିତି ପାଇ ଷୋଳ ସହସ୍ର ଗୋପନାରୀ ଧରି କୃଷ୍ଣ ଲୀଳା କରି ଚାହିଁଥିଲେ ନିଜ ବଂଶର ବୃଦ୍ଧି, ବିରାଟ ଯଦୁ ବଂଶର ପ୍ରତିଷ୍ଠା ।

ତେଣୁ ସ୍ଥିତିର ସ୍ଵରୁପ ମଧ୍ୟ ସମୟ ବିଶେଷରେ ଭିନ୍ନ । ସମୟ ଓ ଆତ୍ମାର କାରୁଣ୍ୟ ଭିତରୁ ନିଜକୁ ଆବିଷ୍କାର କରି ତାହାର ଜୟଗାନ କରିବା ହିଁ ଆଜି ସ୍ଥିତିସର୍ବସ୍ଵ ମଣିଷର ପ୍ରାଥମିକ ଉଦ୍ଦେଶ୍ୟ ।

ମୁଁ କିଏ ?

ଏଥିପାଇଁ ମୁଁ ପାଗଳ ନୁହେଁ । ହେଲେ ମୁଁ ବଞ୍ଚିବ କିପରି ? ଏଇ ଚିନ୍ତାରେ ବ୍ୟଥିତ ମୁଁ । ନିଜକୁ ନିଜେ ଚିହ୍ନିବାର ସମୟ ଏବେ ମଧ୍ୟ ଆସିନାହିଁ । ପୃଥିବୀ ଓ ସଭ୍ୟତାର ଅଗ୍ରଗତି ସଙ୍ଗେ ସଙ୍ଗେ ଅସ୍ଥିରତା ବୃଦ୍ଧି ପାଇବାରେ ଲାଗିଛି । କେବଳ ଲିଙ୍ଗ ବା କାମନାର ପ୍ରଚୋଦନା ଆମକୁ ବ୍ୟଗ୍ର କରୁନାହିଁ । ଆମେ ଅସ୍ଥିରତାର ଶିକାର ହୋଇ ଅନେକ କିଛି ଭୁଲ୍‌ କରି ବସୁଛୁ ।

ପ୍ରଶ୍ନ ଉଠୁଛି–ତେବେ ଆଧୁନିକ ହେବାର ମୂଳମନ୍ତ୍ର କେଉଁଠି ? ତରୁଣକାନ୍ତଙ୍କୁ ଜଣେ ଶିକ୍ଷିତ ଆଧୁନିକ ମଣିଷ ଭାବରେ ଚିନ୍ତା କରାଯାଇଥିଲେ ମଧ୍ୟ ସେ ଆଧୁନିକ ହୋଇ ପାରି ନାହାନ୍ତି-। ପାରିବାରିକ ମମତା ଓ ପାରିପାର୍ଶ୍ଵିକ ଭୟ ତାଙ୍କୁ ସଙ୍କୁଚିତ କରି ପକାଇଛି । ଏପରିକି ନିଜ ଉପରେ ତାଙ୍କ ନିଜର ବିଶ୍ୱାସ ମଧ୍ୟ ନାହିଁ । ବିଶ୍ଵାସହୀନତା ପାଇଁ ହିଁ ମଣିଷ ଆଜି ମହାଦ୍ଵନ୍ଦର ସମ୍ମୁଖୀନ ।

ଯେତେବେଳେ ମଣିଷ ନିଜ ଉପରୁ ନିଜର ବିଶ୍ଵାସ ହରାଏ... ନିଜ ଧାରାବାହିକ କ୍ରିୟା ପ୍ରତି ଆକର୍ଷିତ ନ ହୁଏ–ସେତେବେଳେ ଅସଙ୍ଗତି ଓ ଅଯୌକ୍ତିକତା ତା’ର ବିଚାର ଓ ବିବେଚନାର ମାର୍ଗକୁ ଅକାମୀ କରିଦିଏ । ଏଇ ଦିଗପ୍ରତି ସଚେତନ କରାଇବା ଲାଗି ଆଜି ଅସଙ୍ଗତ ନାଟକର ଅୟମାରମ୍ଭ ହୋଇଛି ।

ଏପରି ଏକ ସୃଷ୍ଟି ମୂଳରେ ସ୍ଥିତିର ପ୍ରଚୋଦନା । ମୁଁ...ଓ ସେ । ଏ ଦୁଇଟିର ବିଚାର ବେଳେ ଆମେ ଜାଣୁ... ମୁଁ ହେଉଛି ମୁଁ.... କିନ୍ତୁ ସେ କିଏ ? ସେ ରାମ, ଗୋପାଳ, ଗୋବିନ୍ଦ ବା ଲେଖକ, କାଦମ୍ବରୀ, କାଠ, ପଥର ବେଞ୍ଚ ସମସ୍ତେ ।

 

ଏମାନେ ଜଗତରେ ସମସ୍ତେ ଅବଶ୍ୟ କ୍ରିୟାଶୀଳ । କିନ୍ତୁ ମୁଁ ଚାହେଁ ମୋର ସ୍ଥିତି ।

ଏଇ ଦୃଷ୍ଟିରୁ ‘‘କାହାଣୀ ତିନି ବନ୍ଧୁର’’ ଏକ ସ୍ଥିତିବାଦୀ ଉପନ୍ୟାସର ପ୍ରାଥମିକ ଚେଷ୍ଟା ମାତ୍ର ।

ଏ ସ୍ଥିତିରେ ରହସ୍ୟର ପ୍ରହେଳିକା ରହିଛି...ଅନୁଶୋଚନାର ଦିଗନ୍ତ ରହିଛି...ସନ୍ଦେହର ରୋମାଞ୍ଚ ରହିଛି...ପୁଣି ଆତ୍ମପ୍ରତ୍ୟୟ ସହିତ ଆତ୍ମ ସମର୍ପଣର କାରୁଣ୍ୟ ସ୍ଥାନ ପାଇଛି ।

ଉପନ୍ୟାସଟି କାହାଣୀହୀନ ନିଶ୍ଚୟ, ଧାରାବାହିକ–ପ୍ରେମ, .. ଘଟଣାର ଘାତ, ପ୍ରତିଘାତ, ତ ନାହିଁ ନିଶ୍ଚୟ, କିନ୍ତୁ ସ୍ଥାନ ପାଇଁ ଆବେଦନ ରହିଛି । ଉପନ୍ୟାସଟିରେ ଚାରିତ୍ରିକ ତର୍ଜମା ନାହିଁ... ଓ ଅନୀତିର ଦ୍ଵନ୍ଦ ନାହିଁ । ଏ ଉପନ୍ୟାସରେ ଗାନ୍ଧୀ ବା ଗୋପବନ୍ଧୁ ହେବା ପାଇଁ ଡାକରା ଦିଆଯାଇନାହିଁ ।

ପୁଣି ଆଜିକାଲିର ଏକ ନରମ ଡିଟେକ୍‌ଟିଭ କାହାଣୀ ପରି ଉପନ୍ୟାସଟି ଆରମ୍ଭ ହୋଇଥିଲେ ମଧ୍ୟ ଏଇଟି ଗୋଟିଏ ଗୋଇନ୍ଦା ମୂଳକ ଉପନ୍ୟାସ ନୁହେଁ । ପୋଲିସର କାର୍ଯ୍ୟ ମାତ୍ର ସୀମିତ ପରିସର ଭିତରେ ଆତ୍ମଗୋପନ କରିଯାଇଛି ।

ପୁଣି ଉପନ୍ୟାସ ଭିତରେ ନିଜେ ଲେଖକ ମଧ୍ୟ ଗୋଟିଏ ଚରିତ୍ର ଭାବରେ ଦେଖା ଦେଉଛନ୍ତି । ତେଣୁ ଉପନ୍ୟାସ ଶୈଳୀକୁ ଏ ଉପନ୍ୟାସ ଠିକ୍‌ ସାହାଯ୍ୟ କରିବ ।

‘କାହାଣୀ ତିନି ବନ୍ଧୁର’ କଥା ବିଚାର କରାଯାଉ ।

ଏ ଅସ୍ଥିର ମଣିଷର ସ୍ରୋତକୁ ସ୍ଥିତିର ପ୍ରଚୋଦନା ଯୋଗାଇବା ପାଇଁ ଓ ଭୟ ଭ୍ରାନ୍ତିକୁ ଦୂରେଇବା ଲାଗି ଆବେଦନ ମାତ୍ର ।

କାହାଣୀ ଓ ଦ୍ଵନ୍ଦର ଉର୍ଦ୍ଧ୍ଵରେ, ଘଟଣା ଓ ସାମାଜିକତାର ଉର୍ଦ୍ଧ୍ୱରେ, ଉପମା, ଉପମେୟ, ଚିତ୍ରକଳ୍ପ, ବିମ୍ବର ଉର୍ଦ୍ଧ୍ୱରେ...ଜାତି, ଧର୍ମ, ଜାତୀୟତା, ଶୋଷଣ, ପେଷଣର ଉର୍ଦ୍ଧ୍ୱରେ, ସମାଜବାଦ, ସାମ୍ୟବାଦ, haves and have nots ଉର୍ଦ୍ଧ୍ୱରେ, ଆଜି ପୃଥିବୀରେ ଯେଉଁ ବୌଦ୍ଧିକ ମାନସିକ ସଙ୍ଘାତ ଦେଖାଦେଇଛି...ତା ହେଉଛି ଏ ଯୁଗର ବିଶେଷତ୍ୱ । ତା’ର ଉପରେ ଉପନ୍ୟାସ, କ୍ଷୁଦ୍ରଗଳ୍ପ, କବିତାର ସୃଷ୍ଟି ନିର୍ଭର କରୁଛି ।

ଆଜି ସମସ୍ତେ ଭାବୁଛନ୍ତି... ମୁଁ ଯାହା ଜାଣେ ଅନ୍ୟ କେହି ଜାଣି ନାହାନ୍ତି... ମୁଁ ଯାହା କହୁଛି ଅନ୍ୟ କେହି କହି ନାହାନ୍ତି...ମୁଁ ଯାହା ଭାବୁଛି ଅନ୍ୟ କେହି ଭାବି ନାହିଁ । ତେଣୁ ମୁଁ ଏକମାତ୍ର ବୁଦ୍ଧିବାନ୍... ମୁଁ ଏକମାତ୍ର ସ୍ରଷ୍ଟା । ମୋ ସୃଷ୍ଟି ନିଶ୍ଚୟ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର । ମୁଁ ଅନ୍ୟର କାହାଣୀ ଶୁଣିବାକୁ ମୋଟେ ଆଗ୍ରହୀ ନୁହେଁ..ସମସ୍ତେ ମୋତେ ଶୁଣନ୍ତୁ ।

ସେ ସେହିପରି ଅପର ଦିଗରୁ ବିଚାର କଲେ ଦେଖାଯାଉଛି ମୁଁ ଏ ଅପକ୍ରିୟା ସହିତ ସମ୍ପୃକ୍ତ । ହୁଏତ ମୁଁ ଜଗତର ସବୁ ଅପକର୍ମ ସହିତ ସମ୍ପୃକ୍ତ । ଥରେ ଜଣେ ଡାକ୍ତର ବନ୍ଧୁ ବିଭିନ୍ନ ରୋଗ ଓ ରୋଗର ଲକ୍ଷଣ ସମ୍ପର୍କରେ ଗବେଷଣା କରୁଥିଲେ । ଗୋଟିଏ ଲେଖାଏଁ ରୋଗ ଉପରେ ଗବେଷଣା ଶେଷ କଲା ବେଳକୁ ସେ ଭାବୁଥିଲେ...ଏ ରୋଗର ଜୀବାଣୁ ମୋ ଦେହରେ ମଧ୍ୟ ଅଛନ୍ତି । ଏହିପରି ସଂଖ୍ୟାଧିକ ରୋଗ ଉପରେ ସେ ଗବେଷଣା କରିବା ପରେ ମନେକଲେ–ସବୁ ରୋଗ ତାଙ୍କ ଦେହରେ ରହିଛି । ଯେ କୌଣସି ମୁହୂର୍ତ୍ତରେ ସେସବୁ ରୋଗ ଆତ୍ମପ୍ରକାଶ କରି ତାଙ୍କ ମୃତ୍ୟୁର କାରଣ ହେବ । ଏ ଚିନ୍ତା ଏପରି ପ୍ରବଳ ହେଲା ଯେ–ଶେଷରେ ଡାକ୍ତରଙ୍କର ମୃତ୍ୟୁ ହୋଇଗଲା ।

ଏଇ ହେଉଛି ଏ ଯୁଗର ଦର୍ଶନ ।

ପରିବର୍ତ୍ତନ ହେଉଛି ସତ, କିନ୍ତୁ ପରିବର୍ତ୍ତନକୁ ସ୍ୱୀକାର କରିବା ପାଇଁ କେହି ପ୍ରସ୍ତୁତ ନୁହନ୍ତି । ପ୍ରତ୍ୟେକ ମନେ କରୁଛନ୍ତି...କେବଳ ଅବିଶ୍ଵାସ...ସନ୍ଦେହ...ଭୟ ସଙ୍କୋଚରେ ପୃଥିବୀ ପରିଚାଳିତ । ଏ ସବୁକୁ ତ୍ୟାଗ କଲେ ଆମେ ହେବା ଲଗାମଛଡ଼ା... ହିପି...ନିଉଡ଼୍...ବିଟଲ୍ ସୋସାଇଟିର ମଣିଷ ।

ତେବେ ସେ ଯାହାହେଉ...ଅସ୍ଥିତି...ଅସ୍ଥିରତାରେ–ହିଁ ସ୍ଥିତିର ଜୟଗାନ । ଉର୍ମିଳାର ସ୍ନେହାଭିଜାତ୍ୟ, ମନ୍ଦାକିନୀଙ୍କ ପ୍ରେମାଭିଜାତ୍ୟ, ତରୁଣକାନ୍ତଙ୍କ ମାନବିକ ଆଭିଜାତ୍ୟ, ଅତିନ୍ଦ୍ରଙ୍କ ବଂଶାଭିଜାତ୍ୟର ଊର୍ଦ୍ଧ୍ଵରେ ଏ ସ୍ଥିତିର ଆସନ ।

ବଞ୍ଚିବା ପାଇଁ କେବଳ ଦୋକାନ ବଜାର, ସିନେମା ଥିଏଟର, ସାହିତ୍ୟ...ଇତିହାସ, ମରିବା ପାଇଁ ନୁହେଁ । ମରିବାଟା ଜଗତରେ ସବୁଠାରୁ ଅତି ସହଜ କଳା, କିନ୍ତୁ କହିବା ହିଁ ଅସଞ୍ଜତ ଅସଙ୍ଗତ ପୃଥିବୀ ବକ୍ଷରେ ଏକ ଧାରାବାହିକ ବିପ୍ଳବର ବହ୍ନି ।

ଆମେ ପ୍ରତ୍ୟେକ ଚାହୁଁ ଜୀବନ....

ସେହି ଜୀବନ ଭିତରେ ଏକ ମାନସିକ ଜିଜ୍ଞାସା....

Image